Bahuda Yatra: ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ସମ୍ପନ୍ନ

Jul 24, 2026 - 21:39
Bahuda Yatra: ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ସମ୍ପନ୍ନ

"ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରର ଗାୟତ୍ରୀ ନଗରସ୍ଥିତ ଜଗନ୍ନାଥ ମନ୍ଦିରଠାରେ ପବିତ୍ର ବାହୁଡ଼ାଯାତ୍ରା ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା ମାଉସୀ ମା' ଘରର ଆଡ଼ପ ମଣ୍ଡପ ସାମ୍ନାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅପରାହ୍ନ ସୁଦ୍ଧା ସମ୍ପନ୍ନ କରାଯାଇଥିଲା।

ପାଞ୍ଚଟା ବେଳେ ଚାରି ଠାକୁରଙ୍କୁ ବାଦ୍ୟ, କୀର୍ତ୍ତନର ତାଳେ ତାଳେ ଧାଡ଼ି ପହଣ୍ଡି କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ସୁନ୍ଦର, ସୁଶୋଭିତ ଓ ରଙ୍ଗବେରଙ୍ଗ କପଡ଼ାରେ ସୁସଜ୍ଜିତ ତିନି ରଥ ଉପରକୁ ନିଆଯାଇଥିଲା।

ଏହାପରେ ମୁଖ୍ୟ ଅତିଥି  ଛତିଶଗଡ଼ ବିଧାନସଭାର ବାଚ୍ଚସ୍ପତ୍ତି ଡ଼ଃ ରମଣ ସିଂହ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ।

Advertisment ଉପସ୍ଥିତ ଅନ୍ୟ  ବିଶିଷ୍ଟ ଅତିଥି ବୃନ୍ଦଙ୍କ ମଧ୍ୟରେ ପୂର୍ବତନ ବାଚ୍ଚସ୍ପତ୍ତି ଗୌରୀ ଶଙ୍କର ଅଗ୍ରୱାଲ, ମନ୍ତ୍ରୀ ଲକ୍ଷ୍ମୀ ରାଜୱାଡ଼େ , ଭାଜପାର ସଂଗଠନ ସାଧାରଣ ସମ୍ପାଦକ ପବନ ସାୟ,ବରିଷ୍ଠ ଭାଜପା ନେତା ଡ଼ଃ ରାମ ପ୍ରତାପ ସିଂହ, କୁମନାରୁ ଆସିଥିବା ଗୁରୁଜୀ ସଦନ ତିୱାରୀ, ଭାଜପାର ଜିଲ୍ଲା ସଭାପତି ରମେଶ ସିଂହ ଠାକୁର, ଭାଜପା ନେତ୍ରୀ ଡ଼ଃ ବର୍ଣ୍ଣିକା ଶର୍ମା, କିରଣ ସାହୁ ଓ ମହିଳା ଆୟୋଗର ଅଧ୍ୟକ୍ଷା ଡ଼ଃ ମମତା ସାହୁ ପ୍ରମୁଖ ସାମିଲ ଥିଲେ।

ମନ୍ଦିରର ପ୍ରତିଷ୍ଠାତା ଏବଂ ସ୍ଥାନୀୟ ବିଧାୟକ ପୁରନ୍ଦର ମିଶ୍ର ସେମାନଙ୍କୁ ଛେରା ପହଁରା କାର୍ଯ୍ୟରେ ସହଯୋଗ କରିଥିଲେ।

ସନ୍ଧ୍ୟା ସାଢେ ପାଞ୍ଚଟା ସମୟରେ ରଥ ଟଣାର ଶୁଭାରମ୍ଭ କରାଯାଇଥିଲା।

ଉପସ୍ଥିତ ଭକ୍ତମାନଙ୍କର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନି ଏବଂ ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହ ଗହ ନାଦ ତଥା ଭଜନ, କୀର୍ତ୍ତନର ମୃଦ୍ୟୁମନ୍ଦ ଆବାଜ ମଧ୍ୟରେ ମନ୍ଦିର ବେଢା ସାମନାରେ ରାଜକୀୟଠାଣିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କର ବଡ଼ ଭାଇ ଶ୍ରୀ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କର ରଥ ଗୁଡ଼ିକ ଗଡି ଗଡି ଚାଲିବାର ଦୃଶ୍ୟ ଅନନ୍ୟ ଓ ଅଭୁଲା ଥିଲା।

