Elephant: ଆମ୍ବ-ପଣସ ପାଇଁ ଅମାନିଆ ହାତୀ; ଲୋକଙ୍କର ଭୟ ବଢ଼ାଇଲେ ୨୧ଟିକିଆ ହାତୀପଲ
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଏବେ ଚାରିଆଡ଼େ ଆମ୍ବ ପାକଳ ହୋଇଛି। ପଣସ ମଧ୍ୟ ପାକଳ ଆରମ୍ଭ ହୋଇଯାଇଛି। ଉଭୟ ଆମ୍ବ ଏବଂ ପଣସ ଖାଇବା ପାଇଁ ମଣିଷ ଯେତିକି ଆକର୍ଷିତ ହେଉଛନ୍ତି, ହାତୀମାନେ ମଧ୍ୟ ବ୍ୟାକୁଳ ହେଉଛନ୍ତି। ତେବେ ହାତୀପଲ ଆମ୍ବ ଏବଂ ପଣସ ଖାଇବା ପାଇଁ ଜଙ୍ଗଲ ଛାଡ଼ି ଗାଁମୁହାଁ ହେଉଛନ୍ତି।
ଅତୀତରେ ଗୋଟିଏ ଦୁଇଟି ଦନ୍ତା ଦୀର୍ଘ ମାସ ହେଲା କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ବୁଲି ବୁଲି ଉତ୍ପାତ କରିବା ସହ ତିନି ଜଣଙ୍କ ଜୀବନ ନେଇଛନ୍ତି। କିଛି ଦିନର ନୀରବତା ପରେ ପୁଣି ସ୍ଥାନୀୟ ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ସେକ୍ସନର କୁରୁମୁଙ୍ଗିଆ ଅଞ୍ଚଳରେ ହାତୀଉପଦ୍ରବ ଦେଖିବାକୁ ମିଳୁଛି। ୨୧ଟିକିଆ ହାତୀପଲ ଆସି ବୁଲିବୁଲି ଆମ୍ବ ଏବଂ ପଣସ ଖାଇବାରେ ଲାଗିଛନ୍ତି।
ଉତ୍ତର ଘୁମୁସର ବନଖଣ୍ଡ ରମ୍ଭା ବନାଞ୍ଚଳରୁ ଏହି ୨୧ଟିକିଆ ହାତୀପଲ ଆସି ଉପଦ୍ରବ ଆରମ୍ଭ କରିଛନ୍ତି। ସେଥି ମଧ୍ୟରୁ ୩ଟି ଦନ୍ତା ହାତୀ, ଦଶଟି ମାଈ ହାତୀ ଓ ୮ଟି ଶାବକ ଥିବାର ସୂଚନା ଦେଇଛନ୍ତି ବନ ଅଧିକାରୀ ମାଣିକେଶ୍ୱରୀ ପଟ୍ଟନାୟକ। ରାତି ସାରା ଫରେଷ୍ଟର ରଶ୍ମିତା ବକ୍ସି, ପ୍ରଶାନ୍ତ ସାହୁଙ୍କ ସମତେ ଦୁଇଟି ଟିମ୍ ପହଞ୍ଚି ହାତୀ ପଲକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ।
ଆହୁରି ପଢ଼ନ୍ତୁ: Elephant Poaching ଫାର୍ମହାଉସ୍ରେ ହାତୀକୁ ମାରି ପୋତିଦେଲେ!
ବିଶ୍ୱନାଥ ପ୍ରଧାନଙ୍କ ବହୁ ଫସଲ ନଷ୍ଟ କରିବା ସହ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ଦେଇଥିବାର ଜଣାପଡିଛି।ସ୍ଥାନୀୟ ଅଞ୍ଚଳର ଆମ୍ବ, ପଣସ ଲୋଭରେ ହାତୀ ପଲ ଏବେ ସ୍ଥାନୀୟ ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଭୟଭୀତ ହୋଇ ଜଙ୍ଗଲ ଭିତରକୁ ଯିବା କୁ ଭୟ କରୁଛନ୍ତି ଫଳରେ ନିଜ ନିଜ ଜୀବିକା ପ୍ରଭାବିତ ହେବାରେ ଲାଗିଛି।ବର୍ତମାନ ଆମ୍ବ ଓ ପଣସ ସଂଗ୍ରହ ସମୟ ହୋଇଥିବା ବେଳେ ସ୍ଥାନୀୟ ଅଧିବାସୀ ମାନେ ଜଙ୍ଗଲରୁ ଆମ୍ବ ପଣସ ସଂଗ୍ରହ କରି ବଜାର ରେ ବିକ୍ରି କରି ଭଲ ରୋଜଗାର କରୁଥିବା ବେଳେ ହାତୀପଲ ସବୁ ବିଭ୍ରାଟ କରି ଦେଇଛନ୍ତି।
ଆହୁରି ଦେଖନ୍ତୁ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।