Farmer Constructs Road with Own Money: ଚର୍ଚ୍ଚାରେ କନ୍ଧମାଳର ରୋଡ୍ ମ୍ୟାନ୍, ପଥର ହଟାଇ ଗାଁ ପାଇଁ ତିଆରି କଲେ ରାସ୍ତା

Jul 21, 2026 - 20:30
Farmer Constructs Road with Own Money: ଚର୍ଚ୍ଚାରେ କନ୍ଧମାଳର ରୋଡ୍ ମ୍ୟାନ୍, ପଥର ହଟାଇ ଗାଁ ପାଇଁ ତିଆରି କଲେ ରାସ୍ତା

ପତଳା, ଏକପ୍ରକାର ଜୀର୍ଣ୍ଣଶୀର୍ଣ୍ଣ ଶରୀର। ଦେହରେ ବଳ ନାହିଁ କହିଲେ ଚଳେ। କିନ୍ତୁ ମନରେ ଅଛି ପ୍ରଚୁର ସାହସ ଏବଂ ଦମ୍ଭ। ପ୍ରଶାସନିକ ବିଧି ବ୍ୟବସ୍ଥାକୁ ମୁଣ୍ଡ ନୁଆଁଇ ଦେବାର ତାକତ ଅଛି ଏହି ମଣିଷ ପାଖରେ। ୟେ ମାଉଣ୍ଟେନମ୍ୟାନ୍ କୁହାଯାଉଥିବା ବିହାର ଗୟାର ନା ଦଶରଥ ମାଂଝି ନା କେନ୍ଦୁଝରର ଦୈତାରୀ ନାୟକ। ୟେ କନ୍ଧମାଳ କେ.ନୂଆଗାଁ ବ୍ଲକ ଗାନ୍ଦ୍ରିଙ୍ଗିଆ ପଞ୍ଚାୟତ ଡାମିକିଆ ଗାଁର ପବିତ୍ର ମୋହନ ପ୍ରଧାନ। ଆଜି ଯାହା କରିଦେଲେ ଗାଁ ପାଇଁ ମୁଣ୍ଡ ନୁଆଉଛି ପ୍ରଶାସନ, କୃତଜ୍ଞତା ଜଣାଉଛନ୍ତି ଗାଁ ଭାଇ। ସବୁଆଡୁ ଛୁଟୁଛି ସାବାସୀର ସୁଅ। କାରଣ ରାସ୍ତା ଖଣ୍ଡେ ନଥିଲା ବୋଲି ଅମଡ଼ା ବାଟ ସାଜିଥିଲା ଡାମିକିଆ ଗାଁ ଇଲାକା। ସେହି ଯନ୍ତ୍ରଣାରେ ଜଡ଼ସଡ଼ ପବିତ୍ର ଶେଷରେ ନିଜ ଉଦ୍ୟମରେ ତିଆରି କରିଦେଲେ ରାସ୍ତା। ଦେଖାଇଲେ ନୂଆ ରାହା।  

ପବିତ୍ର ମୋହନ ପ୍ରଧାନ। ଚାଷବାସ କରନ୍ତି, ସେହି ଚାଷବାସରେ ପରିବାର ଚଳାନ୍ତି। ଗାଁର ମାଜୁକାରୀ ସାହିକୁ ଭଲ ରାସ୍ତା ଖଣ୍ଡେ ନଥିଲା ବୋଲି କ୍ଷେତବାଡ଼ିକୁ ଏମିତି ଆବଡ଼ା ଖାବଡ଼ା ସହ ପଥର ଖଣ୍ଡ ଦେଇ ଯା’ଆସ କରୁଥିଲେ ଡାମିକିଆ ଗାଁ ଲୋକେ। ବର୍ଷା ଆସିଲେ କେତେ ଯେ ଦହଗଞ୍ଜ ହେବାକୁ ପଡୁଥିଲା ମାଜୁକାରୀ ସାହିର ୬ ପରିବାରକୁ, ତାହା ଯିଏ ଭୋଗିଛି, ସିଏ ଜାଣିଛି। ରାସ୍ତା ଖଣ୍ଡେ ପାଇଁ ପ୍ରଶାସନକୁ ଅନେକ ଥର ନିବେଦନ ବି କରାଯାଇଛି, କିନ୍ତୁ ସମସ୍ତେ ଅଣଦେଖା କରିବାରୁ ଶେଷରେ ଦେବଦୂତ ସାଜିଥିଲେ ପବିତ୍ର। ଆଉ ନିଜ ପରିବାର ପାଇଁ ସାଇତି ରଖିଥିବା ୪୦ କ୍ବିଣ୍ଟାଲ ଧାନ ବିକି ଭଡ଼ାରେ ଆଣିଥିଲେ ଜେସିବି। ଆଉ ୯୦ ହଜାର ଟଙ୍କା ଖର୍ଚ୍ଚ କରି ଏକ କିଲୋମିଟର ଯାଏଁ ନିର୍ମାଣ କଲେ ରାସ୍ତା। 

ତେବେ ରାସ୍ତା ପାଇଁ ଗାଁ ଲୋକଙ୍କ ନିବେଦନ ସତ୍ତ୍ବେ କାହିଁକି ଦୀର୍ଘ ଦିନ ଧରି କୌଣସି ପଦକ୍ଷେପ ନେଇନଥିଲା ପ୍ରଶାସନ ? ଏ ସଂପର୍କରେ କ.ନୂଆଗାଁ ବ୍ଲକ ବିଡ଼ିଓ ଶୁଭ୍ରାଞ୍ଜଳୀ ପ୍ରଧାନ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ। ତେବେ ସେ ଯାହା ବି ହେଉ, ପବିତ୍ର ମୋହନ ପ୍ରଧାନଙ୍କ ଏଭଳି ଉଦ୍ୟମ ଆଜି ଅଞ୍ଚଳବାସୀଙ୍କ ମୁହଁରେ କିନ୍ତୁ ହସ ଫୁଟାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।