Editorial: ସତ୍ୟର ଧ୍ବଜା
"୨୦୧୪ ମସିହା, ଜାନୁଆରି ୩ ତାରିଖରେ ବିଦୟୀ ପ୍ରଧାନମନ୍ତ୍ରୀ ରୂପେ ତାଙ୍କ ଶେଷ ସାମ୍ବାଦିକ ସମାବେଶକୁ ସଂବୋଧନ କରି ଡକ୍ଟର ମନମୋହନ ସିଂହ କହିଥିଲେ ଯେ ସମକାଳୀନ ଗଣମାଧ୍ୟମ ଓ ରାଜନୈତିକ ଦଳଗୁଡ଼ିକ ତୁଳନାରେ ଇତିହାସ ତାଙ୍କ ପ୍ରତି ଅଧିକ ସଦୟ ହେବ।
ତାହା ହିଁ ହୋଇଛି!
ତାଙ୍କ ଅବର୍ତ୍ତମାନରେ ସତ୍ୟର ଧ୍ବଜା ଉଡ଼ିଛି, ଯାହା ଅନ୍ତତଃ ତାଙ୍କ ପରିବାରର ସଦସ୍ୟମାନଙ୍କୁ ଅଭିମାନ ଓ ଆଶ୍ବସ୍ତିର ମିଶ୍ରିତ ଆବେଗରେ ଆପ୍ଳୁତ କରୁଥିବ!Advertisment Editorial: ମୃତ୍ୟୁର ମୃତ୍ୟୁ ଆସନ୍ନ: ବିଜୟ ନାୟକଙ୍କ ସମ୍ପାଦକୀୟ ବହୁବଚନରେ ପଢ଼ନ୍ତୁ ଏଥର... "ଜେନ-ଜି"ଙ୍କ ଆନ୍ଦୋଳନ ଦ୍ବାରା ସୃଷ୍ଟ ଘନ ଚାଞ୍ଚଲ୍ୟର ବାଦଲ ଭାରତୀୟ ରାଜନୈତିକ ଆକାଶକୁ ଘୋଟି ରହିଥିବା ବେଳେ ଯେଉଁ ଏକ ଘଟଣା ଘଟିଯାଇ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଡକ୍ଟର ମନମୋହନ ସିଂହଙ୍କ ସକାଶେ ଏକ ଔଜ୍ଜ୍ବଲ୍ୟର କ୍ଷଣ ସୃଷ୍ଟି କରିଛି, ତାହା ଲୋକକ୍ଷେତ୍ରରେ ବିଶେଷ ଆଲୋଚିତ ହୋଇନାହିଁ।
ଘଟଣାଟି ହେଲା, ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ବରେ ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଭି.
ମୋହନଙ୍କୁ ନେଇ ଗଠିତ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଏକ ତିନିଜଣିଆ ଖଣ୍ଡପୀଠ ଦ୍ବାରା "କୋଇଲା ବ୍ଲକ୍ ଆବଣ୍ଟନ" ମହାଦୁର୍ନୀତି ଅଭିଯୋଗକୁ ସଂପୂର୍ଣ୍ଣ ନିରାଧାର ବୋଲି ଦର୍ଶାଯାଇ ମାମଲାକୁ ସବୁ ଦିନ ଲାଗି ବନ୍ଦ କରି ଦେବାକୁ ଆଦେଶ ଦିଆଯାଇଛି।
ପ୍ରକାଶ ଥାଉ କି ସାଧୁତା ଦୃଷ୍ଟିରୁ ସୁଖ୍ୟାତ ଏହି କୁଣ୍ଠିତ ଓ ଅପ୍ରତିଭ ରାଜନେତାଙ୍କ ସକାଶେ ଏହା ହିଁ ଥିଲା ସମ୍ମାନ ରକ୍ଷାର ଅନ୍ତିମ ପରୀକ୍ଷା, ଯଦିଓ ଏହି ରାୟ ଆସିଲା ବେଳକୁ ସେ ଇହଲୋକରେ ନାହାନ୍ତି!
ଏହା ପ୍ରାୟ ସମସ୍ତଙ୍କ ସ୍ମରଣରେ ଥିବ ଯେ ଅନେକ ମହାଦୁର୍ନୀତିର ଜାଲରେ ଛନ୍ଦି ହୋଇ ପଡ଼ିଥିବା ୟୁ.ପି.ଏ.
