Flood-Damaged Crops Push Vegetable Prices Higher: ପରିବା ହାଟରେ ବନ୍ୟାର ଦାଉ, ୨ ମାସ ଯାଏଁ ଖସି ନପାରେ ଦାମ୍

Aug 03, 2026 - 20:15
Flood-Damaged Crops Push Vegetable Prices Higher: ପରିବା ହାଟରେ ବନ୍ୟାର ଦାଉ, ୨ ମାସ ଯାଏଁ ଖସି ନପାରେ ଦାମ୍

ଲଗାଣ ବର୍ଷା କେବଳ ବିପର୍ଯ୍ୟୟ ଘଟାଇନି, ବରଂ ହାଟ ବଜାରରେ ଦରବୃଦ୍ଧିର ନିଆଁ ଲଗାଇଛି। ଫସଲ ଉଜୁଡ଼ିବା ପରେ ଏବେ ଖାଉଟୀଙ୍କ ପିଠିରେ ପଡ଼ିଛି ମହଙ୍ଗା ମାଡ଼। ବନ୍ୟା ପ୍ରଭାବିତ ଇଲାକାରେ ଆପଣ ଯେଉଁଠିକୁ ବି ଯାଆନ୍ତୁ, ସବୁଠି ପରିବା ଦର ୫୦ ପାର୍। ବନ୍ୟା ଡାକିଛି ଦରବୃଦ୍ଧି ବିପତ୍ତି...ନା ପରିବା ଦର ଉପରେ ହାତ ମାରି ହେଉଛି, ନା ପରିବା କିଣିବାକୁ ସାହସ ହେଉଛି...ହାଟକୁ ଗଲେ କେବଳ କାନମୁଣ୍ଡା ଆଉଁଷୁଛନ୍ତି ଖାଉଟୀ...କାମ ଚଳା ପାଇଁ ଶହେ ଅଢ଼େଇ ଶହ ଗ୍ରାମ୍ ପରିବା ଧରି ଘରକୁ ଫେରୁଥିଲେ ବି ଭାରି ବାଧୁଛି। 

ଆପଣ ଯେଉଁ ପନି ପରିବାର କିଲୋ ପିଛା ଦାମ୍ ପଚାରନ୍ତୁ, ୫୦ରୁ ଆଦୌ କମ୍ ହେବ ନାହିଁ। ଏଇ ଯେମିତି ପୂର୍ବ ଓଡ଼ିଶାର ପ୍ରମୁଖ ପରିବା ମଣ୍ଡି କଟକ ଛତ୍ରବଜାର। ଯେଉଁଠି ବାଇଗଣ ୮୦ରୁ ତଳକୁ ନାହିଁ। ସେହିପରି ଭେଣ୍ଡି ୫୦, କାକୁଡି ୬୦, ପୋଟଳ ୮୦, ବିନ୍ସ ୧୨୦, ଜହ୍ନି ୮୦, ଖମ୍ବ ଆଳୁ ୧୦୦ ପାର୍। ଅର୍ଥାତ ବନ୍ୟାର ସିଧା ମାଡ଼ ପଡ଼ିଛି ପରିବା ହାଟ ଉପରେ।

ସମସ୍ତେ କୁହନ୍ତି, ରାଜଧାନୀ ଭୁବନେଶ୍ବର ସ୍ଥିତ ଏକ ନମ୍ବର ହାଟରେ ପରିବା ଦର ଟିକିଏ କମ୍। ଅବଶ୍ୟ ଏକଥା ସତ, କିନ୍ତୁ ଟ୍ବିନସିଟିର ପରିବା ଝୁଡ଼ି କୁହାଯାଉଥିବା ବାଙ୍କି, ଆଠଗଡ଼ ଅଞ୍ଚଳର କ୍ଷେତବାଡ଼ିରେ ଯେତେବେଳେ ବନ୍ୟା ତାଣ୍ଡବ ରଚିଛି, ସେଭଳି ସ୍ଥିତିରେ ଏଇଠି ପରିବା ଦର କମ୍ ରହିବ ବା କେମିତି। ଏଇଠି ଭେଣ୍ଡି ୬୦କୁ କୁନ୍ଦୁରି ୫୦, ବାଇଗଣ ୬୦କୁ ସଜନା ଛୁଇଁ ଶହେ ପାର୍। ସାରୁ, ପୋଟଳ, କାକୁଡ଼ି, କଲରା, ଜହ୍ନି, ଝୁଡ଼ଙ୍ଗ ତ ୬୦ରୁ ତଳକୁ ନାହିଁ। ଦେଶୀ କଙ୍କଡ଼ା ୨୪୦ ଟଙ୍କା ଉପରେ ବିକ୍ରି ହେଉଛି। ଏହା ପଛରେ ସେହି ଗୋଟିଏ କାରଣ, ବନ୍ୟାର ତାଣ୍ଡବ। 

