Love Dispute Turns Deadly: ରାଜଧାନୀରେ ନାବାଳକ ଛାତ୍ରଙ୍କ ନାରକୀୟ କାଣ୍ଡ, ପ୍ରେମ ବିବାଦରୁ ବାପ-ପୁଅଙ୍କୁ ହତ୍ୟା
ପାଠଶାଠ ପଢୁଥିଲେ...ପୂଜାପାଠ କରି ଚଳୁଥିଲେ...ପାଖ ପଡ଼ୋଶୀଙ୍କ ଆତ୍ମୀୟ ବି ସାଜିଥିଲେ...ହେଲେ ଏହି ଭେଣ୍ଡା ଟୋକା ଆଜି ଅତୀତ...ରକ୍ତରଂଜିତ ଅପରାଧରେ ଗଡ଼ିଛି ମୁଣ୍ଡ...। ଯାହାଙ୍କ ନାଁ କୃଷ୍ଣ ପାଢ଼ୀ। ବୟସ ମାତ୍ର ୨୦। ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର। କେବଳ କୃଷ୍ଣ ନୁହଁନ୍ତି, ତାଙ୍କ ବାପା ହିମାଂଶୁ ପାଢ଼ୀଙ୍କୁ ବି ମାରିଦିଆଯାଇଛି।
ଗୋଟିଏ ହମଲାରେ କାଲି ପୁଅ ଆଉ ଆଜି ବାପାଙ୍କ ଜୀବନ ଯାଇଛି। କେବଳ ବଞ୍ଚିଯାଇଛନ୍ତି କୃଷ୍ଣଙ୍କ ଭଉଣୀ। ପୋଲିସର କହିବା କଥା, ଏଭଳି ହତ୍ୟା ପଛର ମୂଳ କାରଣ ପ୍ରେମ। ଦୁଇ ଦୁଇ ଜଣ ନାବାଳକ ଖେଳିଛନ୍ତି ଉଭୟ ବାପ-ପୁଅଙ୍କ ଖୁନୀ ଖେଳ। ଖଣ୍ଡଗିରି କୋଳଥିଆ ଛକ ଡବଲ ମର୍ଡର ମାମଲାରେ ଏଭଳି କିଛି ଚାଞ୍ଚଲ୍ୟକର ଖୁଲାସା କରିଛି କମିଶନରେଟ୍ ପୋଲିସ। ତା ସହ ୨ ନାବାଳକଙ୍କୁ ଧରି ପୋଲିସ ବାଲ୍ ସୁଧାର ଗୃହକୁ ପଠାଇ ଦେଇଛି।
ଚିନ୍ତାର ବିଷୟ ହେଉଛି, ଉଭୟ ନାବାଳକ ଅଭିଯୁକ୍ତ ଦୁଇ ଜଣ ସ୍କୁଲ୍ ଛାତ୍ର। ଜଣେ ଦଶମ ଏବଂ ଆଉ ଜଣେ ଦ୍ବାଦଶ ଶ୍ରେଣୀରେ ପାଠ ପଢୁଛି। ଉଭୟଙ୍କ କୌଣସି ଅପରାଧିକ ରେକର୍ଡ ବି ନାହିଁ। ତଥାପି ଯୋଜନାବଦ୍ଧ ଭାବେ ଆକ୍ରମଣ କରି କୃଷ୍ଣ ଏବଂ ତାଙ୍କ ବାପାଙ୍କୁ ରାସ୍ତାରୁ ହଟାଇ ଦେଇଛନ୍ତି ୨ ନାବାଳକ ଛାତ୍ର। କାରଣ ନିର୍ଦ୍ଦିଷ୍ଟ ଜଣେ ଝିଅକୁ କୃଷ୍ଣ କୁଆଡ଼େ ହଇରାଣ କରୁଥିଲେ। ଏପରିକି ମାଡ଼ ବି ମାରିଥିଲେ। ତେଣୁ ପ୍ରତିଶୋଧ ନେବାକୁ ଯାଇ ଭିଆଇଛନ୍ତି ହତ୍ୟାକାଣ୍ଡ।
ରବିବାର ବିଳମ୍ବିତ ରାତି। ପେସାଦାର ଅପରାଧୀଙ୍କ ଭଳି ଉଭୟ ନାବାଳକ ରଚିଲେ କ୍ରାଇମ୍ ପ୍ଲଟ୍। ଗୋଟିଏ ହାତରେ ଲଙ୍କା ଗୁଣ୍ଡ, ଆର ହାତରେ ଲୁହା ରଡ୍ ଧରି ପହଞ୍ଚିଥିଲେ କୋଳଥିଆ ଛକରେ ଥିବା କୃଷ୍ଣଙ୍କ ଏହି ଘରେ। କବାଟକୁ ଧକ୍କା ମାରି ଘରେ ପଶିବା ସହ ପ୍ରଥମେ କୃଷ୍ଣଙ୍କୁ କରିଥିଲେ ଆକ୍ରମଣ।
ସେହି ସମୟରେ ପୁଅକୁ ବଞ୍ଚାଇବା ପାଇଁ ଆସିବାରୁ ବାପା ହିମାଂଶୁ ପାଢ଼ୀ ଏବଂ ଭଉଣୀ ତାପସୀଙ୍କୁ ବି ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ କୃଷ୍ଣଙ୍କ ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ଆଜି ହିଂମାଶୁଙ୍କ ଜୀବନ ଚାଲିଯାଇଛି। ଏହି ଘଟଣା ପରେ ଦଳବଳ ଧରି କ୍ରାଇମସ୍ପଟକୁ ଯାଇ ଖୋଳତାଡ଼ କରିଥିଲେ ଡିସିପି।
ସାଇଣ୍ଟିଫିକ ଟିମ, ଡଗ ସ୍କ୍ବାଡ୍, ହ୍ୟୁମାନ ଇଣ୍ଟେଲିଜେନ୍ସ ଏବଂ ସିସିଟିଭି ଫୁଟେଜ୍ ସଂଗ୍ରହ କରି ତଦନ୍ତ ଜାରି ରଖିଥିଲେ। ଆଉ ସିସିଟିଭି ଫୁଟେଜ ହିଁ ୨ ନାବାଳକଙ୍କୁ ଧରାଇଦେଇଥିଲା ଖଣ୍ଡଗିରି ଅଞ୍ଚଳରେ। ଶେଷରେ ପଚରାଉଚରା ଏବଂ କ୍ରାଇମ ସିନ୍ ରିକ୍ରିଏସନ୍ କରି ପୋଲିସ ଉଭୟଙ୍କୁ ଜୁଭେନାଇଲ ଜଷ୍ଟିସ ହୋମକୁ ପଠାଇଦେଇଛି। ତା ସହ ଅପରାଧରେ ବ୍ୟବହୃତ ହତିଆରକୁ ପୋଲିସ ଜବତ କରିଛି।
ହତ୍ୟା ହେଉ ଅବା ଲୁଟପାଟ୍, ଡକାୟତି ହେଉ ଅବା ଛିନତାଇ। ଅନେକ ମାମଲାରେ ନାବାଳକଙ୍କ ରହୁଛି ସମ୍ପୃକ୍ତି। ଏଭଳି ସ୍ଥିତିରେ ପ୍ରେମ ପାଇଁ କୋଳଥିଆରେ ବାପ-ପୁଅଙ୍କୁ ହତ୍ୟା, ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।.....