Fire in hospital: ବିହାର ମୁଜାଫରପୁର ହସ୍ପିଟାଲ ଅଗ୍ନିକାଣ୍ଡ; ୪ ରୋଗୀଙ୍କ ମୃତ୍ୟୁ
ପାଟନା: ବିହାରର ମୁଜାଫରପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗୁରୁବାର ଭୀଷଣ ଅଗ୍ନିକାଣ୍ଡ ଘଟି ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ନିଆଁ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟ୍ (ଆଇସିୟୁ)ରେ ଲାଗିଥିଲା। ଜିଲ୍ଲା ମାଜିଷ୍ଟ୍ରେଟ୍ ସୁବ୍ରତ କୁମାର ସେନ୍ କହିଛନ୍ତି ଯେ, ୨୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ପୋଡ଼ିଯାଇଥିବା ଲୋକଙ୍କ ମଧ୍ୟରେ ଆଇସିୟୁ ଦାୟିତ୍ୱରେ ଥିବା ବ୍ୟକ୍ତି ମଧ୍ୟ ଅଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଧିକାଂଶ ରୋଗୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରସାଦ ହସ୍ପିଟାଲର ଆଇସିୟୁର ଅକ୍ସିଜେନ୍ ୟୁନିଟ୍ ଓ ମନିଟର ସିଷ୍ଟମରେ ସଟ୍ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ବୋଲି ସେନ୍ କହିଛନ୍ତି। ଅଗ୍ନିକାଣ୍ଡର କାରଣ ଜାଣିବାକୁ ତଦନ୍ତ ଚାଲିଛି। ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ରାତି ୩ଟା ୫୫ ମିନିଟରେ ଖବର ମିଳିଥିଲା। ଅଗ୍ନିକମାନେ କବାଟ ଓ ଝରକା ଭାଙ୍ଗି ଆଇସିୟୁ ଓ ଅନ୍ୟ ୱାର୍ଡ଼ରେ ପହଞ୍ଚି ଥିଲେ। ରୋଗୀମାନଙ୍କୁ ଧୂଆଁ ଭର୍ତ୍ତି କୋଠାରୁ ବାହାରକୁ ଅଣା ଯାଇଥିଲା।
ଆହୁରି ପଢ଼ନ୍ତୁ: Fire: ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ; ଜୀବନ ବିକଳରେ ଚିତ୍କାର କରୁଥିଲେ ରୋଗୀ, ସଂପର୍କୀୟ
ଅଗ୍ନିଶମ ବିଭାଗ ଅଧିକାରୀ ରାମ ନିୱାସ ପାଣ୍ଡେ କହିଛନ୍ତି, ଆଇସିୟୁର ୧୫-୨୦ ରୋଗୀଙ୍କୁ ଉଦ୍ଧାର କରିଥିଲୁ, ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ, ଆଇସିୟୁ ପଞ୍ଚମ ମହଲା ଓ ପ୍ରତୀକ୍ଷା ଗୃହ ଚତୁର୍ଥ ମହଲାରେ ଅଛି, ଯାହା ଫଳରେ ପ୍ରାୟ ଏକ ଘଣ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇପଡ଼ିଛି। କିଛି ରୋଗୀଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ସେମାନେ ସେମାନଙ୍କ ସମ୍ପର୍କୀୟଙ୍କୁ ଖୋଜି ପାଇ ନାହାନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନେ ରୋଗୀମାନଙ୍କୁ ଏକୁଟିଆ ଛାଡି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଅନ୍ୟ ଏକ ସୂତ୍ର ଅନୁଯାୟୀ ୧୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।
ଆହୁରି ଦେଖନ୍ତୁ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।