Election results: ନିର୍ବାଚନ ଫଳାଫଳକୁ ଦୁଇ ବର୍ଷ: ରାଜନୀତିରେ ଘଟଣାବହୁଳ ୨୪ ମାସ, ବିଜେପିରେ ସବୁ ଅଧପନ୍ତରିଆ
ଭୁବନେଶ୍ବର: ୨୦୨୪ ଜୁନ୍ ୪। ଓଡ଼ିଶା ରାଜନୀତିରେ ଏହି ଦିନଟି ଉଲ୍ଲେଖନୀୟ ହୋଇ ରହିବ। ଏହି ଦିନ କ୍ଷମତା ରାଜନୀତି କଡ଼ ଲେଉଟାଇଥିଲା। ସବୁ ଅନୁମାନ ଓ ଆକଳନ ଭୁଲ୍ ପ୍ରମାଣିତ ହେଲା। ୨୪ ବର୍ଷ ଧରି ଶାସନରେ ଥିବା ନବୀନ ପଟ୍ଟନାୟକଙ୍କୁ ରାଜ୍ୟବାସୀ କ୍ଷମତାଚ୍ୟୁତ କଲେ। ବିଜେପି ପ୍ରଥମ ଥର ପାଇଁ ବହୁମତ ପାଇଲା। ଲୋକସଭା ନିର୍ବାଚନରେ ବିଜେଡି ଖାତା ଖୋଲିପାରିଲା ନାହିଁ। ବିଜେଡିର ବିପର୍ଯ୍ୟୟ ଓ ବିଜେପିର ଉତ୍ଥାନର ଏହି ଦିନଟି ସାକ୍ଷୀ ହୋଇ ରହିଗଲା।
BJP-BJD ଧର୍ମେନ୍ଦ୍ରଙ୍କ ଫାଶରେ ଫସିଗଲେ ଦେବାଶିଷ: ବିଜେଡି
ଏହା ମଧ୍ୟରେ ଦୁଇ ବର୍ଷ ବିତିଯାଇଛି। ଓଡ଼ିଶା ରାଜନୀତିରେ ଅତ୍ୟନ୍ତ ଘଟଣାବହୁଳ ରହିଛି ଏହି ୨୪ ମାସ। ତିନି ଦଳର ଯାତ୍ରା ସହଜ ହୋଇ ରହି ନାହିଁ। ଆଭ୍ୟନ୍ତରୀଣ କନ୍ଦଳ ଊଣା ଅଧିକେ ସବୁଠି ବଢ଼ିଚାଲିଛି। ବିଜେପି ଶାସନରେ ଥିବାରୁ ଦଳୀୟ କନ୍ଦଳ ବାହାରକୁ ଆସୁନି। ହେଲେ ବିଜେଡି ଓ କଂଗ୍ରେସରେ ତାହା ହାଟରେ ପଡ଼ି ବାଟରେ ଗଡ଼ୁଛି। ତେବେ ତିନି ଦଳର ବହୁ ନେତା ନିଜ ଭବିଷ୍ୟତକୁ ନେଇ ସନ୍ଦେହରେ ରହିଛନ୍ତି। ବିଜେପି ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ସହ ମେଣ୍ଟ କରି ଶାସନରେ ଥିଲା। ମେଣ୍ଟ ଭାଙ୍ଗିଲା ପରେ ସ୍ଥିତି ଶୋଚନୀୟ ହୋଇପଡ଼ିଥିଲା। ୨୦୧୯ରେ ଦଳ ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଲା ଓ ୨୦୨୪ରେ ୭୮ଟି ଆସନ ପାଇ ସରକାର ଗଢ଼ିଲା। ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ପ୍ରଥମ ବିଜେପି ସରକାର ଗଠନ ହେଲା ସତ, ଏଯାଏଁ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଠନ କରାଯାଇପାରିନାହିଁ। ୬ଟି ମନ୍ତ୍ରୀ ପଦ ଖାଲିରହିଛି। ଏ ରହସ୍ୟ କେହି ଭେଦ କରିପାରୁନାହାନ୍ତି। ସେପଟେ ଦଳ ପ୍ରଥମ ଥର କ୍ଷମତାକୁ ଆସିଥିବାରୁ ଛାମୁଆ ନେତାମାନେ ବିଭିନ୍ନ ନିଗମ, ବୋର୍ଡ ପଦପଦବି ପାଇଁ ଆଶା ବାନ୍ଧିଥିଲେ। ଏଯାଏଁ ତାହା ପୂରଣ ହୋଇ ନାହିଁ। ସରକାର ଓ ଦଳ ସମାନ୍ତରାଳ ଭାବେ ଆଗକୁ ଯାଇପାରୁନାହାନ୍ତି। ବରଂ କିଛି ନେତା ଅସୁଖୀ ଥିବା ଆଭ୍ୟନ୍ତରୀଣ ବୈଠକ ଚର୍ଚ୍ଚାରୁ ଜଣାପଡ଼ୁଛି। ଦୁଇ ବର୍ଷ ମଧ୍ୟରେ କିନ୍ତୁ ବିଜେପିର ରାଜ୍ୟ ନେତୃତ୍ବ ଅପରିବର୍ତ୍ତିତ ରହିଛି ଓ ମନମୋହନ ସାମଲ ପୁନର୍ବାର ସଭାପତି ପଦ ବଜାୟ ରଖିଛନ୍ତି।
ବିଜେପିରେ ସବୁ ଅଧପନ୍ତରିଆ
ବିଜେଡିରେ କନ୍ଦଳ ବଢ଼ିଛି, ଦୋଛକିରେ ଭବିଷ୍ୟତ
କଂଗ୍ରେସରେ ନେତୃତ୍ବ ବଦଳିଛି, ବିବାଦ ଥମୁନି
୨୦୨୪ରେ ବିଜେଡି ୫୧ଟି ଆସନ ପାଇ ବିରୋଧୀ ଦଳକୁ ଖସି ଆସିଲା। ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ଦାୟିତ୍ବ ନେଲେ। ନବୀନ ପୁଣି ଥରେ ଦଳର ସଭାପତି ଭାବେ ମନୋନୀତ ବି ହେଲେ। ହେଲେ ଦଳର ସଂଗଠନକୁ ଦିଶା ଦେଇପାରିନାହାନ୍ତି। ବରଂ ଏହି ଦୁଇ ବର୍ଷ ମଧ୍ୟରେ ବିଜେଡି ଅନେକ ତିକ୍ତ ଅନୁଭୂତି ସାଉଁଟିଛି। ଅନେକ ନେତା ଖୋଲା ଅସନ୍ତୋଷ ଜାହିର କରି ଦଳ ଛାଡ଼ିଛନ୍ତି। ତିନି ଜଣ ରାଜ୍ୟସଭା ସାଂସଦ ବିଜେପିରେ ମିଶିଛନ୍ତି। ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ହୋଇଥିବା ଉପନିର୍ବାଚନରେ ବିଜେପି ଆସନ ଛଡ଼ାଇ ନେଲା। ନିଜେ ନବୀନ ଦୁଇ ଥର ପ୍ରଚାରକୁ ଯାଇ ବି ନିଜ ପ୍ରାର୍ଥୀଙ୍କୁ ଜିତାଇ ପାରିଲେ ନାହିଁ।
BJP Wines: ହିମାଚଳ ପ୍ରଦେଶରେ ୩ ମ୍ୟୁନିସିପାଲ କର୍ପୋରେସନ ଜିତିଲା ବିଜେପି
କେବଳ ସେତିକି ନୁହେଁ, ଦୁଇ ଜଣ ବିଧାୟକଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବିତ କରାଯାଇଛି। ଏମାନଙ୍କ ସହ ମୋଟ ୮ ଜଣ ବିଧାୟକ ଦଳର ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟ ଦେଲେ। ସେମାନଙ୍କୁ ନିଲମ୍ବିତ କରାଯିବା ପରେ ଏବେ ବିଜେଡିର ବିଧାୟକ ସଂଖ୍ୟା ୪୨କୁ ଖସିଆସିଛି। ଏସବୁର ପ୍ରଭାବ ତୃଣମୂଳ ସ୍ତରକୁ ଭେଦିଲାଣି। ବିଜେଡି ଦଖଲରେ ଥିବା କିଛି ବ୍ଲକ୍ ହାତଛଡ଼ା ହେବା ସଙ୍କେତ ମାତ୍ର।
କଂଗ୍ରେସର ସ୍ଥିତି ଯଥା ପୂର୍ବ ତଥା ପରଂ। ୨୦୧୯ରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ୨୦୨୪ରେ ଉପରକୁ ଉଠିପାରିନି। ପରିବର୍ତ୍ତନ କହିଲେ ଏୟା ଯେ ବିଧାୟକ ସଂଖ୍ୟା ୯ରୁ ବଢ଼ି ୧୪ ହେଲା ଓ ପିସିସିକୁ ଭାଙ୍ଗି ହାଇକମାଣ୍ଡ ଭକ୍ତ ଦାସଙ୍କୁ ଭରସା କରିଛନ୍ତି। ସେ ସଭାପତି ଦାୟିତ୍ବ ନେବା ପରଠାରୁ ସଂଗଠନ ସକ୍ରିୟ କରିବା ନେଇ ଯେତିକି ଚର୍ଚ୍ଚାରେ ନାହାନ୍ତି, ତା ଠାରୁ ଅଧିକ ଆଲୋଚନା କଂଗ୍ରେସ କନ୍ଦଳକୁ ନେଇ ଚାଲିଛି। ଓଲଟା ତିନି ଜଣ ବିଧାୟକ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରି ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ୍ ଦେଲେ। ସେମାନଙ୍କୁ ନିଲମ୍ବନ କଲା ପରେ ବିଧାନସଭାରେ ଏବେ କଂଗ୍ରେସର ସଂଖ୍ୟା ୧୧କୁ ଖସିଆସିଛି। ପିସିସି ସଭାପତିଙ୍କୁ ବିରୋଧ କରି କିଛି ଛାମୁଆ ନେତା ଦଳ ଛାଡ଼ିଲେଣି ଓ ଆଉ କିଛି କାର୍ଯ୍ୟାନୁଷ୍ଠାନ ସାମନା କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।