ପୂର୍ବ ଏବଂ ଉତ୍ତର ଓଡ଼ିଶାରେ ବନ୍ୟା ତାଣ୍ଡବକୁ ହୋଇଗଲାଣି ପ୍ରାୟ ସପ୍ତାହେ। ଏବେ ବର୍ଷା ନାହିଁ, କ୍ଷେତବାଡ଼ିରେ ବନ୍ୟାଜଳ ଖସିବା ପରେ କିନ୍ତୁ ବାରି ହୋଇଛି ଦୁର୍ଦ୍ଦଶାର ଚିତ୍ର। କେନ୍ଦ୍ରାପଡ଼ା ରାଜକନିକା ଇଲାକାର ଦୃଶ୍ୟକୁ ଥରେ ଦେଖନ୍ତୁ। ଧାନଠୁ ପନି ପରିବା ସବୁ ବୁଡ଼ି ବର୍ବାଦ। ଭାରିଗଦା, ବରୁଣାଡ଼ିଆ, ସିକୁଅ, ନମତରା, କାଟଣାବଣିଆ ଆଦି ପଂଚାୟତର ଚାଷୀ ଏବେ କାନ୍ଦୁଛନ୍ତି ଉଜୁଡ଼ା ଫସଲ ଦେଖି।...ସମାନ ଅବସ୍ଥା ଭଦ୍ରକ ଅର୍ଣ୍ଣପାଳ ଇଲାକାରେ। ଏଠାକାର ସାଳନ୍ଦୀ ଓ ନାଳିଆ ନଦୀର ବନ୍ୟା ପାଣି ଭସେଇ ଦେଇଛି ପରିବା ଫସଲକୁ। ନା ଜହ୍ନି ନା ଭେଣ୍ଡି, ନା ପୋଟଳ ନା ବାଇଗଣ। ସବୁ ପଚିସଢ଼ି ନଷ୍ଟ। ଏସବୁ ପରିବା ଶୀତ ବେଳକୁ ଅମଳ ହୋଇ ହାଟ ବଜାରକୁ ଯାଇଥାଆନ୍ତା। ତା ଆଗରୁ ସବୁ ନଷ୍ଟ ହୋଇଥିବାରୁ ଆଉ ୨/୩ ମାସ ପରିବାର ଦର ଖସିବାର ସମ୍ଭାବନା ନଥିବା କହିଛନ୍ତି କ୍ଷତିଗ୍ରସ୍ତ ଚାଷୀ। 

ଶ୍ରାବଣ ବନ୍ୟାରେ ଫସଲ ବୁଡ଼ିଛି, ଦରଦାମ୍ ବଢ଼ିଛି। ଫଳରେ ଖାଉଟୀ ମୁଣ୍ଡରେ ଚଡ଼କ ପଡ଼ିଥିବାବେଳେ ଆଗକୁ ଆଉ ୨ ମାସ ପରେ କାର୍ତ୍ତିକ। ଅର୍ଥାତ ସଙ୍କଟବେଳେ କଞ୍ଚା ପରିବା ହାଟରେ ଦରବୃଦ୍ଧିର ନିଆଁ କଲବଲ କରିବାର ଆଶଙ୍କା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।