Fire: ସ୍ପେନ୍ରେ ଜାତୀୟ ଜରୁରୀ ସ୍ଥିତି, ଫ୍ରାନ୍ସରେ ୬୩ ହଜାର ଲୋକ ସ୍ଥାନାନ୍ତରିତ
"ମାଦ୍ରିଦ୍: ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଶୁଷ୍କ ପାଗ ଯୋଗୁ ୟୁରୋପର ଏକାଧିକ ଦେଶରେ ଭୟଙ୍କର ଜଙ୍ଗଲ ନିଆଁ ଲାଗିଛି।
ସବୁଠାରୁ ଗୁରୁତର ପରିସ୍ଥିତି ସ୍ପେନ୍ ଓ ଫ୍ରାନ୍ସରେ ସୃଷ୍ଟି ହୋଇଛି।
ନିଆଁ ଦ୍ରୁତ ଗତିରେ ବ୍ୟାପୁଥିବାରୁ ସ୍ପେନ୍ ସରକାର ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିବାବେଳେ ଫ୍ରାନ୍ସରେ ୬୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।Advertisment ସ୍ପେନ୍ର ବିଭିନ୍ନ ଅଞ୍ଚଳରେ ଉଚ୍ଚ ତାପମାତ୍ରା ଓ ପ୍ରବଳ ପବନ ଯୋଗୁ ନିଆଁକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଛି।
ହଜାର ହଜାର ହେକ୍ଟର ଜଙ୍ଗଲ ଓ କୃଷିଜମି ପୋଡ଼ି ପାଉଁଶ ହୋଇଯାଇଛି।
ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ କର୍ମଚାରୀ, ସେନା ଓ ଜରୁରିକାଳୀନ ଉଦ୍ଧାରକାରୀ ଦଳଙ୍କୁ ମୁତୟନ କରାଯାଇଛି।
ନିଆଁ ଅଧିକ ବ୍ୟାପିବାର ଆଶଙ୍କା ଥିବାରୁ ୟୁରୋପୀୟ ସଂଘର ନାଗରିକ ସୁରକ୍ଷା ବ୍ୟବସ୍ଥା ଅଧୀନରେ ଅତିରିକ୍ତ ଅଗ୍ନିନିର୍ବାପକ ବିମାନ ଓ ସହାୟତା ମାଗିଛନ୍ତି ସ୍ପେନ୍ ସରକାର।
ଫ୍ରାନ୍ସରେ ମଧ୍ୟ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଲାଗିଥିବା ଜଙ୍ଗଲ ନିଆଁ ଦ୍ରୁତ ଗତିରେ ବ୍ୟାପିଛି।
ସୁରକ୍ଷା ଦୃଷ୍ଟିରୁ ୬୩ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ଅନେକ ସଡ଼କ ବନ୍ଦ କରାଯାଇଥିବାବେଳେ କିଛି ଅଞ୍ଚଳରେ ରେଳ ଚଳାଚଳ ଓ ବିଦ୍ୟୁତ୍ ସେବା ମଧ୍ୟ ପ୍ରଭାବିତ ହୋଇଛି।
ଅଗ୍ନିଶମ ବାହିନୀ ହେଲିକପ୍ଟର, ଅଗ୍ନିନିର୍ବାପକ ବିମାନ ଓ ଶତାଧିକ କର୍ମଚାରୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି।
ଏହି ଜଙ୍ଗଲ ନିଆଁର ପ୍ରଭାବ ପର୍ତ୍ତୁଗାଲ୍, ଇଟାଲୀ ଓ ଗ୍ରୀସ୍ର କିଛି ଅଞ୍ଚଳରେ ମଧ୍ୟ ଦେଖାଦେଇଛି।
ଅନେକ ଦେଶରେ ସର୍ବାଧିକ ସତର୍କତା ଜାରି କରାଯାଇଛି।
ୟୁରୋପୀୟ ସଂଘ କହିଛି, ଆବଶ୍ୟକତା ଅନୁସାରେ ସଦସ୍ୟ ଦେଶମାନଙ୍କୁ ଅଗ୍ନିନିର୍ବାପକ ବିମାନ, ଉଦ୍ଧାରକାରୀ ଦଳ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।