FIFA WORLD CUP 2026: ଅସୁସ୍ଥ ପୁତ୍ରର ଚିକିତ୍ସା ପାଇଁ ବିକିଥିଲେ ଜର୍ସି ଓ ଜୋତା; ଜର୍ମାନୀ ବିପକ୍ଷରେ ପେନାଲ୍ଟି ଅଟକାଇ ଓର୍ଲାଣ୍ଡୋ ସାଜିଲେ ମହାନାୟକ
- ଜର୍ମାନୀର ପେନାଲ୍ଟି ଅଟକାଇ ଚର୍ଚ୍ଚାକୁ ଆସିଲେ
- ଅସୁସ୍ଥ ପୁତ୍ରର ଚିକିତ୍ସା ପାଇଁ ବିକିଥିଲେ ଜର୍ସି
- ୟୁଏସଏ ବିପକ୍ଷ ପରାଜୟ ପରେ ହୋଇଥିଲା ସମାଲୋଚନା
- ‘ମୂକ’ ନାମ ଦେଇଥିଲେ ପୂର୍ବତନ ଖେଳାଳ
ନୂଆଜିଲ୍ଲୀ, ୦୩/୦୭: ୨ ବର୍ଷ ତଳେ ଯେଉଁ ଖେଳାଳି ଅସୁସ୍ଥ ପୁତ୍ରକୁ ବଞ୍ଚାଇବା ପାଇଁ ଜର୍ସି, ଜୋତା ଓ ସବୁ କ୍ରୀଡ଼ା ଉପକରଣ ବିକ୍ରି କରି ଦେଇଥିଲା, ଆଜି ସେହି ଖେଳାଳି ନିଜର ଯାଦୁକରୀ ଗୋଲ କିପିଙ୍ଗ ବଳରେ ପାରାଗୁଏର ଭାଗ୍ୟ ବଦଳାଇ ଦେଇଛି । ଜର୍ମାନୀ ବିପକ୍ଷରେ ୨ଟି ପେନାଲ୍ଟି (ସୁଟ ଆଉଟ୍) ଅଟକାଇ ସେ ସାଜିଛି ମହାନାୟକ । ଯେତେବେଳେ ଜଣେ ଯୋଦ୍ଧା ସବୁ ହରାଇ ମଧ୍ୟ ଲଢ଼ିବା ଛାଡ଼େ ନାହିଁ, ସେତେବେଳେ ଇତିହାସ ତା’ ବୀରତ୍ୱର ଗାଥା ଲେଖେ । ପାରାଗୁଏ ଗୋଲ୍ କିପର ଓର୍ଲାଣ୍ଡୋ ଗିଲ୍ଙ୍କ କ୍ଷେତ୍ରରେ ଠିକ୍ ଏଭଳି ଘଟଣା ଘଟିଛି ।
୨୦୧୮ରେ କ୍ଲବ ଫୁଟବଲ୍ ଖେଳୁଥିବା ଓର୍ଲାଣ୍ଡୋ ଦେଶ ପାଇଁ ଆଉ ଥରେ ଖେଳିବାର ଆଶା ହରାଇ ସାରିଥିଲେ । ଏପରିକି ୨୦୨୫ ପର୍ଯ୍ୟନ୍ତ ସେ ନିଜ କ୍ଲବ୍ ‘ସାନ ଲରେଞ୍ଜୋ ଡି ଆଲମାଗ୍ରୋ’ର ପ୍ରଥମ ପସନ୍ଦ ଗୋଲ୍ କିପର ନଥିଲେ । ସେ ଥିଲେ ରିଜର୍ଭ ଦଳର ସଦସ୍ୟ । ଦୀର୍ଘ ଦିନ ଧରି ସଂଘର୍ଷ ଓ ଆର୍ଥିକ ସଂକଟ ମଧ୍ୟରେ ଜୀବନ ବିତାଉଥିବା ଓର୍ଲାଣ୍ଡୋ ଚଳିତ ଫିଫା ବିଶ୍ୱକପ୍ରେ ଜର୍ମାନୀ ବିପକ୍ଷ ବିଜୟ ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଓର୍ଲାଣ୍ଡୋ ଏକଦା ନିଜ ଦେଶରେ ଅଲୋଡ଼ା ହୋଇ ଯାଇଥିଲେ । ୨୦୨୩ ପର୍ଯ୍ୟନ୍ତ ସେ ପାରାଗୁଏରେ ଦ୍ୱିତୀୟ ଡିଭିଜନ ଲିଗ୍ ଖେଳୁଥିଲେ । ନିଜ ଦେଶରେ ସୁଯୋଗ ନପାଇ ୨୦୨୪ରେ ସେ ବାଧ୍ୟ ହୋଇ କ୍ୟାରିୟର ଗଢ଼ିବା ଲକ୍ଷ୍ୟରେ ଆର୍ଜେଣ୍ଟିନାରେ ପହଞ୍ଚିଥିଲେ । କ୍ୟାରିୟରକୁ ନେଇ ଚାଲିଥିବା ସଂଘର୍ଷ ମଧ୍ୟରେ ଆର୍ଥିକ ସଂକଟ ଘନେଇ ଚାଲିଥିଲା । ଏପରିକି ପରିବାର ସଦସ୍ୟଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହେଉଥିଲା । ଏପଟେ କ୍ଲବ୍ କ୍ୟାରିୟର ମଧ୍ୟ ଆଗେଇ ପାରୁ ନଥିଲା । ୨୦୨୨ରେ ଓର୍ଲାଣ୍ଡୋଙ୍କ ଏକ ପୁତ୍ର (ଲୌଟରୋ) ସନ୍ତାନ ଜନ୍ମ ନେଇଥିଲା । ଜନ୍ମରୁ ଅସୁସ୍ଥ ଥିବା ପୁତ୍ରର ଚିକିତ୍ସା ପାଇଁ ଅର୍ଥ ନଥିବାରୁ ସେ ବାଧ୍ୟ ହୋଇ ନିଜ ଜର୍ସି, ଗ୍ଲୋଭ ଓ ଅନ୍ୟାନ୍ୟ କ୍ରୀଡ଼ା ଉପକରଣ ସବୁ ବିକ୍ରି କରି ଦେଇଥିଲେ । ଏପରିକି ୨୦୧୯ରେ ଅନୁଷ୍ଠିତ ୨୦ବର୍ଷରୁ କମ୍ କୋପା ଆମେରିକା କପ୍ରେ ସେ ପିନ୍ଧିଥିବା ପାରାଗୁଏ ଜର୍ସିକୁ ମଧ୍ୟ ସେ ବିକି ଦେଇଥିଲେ । ସମୟ ବଦଳିଲା । ଦୁଃଖରେ ପଡ଼ିଲା ପୂର୍ଣ୍ଣଛେଦ ।
ଆର୍ଜେଣ୍ଟିନାର ପାୱାର ହାଉସ କୁହାଯାଉଥିବା ସାନ ଲରେଞ୍ଜୋ କ୍ଲବ୍ ପ୍ରାଥମିକ ଗୋଲ୍ କିପର ଭାବେ କିଲୋର ନାଭାସଙ୍କୁ ଚୁକ୍ତି କରିବାରେ ବିଫଳ ହେବା ପରେ ମ୍ୟାନେଜର ମିଗ୍ୱେଲ ରୁସୋ ବାଧ୍ୟ ହୋଇ ଓର୍ଲାଣ୍ଡୋଙ୍କୁ ସିନିୟର ଡିଭିଜନରେ ଖେଳାଇବାକୁ ମନସ୍ଥ କରିଥିଲେ । ସୁଯୋଗ ହାତଛଡ଼ା କରି ନଥିଲେ ଓର୍ଲାଣ୍ଡୋ । ଜୀବନକୁ ବାଜିରେ ଲଗାଇବା ଭଳି ଗୋଲ୍ କିପିଙ୍ଗ କରି ମ୍ୟାନେଜରଙ୍କ ଭରସା ଜିତିଥିଲେ । କ୍ଲବ ପ୍ରଦର୍ଶନ ବଳରେ ସେ ପାରାଗୁଏ ଦଳରେ ସ୍ଥାନ ପାଇଥିଲେ । ଯୋଗ୍ୟତା