Faroe Islands: ପରମ୍ପରା ପାଳନ ନାମରେ ୭୦୬ ତିମି-ଡଲଫିନ୍ ହତ୍ୟା
କୋପେନହେଗେନ୍: ଭାଇକିଂ ​​ଯୁଗର ଏକ ହଜାର ବର୍ଷ ପୁରୁଣା ପରମ୍ପରା ନାମରେ ୭୦୬ ରୁ ଅଧିକ ତିମି ଏବଂ ଡଲଫିନ୍ଙ୍କୁ ଯନ୍ତ୍ରଣାଦାୟକ ମୃତ୍ୟୁ ଦିଆଯାଇଛି। ଏହି ଘଟଣାଟି ଡେନମାର୍କର ଏକ ସ୍ୱ-ଶାସିତ ଅଞ୍ଚଳ ଫାରୋ ଦ୍ୱୀପପୁଞ୍ଜରେ ଘଟିଛି। ସମୁଦ୍ର ରକ୍ତ ରଞ୍ଜିତ ହୋଇଛି। ଗ୍ରୀଣ୍ଡାଡ୍ରାପ୍ ବା ଗ୍ରାଇଣ୍ଡ ନାମକ ଏକ ବାର୍ଷିକ ପରମ୍ପରା ସମୟରେ ଏଭଳି ଅମାନବୀୟ ଘଟଣା ଘଟିଛି। ଫାରୋ ଦ୍ୱୀପପୁଞ୍ଜ ତିମି ଏବଂ ଡଲଫିନ୍ଙ୍କୁ ହତ୍ୟା କରିବା ଆରମ୍ଭ କରିବାର ମାତ୍ର ଗୋଟିଏ ଦିନ ପୂର୍ବରୁ ସେମାନଙ୍କର ଆଇନ ପରିବର୍ତ୍ତନ କରିଥିଲା।
ଅଧିକପଢ଼ନ୍ତୁ:ଗୌରାଙ୍ଗ ଅପହରଣ ମାମଲା: ୬ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗିରଫ
ଏହି ପରମ୍ପରାରେ, ସ୍ଥାନୀୟ ଲୋକମାନେ ଆଟଲାଣ୍ଟିକ୍ ହ୍ବାଇଟ୍-ସାଇଡେଡ୍ ଡଲଫିନ୍ ଏବଂ ଲଙ୍ଗ୍-ଫିନ୍ ପାଇଲଟ୍ ତିମିକୁ ଧରିବା ପାଇଁ ହୁକ୍ ଏବଂ ଛୁରୀ ବ୍ୟବହାର କରିଥାନ୍ତି। ସେମାନଙ୍କୁ ଗଭୀର ପାଣିକୁ ଟାଣି ଆଣନ୍ତି। ତା’ପରେ ସେମାନଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥାଏ। ଏସବୁ ଘଟୁଥିବା ସମୟରେ, କୂଳରେ ଠିଆ ହୋଇଥିବା ଲୋକମାନେ, ଏପରିକି ପିଲାମାନେ ମଧ୍ୟ ଦେଖୁଥିଲେ। ଏହି ଜଳଚର ପ୍ରାଣୀଙ୍କ ମୃତଦେହକୁ କଟାଯାଇଥିଲା। ଏହାକୁ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।
ପରିବେଶ ସଂଗଠନ ସି ସେଫର୍ଡ ଅନୁଯାୟୀ , ତିମି ଏବଂ ଡଲଫିନ୍ଙ୍କର ଏହି ହତ୍ୟା ଘଟଣା ମେ’ ୨୭ ତାରିଖରେ ସ୍କଟଲ୍ୟାଣ୍ଡରୁ ପ୍ରାୟ ୨୦୦ ମାଇଲ ଉତ୍ତରରେ ତିନୋଟି ପୃଥକ ସ୍ଥାନରେ ଘଟିଥିଲା। ଟୋର୍ଶାଭନରେ ୪୦୨ ପାଇଲଟ୍ ତିମି ଏବଂ ୪ଟି ବଟଲନୋଜ୍ ଡଲଫିନ୍ଙ୍କୁ ହତ୍ୟା କରାଯାଇଥିଲା। ସ୍କାଲାବୋଟନୁରରେ ୧୬୮ଟି ହ୍ବାଇଟ୍-ସାଇଡେଡ୍ ଡଲଫିନ୍ଙ୍କର ଶିକାର କରାଯାଇଥିଲା। ହ୍ୱାଲଭିକରେ ୧୩୨ଟି ହ୍ବାଇଟ୍-ସାଇଡେଡ୍ ଡଲଫିନ୍ଙ୍କୁ ହତ୍ୟା କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଶିକାରୀମାନେ ଏହି ପ୍ରାଣୀଙ୍କୁ ମାରିବା ପାଇଁ ବହୁତ ସମୟ ନେଇଥିଲେ, ଯାହା ଫଳରେ ଏହି ଜଳଚର ପ୍ରାଣୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯନ୍ତ୍ରଣାରେ ଛଟପଟ ହୋଇଥିଲେ।
ପ୍ରାଣୀ ଅଧିକାର କର୍ମୀମାନେ ଭାଇକିଂ ​​ଯୁଗର ୧,୦୦୦ ବର୍ଷ ଏହି ପୁରୁଣା ପରମ୍ପରାକୁ ଏକ ନିଷ୍ଠୁର କାର୍ଯ୍ୟ ବୋଲି ବିବେଚନା କରିଥାନ୍ତି ଯାହା ଆଜିର ସମୟରେ ଆବଶ୍ୟକ ନୁହେଁ। ଫାରୋ ଦ୍ୱୀପପୁଞ୍ଜର ଲୋକେ ଏହି ପରମ୍ପରାକୁ ପାଳନ କରି ସେମାନଙ୍କ ସଂସ୍କୃତିକୁ ଜୀବିତ ରଖିବା ସହିତ ତାଙ୍କ ସମ୍ପ୍ରଦାୟ ପାଇଁ ଖାଦ୍ୟ ଯୋଗାଡ଼ କରିଥାନ୍ତି।ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବିଶାଳ ଶିକାରର ଠିକ୍ ଗୋଟିଏ ଦିନ ପୂର୍ବରୁ, ମେ’ ୨୬ ତାରିଖରେ, ଫାରୋ ଦ୍ୱୀପପୁଞ୍ଜ ସଂସଦ ପ୍ରାଣୀ କଲ୍ୟାଣ ଆଇନରେ ସଂଶୋଧନ ଆଣିଥିଲା। ସେମାନେ ଡଲଫିନ୍ଙ୍କୁ ସୁରକ୍ଷା ଦେବାର ଧାରା ଆଇନରୁ ବାହାର କରିଦେଇଥିଲେ।
ଅଧିକଦେଖନ୍ତୁ:
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।