ସନ୍ଧ୍ୟା ୬ଟା ସୁଦ୍ଧା ବେଢ଼ା ଚତୁଃପାର୍ଶ୍ୱ ଭ୍ରମଣ କରି ରଥ ଗୁଡ଼ିକ ମୁଖ୍ୟ ମନ୍ଦିର ସାମ୍ନାକୁ ଆସିଯାଇଥିଲା।

ଏଠାରେ ଋଷି ଥିବା ମହାଲକ୍ଷ୍ମୀ ପୂର୍ବରୁ ପ୍ରସ୍ତୁତ ଥାଇ ବଡ଼ ଠାକୁରଙ୍କ ମନ୍ଦିର ପ୍ରବେଶକୁ ରୋକି ଥିଲେ।

କାରଣ ତାଙ୍କୁ ରଥଯାତ୍ରାରେ ସାମିଲ କରାଯାଇନଥିଲା।

ଶ୍ରୀ ଜଗନ୍ନାଥ ଅବିଳମ୍ବେ ସୁସ୍ୱାଦୁ ରସଗୋଲା ପ୍ରଦାନ କରି ମାଆଙ୍କର ମାନଭଞ୍ଜନ କରିଥିଲେ।

ମନ୍ଦିର ପ୍ରାଙ୍ଗଣରେ ଏହି ଉପାଖ୍ୟାନର ନାଟକୀୟ ରୂପକରଣ ମଞ୍ଚସ୍ଥ କରାଯାଇଥିଲା ।

ସନ୍ଧ୍ୟା ୭ଟା ବେଳେ ସାହି ରୋଷଣୀ କରାଯାଇ ଶ୍ରୀ ଜୀଉ ମାନଙ୍କୁ ମନ୍ଦିର ମଧ୍ୟକୁ ନିଆଯାଇ ରତ୍ନ ସିଂହାସନରେ ଆସୀନ କରାଯାଇଥିଲା।

ବାହୁଡ଼ା ଯାତ୍ରାର ସମଗ୍ର ଆୟୋଜନକୁ ସୁଚାରୁରୂପେ ସମ୍ପନ୍ନ କରିବାରେ ମନ୍ଦିର ପରିଚାଳନା କମିଟିର ସଂରକ୍ଷକ ବୃନ୍ଦ ଯଥା ସଭାପତି ପୁରନ୍ଦର ମିଶ୍ର, ସଦସ୍ୟ ମନ୍ମଥ କୁମାର ରାଉତ, ସୁବ୍ରତ ସାହୁ, ସୁବାସ ଅଗ୍ରୱାଲ, ଗୋପାଳ ଅଗ୍ରୱାଲ, ଦ୍ଵାରିକାଧୀଶ ମିଶ୍ର, ଗୁଣନିଧି ମିଶ୍ର, ଅଶୋକ ଦୁବେ, ଲଳିତ ପ୍ରଧାନ, ପ୍ରକାଶ ଦାସ,ପୀୟୂଷ ମିଶ୍ର, ସୌରଭ ମିଶ୍ର ଓ ଅଜୟ ଦେବତା ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।

ଚଳିତ ଥର ରଥଯାତ୍ରାର ସଫଳତା ପାଇଁ ରାୟପୁର ନଗର ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ ଭାଜପା ନେତା, କାର୍ଯ୍ୟକର୍ତ୍ତା ଓ କର୍ପୋରେଟର ବିଶେଷ କରି ଯୁବ ଓ ମହିଳା ସମ୍ପ୍ରଦାୟ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।