Education: କାଶ୍ମୀର ମୁଣ୍ଡ ଟେକିଲା ବହି ବିବାଦ; ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ସହ ତଦନ୍ତ ଦାବି କଲେ ବିରୋଧୀ

Jul 04, 2026 - 17:15
Education: କାଶ୍ମୀର ମୁଣ୍ଡ ଟେକିଲା ବହି ବିବାଦ; ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ସହ ତଦନ୍ତ ଦାବି କଲେ ବିରୋଧୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସରକାରୀ ସ୍କୁଲ ପାଠାଗାର ଗୁଡ଼ିକରେ ବଣ୍ଟା ଯାଇଥିବା ଏକ ବହିରେ ଦଣ୍ଡିତ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ପ୍ରଶଂସା କରାଯାଇ ମହାନ ବ୍ୟକ୍ତିତ୍ୱ ତଥା ଦେଶର ରୋଲ୍ ମଡେଲ୍ ଭାବେ ଚିତ୍ରିତ କରାଯିବା ଘଟଣାକୁ ନେଇ ଏବେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ସମଗ୍ର ଶିକ୍ଷା ଅଭିଯାନର ଲୋଗୋ ଥାଇ 'ଗ୍ରେଟ୍ ପର୍ସନାଲିଟିଜ୍ ଆଣ୍ଡ ଲେଜେଣ୍ଡସ ଅଫ୍ ଜେଆଣ୍ଡକେ (ସିରିଜ୍-୪)' ନାମକ ଏହି ବିବାଦୀୟ ବହିଟି ଚଳିତ ଶିକ୍ଷାବର୍ଷ ପାଇଁ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଛି, ଯେଉଁଥିରେ ଆଇନ ଅନୁଯାୟୀ ଫାଶୀ ପାଇଥିବା କୁଖ୍ୟାତ ଆତଙ୍କବାଦୀ ମକବୁଲ୍ ଭଟ୍ଟକୁ 'ସହିଦ-ଇ-ଆଜମ' ଓ 'କ୍ରାନ୍ତିକାରୀ' ବୋଲି କୁହାଯାଇଥିବା ବେଳେ ସୈୟଦ ଅଲ୍ଲୀ ଶାହ ଗିଲାନୀ, ମସରତ ଆଲମ ଓ ମିରୱାଇଜ୍ ଉମର ଫାରୁକଙ୍କ ଭଳି ବିଚ୍ଛିନ୍ନତାବାଦୀଙ୍କୁ ପ୍ରଶଂସା କରାଯାଇଛି। 

ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପି ପ୍ରମୁଖ ସୁନୀଲ ଶର୍ମା ଏହାକୁ ‘ଶିକ୍ଷାଗତ ଜିହାଦ’ ବୋଲି ଆଖ୍ୟା ଦେଇ କହିଛନ୍ତି ଯେ କୋମଳମତି ପିଲାମାନଙ୍କ ମନରେ ଦେଶପ୍ରେମ ବଦଳରେ ଦେଶଦ୍ରୋହୀଙ୍କ ପ୍ରତି ସମ୍ମାନ ଭରିବାକୁ ଏହା ଏକ ଷଡ଼ଯନ୍ତ୍ର। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସରକାରଙ୍କୁ ଦାୟୀ କରିବା ସହ ତୁରନ୍ତ ଶିକ୍ଷାମନ୍ତ୍ରୀ ସକିନା ଇତୁଙ୍କୁ ପଦରୁ ହଟାଇବା ଏବଂ ବହି ଚୟନ କରିଥିବା କମିଟି ସଦସ୍ୟଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

Textbook error issue: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ତ୍ରୁଟିଶୂନ୍ୟ ବହି ମିଳିବ, ଖୁବ୍‌ଶୀଘ୍ର ନୂତନ ପୁସ୍ତକ

ଅନ୍ୟପଟେ ଏହି ଘଟଣାକୁ ନେଇ ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନିଜର ସଫେଇ ଦେଇ କହିଛନ୍ତି ଯେ, ସେ ଏହି ବହିଟିକୁ ଏପର୍ଯ୍ୟନ୍ତ ପଢ଼ିନାହାନ୍ତି କିମ୍ବା ଆଦୌ ଦେଖିନାହାନ୍ତି। ଏହି ପ୍ରସଙ୍ଗକୁ ପ୍ରଥମେ ସାମ୍ନାକୁ ଆଣିଥିବା ସାମାଜିକ ସଂଗଠନ 'ଜାମ୍ମୁ ଓ କାଶ୍ମୀର ପିପୁଲ୍ସ ଫୋରମ୍' କହିଛି ଯେ, ଯେଉଁ ଆତଙ୍କବାଦୀଙ୍କ ହାତ ନିରୀହ ଲୋକ ଓ ସେନା ଜବାନଙ୍କ ରକ୍ତରେ ଭିଜିଛି, ସେମାନଙ୍କୁ ସ୍କୁଲରେ ବୀର ସୈନିକ ସହ ତୁଳନା କରି ସରକାର ଦେଶ ପାଇଁ ସହିଦ ହୋଇଥିବା ବୀର ଯବାନଙ୍କ ପରିବାର ପ୍ରତି ବିଶ୍ୱାସଘାତକତା କରିଛନ୍ତି ଏବଂ ସେମାନଙ୍କ କ୍ଷତରେ ଲୁଣ ବୋଳିଛନ୍ତି। 

ସଙ୍ଗଠନ ପକ୍ଷରୁ ଏହି ବହିକୁ ତୁରନ୍ତ ନିଷେଧ କରିବା ସହ ନୂଆ ଶିକ୍ଷା ନୀତି ଅଧୀନରେ ଏହି ବହିଟି କିଭଳି ବିନା ଯାଞ୍ଚରେ ସରକାରୀ ଶିକ୍ଷା ବ୍ୟବସ୍ଥାରେ ସାମିଲ ହେଲା, ସେନେଇ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଅନୁରୋଧ କରାଯାଇଛି। ମକବୁଲ୍ ଭଟ୍ଟ ଜଣେ ହତ୍ୟାକାରୀ ଓ ଆତଙ୍କବାଦୀ ଥିଲା, ଯାହାକୁ ସର୍ବୋଚ୍ଚ ଅଦାଲତ ଦୋଷୀ ସାବ୍ୟସ୍ତ କରିବା ପରେ ୧୯୮୪ ଫେବ୍ରୁଆରି ୧୧ରେ ତିହାର ଜେଲରେ ଫାଶୀ ଦିଆଯାଇଥିଲା।