T Dilip Pens Emotional Farewell: ଭାବବିହ୍ୱଳ ବାର୍ତ୍ତା ସହ ଟିମ୍ ଇଣ୍ଡିଆରୁ ବିଦାୟ ନେଲେ ଟି. ଦିଲୀପ
ଟିମ୍ ଇଣ୍ଡିଆର ଡ୍ରେସିଂ ରୁମର ଜଣେ ପରିଚିତ ଚେହେରା ଏବେ ବିଦାୟ ନେଇଛନ୍ତି। ପାଞ୍ଚ ବର୍ଷ ଧରି ଭାରତୀୟ ଦଳର ଫିଲ୍ଡିଂ କୋଚ୍ ଭାବେ କାର୍ଯ୍ୟ କରିଥିବା ଟି. ଦିଲୀପଙ୍କ ଚୁକ୍ତିକୁ BCCI ନବୀକରଣ କରିନାହିଁ। ବିଦାୟ ବେଳେ ସେ ଏକ ଭାବବିହ୍ୱଳ ବାର୍ତ୍ତା ସେୟାର କରିଛନ୍ତି। ଦିଲୀପଙ୍କ ସ୍ଥାନରେ ଶୁଭଦୀପ ଘୋଷଙ୍କୁ ନୂଆ ଫିଲ୍ଡିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି।
ଇନ୍ଷ୍ଟାଗ୍ରାମରେ ଭାବପ୍ରବଣ ବାର୍ତ୍ତା ଲେଖି ଦିଲୀପ କହିଛନ୍ତି, ପାଞ୍ଚ ବର୍ଷର ଏହି ଯାତ୍ରାକୁ ଶବ୍ଦରେ ବର୍ଣ୍ଣନା କରିବା ସହଜ ନୁହେଁ। ଭାରତୀୟ ଦଳରେ ଫିଲ୍ଡିଂ ସଂସ୍କୃତିକୁ ନୂଆ ଉଚ୍ଚତାକୁ ନେବାର ସୁଯୋଗ ପାଇଁ ସେ ନିଜକୁ ଭାଗ୍ୟବାନ ମନେ କରୁଥିବା କହିଛନ୍ତି। ବିଶେଷ କରି ଡ୍ରେସିଂ ରୁମର 'ଫିଲ୍ଡିଂ ମେଡାଲ୍' ପରମ୍ପରା ସବୁବେଳେ ତାଙ୍କ ସ୍ମୃତିରେ ରହିବ ବୋଲି ସେ କହିଛନ୍ତି।
ନିଜ କାର୍ଯ୍ୟକାଳରେ ଦୁଇଟି ଟି-୨୦ ବିଶ୍ୱକପ୍, ଗୋଟିଏ ଚାମ୍ପିଅନ୍ସ ଟ୍ରଫି ଏବଂ ଦୁଇଟି ଏସିଆ କପ୍ ବିଜୟର ସାକ୍ଷୀ ହୋଇଥିବା ଦିଲୀପ, BCCI, ପୂର୍ବତନ କୋଚ୍ ରାହୁଲ ଦ୍ରାବିଡ଼, ବର୍ତ୍ତମାନର କୋଚ୍ ଗୌତମ ଗମ୍ଭୀର, ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମାନ ଗିଲ୍ ଓ ଶ୍ରେୟସ ଆୟରଙ୍କ ସମେତ ସମସ୍ତ ଖେଳାଳି ଓ ସହଯୋଗୀ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।