Fresh Inductions Expected in Cabinet: ମନ୍ତ୍ରିମଣ୍ଡଳରେ ସାମିଲ ହେବେ ନୂଆ ଚେହେରା ! ଓଡ଼ିଶାରୁ କାହାକୁ ମିଳିବ ସ୍ଥାନ ?
ବଦଳିବ ଟିମ୍ ମୋଦି!
ମନ୍ତ୍ରିମଣ୍ଡଳରେ ସାମିଲ ହେବେ ନୂଆ ଚେହେରା!
ଯୁବ ବର୍ଗକୁ ମିଳିବ ପ୍ରାଧାନ୍ୟ!
କେନ୍ଦ୍ରରେ ବଦଳୁଥିବା ରାଜନୈତିକ ଗତିବିଧି ମଧ୍ୟରେ ମୋଦି ସରକାରରେ ବଡ଼ ଧରଣର ଅଦଳବଦଳ ନେଇ ଜୋର୍ ଧରିଛି ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ଦୁଇ ବର୍ଷ ପୂରିଥିବା ବେଳେ ଖୁବ ଶୀଘ୍ର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହେବ ବୋଲି ଆଲୋଚନା ହେଉଛି। ବିଶେଷ କରି ବିଜେପିର ସାଙ୍ଗଠନିକ ପୁନର୍ଗଠନ, ରାଜ୍ୟସଭା ମନୋନୟନ ଏବଂ ବିଭିନ୍ନ ରାଜ୍ୟରେ ଦଳୀୟ ସଂଗଠନରେ ପରିବର୍ତ୍ତନ ପରେ ଏହି ଚର୍ଚ୍ଚା ଆହୁରି ଜୋରଦାର ହୋଇଛି।
ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଏବଂ ଆଜି ଗୃହମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ଏହି ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି, ଯଦିଓ ପ୍ରଧାନମନ୍ତ୍ରୀ ଅନେକ ସମୟରେ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥାନ୍ତି। ଅନ୍ୟପଟେ ଜର୍ଜ କୁରିଆନଙ୍କ ଇସ୍ତଫା ପରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ନେଇ ବଢ଼ିଛି ଆକଳନ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କିଛି ଦିନ ମଧ୍ୟରେ ଆଉ ୩ ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା, ପଙ୍କଜ ଚୌଧୁରୀ ଏବଂ ରବନୀତ ସିଂହ ବିଟ୍ଟୁଙ୍କୁ ଇସ୍ତଫା ଦେବାକୁ କୁହାଯାଇପାରେ।
ହର୍ଷଙ୍କୁ ଦିଲ୍ଲୀ ବିଜେପି ଓ ପଙ୍କଜଙ୍କୁ ଉତ୍ତର ପ୍ରଦେଶ ୟୁନିଟର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ବିଟ୍ଟୁଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରିଥିବାରୁ ସେ ଆଉ ସାଂସଦ ନାହାନ୍ତି। ମୋଦି ଦ୍ବିତୀୟ ଟର୍ମର ପ୍ରଥମ ୨ ବର୍ଷ ପୂରଣ ପରେ ନିଜ ଟିମରେ ଅଦଳବଦଳ କରିଥିଲେ। ଏଣୁ ଏଥର ମଧ୍ୟ ସେହି ସମୟରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହୋଇପାରେ ବୋଲି କୁହାଯାଉଛି ।
ବଡ଼ ପ୍ରଶ୍ନ ମୋଦିଙ୍କ ନୂଆ ଟିମରେ କାହାକୁ ମିଳିବ ସ୍ଥାନ ? କିଏ ହେବେ ସାମିଲ ? ମୋଦି ସରକାରକୁ ବିବାଦ କି ଅଡୁଆରେ ପକାଇଥିବା ବିଭାଗର ମନ୍ତ୍ରୀଙ୍କୁ ବିଦା କରାଯିବ କି ? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିତିନ ନବୀନଙ୍କୁ ବିଜେପି ରାଷ୍ଟ୍ରୀୟ ମୁଖ୍ୟ କରି ଯୁବ ଚେହେରାକୁ ଦଳ ଗୁରୁତ୍ବ ଦେଇଥିବାରୁ ମନ୍ତ୍ରିମଣ୍ଡଳରେ ମଧ୍ୟ ସମାନ ଫର୍ମୁଲା ଉପଯୋଗ କରାଯାଇପାରେ। ସେହିଭଳି ଆଗକୁ ଉତ୍ତର ପ୍ରଦେଶ ଓ ପଞ୍ଜାବ ଭଳି ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଗୋଟି ଚଳାଇ ପାରନ୍ତି ମୋଦି।
ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଦଳ ଭଲ ପ୍ରଦର୍ଶନ କରିଥିବାରୁ ସେଠାକାର କିଛି ନେତାଙ୍କୁ ପୁରସ୍କୃତ କରାଯାଇପାରେ। ସେହିପରି ଏନଡିଏର ମିତ୍ର ଦଳ ଜେଡିୟୁ, ଟିଡିପି ଏବଂ ଅନ୍ୟ ସହଯୋଗୀ ଦଳଙ୍କୁ ଅଧିକ ପ୍ରତିନିଧିତ୍ୱ ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ଓଡ଼ିଶାରୁ ଏବେ ୩ ଜଣ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି। ରାଜ୍ୟରୁ ଲୋକସଭାରେ ଏବେ ୨୦ ଜଣ ବିଜେପି ସାଂସଦ ଥିବା ବେଳେ ଦିଲୀପ ରାୟଙ୍କୁ ମିଶାଇ ରାଜ୍ୟସଭାରେ ୫ ସାଂସଦ ରହିଛନ୍ତି। ତେଣୁ ରାଜ୍ୟର ଲୋକସଭା କି ରାଜ୍ୟସଭା କେଉଁ ସାଂସଦଙ୍କୁ ବି ମିଳିପାରେ ମନ୍ତ୍ରୀ ପଦ ବୋଲି ଚର୍ଚ୍ଚା ହେଉଛି ।
ଗତ ମାସରେ ଏନଡିଏ ସରକାରର ୧୨ ବର୍ଷ ପୂର୍ତ୍ତି ପୂର୍ବରୁ ପ୍ରଧାନମନ୍ତ୍ରୀ ମନ୍ତ୍ରିମଣ୍ଡଳ କାର୍ଯ୍ୟଦକ୍ଷତାର ସମୀକ୍ଷା କରିଥିଲେ। ସେବେଠାରୁ ମନ୍ତ୍ରିମଣ୍ଡଳରେ ଅଦଳବଦଳ ଚର୍ଚ୍ଚା ଲାଗି ରହିଛି। ତେବେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ କେନ୍ଦ୍ର ସରକାର କିମ୍ବା ବିଜେପି ପକ୍ଷରୁ ଏଯାଏଁ କୌଣସି ବିଧିବଦ୍ଧ ସୂଚନା ମିଳିପାରି ନାହିଁ। ରାଜନୈତିକ ସୂତ୍ରରୁ ମିଳୁଥିବା ସଙ୍କେତ ଅନୁଯାୟୀ, ସରକାର କାର୍ଯ୍ୟଦକ୍ଷତା, ଆଞ୍ଚଳିକ ସନ୍ତୁଳନ ଏବଂ ମିତ୍ର ଦଳଙ୍କ ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେଇ ନିଷ୍ପତ୍ତି ନେଇପାରନ୍ତି।.....