Fire Breaks Out Again at Market Building: ମାର୍କେଟ ବିଲ୍ଡିଙ୍ଗରେ ଭୟାବହ ଅଗ୍ନିକାଣ୍ଡ; ହୁତୁହୁତୁ ଜଳିଲା ୮ରୁ ଅଧିକ ଦୋକାନ
ପୁଣି ମାର୍କେଟ ବିଲ୍ଡିଙ୍ଗରେ ଲାଗିଲା ନିଆଁ। କପଡା ଦୋକାନରେ ନିଆଁ ଲାଗିବାରୁ ସବୁ ଆସବାପତ୍ର ପୋଡି ପାଉଁଶ ହୋଇଛି। ତେବେ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ବେଳେ ବିଏମସି ଓ ଅଗ୍ନିଶମ ବାହିନୀ କଣ କରୁଛି ତାହାକୁ ନେଇ ଉଠିଲା ପ୍ରଶ୍ନ। BMC ମେୟରଙ୍କ ଅଭିଯୋଗ ଅଗ୍ନିଶମ ବିଭାଗର ସ୍ଥାଣୁତା ଓ ବ୍ୟବସାୟୀ ମାନଙ୍କ ବେପରୁଆ ହେବି ୱାଟ ଲାଇଟ ସଂଯୋଗ ହିଁ ଅଗ୍ନିକାଣ୍ଡର ମୁଖ୍ୟକାରଣ ବୋଲି କହିଛନ୍ତି...
ପୁଣି ରାଜଧାନୀର ମାର୍କେଟ ବିଲ୍ଡିଙ୍ଗରେ ଲାଗିଲା ନିଆଁ । ଜଳିଗଲା ୨ ନମ୍ବର ମାର୍କେଟ ବିଲ୍ଡିଙ୍ଗରେ ଥିବା ଡ୍ରେସ ଦୋକାନ। ପ୍ରବଳ ବର୍ଷା ସତ୍ତ୍ବେ ନିଆଁ ଲାଗି ଜଳିଯାଇଛି ୮ରୁ ଅଧିକ ଦୋକାନ। ଭୁବନେଶ୍ବରର ଜନଗହଳିପୂର୍ଣ୍ଣ ୨ ନମ୍ବର ମାର୍କେଟ ବିଲ୍ଡିଙ୍ଗରେ ଆଜି ସକାଳୁ ନିଆଁ ଲାଗିଥିଲା। ଏ ହେଉଛି BMC ମଲ୍ଟି ଷ୍ଟୋର କାର ପାର୍କିଂ କଡରେ ଥିବା ମାର୍କେଟର ଦୃଶ୍ୟ।
ଆଜି ସକାଳୁ ସକାଳୁ ଗୋଟିଏ ଦୋକାନ ଭିତରୁ ଧୂଆଁ ବାହାରିଥିଲା। ଦେଖୁ ଦେଖୁ ନିଆଁ ଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା। ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେବାରୁ ୫ଟି ଟିମ୍ ପହଞ୍ଚି ପ୍ରାୟ ସାଢେ ୩ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ପ୍ରକୃତ କାରଣ କଣ ଜଣାପଡିନାହିଁ।
୧ ନଂ ଓ ୨ନଂ ମାର୍କେଟରେ ବାରମ୍ବାର ଏଭଳି ଅଗ୍ନିକାଣ୍ଡ ଘଟୁଥିବା ଦେଖିବାକୁ ମିଳୁଛି। ଏହାର କାରଣ ହେଉଛି ସର୍ଟ ସର୍କିଟ. ବ୍ୟବସାୟୀ ମାନେ ୧୦ବର୍ଗ ଫୁଟ ଜାଗାରେ ହଜାର ହଜାର ୱାଟର ବଲ ଲଗାଉଛନ୍ତି। ଗୋଟିଏ ସରୁ ତାରରେ ମାଳ ମାଳ ଲାଇଟ ଲଗାଯାଉଛି। ଏହାକୁ ଯାଞ୍ଚ କରୁ ନାହିଁ କି ତାଗିଦ ବି କରୁନାହଁ ଅଗ୍ନିଶମ ବିଭାଗ। ଫଳରେ ଏହି ଦୁଇଟି ମାର୍କେଟ ରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିବା BMC ମେୟର କହିଛନ୍ତି।
ବାରମ୍ବାର ନିଆଁ ଲାଗୁଛି, ବ୍ୟବସାୟୀ ସର୍ବଶାନ୍ତ ହେଉଛନ୍ତି, ହେଲେ BMC ଏବଂ ଅଗ୍ନିଶମ ବିଭାଗ ତତ୍ପରତା ଦେଖାଉନାହାଁନ୍ତି, ନିଆଁ ଲାଗିବାର ପ୍ରକୃତ କାରଣ କଣ ତାହାର ଯାଞ୍ଚ କରି ପଦକ୍ଷେପ ନେବାକୁ ଦାବି ହୋଇଛି।
- ମାର୍କେଟ ବିଲ୍ଡିଙ୍ଗରେ ପୁଣି ଅଗ୍ନିକାଣ୍ଡ
- ଭୁବନେଶ୍ବର ମାର୍କେଟ ବିଲ୍ଡିଙ୍ଗରେ ଭୟାବହ ଅଗ୍ନିକାଣ୍ଡ
- ହୁତୁହୁତୁ ଜଳିଲା ୮ରୁ ଅଧିକ ଦୋକାନ