ବାଟବଣା ସରକାରୀ ଯୋଜନା, ଗାଁକୁ ନାହିଁ ପକ୍କା ରାସ୍ତା…
ଘଟଗାଁ : କାଦୁଅ ପଚପଚ ରାସ୍ତା । ମଝିରେ ବଡ଼ ବଡ଼ ଗର୍ତ୍ତ । ସୃଷ୍ଟି କରୁଛି କୃତ୍ରିମ ପୋଖରୀର ଭ୍ରମ । ଗାଡ଼ି ମୋଟର ଯିବା ତ ଦୂରର କଥା, ଚାଲିକି ଯିବା ବି କଷ୍ଟକର । ଏ ହେଉଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଖୁଣ୍ଟା ଗାଁର ଦୃଶ୍ୟ । ଏହି ଗ୍ରାମଟି ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୫ କିମି ଦୂରରେ ଅବସ୍ଥିତ । ରାତି ପାହିଲେ ଏହି ରାସ୍ତାରେ ଶହ ଶହ ଲୋକଙ୍କ ସହ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯିବାଆସିବା କରନ୍ତି। ବାଟ ହରିଚନ୍ଦନ ଠାରୁ ବାଣେଶ୍ୱର ଶିବ ମନ୍ଦିର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଫଳରେ ଯିବାଆସିବା କଷ୍ଟକର ହୋଇପଡୁଛି। ଗାଁକୁ ଆସିପାରୁନି ଆମ୍ବୁଲାନ୍ସ। ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ। ଅନେକ ସମୟରେ ଛୋଟ ବଡ ଦୁର୍ଘଟଣାର ଶୀକାର ହେଉଛନ୍ତି ଲୋକେ।
ବର୍ଷ ତମାମ ଯିବା ଆସିବା କରିବା କଷ୍ଟସାଧ୍ୟ ଥିବାବେଳେ ବର୍ଷା ହେଲେ କଥା ସରିଲା। ଅଞ୍ଚଳବାସୀଙ୍କ ପାଇଁ ବର୍ଷା ଦିନରେ ଦୁର୍ଦ୍ଦଶା ୨ ଗୁଣିତ ହୋଇଯାଏ । ଏପରିକି ବର୍ଷା ଦିନରେ ଅମ୍ବୁଲାନ୍ସ ସେବାରୁ ଲୋକେ ବଞ୍ଚିତ ରହିଥିବା ଅଭିଯୋଗ କରିଛନ୍ତି । ସମସ୍ୟା ସମାଧାନ ପାଇଁ ଲୋକ ପ୍ରତିନିଧୀ ଠାରୁ ଆରମ୍ଭ କରି ପ୍ରଶାସନକୁ ଜଣାଇଥିଲେ ମଧ୍ୟ ମିଳୁଛି ଫମ୍ପା ପ୍ରତିଶୃତି। ଅନ୍ୟପଟେ ଏ ସମ୍ପର୍କରେ ଘଟଗାଁ ବିଡ଼ିଓଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ଖବର ପ୍ରସାରଣ ପରେ ପ୍ରଶାସନ କେତେ ତତ୍ପର ହେଉଛି। ଖୁଣ୍ଟା ଗ୍ରାମବାସୀଙ୍କ ରାସ୍ତା ସମସ୍ୟା କେବେ ଦୂର ହେଉଛି? ତା ଉପରେ ନଜର ।