Education: ମରାମତି ଓ ନୂତନ ଶ୍ରେଣୀଗୃହ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ
"ଜମନକିରା (ରାଜେନ୍ଦ୍ର କୁମାର ନାଏକ): ବର୍ଷା ହେଲେ ଶ୍ରେଣୀଗୃହ ଭିତରେ ଝରୁଛି ପାଣି।
ଛାତରୁ ପାଣି ଗଳି ଶ୍ରେଣୀଗୃହ ଭିତରେ ଜମିଯାଉଥିବାରୁ ପିଲାଙ୍କ ପାଠପଢ଼ା ଏକପ୍ରକାର ବିପଦସଙ୍କୁଳ ହୋଇପଡ଼ିଛି।
ସ୍କୁଲର ଜରାଜୀର୍ଣ୍ଣ ଶ୍ରେଣୀଗୃହର ଛାତ ମରାମତି ସହ ଦୁଇଟି ନୂତନ ଶ୍ରେଣୀଗୃହ ନିର୍ମାଣ ଦାବିରେ ଶନିବାର ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ ଓ ଗ୍ରାମବାସୀ।
ସମ୍ୱଲପୁର ଜିଲ୍ଳାର ଜମନକିରା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ସର୍ବେଜାଲ ଗାଁରେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।Advertisment ଶନିବାର ସକାଳୁ ସର୍ବେଜାଲ ସରକାରୀ ପ୍ରାଥମିକ ସ୍କୁଲରେ ସକାଳୁଆ ପାଠପଢ଼ା ଚାଲିଥିବା ବେଳେ ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ପହଞ୍ଚିଥିଲେ।
ସେମାନେ ଶିକ୍ଷକମାନଙ୍କୁ ବାହାରକୁ ଆସିବାକୁ ଅନୁରୋଧ କରିବା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶ୍ରେଣୀଗୃହରୁ ବାହାରକୁ ଆଣିଥିଲେ।
ପରେ ସ୍କୁଲର ମୁଖ୍ୟ ଗେଟରେ ତାଲା ପକାଇ ଦେଇ ଗେଟ ବାହାରେ ପାଠପଢ଼ାଇବାକୁ ଶିକ୍ଷକମାନଙ୍କୁ କହିଥିଲେ।
ପିଲାମାନଙ୍କ ପାଠପଢ଼ା ଯେପରି ବନ୍ଦ ନହୁଏ, ସେଥିପାଇଁ ଗ୍ରାମବାସୀମାନେ ସ୍କୁଲ ଗେଟ ବାହାରେ ପାଲ ଟାଣି ଛାଉଣି କରିଥିଲେ।
ତଳେ ଦରି ବିଛାଇ ଛାତ୍ରଛାତ୍ରୀଙ୍କ ବସିବା ବ୍ୟବସ୍ଥା କରାଯାଇଥିଲା।
ଶିକ୍ଷକମାନେ ମଧ୍ୟ ସେଠାରେ ପିଲାଙ୍କୁ ପାଠ ପଢ଼ାଇଥିଲେ।
ଏପରିକି ଛାତ୍ରଛାତ୍ରୀମାନେ ରାସ୍ତା କଡ଼ରେ ବସି ମଧ୍ୟାହ୍ନ ଭୋଜନ କରିଥିବା ଦେଖିବାକୁ ମିଳିଥିଲା।
ସର୍ବେଜାଲ୍ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୧୯୮୯ ମସିହାରେ ସ୍ଥାପିତ ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଛି।
ନିକଟରେ ଶିଶୁବାଟିକା ମଧ୍ୟ ଖୋଲାଯାଇଛି।
ଶିଶୁବାଟିକାକୁ ବାଦ ଦେଲେ ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି।
କିନ୍ତୁ ସ୍କୁଲର ଶ୍ରେଣୀଗୃହଗୁଡ଼ିକର ଛାତ ଅବସ୍ଥା ଦୟନୀୟ ହୋଇପଡ଼ିଛି।
ବର୍ଷା ହେଲେ ଭଙ୍ଗାଫଟା ଟିଣ ଓ ଆଜବେଷ୍ଟର ଦେଇ ପାଣି ଶ୍ରେଣୀଗୃହ ଭିତରକୁ ପଶୁଛି।
ଫଳରେ ଶ୍ରେଣୀଗୃହ ଭିତରେ ପାଣି ଜମିବା ସହ ପରିବେଶ ସନ୍ତସନ୍ତିଆ ହୋଇଯାଉଛି।
ଏଭଳି ପରିସ୍ଥିତିରେ ପିଲାମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେବା ସହ ସେମାନେ ବିଭିନ୍ନ ସମସ୍ୟା ଭୋଗୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ଛାତ୍ରଙ୍କୁ ମାଡ଼ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ଶୂନ; ସ୍କୁଲରେ ତାଲା ମାରିଲେ ଛାତ୍ରଛାତ୍ରୀ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସ୍କୁଲ ଛାତ ମରାମତି ପାଇଁ ପ୍ରାୟ ୧ ଲକ୍ଷ ୮୪ ହଜାର ଟଙ୍କା ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲା।
ଗତ ମାର୍ଚ୍ଚ ମାସରେ ମରାମତି କାମ ହୋଇଥିବା ଉଲ୍ଲେଖ ଥିଲେ ମଧ୍ୟ ଏହାର ମାନକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି।
ମରାମତି କାମ ନିମ୍ନମାନର ହୋଇଥିବାରୁ ଛାତରୁ ପାଣି ଝରିବା ସମସ୍ୟା ସୁଧାରିବା ବଦଳରେ ପୂର୍ବାପେକ୍ଷା ଅଧିକ ହୋଇଥିବା ଅଭିଯୋଗ ହୋଇଛି।
ଏନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ସମ୍ପୃକ୍ତ ଠିକାଦାର, ଯନ୍ତ୍ରୀ ଓ ବିଡିଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଏସଏମସି ପକ୍ଷରୁ ଅଭିଯୋଗ କରାଯାଇଛି।
ତେଣୁ ପୁନର୍ବାର ଛାତ ମରାମତି କରାଯିବା ସହ ଆବଶ୍ୟକତା ଅନୁଯାୟୀ ଦୁଇଟି ନୂତନ ଶ୍ରେଣୀଗୃହ ନିର୍ମାଣ କରି ପିଲାମାନଙ୍କ ପାଇଁ ନିରାପଦ ପାଠପଢ଼ା ପରିବେଶ ଯୋଗାଇ ଦେବାକୁ ଦାବି ହୋଇଛି।
ଦାବି ପୂରଣ ନହେବା ପର୍ଯ୍ୟନ୍ତ ସ୍କୁଲରେ ତାଲାବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଏସଏମସି ଅଧ୍ୟକ୍ଷ ସୁଶାନ୍ତ କିଷାନ କହିଛନ୍ତି।
ତେବେ ସରକାରୀ ଅନୁଦାନରେ ହୋଇଥିବା ମରାମତି କାମର ମାନ ନେଇ ଉଠିଥିବା ଅଭିଯୋଗର ତଦନ୍ତ କରାଯିବ କି ଏବଂ ଦୁର୍ବଳ ଛାତର ତୁରନ୍ତ ମରାମତି ସହ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ପ୍ରଶାସନ କେବେ ପଦକ୍ଷେପ ନେବ, ତାହାକୁ ନେଇ ଏବେ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅପେକ୍ଷା ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

