Flood forecast: ଛତିଶଗଡ଼ରେ ବନ୍ୟା ପୂର୍ବାନୁମାନ ପରେ… କଲମା ସମେତ ଅନ୍ୟ ବ୍ୟାରେଜ୍ର ସମସ୍ତ ଗେଟ୍ ଖୋଲା
ଝାରସୁଗୁଡ଼ା: ଛତିଶଗଡ଼ ସମେତ ଓଡ଼ିଶାରେ ପ୍ରବଳ ବର୍ଷା ସହ ବନ୍ୟା ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ପରିପ୍ରେକ୍ଷୀରେ ସପ୍ତାହେ ତଳୁ କଲମାର ମାତ୍ର ୫ ଗେଟ୍ ଖୋଲା ରଖିଥିବା ଛତିଶଗଡ଼ ସରକାର ଦୁଇଦିନ ଭିତରେ ସବୁ ଗେଟ୍ ଖୋଲି ଦେଇଛନ୍ତି। କଲମାର ଉପରମୁଣ୍ଡରେ ଥିବା ସାରଡିହି, ବସନ୍ତପୁର, ଶିବରିନାରାୟଣ ଓ ମିରୋନି ଆଦି ବ୍ୟାରେଜ୍ଗୁଡ଼ିକର ମଧ୍ୟ ସମସ୍ତ ଗେଟ୍ ଖୋଲା ରଖାଯାଇଛି। ଏପରିକି କେଲୋ ଡ୍ୟାମ୍ର ମଧ୍ୟ ୪ ଗେଟ୍ ଖୋଲି ଗତକାଲିଠାରୁ ଜଳ ନିଷ୍କାସନ ଆରମ୍ଭ ହୋଇଛି। ଅପରପକ୍ଷରେ, ସୁନ୍ଦରଗଡ଼ର ଯଶପୁର ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବାରୁ ଏହା ଇବ୍ନଦୀର ପ୍ରବାହକୁ ବଢ଼ାଇ ଦେଇଛି। ଯଦ୍ବାରା ହୀରାକୁଦର ଜଳସ୍ତର ବଢ଼ିବାର ଆଶଙ୍କା ଦେଖାଦେଇଛି।
Heavy Rain: ପ୍ରବଳ ବର୍ଷା ଯୋଗୁଁ ରେଳ ଟ୍ରାକ୍ ଉପରେ ପାଣି, ଅଟକିଲା ଟ୍ରେନ୍
କେଲୋ ବି ଖୋଲିଲା ୪ ଗେଟ୍
ଓଡ଼ିଶାର ସୀମାନ୍ତ ଗାଁକୁ ବନ୍ୟା ଭୟ
ଚଳିତବର୍ଷ ବର୍ଷାର ଅନିୟମିତତାକୁ ଦେଖି ଛତିଶଗଡ଼ ସରକାର କଲମାର ଜଳ ପରିଚାଳନାକୁ ନେଇ ରଣନୀତିରେ ପରିବର୍ତ୍ତନ କରିଛନ୍ତି। ସାଧାରଣତଃ ଜୁନ୍ ୧୬ ପରେ କଲମା ସମେତ ସମସ୍ତ ବ୍ୟାରେଜ୍ର ସବୁ ଗେଟ୍ ଖୋଲା ରଖିବା କଥା। ହେଲେ ଚଳିତ ବର୍ଷ ବର୍ଷାକୁ ଦେଖି କଲମା ସମେତ ସବୁ ଗେଟ୍ର ପରିଚାଳନା କରାଯାଉଥିବା ପରିଲକ୍ଷିତ ହେଉଛି। ଏହି ସ୍ଥିତିରେ ସପ୍ତାହେ ତଳେ ମଧ୍ୟ କଲମା ବ୍ୟାରେଜ୍ କର୍ତ୍ତୃପକ୍ଷ ବର୍ଷା ଛାଡ଼ିଯାଇଥିବାରୁ ମାତ୍ର ୫ଟି ଗେଟ୍ ଖୋଲାଛାଡ଼ି ବାକି ୬୧ ଗେଟ୍ ବନ୍ଦ କରିଦେଇଥିଲେ। ସେହିପରି ଏହାର ଉପରମୁଣ୍ଡରେ ଥିବା ବ୍ୟାରେଜ୍ଗୁଡ଼ିକ ମଧ୍ୟ ଶିଳ୍ପସଂସ୍ଥାର ଆବଶ୍ୟକତାକୁ ଦେଖି ହାତଗଣତି କିଛି ଗେଟ୍ ଖୋଲି ବାକି ବନ୍ଦ ରଖିଥିଲେ।
ଏହି ସ୍ଥିତିରେ ଗତକାଲିଠାରୁ ଛତିଶଗଡ଼ର ରାୟପୁର, ଧମତରୀ, ବାଲୁଦ, କାଙ୍କେର, ଦୁଧୱା, ବିଳାସପୁର, ମହାସମୁନ୍ଦ, ସୂରୁଜଗଡ଼, ରାୟଗଡ଼, ଜାଞ୍ଜଗିର-ଚାମ୍ପା ଆଦି ଅଞ୍ଚଳରେ ପ୍ରବଳ ବର୍ଷାର ପୂର୍ବାନୁମାନ ସହ ବନ୍ୟା ଆଶଙ୍କା କରାଯାଇଛି। ଏପରିକି କିଛି ସ୍ଥାନରେ ଏକକାଳୀନ ୩ ଶହ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ବିଶେଷ କରି ମହାନଦୀର ରବିଶଙ୍କର ସାଗର ଡ୍ୟାମ୍ ସମେତ ଶିଓନାଥ, ହସଦେଓ ଆଦି ନଦୀ ଉପତ୍ୟକାରେ ଅଧିକ ବର୍ଷାର ଆକଳନ କରାଯାଇଛି। ସେପଟେ, ଗତକାଲିଠାରୁ ଓଡ଼ିଶା ସୀମାନ୍ତବର୍ତ୍ତୀ ରାୟଗଡ଼, ସୂରୁଜଗଡ଼ ଆଦି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ଛତିଶଗଡ଼ ସରକାର ୮ ଜିଲ୍ଲାରେ ହାଇଆଲର୍ଟ ଜାରି କରିଛନ୍ତି। ଗତକାଲିଠାରୁ କଲମାର ସମସ୍ତ ୬୬ ଗେଟ୍ ଖୋଲି ଦେଇଛନ୍ତି। ଆଜି ଅପରାହ୍ଣ ସୁଦ୍ଧା କଲମାର ଜଳସ୍ତର ୫ ମିଟର ଉପରେ ଥିବା ବେଳେ ତାହା ବଢ଼ିବାରେ ଲାଗିଛି। ଉପରମୁଣ୍ଡର ଗେଟ୍ଗୁଡ଼ିକ ଖୋଲା ରହିଥିବା ଜଣାପଡ଼ିଛି। ସେହିପରି କେଲୋ ଡ୍ୟାମ୍ର ୮ଗେଟ୍ରୁ ୪ଟି ଗେଟ୍ ଖୋଲିଥିବା ବେଳେ ଆସନ୍ତାକାଲି ଅଧିକ ଗେଟ୍ ଖୋଲିବାର ସମ୍ଭାବନା ରହିଛି। ଫଳରେ ଓଡ଼ିଶାର ସୀମାନ୍ତ ଅଞ୍ଚଳର ଲୋକଙ୍କୁ ବନ୍ୟା ଭୟ ଘାରିଲାଣି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।