Environmental Warrior: ପରିବେଶ ଯୋଦ୍ଧା: ଟାୟାର୍ରୁ ଟାଇଲ୍, ତେଜସଙ୍କ ନିଆରା ଉଦ୍ୟମ
ବର୍ଜ୍ୟ ପଦାର୍ଥରୁ ତିଆରି ହେଉଛି ଘର ସଜାଇବାର ସୁନ୍ଦର ଟାଇଲ୍। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ନିଜର ନିଆରା ଚିନ୍ତାଧାରା, ସୃଜନଶୀଳତା ଓ ପରିବେଶ ପ୍ରତି ଦାୟିତ୍ୱବୋଧ ଦ୍ୱାରା ଏହାକୁ ସମ୍ଭବ କରିଛନ୍ତି ମୁମ୍ବାଇର ଯୁବ ଆର୍କିଟେକ୍ଟ ତେଜସ୍ ସିଦନାଲ। ବର୍ତ୍ତମାନ ବାୟୁ ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଯାନବାହନର ଧୂଆଁ, କାରଖାନାରୁ ବାହାରୁଥିବା କଳା ଧୂଆଁ ଓ ବିଭିନ୍ନ ଇନ୍ଧନ ଜଳିବା ଫଳରେ ସୃଷ୍ଟି ହେଉଥିବା ଅଙ୍ଗାରକ ବା କାର୍ବନ୍ ପରିବେଶ ଓ ଜଳବାୟୁ ପାଇଁ କ୍ଷତିକାରକ। ଏହି ସମସ୍ୟାକୁ ଦେଖି ତେଜସଙ୍କ ମନରେ ଏକ ନିଆରା ପ୍ରଶ୍ନ ଆସିଥିଲା। ପ୍ରଦୂଷଣ ସୃଷ୍ଟି କରୁଥିବା ଏହି ବର୍ଜ୍ୟ କାର୍ବନକୁ ଯଦି କୌଣସି ଉପଯୋଗୀ ଜିନିଷ ତିଆରିରେ ବ୍ୟବହାର କରାଯାଇପାରନ୍ତା, ତେବେ କେମିତି ହୁଅନ୍ତା? ଏହି ଚିନ୍ତାଧାରାରୁ ୨୦୨୦ ମସିହାରେ ଆରମ୍ଭ ହୋଇଥିଲା ତାଙ୍କ ଷ୍ଟାର୍ଟଅପ୍ ‘କାର୍ବନ କ୍ରାଫ୍ଟ ଡିଜାଇନ୍’।
ICMR-NIHR: ଆଦିବାସୀ ସ୍ୱାସ୍ଥ୍ୟ କର୍ମୀଙ୍କ ଦକ୍ଷତା ବିକାଶରେ ଭୁବନେଶ୍ୱର ଆଇସିଏମଆର-ଏନଆଇଏଚଆରର ପ୍ରମୁଖ ଅବଦାନ
ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ପରିବେଶ ପାଇଁ କ୍ଷତିକାରକ ବର୍ଜ୍ୟ କାର୍ବନକୁ ଏକ ଉପଯୋଗୀ ନିର୍ମାଣ ସାମଗ୍ରୀରେ ପରିଣତ କରିବା। ଏହି କମ୍ପାନି ପୁରୁଣା ଟାୟାର ରିସାଇକ୍ଲିଂ ଓ କାରଖାନାର ପାଇରୋଲିସିସ୍ ପ୍ରକ୍ରିୟାରୁ ମିଳୁଥିବା କଳା କାର୍ବନ ସଂଗ୍ରହ କରିଥାଏ। ପାଇରୋଲିସିସ୍ ହେଉଛି ଏକ ପ୍ରକ୍ରିୟା, ଯେଉଁଥିରେ ଅମ୍ଳଜାନର ଅଭାବରେ ଅଧିକ ତାପମାତ୍ରାରେ ବର୍ଜ୍ୟ ପଦାର୍ଥକୁ ଭାଙ୍ଗି ବିଭିନ୍ନ ଉପାଦାନ ଅଲଗା କରାଯାଏ। ସଂଗୃହୀତ କାର୍ବନକୁ ପ୍ରଥମେ ସଫା କରାଯାଇ ପ୍ରକ୍ରିୟାକରଣ କରାଯାଏ। ଏହାପରେ ସିମେଣ୍ଟ, ପୁନଃବ୍ୟବହୃତ ମାର୍ବଲ ପାଉଡର ଓ ଛୋଟ ଛୋଟ ମାର୍ବଲ ଖଣ୍ଡ ସହ ମିଶାଯାଏ। ଏହି ମିଶ୍ରଣକୁ ହାଇଡ୍ରୋଲିକ୍ ମେସିନ୍ରେ ଅଧିକ ଚାପ ଦେଇ ବିଭିନ୍ନ ଡିଜାଇନ୍ର ଟାଇଲ୍ ତିଆରି କରାଯାଏ। ଏହି ଟାଇଲ୍ଗୁଡ଼ିକରେ ରହିଥାଏ ଆକର୍ଷଣୀୟ ଜ୍ୟାମିତିକ ଡିଜାଇନ୍ ଓ ନିଆରା ରଙ୍ଗର ସମନ୍ୱୟ।
Horoscope 2026 November 3: ଜାଣନ୍ତୁ ଆଜିର ରାଶିଫଳ
ଏହି ଟାଇଲ୍ର ବିଶେଷତ୍ୱ ହେଉଛି ଏହାର ପରିବେଶ ଅନୁକୂଳ ନିର୍ମାଣ ପ୍ରଣାଳୀ। ସାଧାରଣ ଟାଇଲ୍ ଭଳି ଏହାକୁ ଅଧିକ ତାପମାତ୍ରାରେ ଭାଟିରେ ପୋଡ଼ିବାକୁ ପଡ଼େନାହିଁ। ମେସିନ୍ରେ ଚାପ ଦେଇ ତିଆରି କରାଯାଉଥିବାରୁ ପାରମ୍ପରିକ ଟାଇଲ୍ ତୁଳନାରେ ପ୍ରାୟ ୮୦ ପ୍ରତିଶତ କମ୍ ଶକ୍ତି ଖର୍ଚ୍ଚ ହୁଏ। କମ୍ପାନିର ଦାବି ଅନୁସାରେ, ଗୋଟିଏ ବର୍ଗମିଟର ଟାଇଲ୍ ତିଆରି ଦ୍ୱାରା ପ୍ରାୟ ୨୫ କିଲୋଗ୍ରାମ୍ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ ସମତୁଲ୍ୟ ପରିମାଣ ରୋକାଯାଇପାରେ। ଏହି ଉଦ୍ୟମରେ ଗୁଜରାଟର ମୋର୍ବି ଅଞ୍ଚଳର ଦକ୍ଷ କାରିଗରମାନେ ମଧ୍ୟ ସାମିଲ ହୋଇଛନ୍ତି। ସେମାନଙ୍କ କାରିଗରି କଳା ଓ ଆଧୁନିକ ଜ୍ଞାନକୌଶଳର ମିଶ୍ରଣରେ ତିଆରି ହେଉଛି ଆକର୍ଷଣୀୟ ଡିଜାଇନ୍ର ଟାଇଲ୍। ଏହାଦ୍ୱାରା ପରିବେଶ ସୁରକ୍ଷା ସହ ସ୍ଥାନୀୟ କାରିଗରଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହେଉଛି। ତେଜସଙ୍କ ଏହି ଉଦ୍ୟମ ଏବେ ବ୍ୟାବସାୟିକ ସ୍ତରରେ ମଧ୍ୟ ପରିଚୟ ହାସଲ କରିଛି। ତାଙ୍କ କମ୍ପାନି ଆଡିଡାସ୍ର ସୋ’ରୁମ୍ ପାଇଁ ସ୍ୱତନ୍ତ୍ର ଟାଇଲ୍ ପ୍ରସ୍ତୁତ କରିଛି। ଏହି ଅଭିନବ ପ୍ରୟାସ ପାଇଁ ଷ୍ଟାର୍ଟଅପ୍କୁ ୨୦୨୦ରେ ‘ଲେକ୍ସସ୍ ଡିଜାଇନ୍ ଆୱାର୍ଡ ଇଣ୍ଡିଆ’ ଏବଂ ୨୦୨୧ରେ ‘ନୋ ୱେଷ୍ଟ ଚ୍ୟାଲେଞ୍ଜ୍’ରେ ସ୍ୱୀକୃତି ମିଳିଥିଲା। ଏହାସହ ସୋସିଆଲ୍ ଆଲଫା ଓ ପିଲାନି ଇନୋଭେସନ୍ ଏଣ୍ଟରପ୍ରେନିଓର୍ସିପ୍ ଡେଭଲପମେଣ୍ଟ ସୋସାଇଟି ଭଳି ସଂସ୍ଥାର ସମର୍ଥନ ମଧ୍ୟ ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
