05 JULY 2026

Welcome!

Unlock your personalized experience.
Sign Up

Beauty Mohanty Death Mystery: ବିଉଟିଙ୍କ ଶେଷ କଥା... କେସ୍‌ କ୍ଲୋଜ୍‌ କରୁଥାଅ, ମୁଁ ଆସି ଦେଖିବି.. ଆଉ ଫେରିଲେନି

Jul 05, 2026 - 11:16
Beauty Mohanty Death Mystery: ବିଉଟିଙ୍କ ଶେଷ କଥା... କେସ୍‌ କ୍ଲୋଜ୍‌ କରୁଥାଅ, ମୁଁ ଆସି ଦେଖିବି.. ଆଉ ଫେରିଲେନି

କଟକ ୦୫/୦୭:  କଟକ କମିସନରେଟ୍‌ ପୁଲିସର ଲେଡି ସିଂହମ କୁହାଯାଉଥିବା ଚାଉଳିଆଗଞ୍ଜ ଥାନାର ଇନ୍ସପେକ୍ଟର ବିଉଟି  ମହାନ୍ତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥାନା ଉପରେ ଥିବା  ରେଷ୍ଟରୁମ୍‌ରୁ ଉଦ୍ଧାର କରାଯାଇଛି । ଘଟଣାଟି ସାରା ରାଜ୍ୟରେ  ଆଲୋଡ଼ନ ସୃଷ୍ଟି କରିଛି । ପୁଲିସ ଏହାକୁ ପ୍ରାଥମିକ ଭାବେ ଆତ୍ମହତ୍ୟା  କହୁଛି । ପରିବାର କିନ୍ତୁ ସହଜରେ ଗ୍ରହଣ କରିପାରୁନି । ରାଜ୍ୟରେ ଜଣେ ମହିଳା ଇନ୍ସପେକ୍ଟରଙ୍କ ଏଭଳି ଅସ୍ୱାଭାବିକ ମୃତ୍ୟୁ  ହେବା ଘଟଣା ବିରଳ । ସମସ୍ତଙ୍କୁ ସହଯୋଗ କରୁଥିବା, ନିଜ ପେସାରେ  ଦକ୍ଷ ଥିବା, ନିଜ ପରିବାର ପାଇଁ ଉତ୍ତମ ସଦସ୍ୟ ଥିବା ଜଣେ ନିର୍ଭୀକ୍‌  ମହିଳା ପୁଲିସ କେବେ ହେଲେ ଆତ୍ମହତ୍ୟା କରିପାରିବେ ନାହିଁ ବୋଲି ସହର ତମାମ୍‌ ଚର୍ଚ୍ଚା ହେଉଛି ।  ତେବେ ମୃତ୍ୟୁପଛର ପ୍ରକୃତ କାରଣ ଜାଣିବା ପାଇଁ  ତଦନ୍ତ ଜାରି ରହିଛି।

ଡ୍ରେସ୍‌ ଆଣି ରେଷ୍ଟ୍‌ରୁମ୍‌ରେ ରଖିଥିଲେ

ପ୍ରାୟ ୩ ମାସରୁ ଅଧିକ ସମୟ ହେବ ବିଉଟି ମହାନ୍ତି  ଚାଉଳିଆଗଞ୍ଜ ଥାନାକୁ ଆସିଲେଣି । ପ୍ରତିଦିନ ରାତିରେ ସେ  ଘରକୁ ପଳାନ୍ତି । ଘରୁ ସାଧାରଣ ଡ୍ରେସ୍‌ରେ ଆସି ରେଷ୍ଟରୁମ୍‌ରେ  ୟୁନିଫର୍ମ ପିନ୍ଧି ଡ୍ୟୁଟି କରନ୍ତି । ରାତିରେ ପୁଣି ୟୁନିଫର୍ମ ବଦଳାଇ  ଘର ପିନ୍ଧା ଡ୍ରେସ୍‌ରେ ଘରକୁ ଫେରନ୍ତି । ମାତ୍ର କିଛି ଦିନ ହେବ  ଏମତି କ’ଣ ହେଲା ଯେ, ସେ କିଛି ସାଧାରଣ ଡ୍ରେସ୍‌ ଆଣି ଥାନାର  ରେଷ୍ଟ୍‌ରୁମ୍‌ରେ ରଖିଥିଲେ । ତାଙ୍କୁ ବୋଧହୁଏ କେହି ଅଫିସର  ରାତିରେ ଥାନାରେ ରହିବା ପାଇଁ ବାଧ୍ୟ କରିଥିଲା । ତେଣୁ ସେ  ସାଧାରଣ ଡ୍ରେସ୍‌ ଆଣି ଥାନାରେ ରହିବା ଯୋଜନା କରିଥିଲେ ।

କେସ୍‌ କ୍ଲୋଜ୍‌ କରୁଥାଅ, ମୁଁ ଆସି ଦେଖିବି..

ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟା । ବିଉଟି  ମହାନ୍ତି ନିଜ ଚାମ୍ବରରୁ ବାହାରିଲେ । ପ୍ରଥମେ  କମ୍ପ୍ୟୁଟର୍‌ ପିଲାକୁ ସିସିଟିଏନ୍‌ଏସ୍‌ ଡାଟା  କ’ଣ ଅପ୍‌ଲୋଡ୍‌ ହେଲା ପଚାରିଲେ ।  ଏହା ପରେ ଅଫିସର୍‌ଙ୍କ ରୁମ୍‌କୁ ଗଲେ । ସେଠାରେ ଅତିରିକ୍ତ ଥାନା ଅଧିକାରୀ,  ଏସ୍‌ଆଇ ଓ ମହିଳା ଏସ୍‌ଆଇଙ୍କୁ କେସ୍‌  କ୍ଲୋଜ୍‌ କଥା ପଚାରିଲେ । କାହାର କେତେ କେସ୍‌ ରହିଲା ତୁରନ୍ତ ସାରିବାକୁ ଜଣାଇଲେ ।  ଏମିତିକି ତୁମେ କେସ୍‌ ଲେଖୁଥାଏ ମୁଁ  ଆସି ଦେଖିଦେଇ ଘରକୁ ଯିବି ବୋଲି  ମଧ୍ୟ କହିଲେ । ଏହା ପରେ ୟୁନିଫର୍ମ  ବଦଳାଇବାକୁ ଉପରେ ଥିବା ରେଷ୍ଟ ରୁମ୍‌କୁ  ଗଲେ । ମାତ୍ର ରାତି ସାଢ଼େ ୧୧ଟା ହେଲା  କିନ୍ତୁ ସେ ଫେରିଲେନି । ନିଜ ଚାମ୍ବରରେ  ମଧ୍ୟ ସବୁ ଫାଇଲପତ୍ର ପଡ଼ି ରହିଛି ।

