Elephant: ସାହି ଭିତରେ ଦୀର୍ଘ ସମୟ ବୁଲିଲା ଦନ୍ତା, ଲୋକ ଭୟଭୀତ ଘର ଛାତ ଉପରକୁ ଚଢ଼ିଲେ
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ପୁକୁଲିଙ୍ଗିଆକୁ ଲାଗିଛି ଏନଏସିର ୧ନଂ ୱାର୍ଡ ପଦାସାହି। ଏହି ଗାଁରେ ରାତିରେ ଏକ ଦନ୍ତା ପଶି ଦୀର୍ଘ ସମୟ ଚକର କାଟିବା ସହ ଘରକୁ ଘର ବୁଲିଛି। କିଛି ଗୋଟେ ଖୋଜୁଥିବା ଲକ୍ଷ କରାଯାଇଛି।
ହାତୀଟି ସାହିରେ ପଶିବା ପରେ ଲୋକ ଆତଙ୍କିତ ହୋଇଥିଲେ। ନିଜ ଘର ଛାତ ଏବଂ ପଡ଼ୋଶୀ ଘର ଛାତ ଉପରକୁ ଯାଇ ହାତୀର ଗତିବିଧି ଲକ୍ଷ କରିଥିଲେ। ସାହିବାସିନ୍ଦା କୌଣସି ଶୋର ଶବ୍ଦ ନ କରି ଚୁପ ହୋଇ ହାତୀର ଗତିବିଧି ଲକ୍ଷ କରିଥିଲେ। କିଛି ସମୟ ବୁଲାବୁଲି କରି ସାହିରେ ଏ ମୁଣ୍ଡରୁ ସେ ମୁଣ୍ଡ ଚକର କାଟି ହାତୀ ଘରକୁ ଘର ବୁଲି ପୁଣି ଜଙ୍ଗଲକୁ ଫେରିଯାଇଥିଲା।
Woman Death: ହାତୀ ଉପଦ୍ରବ: ଘରୁ ଟାଣି ନେଇ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା
ଘୁ.ଉଦୟଗିରି ବନାଞ୍ଚଳରେ ଦୀର୍ଘ ମାସ ହେଲା ଦୁଇ ଦନ୍ତା ଆତଙ୍କ ଖେଳେଇ ଚାଲିଥିବା ବେଳେ ୨୧ଟି କିଆ ହାତୀପଲ କଳିଙ୍ଗା ସେକ୍ସନର ରେଟୁଡି ଜଙ୍ଗଲ ଦେଇ ସୁଜେଲି ଏବଂ କୁରୁମିଙ୍ଗିଆ ଅଞ୍ଚଳରେ ବୁଲି ବୁଲି ଫସଲ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି କରିବାରେ ଲାଗିଛନ୍ତି।ହାତୀପଲ ସ୍ଥାନୀୟ ଅଞ୍ଚଳର ଜଙ୍ଗଲରେ ଘୁରିବୁଲିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନଜୀବିକା ପ୍ରଭାବିତ ହେବାରେ ଲାଗିଛି।
ଅନ୍ୟ ପଟେ ଦୁଇ ଦନ୍ତା ଇତି ମଧ୍ୟରେ ତିନି ଜଣଙ୍କ ଜୀବନ ନେଇସାରିଲେଣି। ଏହା ସହ ଏ ଗାଁରୁ ସେ ଗାଁ ବୁଲି ବୁଲି କେତେବେଳେ କାହା ଘର ଭିତରେ ଯାଇ ଘରର ଆସବାବପତ୍ର ନଷ୍ଟ କରୁଛନ୍ତି ତ କେତେବେଳେ କାହାର ବାଡ଼ି ବଗିଚାରେ ପଶି କଦଳୀ ମକା ଫସଲ ଖାଇବା ସହ ନଷ୍ଟ କରିବାରେ ଲାଗିଛନ୍ତି।
ଆମ୍ବ-ପଣସ ମୋହରେ ଏହି ଅଞ୍ଚଳର ଜଙ୍ଗଲକୁ ଛାଡ଼ୁନାହାଁନ୍ତି ହାତୀପଲ। ପ୍ରକୃତରେ ହାତୀଙ୍କ ପ୍ରକୃତ ବାସସ୍ଥାନ ହେଉଛି ଗଞ୍ଜମ ଜିଲ୍ଲା ଉତ୍ତର ବନଖଣ୍ଡ ରମ୍ଭା ସେକ୍ସନ ଜଙ୍ଗଲ।ଯାହାର ସୀମା କୁ ଲାଗି ରହିଛି କନ୍ଧମାଳ ଜିଲ୍ଲାର ଫୁଲବାଣୀ ବନଖଣ୍ଡ ଘୁ.ଉଦୟଗିରି ବନାଞ୍ଚଳ ର କଳିଙ୍ଗା ସେକ୍ସନ।ଗ୍ରୀଷ୍ମ ଋତୁ ଆରମ୍ଭ ହେଲେ ପାନୀୟ ଏବଂ ଖାଦ୍ୟ ର ଅଭାବ ଯୋଗୁଁ ଘୁ,ଉଦୟଗିରି ବନାଞ୍ଚଳ ମୁଁହା ହେଉଛନ୍ତି ଏହି ସବୁ ହାତୀ।କିଛି ବର୍ଷ ହେଲା ହାତୀ ଏହି ଅଞ୍ଚଳରେ ଏକ ପ୍ରକାର ନିଜ ବାସସ୍ଥାନ କରି ରହିବାକୁ ଲାଗିଲେଣି। ପୂର୍ବରୁ ଏହି ସବୁ ଅଞ୍ଚଳର ଜଙ୍ଗଲରେ ହାତୀ ରହିବାର ନଜିର ନ ଥିଲା। ଅନ୍ୟାନ୍ୟ ପଶୁପକ୍ଷୀ ରହିଥିବା ବେଳେ ଏବେ ହାତୀ ଏହି ଅଞ୍ଚଳର ଜଙ୍ଗଲକୁ ନିଜ ପାଇଁ ସୁରକ୍ଷିତ ସ୍ଥାନ ଭାବେ ବାଛି ଆଡ୍ଡା ଜମେଇବାରେ ଲାଗିଛି।