From IAS to Politics: ଓଡ଼ିଶା ରାଜନୀତିରେ ଲମ୍ବୁଛି `ବାବୁ' ଧାରା; କିଏ ସକସେସ୍ ତ କିଏ ନେଇଛନ୍ତି ସନ୍ୟାସ

Jun 26, 2026 - 20:58
From IAS to Politics:  ଓଡ଼ିଶା ରାଜନୀତିରେ ଲମ୍ବୁଛି `ବାବୁ' ଧାରା; କିଏ ସକସେସ୍ ତ କିଏ ନେଇଛନ୍ତି ସନ୍ୟାସ

ଓଡ଼ିଶା ରାଜନୀତିରେ ଲମ୍ବୁଛି `ବାବୁ' ଧାରା। ପ୍ରଶାସନିକ ଦୁନିଆରୁ ନିର୍ବାଚନୀ ମଇଦାନକୁ ଲମ୍ଫ ମାରୁଛନ୍ତି ଜଣେ ପରେ ଜଣେ ପୂର୍ବତନ ବ୍ୟୁରୋକ୍ରାଟ। ଫାଇଲ୍ ଓ ଫର୍ମାଲିଟି ଛାଡ଼ି ଦେଉଛନ୍ତି ପିଲିଟିକ୍ସ ପରୀକ୍ଷା। କିଏ ଭିଆରଏସ୍ ନେଇ ଲୋକଙ୍କ ପସନ୍ଦ ପାଲଟୁଛନ୍ତି ପୁଣି ଆଉ କିଏ ପ୍ରତ୍ୟାଖ୍ୟାତ ହୋଇ ସନ୍ୟାସ ନେଇଛନ୍ତି। ତାଲିକା ଦେଖିଲେ ସଫଳତା କମ୍ ବିଫଳତା ବେଶି। ପ୍ରଶାସନିକ ସେବା କ୍ଷେତ୍ରରେ ମିଳିଥିବା ସଫଳତା ରାଜନୀତିରେ ଅନେକଙ୍କୁ ମିଳିନାହିଁ। ତେବେ ପାୱାର କରିଡରରେ ସଫଳ ହେଉଥିବା ଅଫିସର୍ କାହିଁକି ରାଜନୀତିରେ ସଫଳ ହୋଇପାରୁନାହାନ୍ତି, ଦେଖିବା ରିପୋର୍ଟ...

ପୂର୍ବତନ ଆଇଏଏସ୍ ପ୍ୟାରୀମୋହନ ମହାପାତ୍ର ହୁଅନ୍ତୁ ଅବା ଅଶ୍ବିନୀ ବୈଷ୍ଣବ। ଅପରାଜିତା ଷଡ଼ଙ୍ଗୀଙ୍କ କଥା କୁହନ୍ତୁ କିମ୍ବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଭିକେ ପାଣ୍ଡିଆନ ହୁଅନ୍ତୁ କି ଏବେ ଏବେ ଶଙ୍ଖ ଧରିଥିବା ମିସେସ୍ ପାଣ୍ଡିଆନ। ପୁଣି ପୂର୍ବତନ ଡିଜିପି ପ୍ରକାଶ ମିଶ୍ର। ତାଲିକା ଦେଖିଲେ ଆହୁରି ଲମ୍ବିବ। ରାଜ୍ୟରେ ବାବୁଙ୍କୁ ଚଢିଛି ରାଜନୀତି ନିଶା। କିଏ ଅବସର ପରେ ତ ଆଉ କିଏ ଅଧାରୁ ସ୍ବେଚ୍ଛାକୃତ ଅବସର ନେଇ ଲମ୍ଫ ମାରୁଛନ୍ତି ରାଜନୈତିକ ମଇଦାନକୁ। 

ତେବେ ଫାଇଲ୍ ଛାଡ଼ି ପଲିଟିକ୍ସରେ ସକସେସ୍ ହୋଇଥିବା ବାବୁଙ୍କ ସଂଖ୍ୟା କିନ୍ତୁ ହାତ ଗଣତି। ସଫଳତାର ସିଢିରେ ସବୁଠୁ ଆଗରେ ଅଛନ୍ତି ଅପରାଜିତା ଷଡ଼ଙ୍ଗୀ । ଆଇଏଏସ୍ ଚାକିରିରୁ ଭିଆରଏସ ନେଇ ବିଜେପିରେ ଯୋଗ ଦେଇଥିବା ଅପରାଜିତା ଲଗାତାର ଦୁଇ ଦୁଇ ଥର ଭୁବନେଶ୍ବର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହେବା ସହିତ ମୋଦିଙ୍କ କ୍ୟାବିନେଟରେ ପାୱାରଫୁଲ୍ ମିନିଷ୍ଟର୍ । 