୫ ବର୍ଷରେ ୪ ଥାନାକୁ ବଦଳ

ବିଉଟି ମହାନ୍ତି ୨୦୦୫ ମସିହାରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ  ସ୍ନାତକ ଲାଭ ପରେ ଏକ ଘରୋଇ କଲେଜରେ କିଛି ଦିନ ଶିକ୍ଷାଦାନ  କରିଥିଲେ । ୨୦୧୦ ମସିହାରେ ରାଜ୍ୟ ପୁଲିସରେ ଏସ୍‌ଆଇ ଭାବେ  ଚାକିରି ପାଇଲେ । ଏହା ପରେ ସେ ତାଲିମ ନେଇ ଗଞ୍ଜାମରେ ଏସ୍‌ଆଇ ଭାବେ ଯୋଗଦେଲେ । ସେଠାରୁ ପଦୋନ୍ନତି ପାଇ  ୨୦୨୧ ମସିହାରେ ମର୍କତନଗର ଥାନାରେ ଇନ୍‌ସ୍‌ପେକ୍ଟର ଭାବେ  ଯୋଗଦେଲେ । ଦୁଇ ବର୍ଷ ରହିବା ପରେ ତାଙ୍କୁ ଭୁବନେଶ୍ୱର  କମିସନରେଟ୍‌ ପୁଲିସ ଅଧୀନ ପାହାଳ ଥାନାକୁ ବଦଳି କରାଗଲା ।  ୨୦୨୩ ନଭେମ୍ବର ମାସରେ ସେ ପାହାଳ ଥାନାରେ ଯୋଗଦେଲେ ।  ଏହା ପରେ ୨୦୨୫ ଫେବ୍ରୁଆରୀ ମାସରେ କଟକ ମହିଳା ଥାନାକୁ  ବଦଳି କରାଗଲା । ଏଠାରେ ପ୍ରାୟ ବର୍ଷେ କାମ କଲା ପରେ ପୁଣି ତାଙ୍କୁ ନନ୍ଦନକାନନ ଥାନାକୁ ବଦଳି କରାଗଲା ।  ମାତ୍ର ସେଠାକୁ ନଯିବା ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବଦଳି ରଦ୍ଦ ହେଲା । ମାତ୍ର ଏହାର ଦୁଇ  ମାସ ପରେ ପୁଣି ତାଙ୍କୁ ଚାଉଳିଆଗଞ୍ଜ ଥାନାକୁ ବଦଳି କରିଦିଆଗଲା । ବାରମ୍ବାର ଏହି ବଦଳିକୁ ନେଇ ସେ ଖୁସି  ନଥିଲେ । ସ୍ୱାମୀ ରାଜ୍ୟ ବାହାରେ ରହୁଛନ୍ତି । ଘରେ ୧୦ବର୍ଷର ପୁଅ । ତେଣୁ ପରିବାରଠାରୁ ଦୂରରେ ପୋଷ୍ଟିଂ  ନଦେବାକୁ ସେ ବାରମ୍ବାର ବରିଷ୍ଠ ଅଧିକାରୀଙ୍କୁ ଅନୁରୋଧ କରୁଥିଲେ । ହେଲେ କମିସନରେଟ୍‌ ପୁଲିସରେ  ଯୋଗଦେବାର ୫ ବର୍ଷ ଭିତରେ ତାଙ୍କୁ ୪ଟି ଥାନାରେ କାମ କରିବାକୁ ପଡ଼ିଛି । ତେବେ ଦକ୍ଷ ଅଧିକାରୀଙ୍କୁ ବାରମ୍ବାର  ବଦଳି କାହିଁକି କରାଯାଉଥିଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏହି ଚାପ କ’ଣ ତାଙ୍କ ମୃତ୍ୟୁ ପାଇଁ ଦାୟୀ।

ନିଜ ଥାନାରେ ଅପମୃତ୍ୟୁ ମାମଲା

ଚାକିରି କାଳରେ କେତେ ଯେ, ଅପମୃତ୍ୟୁ ମାମଲା ରୁଜୁ କରି ତାର ତଦନ୍ତ କରିଛନ୍ତି ।  ହେଲେ ଆଜି ନିଜ ଥାନାରେ ନିଜ ନାଁରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।  ରାତିସୁଦ୍ଧା ପରିବାର କିମ୍ବା ସମ୍ପର୍କୀୟ କୌଣସି ଲିଖିତ ଅଭିଯୋଗ କରିନଥିବାରୁ ଥାନା  ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ବିଉଟି ମହାନ୍ତିଙ୍କର ବ୍ୟବଚ୍ଛେଦ  କରାଯାଇଛି । ଏହି ଅପମୃତ୍ୟୁ ମାମଲାର (ଆଇଓ) ବା ତଦନ୍ତକାରୀ ଅଧିକାରୀ  ଭାବେ ଅତିରିକ୍ତ ଇନ୍‌ସ୍‌ପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ଏହି ବ୍ୟବଚ୍ଛେଦ  ଜଣେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଭିଡିଓଗ୍ରାଫି କରି କରାଯାଇଥିବା ସୂଚନା ମିଳିଛି ।

ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ

 

ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର ବିଭିନ୍ନ ସ୍ଥାନରେ ଅନ୍ତିମ ଦର୍ଶନ ପରେ  ବିଉଟି ମହାନ୍ତିଙ୍କର ମରଶରୀରକୁ ପୁରୀ  ସ୍ୱର୍ଗଦ୍ୱାର ନିଆଯାଇଛି । ସେଠାରେ  ମର୍ଯ୍ୟଦା ସହକାରେ ଶେଷକୃତ୍ୟ ସଂପନ୍ନ  କରାଯାଇଛି । ଏହି ସମୟରେ ଜୋନ୍‌  ଏସିପି ସୁଧାଂଶୁ ଭୂଷଣ ଜେନା, ଥାନା  ଅତିରିକ୍ତ ଇନ୍ସପେକ୍ଟର ସୂର୍ଯ୍ୟ ସେଠୀ,  ପୁରୀ ସିଟି ଡିଏସ୍‌ପି ରଶ୍ମୀରଞ୍ଜନ  ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।  ସେହିପରି ବିଉଟିଙ୍କର ସ୍ୱାମୀ, ଭଉଣୀ, ଭିଣୋଇ ଓ ସମ୍ପର୍କୀୟମାନେ ଅନ୍ତିମ  ସତ୍କାର ବେଳେ ଉପସ୍ଥିତ ଥିଲେ ।

ଗୁଡୁକୁ କିଏ ବୁଝାଇବ..?