୨.୦ ସରକାରର କଫିନରେ ଶେଷ କଣ୍ଟା ପିଟିଥିଲା ଏହି "କୋଇଲା ବ୍ଲକ୍" ଆବଣ୍ଟନ ସ୍କାମ।
ସେହି ସମୟର "ଟୁ ଜି" (୨୦୦୮) ଓ "ସି.ଡବ୍ଲ୍ୟୁ.ଜି." (୨୦୧୦ ମସିହାର ରାଜ୍ୟ ଗୋଷ୍ଠୀ କ୍ରୀଡ଼ା) ଭଳି ବୃହତ୍ ସ୍କାମର ଅଭିଯୋଗ ଦେଶବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି କରି ସାରିଥିଲେ ହେଁ ବ୍ୟକ୍ତିଗତ ଭାବେ "କୋଇଲା ବ୍ଲକ୍ ସ୍କାମ"ରେ ଡକ୍ଟର ସିଂହ କର୍ଦ୍ଦମାକ୍ତ ହୋଇଥିଲେ, କାରଣ ସେହି ସମୟରେ କୋଇଲା ବିଭାଗ ଥିଲା ତାଙ୍କ ତତ୍ତ୍ବାବଧାନରେ।
ଅଭିଯୋଗଟି ଉଠିଥିଲା ଓଡ଼ିଶାର ତଳବିରା (ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା) କୋଇଲା ବ୍ଲକର ଲିଜ ଆବଣ୍ଟନକୁ ଘେନି।
କଥା ହେଲା, ଏହି ବିଶାଳ କୋଇଲା ବ୍ଲକକୁ ରାଷ୍ଟ୍ରାୟତ୍ତ କଂପାନି "ନେଭିଲି ଲିଗନାଇଟ କର୍ପୋରେସନ"କୁ ପ୍ରଦାନ କରାଯାଇଥିବା ପରିପ୍ରେକ୍ଷୀରେ ଏଭଳି ଏକଚାଟିଆକୁ ପ୍ରଶ୍ନ କରି ଘରୋଇ ବିରଳା କଂପାନି ପକ୍ଷରୁ ଆପତ୍ତି ଉଠାଯାଇଥିଲା।
ସୁତରାଂ, ସମୁଦାୟ ଆବଣ୍ଟନ ପ୍ରକରଣର ପୁନଃ ସମୀକ୍ଷା ଓ କିଛି ନିୟମ ପରିବର୍ତ୍ତନ ପରେ ତିନିଟି କଂପାନି, ଅର୍ଥାତ୍ ନେଭିଲି, ମହାନଦୀ କୋଲ ଫିଲ୍ଡ୍ସ ଏବଂ ହିଣ୍ଡାଲକୋ (ବିରଳା) ମଧ୍ୟରେ ସେହି ବ୍ଲକକୁ ବାଣ୍ଟି ଦିଆଯାଇଥିଲା।
ତେବେ, ଘରୋଇ କଂପାନିକୁ ସୁଯୋଗ ଦେବା ସକାଶେ ବିପୁଳ ଲାଞ୍ଚ କାରବାର ହୋଇଛି ବୋଲି ଗୁଂଜରଣ ଖୁବ୍ ଶୀଘ୍ର ସୃଷ୍ଟି ୋହାଇଥିଲା, ଯାହା କାନଫଟା ଗର୍ଜନରେ ପରିଣତ ହେଲା, ଯେତେବେଳେ ୨୦୧୨ ମସିହାରେ, ତତ୍କାଳୀନ "ସି.ଏ.ଜି."ଙ୍କ ରିପୋର୍ଟ ଦର୍ଶାଇଲା ଯେ କୋଇଲା ବ୍ଲକ୍ ଆବଣ୍ଟନ ପ୍ରକରଣରେ ବିପୁଳ ଦୁର୍ନୀତି ହୋଇଛି, ଯାହାର ପରିମାଣ ହେଉଛି ଏକ ଅବିଶ୍ବସନୀୟ ଓ ଅକଳ୍ପନୀୟ ୧୮୬,୦୦୦ କୋଟି ଟଙ୍କା।
ଏହା ପରେ "ସେଣ୍ଟ୍ରାଲ ଭିଜିଲାନ୍ସ କମିସନ" (ସି.ଭି.ସି.)ଙ୍କ ନିର୍ଦ୍ଦେଶରେ, ସୁପ୍ରିମ କୋର୍ଟଙ୍କ ନିଘା ତଳେ ସି.ବି.ଆଇ.
