FIFA World Cup: ହାଇତି ନକ୍ଆଉଟ୍: ରାଉଣ୍ଡ-୩୨ରେ ମରୋକ୍କୋ
ଆଟ୍ଲାଣ୍ଟା: ଚଳିତ ଫିଫା ବିଶ୍ବକପ୍ରେ ହାଇତିକୁ ନକ୍ଆଉଟ୍ କରି ମରୋକ୍କୋ ରାଉଣ୍ଡ-୩୨ ସ୍ଥାନ ନିଶ୍ଚିତ କରିଛି। ଗୁରୁବାର ଏଠାରେ ଖେଳାଯାଇଥିବା ଗ୍ରୁପ୍-ସି’ ମ୍ୟାଚ୍ରେ ମରୋକ୍କୋ ଦୁଇ ଦୁଇ ଥର ପଛରେ ପଡ଼ିବା ପରେ ବି ସଫଳ ପ୍ରତ୍ୟାବର୍ତ୍ତନ କରି ୪-୨ ଗୋଲ୍ରେ ହାଇତିକୁ ମାତ୍ ଦେଇଛି। ଏହି ବିଜୟରେ ବଦଳ ଖେଳାଳି ସୌଫିଆନେ ରହିମି ଓ ଗେସିମେ ୟାସିନେ ଗୁରୁତ୍ବ ଭୂମିକା ତୁଲାଇଥିଲେ। ରହିମି (୭୮ ମିନିଟ୍) ଓ ୟାସିନେ (୮୯ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ହାଇତିର ପ୍ରଥମ ପଏଣ୍ଟ୍ ଆଶାରେ ପାଣି ଭରି ଦେଇଥିଲେ।
ହାଇତି ପ୍ରତିଯୋଗିତାରୁ ବିଦାୟ
ଦ୍ବିତୀୟ ତଥା ୧୯୭୪ ପରେ ପ୍ରଥମ ଥର ଲାଗି ବିଶ୍ବକପ୍ ଖେଳୁଥିବା ହାଇତି ମ୍ୟାଚ୍ର ଦଶମ ମିନିଟ୍ରେ ଆଫ୍ରିକୀୟ ବିଜେତା ମରୋକ୍କୋକୁ ଚକ୍ମା ଦେଇଥିଲା। ଲେନି ଯୋଶେଫଙ୍କ ଫ୍ଲିଫ୍ ସଟ୍ ମରୋକ୍କୋ ଗୋଲି ୟାସିନେ ବୌନୌଙ୍କ ଦେହରେ ବାଜି ପୋଷ୍ଟ୍ରେ ପସି ଯାଇଥିଲା। ୩୯ତମ ମିନିଟ୍ରେ ମରକ୍କୋର ଆଚ୍ରାଫ୍ ହାକିମ ଗୋଲ୍ଟି ଶୁଝି ସ୍ଥିତି ବରାବର କରି ଦେଇଥିଲେ। ୪୩ତମ ମିନିଟ୍ରେ ୱିଲ୍ସନ୍ ଇଜିଡରଙ୍କ ଗୋଲ୍ରେ ହାଇତି ପୁଣି ଆଗୁଆ ହୋଇଥିଲା। ଇନ୍ଜୁରି ସମୟରେ ମରୋକ୍କୋର ଇସ୍ମାଇଲ୍ ସାଇବରି (୪୫+୧ ମିନିଟ୍) ଗୋଲ୍ ଦେଇ ପ୍ରଥମାର୍ଦ୍ଧରେ ସ୍ଥିତି ୨-୨ କରିଥିଲେ। ଦ୍ବିତୀୟାର୍ଦ୍ଧରେ ରହିମି ଓ ୟାସିନେଙ୍କ ଗୋଲ୍ରେ ମରୋକ୍କୋ ବିଜୟ ବାନା ଉଡ଼ାଇବା ସହ ୭ ପଏଣ୍ଟ ପାଇ ନକ୍ଆଉଟ୍ରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ହାଇତି ବିଜୟ ଶୂନ୍ୟ ରହି ପ୍ରତିଯୋଗିତାରୁ ବିଦାୟ ନେଇଛି।
ଆହୁରି ପଢ଼ନ୍ତୁ: Interstate Athletics: ଅନ୍ତଃରାଜ୍ୟ ଆଥଲେଟିକ୍ସ: ଓଡ଼ିଶାକୁ ପ୍ରଜ୍ଞା ଦେଲେ ପ୍ରଥମ ପଦକ