ପର୍ଯ୍ୟାୟରେ ତାଙ୍କ ପ୍ରଦର୍ଶନ ବଳରେ ପାରାଗୁଏ ବିଶ୍ୱକପ ଟିକେଟ୍ ହାସଲ କରିଥିଲା । ପେରୁ ବିପକ୍ଷ ପଦାର୍ପଣ ମ୍ୟାଚର ପ୍ରଦର୍ଶନ କୋଚ୍ ଗୁସ୍ତାଭୋ ଆଲଫାରୋଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯଥେଷ୍ଟ ଥିଲା । ଜର୍ମାନୀ ବିପକ୍ଷ ମ୍ୟାଚରେ ଓର୍ଲାଣ୍ଡୋଙ୍କ ପ୍ରଦର୍ଶନ ଥିଲା ଅବିଶ୍ୱସନୀୟ । ସମ୍ପୂର୍ଣ୍ଣ ୧୨୦ ମିନିଟ୍ ପର୍ଯ୍ୟନ୍ତ ଜର୍ମାନୀ ଆକ୍ରମଣ ପରେ ଆକ୍ରମଣ କରି ଚାଲିଥିଲା । ଓର୍ଲାଣ୍ଡୋ ସବୁ ଗୋଲ୍ ଅଟକାଇ ଚାଲିଥିଲେ । ଶେଷରେ ଖେଳ ଟାଇବ୍ରେକରରେ ପହଞ୍ଚିଥିଲା । ପୂର୍ବରୁ ବିଶ୍ୱକପ୍ର କୌଣସି ପେନାଲ୍ଟି ସୁଟ୍ ଆଉଟ୍ ହାରି ନଥିବା ଜର୍ମାନୀ ଓର୍ଲାଣ୍ଡୋଙ୍କ ପ୍ରଦର୍ଶନ ଆଗରେ ମୁଣ୍ଡ ନୂଆଇଁ ଥିଲା । ଓର୍ଲାଣ୍ଡୋ ୨ଟି ପେନାଲ୍ଟି ଅଟକାଇ ଜର୍ମାନୀକୁ ବିଦାୟ ରାସ୍ତା ଦେଖାଇଥିଲେ ।
ୟୁଏସଏ ବିପକ୍ଷ ପ୍ରଥମ ମ୍ୟାଚରେ ପରାଜୟ (୧-୪ଗୋଲ୍) ପରେ ସମଗ୍ର ପାରାଗୁଏ ଓର୍ଲାଣ୍ଡୋଙ୍କୁ ସମାଲୋଚନା କରିବାକୁ ଆଗେଇ ଆସିଥିଲା । ପୂର୍ବତନ ଗୋଲ୍ କିପର ଜୋସ ଲୁଇସ ଚିଲାଭର୍ଟ ତାଙ୍କୁ ‘ମୁକ’ ନାମ ଦେଇଥିଲେ । ସୋସିଆଲ ମିଡ଼ିଆ ତାଙ୍କୁ ଖଳନାୟକ ସଜାଇ ଦେଇଥିଲା । ହେଲେ କେହି କେବେ ଓର୍ଲାଣ୍ଡୋଙ୍କ ସଂଘର୍ଷ ବିଷୟରେ ଆଲୋଚନା କରି ନଥିଲେ । ପୁତ୍ରର ଚିକିତ୍ସା ପାଇଁ ପୋଷାକଠୁ ଆରମ୍ଭ କରି ସବୁ କ୍ରୀଡ଼ା ଉପକରଣ ବିକ୍ରି କରି ଦେଇଥିବା ଓର୍ଲାଣ୍ଡୋ କେବଳ ନିଜର ସ୍ୱପ୍ନକୁ ବଞ୍ଚାଇ ରଖିଥିଲେ ଏବଂ ଏହି ବଞ୍ଚିତ ସ୍ୱପ୍ନ ବୋଷ୍ଟନ ଷ୍ଟାଡିୟମ୍ରେ ନେଇଥିଲା ଏକ ବିଶାଳ ପ୍ରାଚୀର ସଦୃଶ ରୂପ । ଜର୍ମାନୀର ସବୁ ଆକ୍ରମଣ ପଣ୍ଡ ହୋଇଥିଲା । କାଇ ହାଭର୍ଜ ଓ ନିକ ଓଲ୍ଡମେଡଙ୍କ ପେନାଲ୍ଟିକୁ ଅଟକାଇ ନିଜ ଦଳକୁ ଜିତାଇବା ପରେ ଷ୍ଟାଡିୟମ ଭିତରେ ଚିତ୍କାର କରିଥିଲେ ଓର୍ଲାଣ୍ଡୋ । ଏହି ବିଜୟ ଚିତ୍କାରରେ ଷ୍ଟାଡିୟମ୍ କମ୍ପମାନ ହୋଇଥିଲା । ୧୭ଦିନ ତଳେ ‘ମୂକ’ ନାମ ପାଇଥିବା ଓର୍ଲାଣ୍ଡୋଙ୍କ ଚିତ୍କାରକୁ ସାରା ବିଶ୍ୱ ଶୁଣିଥିଲା । ଷ୍ଟ୍ରାଇକରରୁ ଗୋଲ୍ କିପର ପିଲା ଦିନୁ ଗୋଲ୍ କିପର ହେବେ ବୋଲି ଭାବି ନଥିଲେ ଓର୍ଲାଣ୍ଡୋ । ସେ ଷ୍ଟ୍ରାଇକର ଭାବେ ଖେଳ ଆରମ୍ଭ କରିଥିଲେ । ହେଲେ ବିଶାଳ ଚେହେରା ଯୋଗୁଁ କୋଚ୍ ତାଙ୍କୁ ଡଗ୍ ଆଉଟ୍ ରାସ୍ତା ଦେଖାଇଥିଲେ । କହିଥିଲେ,‘ଖେଳିବାର ଅଛି ଯଦି ଗୋଲ୍ କିପର ହୁଅ । ନଚେତ ବେଞ୍ଚରେ ବସି ଖେଳ ଦେଖ ।’ କୋଚ୍ଙ୍କ ଚ୍ୟାଲେଞ୍ଜ ସ୍ୱୀକାର କରିଥିଲେ ଓର୍ଲାଣ୍ଡୋ । ଗୋଲ୍ କିପିଙ୍ଗ ଗ୍ଲୋଭକୁ ଚିର ଦିନର ସାଥୀ ରୂପେ ବାଛି ନେଇଥିଲେ । ବୋଷ୍ଟନର ଅଭୁଲା ଅପରାହ୍ଣ ଜର୍ମାନୀ ବିପକ୍ଷ ରାଉଣ୍ଡ-୩୨ ମୁକାବିଲା ପୂର୍ବରୁ କେହି ଭାବି ନଥିଲେ ପାରାଗୁଏ ଏହି ମ୍ୟାଚ ଜିତି ପାରିବ । ଜର୍ମାନୀ ୪ଥର ଚାମ୍ପିଅନ, ୪ଥର ରନର୍ସ ଅପ୍ । ଏଭଳି ଏକ ଶକ୍ତିଶାଳୀ ଦଳକୁ ହରାଇବା ସ୍ୱପ୍ନରେ ମଧ୍ୟ ସମ୍ଭବ ନୁହେଁ । ନିର୍ଦ୍ଧାରିତ ସମୟ ୧-୧ ଗୋଲ୍ରେ ବରାବର ରହିଥିଲା । ୯୦ମିନିଟ୍ ମଧ୍ୟରେ ଓର୍ଲାଣ୍ଡୋ ଜର୍ମାନୀର ୬ଟି ନିଶ୍ଚିତ ଗୋଲ୍ ଅଟକାଇ ସାରିଥିଲେ । ଟାଇ ବ୍ରେକରରେ ଜର୍ମାନୀର ୨ଟି ପେନାଲ୍ଟି ଅଟକାଇ ସେ ପାରାଗୁଏକୁ ୪-୩ (୧-୧) ଗୋଲ୍ରେ ବିଜୟୀ କରାଇବା ସହ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ଅଧିକ ପଢନ୍ତୁ- ଶ୍ରେୟସ ଆୟାରଙ୍କ ଅଧିନାକତ୍ବକୁ ନେଇ ପ୍ରଶ୍ନ ଉଠାଇଲେ କାର୍ତ୍ତିକ