ତଦନ୍ତ ଲାଗି ପଥ ଉନ୍ମୋଚିତ ହୋଇଥିଲା।
ତେବେ, ୨୦୧୪ ମସିହାରେ ସି.ବି.ଆଇ.
ପକ୍ଷରୁ ଯେଉଁ ରିପୋର୍ଟ ପ୍ରଦାନ କରାଗଲା, ତହିଁରେ କୌଣସି ଦୁର୍ନୀତିର ଆଶଙ୍କା ଓ ଅଭିଯୋଗକୁ ଖାରଜ କରି ଦିଆଯାଇଥିଲା।
ଉଲ୍ଲେଖର ବିଶେଷ ଆବଶ୍ୟକତା ଅଛି ଯେ ଏହି ସମୟ ବେଳକୁ ୟୁ.ପି.ଏ.
ସରକାର ଭୂଲୁଣ୍ଠିତ ଓ କ୍ଷମତାଚ୍ୟୁତ ଏବଂ ଉପରୋକ୍ତ ସ୍କାମଗୁଡ଼ିକ ଦ୍ବାରା ସୃଷ୍ଟ ଜନରୋଷର ତରଙ୍ଗ ଚଢ଼ି ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରିତ୍ବରେ ଏନ.ଡି.ଏ.
ସରକାର ଗାଦିନସୀନ।
କହିବାର ମର୍ମ ହେଲା, ସି.ବି.ଆଇ.ର ତଦନ୍ତ କୌଣସି ବିଶିଷ୍ଟ କ୍ଷମତା କେନ୍ଦ୍ର ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ଓ ସୁଯୋଗ ସଂପୂର୍ଣ୍ଣ ଶୂନ୍ୟ।
ଏହା ସତ୍ତ୍ବେ, ସ୍ବତନ୍ତ୍ର ଟ୍ରାଏଲ କୋର୍ଟ ପକ୍ଷରୁ ସି.ବି.ଆଇ.
ରିପୋର୍ଟକୁ ଅସ୍ବୀକାର କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସମନ କରାଯାଇଥିଲା, ଯାହା ବିରୋଧରେ ମନମୋହନ ସିଂହ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ।
ଏହି ଘଟଣା ଘଟିଥିଲା, ୨୦୧୫ ମସିହା ମାର୍ଚ୍ଚ ମାସରେ, ଯାହାର ୧୧ ବର୍ଷ ପରେ, ଗଲା ଜୁଲାଇ ୨୯ ତାରିଖରେ, ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ ଟ୍ରାଏଲ କୋର୍ଟର ବିଚାରପତିଙ୍କ ଉଦ୍ଦେଶ୍ୟରେ ବିସ୍ମୟ ବିଜଡ଼ିତ ପ୍ରଶ୍ନ କରିଛନ୍ତି ଯେ କୌଣସି ଭିତ୍ତି ନ ଥିବା ଏଭଳି ଏକ ମାମଲାକୁ କାହିଁକି ଜୀବିତ ରଖାଯାଇଛି!
ଅବଶ୍ୟ, ଇତିମଧ୍ୟରେ ଯମୁନା ଦେଇ ଅନେକ ଜଳ ପ୍ରବାହିତ ହୋଇସାରିଛି; ଟ୍ରାଏଲ କୋର୍ଟର ତତ୍କାଳୀନ ବିଚାରପତି ଭାରତ ପରାଶର ସଂପ୍ରତି ସୁପ୍ରିମ କୋର୍ଟର ସେକ୍ରେଟାରି ଜେନେରାଲ ଏବଂ କାଦୁଅର ଦାଗ ଛାଡ଼ିଯାଇଥିବା ବେଳେ ତାକୁ ଦେଖିବା ଲାଗି ଡକ୍ଟର ମନମେହାନ ସିଂହ ଇହଲୋକରେ ନାହାନ୍ତି।
କୁହାଯାଇପାରେ ଯେ ଗଣିତ ସହିତ ସାହିତ୍ୟର ସମ୍ମିଶ୍ରଣରେ ଯେଉଁ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଥାଏ, ତାହାର ଏକ ଉଦାହରଣ ଥିଲା ତତ୍କାଳୀନ ସି.ଏ.ଜି.