ଆଇଆରଏସ୍ ଅମର ପଟ୍ଟନାୟକ ରାଜ୍ୟସଭା ସାଂସଦ ହୋଇଛନ୍ତି। ତେବେ ସମସ୍ତଙ୍କ ମୁଣ୍ଡରେ ହାତୀ ସୁନାକଳସ ଢାଳିନି। ଏଇ ଯେମିତି ଚର୍ଚ୍ଚିତ ଓ ବିବାଦୀୟ ପୂର୍ବତନ ଆଇଏଏସ ଭିକେ ପାଣ୍ଡିଆନ। ଭିଆରଏସ୍ ନେଇ ବିଜେଡିରେ ଯୋଗ ଦେଇ ନିର୍ବାଚନ ପରିଚାଳନା କରିଥିଲେ। ଦଳର ଶୋଚନୀୟ ପରାଜୟ ପରେ ରାଜନୀତିରୁ ସନ୍ୟାସ ନେଇଛନ୍ତି। ଏବେ ତାଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ମଧ୍ୟ ଶଙ୍ଖ ଫୁଙ୍କିଛନ୍ତି । ଅନ୍ୟପଟେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଓ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ମଧ୍ୟ ରାଜନୈତିକ ଜୀବନରେ ପରାଜୟର ସ୍ବାଦ ଚାଖିଛନ୍ତି। 

ରାଜ୍ୟ ରାଜନୀତିରେ ବ୍ୟୁରୋକ୍ରାଟଙ୍କ ତାଲିକା ଲମ୍ବିବାରେ ଲାଗିଛି। ପ୍ରଶାସନିକ ଅଭିଜ୍ଞତା ସେମାନଙ୍କର ବଡ଼ ଶକ୍ତି। କିନ୍ତୁ ରାଜନୀତି ରଣାଙ୍ଗନରେ ଭୋଟରଙ୍କ ମନ ଜିଣି ନିର୍ବାଚନ ବୈତରଣୀ ପାର୍ ହେବା ସମସ୍ତଙ୍କ ପାଇଁ ସହଜ ହେଉନି। ପ୍ରଶ୍ନ ଉଠୁଛି- ଗ୍ରାଉଣ୍ଡ ପଲିଟିକ୍ସରେ କାହିଁକି ଫେଲ୍ ହେଉଛନ୍ତି ବାବୁ? ପାୱାରଫୁଲ୍ ଅଫିସର୍ ରାଜନୀତିରେ କାହିଁକି ଫ୍ୟୁଜ୍ ହୋଇଯାଉଛନ୍ତି ? 

ବିଶେଷଜ୍ଞଙ୍କ ମତରେ, ଲୋକଙ୍କ ଭିତରେ ଗ୍ରହଣୀୟତା ହେଉଛି ରାଜନୀତିର ମୂଳ ଆଧାର। ଜଣେ ଅଧିକାରୀଙ୍କୁ ସାଧାରଣ ପ୍ରାର୍ଥୀଠାରୁ ଅଧିକ ଗୁରୁତ୍ୱ ମିଳିଥାଏ। କିନ୍ତୁ ସେହି ପରିଚୟକୁ ଭୋଟରେ ପରିଣତ କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଜନତାଙ୍କ ସମର୍ଥନ ବିନା ନିର୍ବାଚନ ଜିତିବା କଷ୍ଟକର।

ପ୍ରଶାସନରେ ଦକ୍ଷତା ଓ ରାଜନୀତିରେ ଲୋକପ୍ରିୟତା—ଏ ଦୁଇଟି ପୁରା ଅଲଗା। ଫାଇଲ୍ ସମ୍ଭାଳିବାର ଅଭିଜ୍ଞତା କେବେ ବି ଭୋଟରେ ଜିତାଇପାରେନି। ଏଣୁ ବ୍ୟୁରୋକ୍ରାଟରୁ ରାଜନେତା ହେବାର ଯାତ୍ରାରେ ସଫଳତାଠାରୁ ବିଫଳତାର ତାଲିକା ବେଶ୍ ଲମ୍ବା।