ରାତିରେ ମାଆ ଘରକୁ ଆସିନଥିଲେ । ମାଆକୁ ଖୋଜି  ଖୋଜି ପୁଅ ଗୁଡୁ ଶୋଇପଡ଼ ିଥିଲା । ସକାଳ ହେବାରୁ  ପୁଣି ମାଆକୁ ଖୋଜିଲା । ଆଉ କିଛି ସମୟ ପରେ ଯେଉଁ  ଖବର ଆସିଲା ତାହା ଗୁଡ଼ ୁକୁ କିଏ କହିବ । ପରିବାର  ଲୋକ କହିଲେ ମାଆ ଦେହ ଖରାପ ଅଛି ଚାଲ୍‌ ମେଡିକାଲ୍‌  ଯିବା । ଆଉ ଏସ୍‌ସିବି ଆସି ଦେଖିଲା ବେଳକୁ ମାଆ ତଳେ  ଶୋଇଛି । ଡାକିଲାରୁ ଉଠୁନି । କେହି ଜଣେ ସମ୍ପର୍କୀୟଙ୍କୁ  ଗୁଡୁ ପଚାରୁଛି ମାଆ ଦେହ କ’ଣ ହୋଇଛି । କେତେ  ବେଳେ ଭଲ ହୋଇ ଆସିବ । କାନ୍ଦି କାନ୍ଦି ଏସ୍‌ସିବି  ଶବଗୃହ ପାଖ ଘର ଭିତର ଫଟାଉଥାଏ । ଗୁଡୁର କାନ୍ଦ  ଦେଖି ପରିବାର, ସମ୍ପର୍କୀୟ ଓ ପୁଲିସ କର୍ମଚାରୀ ବି  ହତବାକ୍‌ । ବହୁ ବୁଝାସୁଝା କରି ତାକୁ ଘରକୁ ନିଆଯାଇଥିଲା ।

ପୂର୍ବରୁ ଏସ୍‌ଆଇ, କନ୍‌ଷ୍ଟେବଳ ଆତ୍ମହତ୍ୟା କରିଛନ୍ତି

ରାଜ୍ୟ ପୁଲିସ ବିଭାଗରେ ଆତ୍ମହତ୍ୟା ଘଟଣା ଏକାଧିକ ବାର  ସାମ୍ନାକୁ ଆସିଛି । ୨୦୨୫ ଅଗଷ୍ଟରେ ନୂଆପଡ଼ା ଷ୍ଟେସନ୍‌ ପାଖରେ  ଜଣେ ମହିଳା କନ୍‌ଷ୍ଟେବଳ ଆତ୍ମହତ୍ୟା କରିଥିଲେ । ୨୦୧୬  ମାର୍ଚ୍ଚ ୩୦ରେ କେନ୍ଦ୍ରାପଡ଼ା ରାଜକନିକାରେ ଜଣେ କନ୍‌ଷ୍ଟେବଳ  ଆତ୍ମହତ୍ୟା କରିଥିଲେ । ୨୦୨୬ ଏପ୍ରିଲ୍‌ ୫ରେ ଉମରକୋଟରେ  ଜଣେ କନ୍‌ଷ୍ଟେବଳ ବେକରେ ରଶିଲଗାଇ ଆତ୍ମହତ୍ୟା  କରିଥିଲେ । ୨୦୨୨ ଅଗଷ୍ଟ ୨୭ରେ କନ୍ଧମାଳ ଜିଲ୍ଲା ଜି ଉଦୟଗିରି  ଥାନାର ମହିଳା ସବ୍‌ ଇନ୍ସପେକ୍ଟର ସ୍ୱାଗତିକା ବେହେରା  ଆତ୍ମହତ୍ୟା କରିଥିଲେ । ୨୦୨୩ ମାର୍ଚ୍ଚ ୧୩ରେ କନ୍ଧମାଳର  ଟିକବାଲି ପୁଲିସ ଷ୍ଟେସନ୍‌ର କନ୍‌ଷ୍ଟେବଳ ଆତ୍ମହତ୍ୟା କରିଥିଲେ।