ବିନୋଦ ରାଏଙ୍କ ରିପୋର୍ଟ।
କାରଣ, ସେ ତାଙ୍କ କଳ୍ପନା ଚକ୍ଷୁରେ ଦେଖି ପାରିଥିଲେ ଯେ ନିଲାମ ମାଧ୍ୟମରେ କୋଇଲା ବ୍ଲକଗୁଡ଼ିକର ଲିଜ ପ୍ରଦାନ କରାଯାଇଥିଲେ ରାଷ୍ଟ୍ରୀୟ ରାଜକୋଷକୁ ଅଧିକ ୧୮୬,୦୦୦ କୋଟି ଟଙ୍କା ମିଳି ପାରିଥାଆନ୍ତା; ଦୁର୍ନୀତି କାରଣରୁ ଯେଉଁ ବିପୁଳ ବିତ୍ତ ଦେଶ ହରାଇଛି।
କହିବା ଅନାବଶ୍ୟକ ଯେ ସି.ଏ.ଜି.ଙ୍କ ଏହି ଆନୁମାନିକ ହିସାବ, ଏଭଳି ଭୀତି ସଂଚାରକାରୀ ଥିଲା ଯେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଆଦେଶରେ, ୧୯୯୩ ମସିହାରୁ ଆବଣ୍ଟିତ କୋଇଲା ଲିଜକୁ ରଦ୍ଦ କରିଦିଆଯାଇଥିଲା, ଯଦ୍ଦ୍ବାରା ଆକ୍ରାନ୍ତ ହୋଇଥିଲେ ୨୧୪ଟି ବ୍ଲକର ଲିଜଧାରୀ।
ଅବଶ୍ୟ, ତା" ପରଠାରୁ ନିଲାମ ମାଧ୍ୟମରେ କୋଇଲା ବ୍ଲକ ଆବଣ୍ଟନ କରାଯାଉଛି, କିନ୍ତୁ ସି.ଏ.ଜି.ଙ୍କ କଳ୍ପିତ ହିସାବ ଅନୁସାରୀ ଅର୍ଥ ପ୍ରାପ୍ତିର କୌଣସି ସଂକେତ ମିଳୁନାହିଁ।
ବିଶେଷଜ୍ଞମାନଙ୍କ ମତରେ ଭୂପୃଷ୍ଠର କେତେ ଗଭୀରତାରେ କୋଇଲା ଭଣ୍ଡାର ରହିଛି, ତା" ଉପରେ ଉତ୍ତୋଳନର ବ୍ୟୟ ନିର୍ଭର କରିଥାଏ।
ଏହାର ଅର୍ଥ ନିଲାମ ପ୍ରକ୍ରିୟାରେ ମାତ୍ରାତିରିକ୍ତ ଅର୍ଥ ଦେଇ ଲିଜ ପାଇଲେ, କେତେକ ସ୍ଥଳେ, ବିଶେଷ ଲାଭର ଆଶା ମଧ୍ୟ ନ ଥାଏ।
ପ୍ରକାଶ ଥାଉ କି ଏହି କାରଣରୁ କୋଇଲା ଉତ୍ତୋଳନ କ୍ଷେତ୍ରରେ ଖୁବ୍ ଶିଥିଳତା ପରିଦୃଷ୍ଟ ହୋଇଛି ଏବଂ ସଂସ୍କାରମୂଳକ ପଦକ୍ଷେପ ନେବା ଦିଗରେ ଆଗ୍ରହ ପ୍ରଦର୍ଶିତ ହେଉନାହିଁ।
Editorial Column: ସମାଧାନ ପୂର୍ବରୁ ସମର୍ପଣ: ସୁଦର୍ଶନ ଦାସଙ୍କ ସମ୍ପାଦକୀୟ ଗଣ ଚେତନାରେ ପଢ଼ନ୍ତୁ ଏଥର...
ୟୁ.ପି.ଏ.
୨.୦ ସରକାର ଯେ ସଂପୂର୍ଣ୍ଣ ଦୁର୍ନୀତିମୁକ୍ତ ଥିଲା, ତାହା ମଧ୍ୟ ନୁହେଁ, ଯେମିତି ଆମ ଦେଶରେ କୌଣସି ସରକାର ଏଭଳି ଦାବି କରିପାରିବେ ନାହିଁ।
ତେବେ, ଯେଉଁ ତିନିଟି ମହାଦୁର୍ନୀତି (୨ଜି, ସି.ଡବ୍ଲ୍ୟୁ.ଜି.
