Flood: ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରାଜ୍ୟ ସରକାର
"ଭୁବନେଶ୍ୱର: ରାଜ୍ୟର ବର୍ତ୍ତମାନ ବନ୍ୟା ଓ ବର୍ଷା ପରିସ୍ଥିତି ସମ୍ପର୍କରେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ପକ୍ଷରୁ ଜାରି ସ୍ଥିତି ରିପୋର୍ଟ ଅନୁଯାୟୀ, ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
ଜିଲ୍ଲା ପ୍ରଶାସନଗୁଡ଼ିକୁ ସମସ୍ତ ପ୍ରକାର ଆକସ୍ମିକ ପରିସ୍ଥିତି ପାଇଁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।Advertisment ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁଯାୟୀ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି l ଏଥିସହ କେତେକ ଜିଲ୍ଲାରେ ବଜ୍ରପାତ ସହ ଘଡ଼ଘଡ଼ି ଓ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି.
ବେଗରେ ପବନ ବହିବାର ସମ୍ଭାବନା ରହିଛି l ଆଜି ସକାଳ ୧୧ଟି ସୁଦ୍ଧା ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ଜଳକା ଆଦି ସମସ୍ତ ନଦୀର ଜଳପତ୍ତନ ସ୍ତର ଉଭୟ ବିପଦ ସଙ୍କେତ ଏବଂ ସତର୍କ ସଂକେତ ଠାରୁ କମ୍ ଅଛି ; ଯାହା ଆଶ୍ୱସ୍ତିର ବିଷୟ l ୨୨ ଅଗଷ୍ଟ ସକାଳ ସୁଦ୍ଧା ପୂର୍ବ ୨୪ ଘଣ୍ଟାରେ ରାଜ୍ୟର ହାରାହାରି ବର୍ଷା ପରିମାଣ ୬.୮ ମି.ମି.
ରେକର୍ଡ କରାଯାଇଛି।
ଏହି ସମୟରେ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକରେ ସର୍ବାଧିକ ୯୩ ମି.ମି.
ବର୍ଷା ରେକର୍ଡ ହୋଇଥିଲା ବେଳେ ୧୧ଟି ବ୍ଲକରେ ୫୦ ମି.ମି.ରୁ ଅଧିକ ଏବଂ ୨୧ଟି ବ୍ଲକରେ ୨୫ରୁ ୫୦ ମି.ମି.
ବର୍ଷା ହୋଇଛି।
ଅଗଷ୍ଟ ୧ରୁ ୨୨ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୨୭୨.୨ ମି.ମି.
ବର୍ଷା ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ପରିମାଣ ୨୫୨.୬ ମି.ମି.
ତୁଳନାରେ ଏହା ୭.୮ ପ୍ରତିଶତ ଅଧିକ।
ସେହିପରି ଜୁନ୍ ୧ରୁ ଅଗଷ୍ଟ ୨୨ ପର୍ଯ୍ୟନ୍ତ ରାଜ୍ୟରେ ୧୦୨୮.୪ ମି.ମି.
ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୭୯୭.୦ ମି.ମି.
ତୁଳନାରେ ୨୯ ପ୍ରତିଶତ ଅଧିକ।
ବର୍ତ୍ତମାନ ଉପଲବ୍ଧ ତଥ୍ୟ ଅନୁଯାୟୀ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଛି।
ବାଲେଶ୍ୱର ଜିଲ୍ଲାର ୬ଟି ବ୍ଲକର ୫୦ଟି ଗ୍ରାମ ପଞ୍ଚାୟତ ଓ ୩୨୭ଟି ଗ୍ରାମ ପ୍ରଭାବିତ ହୋଇଛି।
୧୨୯ଟି ଗ୍ରାମ ଜଳବନ୍ଦୀ ହୋଇଥିବା ବେଳେ ୨୪,୭୦୯ ଜଣ ପ୍ରଭାବିତ ହୋଇଛନ୍ତି।
୧୭,୭୯୯ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୮୯ଟି ରିଲିଫ୍ କ୍ୟାମ୍ପରେ ଆଶ୍ରୟ ଓ ସହାୟତା ଯୋଗାଇ ଦିଆଯାଉଛି।
ଭଦ୍ରକ ଜିଲ୍ଲାର ୪ଟି ବ୍ଲକର ୩୨ଟି ଗ୍ରାମ ପଞ୍ଚାୟତ ଓ ୧୪୩ଟି ଗ୍ରାମ ପ୍ରଭାବିତ ହୋଇଛି।
ମୋଟ ୧,୫୧,୯୩୨ ଜଣ ପ୍ରଭାବିତ ହୋଇଥିବା ବେଳେ ୨୦,୫୬୭ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।
୨୩ଟି ରିଲିଫ୍ କ୍ୟାମ୍ପ କାର୍ଯ୍ୟକ୍ଷମ ରହିଛି।
ଯାଜପୁର ଜିଲ୍ଲାର ୫ଟି ବ୍ଲକର ୨୪ଟି ଗ୍ରାମ ପଞ୍ଚାୟତ ଓ ୬୯ଟି ଗ୍ରାମ ପ୍ରଭାବିତ ହୋଇଛି।
୪୮ଟି ଗ୍ରାମ ଜଳବନ୍ଦୀ ହୋଇଥିବା ବେଳେ ୭୧,୪୨୫ ଜଣ ପ୍ରଭାବିତ ହୋଇଛନ୍ତି।
୩୩୪ଟି ରିଲିଫ୍ କ୍ୟାମ୍ପ କାର୍ଯ୍ୟକ୍ଷମ ରହିଛି।
କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବ୍ଲକର ୬୭ଟି ଗ୍ରାମ ପଞ୍ଚାୟତ ଓ ୧୬୪ଟି ଗ୍ରାମ ପ୍ରଭାବିତ ହୋଇଛି।
୪୨ଟି ଗ୍ରାମ ଜଳବନ୍ଦୀ ହୋଇଥିବା ବେଳେ ୨,୪୭,୪୯୩ ଜଣ ପ୍ରଭାବିତ ହୋଇଛନ୍ତି।
୨,୩୨୩ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୧୮ଟି ରିଲିଫ୍ କ୍ୟାମ୍ପରେ ସହାୟତା ଯୋଗାଇ ଦିଆଯାଉଛି।
ମୋଟ ୮୬ଟି ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍ତି ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମୋଟ ୩୨ଟି ODRAF, ୮ଟି NDRF ଏବଂ ୪୬ଟି Fire & Emergency Services ଟିମ୍ ସମେତ ମୋଟ ୮୬ଟି ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍ତି l ବନ୍ୟା ପରିସ୍ଥିତିର ପ୍ରଭାବଶାଳୀ ନିରୀକ୍ଷଣ ଓ ପରିଚାଳନା ପାଇଁ ତିନିଜଣ IAS ଅଧିକାରୀଙ୍କୁ ଯଥାକ୍ରମେ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ନିୟୋଜିତ କରାଯାଇଛି।
ସୁଧାଂଶୁ ମୋହନ ସାମଲଙ୍କୁ ଭଦ୍ରକ, କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ଏବଂ ପି ଅନ୍ୱେଷା ରେଡ୍ଡୀଙ୍କୁ ଯାଜପୁର ଜିଲ୍ଲାର ଦାୟିତ୍ଵ ଦିଆଯାଇଛି lଏହାସହିତ ଅତିରିକ୍ତ ସ୍ପେଶାଲ୍ ରିଲିଫ୍ କମିଶନର ସୁବାଷ ଚନ୍ଦ୍ର ନାଥଶର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାରେ ନିୟୋଜିତ କରାଯାଇଛି।
ରିଲିଫ୍ କ୍ୟାମ୍ପ ପରିଚାଳନା, ଉଦ୍ଧାରକାର୍ଯ୍ୟ ସମେତ ବନ୍ୟା ପରିଚାଳନା ନିମନ୍ତେ SDRFରୁ ପର୍ଯ୍ୟାୟକ୍ରମେ ୧୧୦ କୋଟି, ୨୬ କୋଟି ଓ ୩୧.୫୫ କୋଟି ଟଙ୍କା ମିଶି ମୋଟ ୧୬୭.୫୫ କୋଟି ଟଙ୍କା ପ୍ରଦାନ କରାଯାଇଛି।
ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ମୋଟ ୨୧,୪୪୫ ପ୍ୟାକେଟ୍ରେ ୧,୦୭,୨୨୫ଟି ପଲିଥିନ୍ ସିଟ୍ ଯୋଗାଣ କରାଯାଇଛି।
ସେହିପରି ବିଭିନ୍ନ ଜିଲ୍ଲାକୁ ମୋଟ ୧,୪୩୧.୦୯ ମେଟ୍ରିକ୍ ଟନ୍ ପଶୁଖାଦ୍ୟ ମଧ୍ଯ ଯୋଗାଇ ଦିଆଯାଇଛି।
ବନ୍ୟା ପରିସ୍ଥିତି ସହ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନଗୁଡ଼ିକୁ ସଜାଗ ରହିବା ସହ ସ୍ଥାନୀୟ ଜଳବନ୍ଦୀ, ତଳିଆ ଅଞ୍ଚଳରେ ଜଳ ଜମିବା ଏବଂ ସହରାଞ୍ଚଳରେ ଅଣ୍ଡରପାସ୍ ବନ୍ଦ ହେବା ଭଳି ପରିସ୍ଥିତିର ଉଚିତ ପରିଚାଳନା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
କଚ୍ଚା ରାସ୍ତା କ୍ଷତି, ଭୂସ୍ଖଳନ ଏବଂ ଜଳବନ୍ଦୀ ଯୋଗୁଁ ଉଦ୍ୟାନ ଫସଲ ଓ ଠିଆ ଫସଲର କ୍ଷତି ସମ୍ଭାବନା ପାଇଁ ମଧ୍ୟ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।
ବଜ୍ରପାତ ସମୟରେ ଲୋକମାନଙ୍କୁ ପାଣିପାଗର ସୂଚନା ଉପରେ ନଜର ରଖିବା ସହ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।
ସ୍ପେଶାଲ୍ ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ସମସ୍ତ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC) ସହ ସମନ୍ୱୟ ରକ୍ଷା କରି ୨୪×୭ ଘଣ୍ଟା ପରିସ୍ଥିତି ଉପରେ ନଜର ରଖିଛି।
Rain will increase: ବର୍ଷା ବଢ଼ିବ, ୨୪ ଯାଏଁ ଗୁଳୁଗୁଳି: ଓଡ଼ିଶା ନିକଟରେ ଦୁଇଟି ଘୂର୍ଣ୍ଣିବଳୟ, ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

