Emotional Reunion Between Father and Daughter: ଦାମ୍ପତ୍ୟ କଳହରେ ଭୟଙ୍କର ମୂଲ୍ୟ ଦେଲା ନିଷ୍ପାପ ଝିଅ, ବାପାଙ୍କୁ ଦେଖି ଭୋ ଭୋ କାନ୍ଦିଲା...

Aug 03, 2026 - 20:15
Emotional Reunion Between Father and Daughter: ଦାମ୍ପତ୍ୟ କଳହରେ ଭୟଙ୍କର ମୂଲ୍ୟ ଦେଲା ନିଷ୍ପାପ ଝିଅ, ବାପାଙ୍କୁ ଦେଖି ଭୋ ଭୋ କାନ୍ଦିଲା...

ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା... ଅହଂକାର...ଆଉ ଅଭିମାନ। ଏଭଳି ଦାମ୍ପତ୍ୟ ଲଢ଼େଇରେ ସବୁଠାରୁ କିଏ ବେଶି ହାରିଯାଏ ଜାଣନ୍ତି ? ସେମାନଙ୍କର ନିଷ୍ପାପ ଶିଶୁ। ଯିଏ ଜିଦ୍ ଆଗରେ ବଳି ପଡ଼ିଯାଏ। ବାଲେଶ୍ୱରରୁ ଏମିତି ଏକ ଘଟଣା, ଯାହା ଦେଖିଲେ ହୁଏତ ଆପଣଙ୍କ ଆଖି ଓଦା ହୋଇଯିବ। ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କର ଝଡ଼ରେ କେମିତି ଜଣେ ନିଷ୍ପାପ ଝିଅକୁ ୧୦ ଦିନ କନ୍ୟାଶ୍ରମରେ ରହିବାକୁ ପଡ଼ିଲା ଜାଣିଲେ ହୃଦୟ କାନ୍ଦି ଉଠିବ। ୧୦ ଦିନ ପରେ ବାପା-ଝିଅଙ୍କ ଭେଟଘାଟ ବେଳେ ବୁକୁଫଟା କାନ୍ଦ ସମସ୍ତଙ୍କୁ ମର୍ମାହତ କରିଥିଲା। 

ବାପାଙ୍କ କାନ୍ଧରେ ଭୋ ଭୋ କାନ୍ଦୁଛି ଝିଅ । ବୟସ ସିନା କମ୍, ହେଲେ ସେ ଭିତରୁ ଖୁବ୍ ବଡ଼ ହୋଇସାରିଛି ଯେମିତି । ବାପା-ମା’ଙ୍କ କଳହରେ ଏ କୁନିଝିଅଟା ବଳି ପଡ଼ିଛି । କନ୍ୟା ଆଶ୍ରମରେ ରହୁଛି । ସବୁଠାରୁ ବଡ଼ କଥା କ’ଣ ଜାଣନ୍ତି, ଝିଅକୁ ବାପା ରଖିବାକୁ ଚାହୁଛନ୍ତି । ଝିଅଟି ବାପାଙ୍କ ପାଖରେ ରହିବାକୁ ବି ଚାହୁଁଛି । ଆଉ ମା’ ବି ଝିଅକୁ ପାଖରେ ରହିବାକୁ ଚାହୁଁଛନ୍ତି । ଏଠି ଦାଂପତ୍ୟ ଜୀବନରେ ଝଡ଼ ଆସିଛି । ଆଉ ନିରାଶ୍ରୟ ହୋଇଛି ଏ କୁନିଝିଅ  । 

ଉଭୟ ଉଭୟଙ୍କ ଦାଂପତ୍ୟ ଜୀବନର ଥିଲା କଳି। ହେଲେ ଜିଦ୍ ଆଉ ରାଗ ପାଇଁ ଏମାନେ ଟିକେ ଭାବିଲେନି ନିଷ୍ପାପ, ସରଳ କୁନିଝିଅର କଥା । କି ତା’ର ଏକ ଆଖି ଭିଜା ଲୁହ ସେମାନଙ୍କୁ ଏକାଠି ରହିବାକୁ ବାଧ୍ୟ କଲାନି । ଏ ଘଟଣା ହେଉଛି ବାଲେଶ୍ବର ଜିଲ୍ଲା ଔପଦା ଥାନା ଅଞ୍ଚଳର । ବାପା ସତ୍ୟବାନ ଓ ମା’ କରିସ୍ମାଙ୍କ କଳହ ଓ ଜିଦର ଦଣ୍ଡ ୧୦ ଦିନ ହେଲା ଭୋଗିଛି ଝିଅ । ଘଟଣା ଥାନାକୁ ଗଲା । ଥାନାରୁ ଚାଇଲ୍ଡ ଲାଇନ୍ ଆଉ ଏବେ ପିଲାଟି କନ୍ୟା ଆଶ୍ରମରେ ରହୁଛି । କେବଳ ଏତିକିରେ ଅଟକିନି ଏହି ମାମଲା । ଏଥିରେ ଖୋଦ୍ ସାଂସଦ ହସ୍ତକ୍ଷେପ କରିବା ପରେ ଏବେ କୁନିଝିଅ ବାପାଙ୍କ ପାଖକୁ ଫେରିବାକୁ ଯାଉଛି । 

୧୦ ଦିନ ପରେ ବାପାଙ୍କୁ ଦେଖି ବାପାଙ୍କ କୋଳରେ ବାହୁନି ବାହୁନି କାନ୍ଧିଥିଲା ଝିଅ । କହିଥିଲା ବାପା ମୋତେ ଏଠୁ ନେଇଯାଅ, ମୁଁ ଏଠି ଆଉ ରହିବିନି, ଝିଅର ଏଭଳି କୋହଭରା କଥା ସେଠାରେ ଉପସ୍ଥିତ ସମସ୍ତଙ୍କୁ ମର୍ମାହତ କରିଥିଲା । ହେଲେ ମା’ କହିଥିଲେ ବାପା ପାଖରେ ଝିଅ ସୁରକ୍ଷିତ ନୁହେଁ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।