ଓ କୋଇଲା ବ୍ଲକ)ର ଗଣିତ ବା ହିସାବ ଦ୍ବାରା ୟୁ.ପି.ଏ.
ସରକାର ପଦାନତ ହୋଇଯାଇଥିଲା, ସେ ସବୁ ଯେ ମୋଟାମୋଟି ଥିଲେ ଗଳ୍ପ ଶ୍ରେଣୀର, ତାହା କ୍ରମେ ସାବ୍ୟସ୍ତ ହେଇଛି।
କିନ୍ତୁ ଦୁର୍ଭାଗ୍ୟଟି ହେଲା, ଅମୂଳକ ପ୍ରମାଣିତ ହେବା ସତ୍ତ୍ବେ ଅପଖ୍ୟାତିର ମ୍ଳାନ ଛାୟା ଅସରନ୍ତି କାଳ ଯାଏ ଝୁଲି ରହିପାରେ; ଦୂର ଭବିଷ୍ୟତର ମଧ୍ୟ ଗୁଗୁଲ ବିଚରଣକାରୀମାନେ କୋଇଲା ବ୍ଲକ ଆବଣ୍ଟନକୁ ଏକ ସ୍କାମ ରୂପେ ପଢ଼ିବାକୁ ପାଇପାରନ୍ତି।ଏହି ପରିପ୍ରେକ୍ଷୀରେ ଲିଓ ଟଲଷ୍ଟୟଙ୍କ ସେହି ଅମର ଗଳ୍ପ ସ୍ମରଣକୁ ଆସେ, ଯାହାର ଶୀର୍ଷକ "ଈଶ୍ବର ସତ୍ୟ ଦେଖନ୍ତି, କିନ୍ତୁ ଅପେକ୍ଷା କରନ୍ତି"।
ତହିଁରେ ବର୍ଣ୍ଣିତ ଅଛି କିଭଳି ହତ୍ୟା ଅପରାଧରେ ପ୍ରକୃତ ଦୋଷୀ ଧରାପଡ଼ିବା ପରେ ସାଇବେରିଆର ନର୍କ-ତୁଲ୍ୟ କାରାଗାରରେ ଛବିଶ ବର୍ଷ କାଳ କାଟି ସାରିଥିବା ନିର୍ଦୋଷ ଇଭାନ ଆକସିନୋଭ ନିକଟକୁ ତା"ର ନିରୀହତାର ସନ୍ଦେଶ ବହନକାରୀ ମୁକ୍ତିର ଆଦେଶ ପହଞ୍ଚେ, ଯେତେବେଳକୁ ସେ ମରି ଯାଇଥାଏ।
କିନ୍ତୁ, ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ଇଭାନ ଆକସିନୋଭର ଆସ୍ଥା ଅତୁଟ ଥାଏ ଯେ ଦିନେ ନା ଦିନେ ସତ୍ୟର ଧ୍ବଜା ଉଡ଼ିବ।
୨୦୧୪ ମସିହା, ଜାନୁଆରି ୩ ତାରିଖରେ ବିଦୟୀ ପ୍ରଧାନମନ୍ତ୍ରୀ ରୂପେ ତାଙ୍କ ଶେଷ ସାମ୍ବାଦିକ ସମାବେଶକୁ ସଂବୋଧନ କରି ଡକ୍ଟର ମନମୋହନ ସିଂହ କହିଥିଲେ ଯେ ସମକାଳୀନ ଗଣମାଧ୍ୟମ ଓ ରାଜନୈତିକ ଦଳଗୁଡ଼ିକ ତୁଳନାରେ ଇତିହାସ ତାଙ୍କ ପ୍ରତି ଅଧିକ ସଦୟ ହେବ।
ତାହା ହିଁ ହୋଇଛି!
ତାଙ୍କ ଅବର୍ତ୍ତମାନରେ ସତ୍ୟର ଧ୍ବଜା ଉଡ଼ିଛି, ଯାହା ଅନ୍ତତଃ ତାଙ୍କ ପରିବାରର ସଦସ୍ୟମାନଙ୍କୁ ଅଭିମାନ ଓ ଆଶ୍ବସ୍ତିର ମିଶ୍ରିତ ଆବେଗରେ ଆପ୍ଳୁତ କରୁଥିବ!"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।