Income Tax: ଟିକସଦାତାଙ୍କ ଅଭିଯୋଗକୁ ଅଗ୍ରାଧିକାର ଦିଅ: ରାଓ
ଭୁବନେଶ୍ବର: ଆୟକର ବିଭାଗର ଓଡ଼ିଶା କ୍ଷେତ୍ର ଭୁବନେଶ୍ବରର ପ୍ରାଧାନ ମୁଖ୍ୟ ଆୟକର ଆୟୁକ୍ତଙ୍କ ପକ୍ଷରୁ ଏକ ମେଗା ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ସଦସ୍ୟ ଜି ଅପର୍ଣ୍ଣା ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯେକୌଣସି ନିୟମର ସଫଳତା ତାହାର ରୂପାୟନ ଉପରେ ନିର୍ଭର କରିଥାଏ ବୋଲି କହିଥିଲେ।
ନୂଆ ଆୟକର ନିୟମକୁ ନେଇ ସାରା ଦେଶରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ଟିକସ ସମୁଦାୟର ମତାମତ ସଂଗ୍ରହ କରାଯାଉଛି। ଛାତ୍ରଛାତ୍ରୀମାନଙ୍କ ଟିକସ ଜ୍ଞାନ ବଢ଼ାଇବା ପାଇଁ କମିକ୍ ବୁକ୍ ଜରିଆରେ ମଧ୍ୟ ସଚେତନତାର ପ୍ରସାର କରାଯାଉଥିବା ସେ କହିଥିଲେ। ଟିକସଦାତାଙ୍କ ଆପତ୍ତି ଅଭିଯୋଗଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସାରା ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଥିଲେ।
ଆହୁରି ପଢ଼ନ୍ତୁ: Income Tax: ଆଶିଷ ମହାନ୍ତି ଆୟକର ଗୁଇନ୍ଦା ଓ ଅପରାଧିକ ଅନୁସନ୍ଧାନ ନିର୍ଦେଶାଳୟର ନୂଆ ନିର୍ଦ୍ଦେଶକ
କାର୍ଯ୍ୟକ୍ରମରେ ଓଡ଼ିଶା ଆୟକର ବିଭାଗର ମୁଖ୍ୟ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଡ. ଡି ସୁଧାକର ରାଓ ସ୍ବାଗତ ଭାଷଣରେ ସ୍ବଚ୍ଛ କର ପ୍ରଶାସନ, ହିତାଧିକାରୀମାନଙ୍କ ସହ ନିରନ୍ତର ସମ୍ପର୍କ ଓ ନୂଆ ଟିକସ ନୀତିର ସହଜ କ୍ରିୟାନ୍ବୟନ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିିଥି ଭାବେ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ, ପଦ୍ମଶ୍ରୀ ସାବରମତୀ ଓ ପଦ୍ମଶ୍ରୀ ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର ଯୋଗଦେଇ ଟିକସ, ନିଜ ଜୀବନ କାହାଣୀ, ସାର୍ବଜନୀନ ସ୍ବାସ୍ଥ୍ୟ ଆଦି ବିଷୟରେ ବକ୍ତବ୍ୟ ରଖିଥିଲେ।
ବୈଷୟିକ ଅଧିବେଶନରେ ସେବା ନିବୃତ୍ତ ଆୟକର ଆୟୁକ୍ତ ଡ. ଜି ଏମ୍ ଦୋସ ନୂଆ ଆୟକର ନିୟମର ପ୍ରମୁଖ ସଂସ୍କାରଗୁଡ଼ିକ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଭାଗ ନେଇଥିବା ଅଂଶୀଦାରମାନଙ୍କଠାରୁ ମତାମତ ଓ ପରାମର୍ଶ ସଂଗ୍ରହ କରାଯାଇଥିଲା। ଆୟକର ପ୍ରଧାନ ଆୟୁକ୍ତ ନିରଜା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରର ପ୍ରତିନିଧି, ସରକାରୀ ସଂସ୍ଥା, ବାଣିଜ୍ୟିକ ସଂସ୍ଥା, ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, କର ବୃତ୍ତିଧାରୀ ଓ ଅଗ୍ରଣୀ ଅନୁଷ୍ଠାନର ବରିଷ୍ଠ ପ୍ରତିନିଧିମାନେ ଯୋଡ଼ି ହୋଇଥିଲେ।
ଆହୁରି ଦେଖନ୍ତୁ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।