FIR against Dilpreet Dhillon: ପଞ୍ଜାବୀ ଗାୟକ ଦିଲପ୍ରୀତ ଢିଲ୍ଲୋନଙ୍କ ବିରୋଧରେ ମାମଲା; ମାରପିଟ୍, ଧମକ ଓ ପିସ୍ତଲ ଦେଖାଇବା ଅଭିଯୋଗ

Jul 24, 2026 - 18:30
FIR against Dilpreet Dhillon: ପଞ୍ଜାବୀ ଗାୟକ ଦିଲପ୍ରୀତ ଢିଲ୍ଲୋନଙ୍କ ବିରୋଧରେ ମାମଲା; ମାରପିଟ୍, ଧମକ ଓ ପିସ୍ତଲ ଦେଖାଇବା ଅଭିଯୋଗ

ମୋହାଲିର ମାଟୌର ଥାନା ପୋଲିସ୍ ପଞ୍ଜାବୀ ଗାୟକ ଦିଲପ୍ରୀତ ସିଂହ ଢିଲ୍ଲୋନଙ୍କ ବିରୋଧରେ ମାରପିଟ୍, ବେଆଇନ ଭାବେ ଅଟକ ରଖିବା, ଅପରାଧିକ ଧମକ ଦେବା ଏବଂ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିବା ଭଳି ଅଭିଯୋଗରେ ମାମଲା ରୁଜୁ କରିଛି। 'ମେଲୋଡି ହାଉସ୍' ନାମକ ସଙ୍ଗୀତ କମ୍ପାନୀର ମାଲିକ ରିମାଣ୍ଟ ମାରୱାହାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

ଅଭିଯୋଗ ଅନୁଯାୟୀ, ଏକ ମ୍ୟୁଜିକ୍ କମ୍ପାନୀ ସହିତ ଏକ ଗୀତ ଚୁକ୍ତି ଚୂଡ଼ାନ୍ତ ନ ହୋଇପାରିବା କାରଣରୁ ଏହି ବିବାଦ ସୃଷ୍ଟି ହୋଇଥିଲା। ରିମାଣ୍ଟ ମାରୱାହା ପୋଲିସକୁ ଜଣାଇଛନ୍ତି ଯେ ସେ ଗତ ପାଞ୍ଚ ବର୍ଷ ଧରି 'ମେଲୋଡି ହାଉସ୍' ସଙ୍ଗୀତ କମ୍ପାନୀ ଚଳାଇ ଆସୁଛନ୍ତି।

ରିମାଣ୍ଟ କହିଛନ୍ତି ଯେ ପ୍ରାୟ ୫-୬ ମାସ ପୂର୍ବେ, ଦିଲପ୍ରୀତ୍ ଢିଲ୍ଲୋନ୍ ମ୍ୟୁଜିକ୍ କମ୍ପାନୀ ସହିତ ଗୀତ ରେକର୍ଡିଂ ପାଇଁ ଏକ ଚୁକ୍ତି କରାଇଦେବାକୁ ତାଙ୍କ ସହ ଯୋଗାଯୋଗ କରିଥିଲେ, କିନ୍ତୁ ଆଲୋଚନା ସତ୍ତ୍ୱେ କୌଣସି ଚୁକ୍ତିନାମା ସ୍ଥିର ହୋଇପାରି ନଥିଲା। ଅଭିଯୋଗ ରହିଛି ଯେ ଜୁଲାଇ ୨୨ ତାରିଖ ରାତିରେ ସେକ୍ଟର-୭୦ ସ୍ଥିତ ଏକ ଫ୍ଲାଟରେ ଏହି ବିଷୟକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଅଭିଯୋଗକାରୀଙ୍କ ଅନୁଯାୟୀ, ଦିଲପ୍ରୀତ ଢିଲ୍ଲୋନ୍ ତାଙ୍କ ଉପରେ ଚାପ ପକାଇଥିଲେ ଯେ ସେ ଯେକୌଣସି ମୂଲ୍ୟରେ କୌଣସି କମ୍ପାନୀ ସହିତ ଏକ ଚୁକ୍ତି ସ୍ଥିର କରନ୍ତୁ; କାରଣ ତାଙ୍କୁ ନିଜ ପତ୍ନୀଙ୍କ ପାଇଁ ୧-୨ କୋଟି ଟଙ୍କା ମୂଲ୍ୟର ଏକ କାର୍ କିଣିବାର ଥିଲା।

ରିମାଣ୍ଟ ମାରୱାହା ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ନିର୍ଦ୍ଦେଶ ପାଳନ କରିବାରେ ଅସମର୍ଥତା ପ୍ରକାଶ କଲେ, ସେତେବେଳେ ଦିଲପ୍ରୀତ ତାଙ୍କ ଉପରେ ଆକ୍ରମଣ କଲେ। ଢିଲ୍ଲୋନ୍ ତାଙ୍କ କଲର୍ ଧରି ଅନ୍ୟ ଏକ କୋଠରୀକୁ ଟାଣି ନେଇଥିଲେ, ତଳେ ପକାଇ ଦେଇଥିଲେ ଏବଂ ଗୋଇଠା ଓ ମୁଥ ମାରି ଆକ୍ରମଣ କରିଥିଲେ। ଏହାପରେ ସେ ଏକ ପିସ୍ତଲ ଦେଖାଇ ତାଙ୍କୁ ଓ ତାଙ୍କ ପରିବାରକୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।