Education: ସିଇଇ ଅନଲାଇନ୍ ଆବେଦନର ଶେଷ ତାରିଖ ୭ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି
ଭୁବନେଶ୍ୱର: ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି) ପକ୍ଷରୁ ଆୟୋଜିତ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ)-୨୦୨୬ ପାଇଁ ଅନଲାଇନ୍ ପଞ୍ଜୀକରଣ ଓ ଆବେଦନପତ୍ର ଦାଖଲର ଶେଷ ତାରିଖ ବୃଦ୍ଧି କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ୭ ଜୁନ୍ ୨୦୨୬ ରାତି ୧୧ଟା ୫୫ ମିନିଟ୍ ପର୍ଯ୍ୟନ୍ତ ଅନଲାଇନ୍ ପଞ୍ଜୀକରଣ ସମ୍ପୂର୍ଣ୍ଣ କରି ନିଜର ଆବେଦନପତ୍ର ଦାଖଲ କରିପାରିବେ।
ଏନ୍ସିଇଆର୍ଟିର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ପରିଚାଳିତ ବିଭିନ୍ନ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମରେ ନାମଲେଖା ପାଇଁ ସିଇଇ-୨୦୨୬ ଆୟୋଜିତ ହେଉଛି। ଅଧିକ ସଂଖ୍ୟକ ଯୋଗ୍ୟ ପ୍ରାର୍ଥୀଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ସହ ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ସମାପ୍ତ କରିପାରିନାହାନ୍ତି ସେମାନଙ୍କୁ ଅତିରିକ୍ତ ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ସମୟସୀମା ବୃଦ୍ଧି କରାଯାଇଛି।
ଆହୁରି ପଢ଼ନ୍ତୁ: NCERT books: ଏନ୍ସିଇଆର୍ଟି ପୁସ୍ତକ ଉପରେ ରୋକ୍: ସମସ୍ତ କପି ଜବତ ନିର୍ଦ୍ଦେଶ, ଅନ୍ଲାଇନ୍ ସେୟାର ଉପରେ କଟକଣା
ଏନ୍ସିଇଆର୍ଟି ପକ୍ଷରୁ ଘୋଷଣା କରାଯାଇଛି ଯେ, ୮ ଜୁନ୍ ୨୦୨୬ ଠାରୁ ୯ ଜୁନ୍ ୨୦୨୬ ରାତି ୧୧ଟା ୫୫ ମିନିଟ୍ ପର୍ଯ୍ୟନ୍ତ ଆବେଦନପତ୍ରରେ ସଂଶୋଧନ ପାଇଁ ବିଶେଷ ସୁବିଧା ଉପଲବ୍ଧ ରହିବ। ଏହି ଅବଧି ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନ୍ ଆବେଦନପତ୍ରରେ ଦାଖଲ କରିଥିବା ବ୍ୟକ୍ତିଗତ ସୂଚନା ଯାଞ୍ଚ କରି ଆବଶ୍ୟକ ସଂଶୋଧନ କରିପାରିବେ। ଏଥିପାଇଁ ସେମାନଙ୍କୁ ନିଜର ଲଗ୍-ଇନ୍ ବିବରଣୀ ବ୍ୟବହାର କରି ସିଇଇ-୨୦୨୬ ପୋର୍ଟାଲରେ ପ୍ରବେଶ କରିବାକୁ ପଡ଼ିବ।
ଯେଉଁ ପ୍ରାର୍ଥୀମାନେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ଆବେଦନପତ୍ରର ଅନ୍ତିମ ଦାଖଲ ପ୍ରକ୍ରିୟା ସମାପ୍ତ କରିନାହାନ୍ତି, ସେମାନଙ୍କୁ ସଂଶୋଧିତ ଶେଷ ତାରିଖ ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରଣ କରିବାକୁ ପରାମର୍ଶ ଦିଆଯାଇଛି। ନିର୍ଦ୍ଧାରିତ ସମୟସୀମା ଅତିକ୍ରମ ହେବା ପରେ ପଞ୍ଜୀକରଣ କିମ୍ବା ଆବେଦନପତ୍ର ଦାଖଲ ସମ୍ପର୍କିତ କୌଣସି ଅନୁରୋଧ ଗ୍ରହଣ କରାଯିବ ନାହିଁ।
ଏନ୍ସିଇଆର୍ଟି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଆବେଦନର ଶେଷ ତାରିଖ ବୃଦ୍ଧି କିମ୍ବା ସଂଶୋଧନ ସୁବିଧା ସମ୍ପର୍କିତ କୌଣସି ପୃଥକ ସୂଚନା ବ୍ୟକ୍ତିଗତ ଭାବେ ପ୍ରାର୍ଥୀମାନଙ୍କୁ ପଠାଯିବ ନାହିଁ। ତେଣୁ ପରୀକ୍ଷା ସମ୍ବନ୍ଧୀୟ ସର୍ବଶେଷ ସୂଚନା, ବିଜ୍ଞପ୍ତି ଏବଂ ନିର୍ଦ୍ଦେଶାବଳୀ ପାଇଁ ପ୍ରାର୍ଥୀମାନଙ୍କୁ ନିୟମିତ ଭାବେ ସିଇଇ-୨୦୨୬ର ଅଧିକୃତ ୱେବସାଇଟ୍ cee.ncert.gov.in ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି।
ଆହୁରି ଦେଖନ୍ତୁ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।