Environmental Warrior: ପରିବେଶ ଯୋଦ୍ଧା: କପିଲ୍ଙ୍କ ନଦୀ ସୁରକ୍ଷା ଅଭିଯାନ
ନଦୀକୁ ବଞ୍ଚାଇବା ପାଇଁ କେବଳ ସରକାରୀ ଯୋଜନା ଯଥେଷ୍ଟ ନୁହେଁ, ଏଥିପାଇଁ ଲୋକଙ୍କ ଇଚ୍ଛାଶକ୍ତି ଓ ସାମୂହିକ ପ୍ରୟାସ ଆବଶ୍ୟକ।
ଏହି ବାର୍ତ୍ତାକୁ ନିଜ କାର୍ଯ୍ୟ ମାଧ୍ୟମରେ ପ୍ରମାଣିତ କରିଛନ୍ତି ଉତ୍ତରପ୍ରଦେଶର ମୁରାଦାବାଦର ଯୁବ ଇଞ୍ଜିନିୟର କପିଲ୍ କୁମାର।
ନଦୀକୂଳରେ ଗଦା ହୋଇଥିବା ଆବର୍ଜନାକୁ ଦେଖି ସେ ଆରମ୍ଭ କରିଥିଲେ ସଫେଇ ଅଭିଯାନ।
ତାଙ୍କର ଏହି ଛୋଟ ପ୍ରୟାସ ଏକ ବଡ଼ ଜନଆନ୍ଦୋଳନର ରୂପ ନେଇଛି।
୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ରାମଗଙ୍ଗା ନଦୀକୂଳରୁ ଏଯାବତ୍ ୧.୨ ଲକ୍ଷ କିଲୋଗ୍ରାମରୁ ଅଧିକ ଆବର୍ଜନା ନିଷ୍କାସନ କରାଯାଇଛି।
Advertisment Earthquake Risk: ମହାନଦୀ ଉପତ୍ୟକାକୁ ଭୂକମ୍ପ ବିପଦ: ଭୁବନେଶ୍ବରର ପୂର୍ବାଞ୍ଚଳ ଅଧିକ ସମ୍ବେଦନଶୀଳ ମଣିଷର ଅସଚେତନତା ଓ ଅବହେଳା ଯୋଗୁଁ ଆଜି ଅନେକ ନଦୀ ପ୍ରଦୂଷଣର ଶିକାର ହେଉଛନ୍ତି।
ନଦୀକୂଳରେ ଜମା ହେଉଥିବା ପ୍ଲାଷ୍ଟିକ୍, ଘରୋଇ ଆବର୍ଜନା ଓ ପୂଜା ସାମଗ୍ରୀ ପରିବେଶ ପାଇଁ ଗୁରୁତର ବିପଦ ସୃଷ୍ଟି କରୁଛି।
ମୁରାଦାବାଦ ଦେଇ ପ୍ରବାହିତ ରାମଗଙ୍ଗା ନଦୀର ଏଭଳି ଅବସ୍ଥା ଦେଖି ବିଚଳିତ ହୋଇଥିଲେ କପିଲ୍ କୁମାର।
ନଦୀକୁ ସଫା ରଖିବା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ଜଣେ ନାଗରିକ ଭାବେ ତାଙ୍କର ମଧ୍ୟ କିଛି କର୍ତ୍ତବ୍ୟ ରହିଛି ବୋଲି ସେ ଅନୁଭବ କରିଥିଲେ।
୩୫ ବର୍ଷୀୟ କପିଲ୍ ଜଣେ ମେକାନିକାଲ୍ ଇଞ୍ଜିନିୟର।
ତେବେ ତାଙ୍କର ଚିନ୍ତାଧାରା କେବଳ ନିଜର ବୃତ୍ତିଗତ ଜୀବନ ମଧ୍ୟରେ ସୀମିତ ନଥିଲା।
ସମାଜ ପାଇଁ କିଛି ଅର୍ଥପୂର୍ଣ୍ଣ କାମ କରିବାର ଇଚ୍ଛାରୁ ୨୦୧୬ ଅକ୍ଟୋବରରେ ସେ ନିଜର କିଛି ବନ୍ଧୁଙ୍କୁ ନେଇ 'ପରିବର୍ତ୍ତନ' ନାମକ ଏକ ସଂଗଠନ ଗଢ଼ିଥିଲେ।
ସମାଜ ଓ ପରିବେଶରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଲକ୍ଷ୍ୟକୁ ଆଗକୁ ବଢ଼ାଇ ୨୦୧୮ର ବିଶ୍ୱ ପୃଥିବୀ ଦିବସ ଅବସରରେ ଆରମ୍ଭ ହୋଇଥିଲା 'କ୍ଲିନ୍ ଅପ୍ ରାମଗଙ୍ଗା' ଅଭିଯାନ।
ପରେ ୫ ଜୁନ୍ ୨୦୨୧ରେ ବିଶ୍ୱ ପରିବେଶ ଦିବସ ଅବସରରେ ମୁରାଦାବାଦର ଲାଲବାଗ ଘାଟରୁ ଏହି ଅଭିଯାନକୁ ନିୟମିତ ଭାବେ ଆଗେଇ ନିଆଯାଇଥିଲା।
ସେବେଠାରୁ ପ୍ରତି ରବିବାର ସକାଳେ ସ୍ୱେଚ୍ଛାସେବୀମାନେ ଏକାଠି ହୋଇ ନଦୀକୂଳ ସଫା କରିବା ସହ ସାଧାରଣ ଲୋକଙ୍କୁ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଆସୁଛନ୍ତି।
ଧୀରେ ଧୀରେ ଏହି ଅଭିଯାନ ସହ ଯୋଡ଼ି ହୋଇଥିଲେ ବହୁ ସଂଖ୍ୟାରେ ଯୁବକଯୁବତୀ, ଛାତ୍ରଛାତ୍ରୀ, ଚାକିରିଜୀବୀ ଓ ସାମାଜିକ କର୍ମୀ।
Protest: ଖଣି କାର୍ଯ୍ୟକୁ ହାତୀହୁଡ଼ି ଗ୍ରାମବାସୀଙ୍କ ବିରୋଧ ଏଯାବତ୍ ୨୧୮ରୁ ଅଧିକ ସଫେଇ ଅଭିଯାନ ଆୟୋଜିତ ହୋଇଥିବାବେଳେ ନଦୀକୂଳରୁ ୧.୨ ଲକ୍ଷ କିଲୋଗ୍ରାମରୁ ଅଧିକ ଆବର୍ଜନା ହଟାଯାଇଛି।
ଏଥିରେ ୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ସାମିଲ ହୋଇଥିବାବେଳେ ୩ ହଜାରରୁ ଅଧିକ ଲୋକ ସଂଗଠନରେ ପଞ୍ଜୀକୃତ ହୋଇଛନ୍ତି।
ପ୍ରତି ରବିବାର ଏହି ଅଭିଯାନ ମାଧ୍ୟମରେ ପ୍ରାୟ ୩୦୦ରୁ ୭୦୦ କିଲୋଗ୍ରାମ ଆବର୍ଜନା ସଂଗ୍ରହ କରାଯାଉଛି।
ଏହି ଅଭିଯାନରେ କେବଳ ଆବର୍ଜନା ସଫା କରିବା ନୁହେଁ, ବରଂ ତାହାର ଉପଯୁକ୍ତ ପରିଚାଳନା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
ସଂଗୃହୀତ ଫୁଲ ଓ ଅନ୍ୟାନ୍ୟ ଜୈବ ପୂଜା ସାମଗ୍ରୀରୁ କମ୍ପୋଷ୍ଟ ପ୍ରସ୍ତୁତ କରାଯାଉଥିବାବେଳେ ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ଅଜୈବ ଆବର୍ଜନାକୁ ପୃଥକ୍ କରାଯାଉଛି।
ଏହି ନିଆରା ଉଦ୍ୟମ ପାଇଁ 'କ୍ଲିନ୍ ଅପ୍ ରାମଗଙ୍ଗା' ଅଭିଯାନକୁ 'ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍'ରେ ସ୍ଥାନ ମିଳିଛି।
ତେବେ କପିଲ୍ଙ୍କ ଲକ୍ଷ୍ୟ କେବଳ ଆବର୍ଜନା ହଟାଇବା ନୁହେଁ, ନଦୀକୂଳକୁ ଏକ ଆଦର୍ଶ ଘାଟରେ ପରିଣତ କରିବା ତାଙ୍କର ସ୍ୱପ୍ନ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
