France: ଦରଦାମ ବୃଦ୍ଧିକୁ ନେଇ ଫ୍ରାନ୍ସରେ ହିଂସାତ୍ମକ ବିକ୍ଷୋଭ: ୫ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଲେ
"ପ୍ୟାରିସ୍: ଫ୍ରାନ୍ସରେ ଜୀବନଯାପନ ଖର୍ଚ୍ଚ ବୃଦ୍ଧି, ଇନ୍ଧନ ଦର ବୃଦ୍ଧି ଓ ସରକାରୀ ସେବାର ଅବନତିକୁ ବିରୋଧ କରି ଶନିବାର ଦେଶବ୍ୟାପୀ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି।
ପ୍ୟାରିସ୍ ସମେତ ବିଭିନ୍ନ ସହରରେ ଦୋକାନବଜାର ଲୁଟ୍ପାଟ୍ ସହ ଗାଡ଼ି ଓ କୋଠାଗୁଡ଼ିକରେ ନିଆଁ ଲଗାଇ ଦିଆଯାଇଥିଲା।
ପୁଲିସ ସହ ସଂଘର୍ଷ ହେବାରୁ ୧୫୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।
ଏହି ଘଟଣାରେ ୧୨୦୦ରୁ ଅଧିକ ଲୋକ ଗିରଫ ହୋଇଥିବା ଜଣାପଡ଼ିଛି।
ଫ୍ରାନ୍ସର ଗୃହମନ୍ତ୍ରୀ ଲୋରାଁ ନୁନେଜ୍ଙ୍କ ଅନୁଯାୟୀ, ଦେଶବ୍ୟାପୀ ପ୍ରାୟ ୫ ଲକ୍ଷ ୫୦ ହଜାର ଲୋକ ବିକ୍ଷୋଭରେ ସାମିଲ ହୋଇଥିଲେ।
ତେବେ ଆୟୋଜକମାନେ ଏହି ସଂଖ୍ୟା ଆହୁରି ଅଧିକ ବୋଲି ଦାବି କରିଛନ୍ତି।Advertisment ଆହୁରି ପଢନ୍ତୁ: Foreign Woman: ଭାରତୀୟ ସଂସ୍କୃତି, ମା" ଦୁର୍ଗାଙ୍କ ପ୍ରତି ଭକ୍ତି ଜିତିଲା ରୋମାନିଆ ମହିଳାଙ୍କ ମନ ପ୍ରଥମେ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ, ଶିକ୍ଷା ବ୍ୟବସ୍ଥାର ଦୁରବସ୍ଥା ଓ ଭିତ୍ତିଭୂମି ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଆରମ୍ଭ କରିଥିଲେ।
ପରେ ଶ୍ରମିକ ସଂଗଠନ, କୃଷକ, ଅବସରପ୍ରାପ୍ତ କର୍ମଚାରୀ ଓ ଅନ୍ୟ ବର୍ଗର ଲୋକ ଏଥିରେ ଯୋଗ ଦେଇଥିଲେ।
ବଢ଼ୁଥିବା ଦରଦାମ୍ ଓ ସାଧାରଣ ଲୋକଙ୍କ କ୍ରୟଶକ୍ତି ହ୍ରାସକୁ ନେଇ ଦୀର୍ଘଦିନର ଅସନ୍ତୋଷ ଏହି ଆନ୍ଦୋଳନକୁ ବ୍ୟାପକ କରିଛି।
ପ୍ୟାରିସ୍ରେ ଆରମ୍ଭରୁ ଶାନ୍ତିପୂର୍ଣ୍ଣ ଥିବା ଶୋଭାଯାତ୍ରା ସନ୍ଧ୍ୟା ଆଡ଼କୁ ହିଂସାତ୍ମକ ହୋଇଥିଲା।
କେତେକ ବିକ୍ଷୋଭକାରୀ ଘର ଓ ଗାଡ଼ିଗୁଡ଼ିକରେ ନିଆଁ ଲଗାଇବା ସହ ଦୋକାନବଜାର ଭଙ୍ଗାରୁଜା ଓ ଲୁଟ୍ପାଟ୍ କରିଥିଲେ।
ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ ସହ ପାଣିମାଡ଼ କରିଥିଲା।
ଆହୁରି ପଢନ୍ତୁ: Greater Noida: ନୋଏଡ଼ାରେ ନୁଡୁଲ୍ସ ବିଷକ୍ରିୟାରୁ ୫ଜଣଙ୍କ ମୃତ୍ୟୁ ହୋଇନାହିଁ, ପଛରେ ଥିଲା କି ସମ୍ପତ୍ତି ବିବାଦ?
ବୋର୍ଦୋ ସହରରେ ଲୁଇ ଭୁଇଟନ୍ର ଏକ ଦୋକାନ ଲୁଟ୍ ହୋଇଥିବାବେଳେ ଲିଲ୍ ସହରରେ ଆପଲ୍ ଷ୍ଟୋର୍କୁ ଲୁଟ୍ କରାଯାଇଥିବା ଖବର ମିଳିଛି।
ଲିଅନ୍ ସହରରେ ପର୍ଯ୍ୟଟନ କାର୍ଯ୍ୟାଳୟରେ ନିଆଁ ଲାଗିଥିବାବେଳେ ଲିମୋଜ୍ ସହରର ଐତିହାସିକ ଟାଉନ୍ ହଲ୍ର ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିଛି।
ଏହି କୋଠା ୧୮୮୩ ମସିହାରେ ଉଦ୍ଘାଟିତ ହୋଇଥିଲା।
ଅନ୍ୟ ସହରଗୁଡ଼ିକରେ ମଧ୍ୟ ସରକାରୀ କୋଠା ଓ ବ୍ୟବସାୟିକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି।
ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋଁ ହିଂସା, ଲୁଟ୍ପାଟ୍ ଓ ସରକାରୀ କୋଠା ଉପରେ ଆକ୍ରମଣକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ ସେବାସ୍ତିଆଁ ଲେକର୍ନୁ ମଧ୍ୟ ହିଂସାକୁ ନିନ୍ଦା କରିଛନ୍ତି।
ଅନ୍ୟପକ୍ଷରେ, ପୁଲିସର ବଳ ପ୍ରୟୋଗକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ପୁଲିସର ଆଚରଣ ସମ୍ପର୍କରେ ଅନେକ ଅଭିଯୋଗର ତଦନ୍ତ ଚାଲିଛି।
ଆସନ୍ତା ବର୍ଷ ଏପ୍ରିଲ୍ରେ ଫ୍ରାନ୍ସରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାରୁ ଏହି ହିଂସା ରାଜନୈତିକ ଉତ୍ତେଜନାକୁ ଆହୁରି ବଢ଼ାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
