Editorial: ଘର ବାହୁଡ଼ା

Jul 13, 2026 - 03:01
Editorial: ଘର ବାହୁଡ଼ା

"ସ୍ବାଧୀନତା ପରେ ଉନ୍ନତିର ସୋପାନ ଚଢ଼ିଥିବା ବାଂଲାଦେଶ କଦାପି ଦୟନୀୟ ପାକିସ୍ତାନର ଆଉ ଏକ ପ୍ରତିରୂପ ହେବାକୁ ଚାହିଁବ ନାହିଁ।

ଏଭଳି ସ୍ଥଳେ ଉଭୟ ତାରିକ ରହମାନ ଓ ଶେଖ ହସିନା ହୃଦୟଙ୍ଗମ କରିବା ଉଚିତ ଯେ ପ୍ରତିଶୋଧପରାୟଣ ରାଜନୀତି କୌଣସି ରୂପେ ସେମାନଙ୍କ ପ୍ରିୟ ରାଷ୍ଟ୍ରର ହିତାର୍ଥେ ନୁହେଁ।

ବିଶେଷ କରି ଶେଖ ହସିନାଙ୍କ ଘର ବାହୁଡ଼ା ବେଳେ ତାରିକ ରହମାନ ବୁଝିବା ଦରକାର ଯେ କ୍ଷମା ଯାଚନାର ସମୟ ଆସି ଯାଇଛି ଏବଂ ଗଠନମୂଳକ ଗଣତନ୍ତ୍ର ଲାଗି ହସିନାଙ୍କ ଘର ବାହୁଡ଼ା ମଧ୍ୟ ଜରୁରି।Advertisment Recruitment: IIT ଧାରୱାଡରେ ସ୍ଥାୟୀ ନିଯୁକ୍ତି ସୁଯୋଗ: ଚାକିରି ପାଇଁ କରିପାରିବେ ଆବେଦନ ଗଲା ଶୁକ୍ରବାର ଦିନ ପ୍ରସିଦ୍ଧ ଗଣମାଧ୍ୟମ ସଂସ୍ଥା ରଏଟର୍ସକୁ ସାକ୍ଷାତ୍‌କାର ଦେଇ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଘୋଷଣା କରିଛନ୍ତି ଯେ ସେ ଓ ନିର୍ବାସନରେ ଥିବା ତାଙ୍କ ଅନ୍ୟ କତିପୟ ସହଯୋଗୀ ଆଗାମୀ ଡିସେମ୍ବର ମାସରେ ବାଂଲାଦେଶ ପ୍ରତ୍ୟାବର୍ତ୍ତନ କରିବେ।

କହିବା ବାହୁଲ୍ୟ, ଏହି ସ୍ତମ୍ଭର ପାଠକପାଠିକମାନଙ୍କ ସ୍ମରଣରେ ଥିବ ଯେ ୨୦୨୪ ମସିହା, ଅଗଷ୍ଟ ୫ ତାରିଖ ଦିନ, ଅରାଜକତାର ଅନଳରେ ଦଗ୍‌ଧୀଭୂତ ହେଉଥିବା ବାଂଲାଦେଶର ରକ୍ତ-ତୃଷାର୍ତ୍ତ ଭିଡ଼ ହାତରୁ କୌଣସିମ‌ତେ ବର୍ତ୍ତି ଯାଇ ଶେଖ ହସିନା ଭାରତରେ ପହଞ୍ଚି ରାଜନୈତିକ ଶରଣ ଲାଭ କରି ପାରିଥିଲେ।

ତା" ପରବର୍ତ୍ତୀ ଦ୍ରୁତ ଘଟଣାକ୍ରମରେ ପ୍ରତିଶୋଧ ଲାଗି ଅଧୈର୍ଯ୍ୟ ବାଂଲାଦେଶରେ ତାଙ୍କ ଅନୁପସ୍ଥିତି ସତ୍ତ୍ବେ ତାଙ୍କର ବିଚାର କରାଯାଇ ସେଠାକାର "ଇଣ୍ଟରନେସନାଲ କୋର୍ଟ ଅଫ ଟ୍ରାଏଲ" ବା "ଆଇ.ସି.ଟି." ପକ୍ଷରୁ ମୃତ୍ୟୁ ଦଣ୍ଡ ଶୁଣାଇ ଦିଆଯାଇଥିଲା, ଯାହା ଏ ଯାବତ୍ କାଏମ ରହିଛି।

ସୁତରାଂ, ପ୍ରଶ୍ନ ଉଠିଥାଏ ଯେ ତାଙ୍କ ଅକାଳ ମୃତ୍ୟୁର ପ୍ରାୟ ଅନିବାର୍ଯ୍ୟତା ସତ୍ତ୍ବେ ଶେଖ ହସିନା କାହିଁକି ଘର ବାହୁଡ଼ାର ନିଷ୍ପତ୍ତି ନେଲେ?

ଏବଂ ଦ୍ବିତୀୟ ପ୍ରଶ୍ନ ହେଲା ଏହା ପରେ ଭାରତ ଓ ବାଂଲାଦେଶର ସଂପର୍କରେ କିଭଳି ପରିବର୍ତ୍ତନ ଘଟିପାରେ?

ଏ ସବୁର ଉତ୍ତର ପାଇବା ଲାଗି ଏକ କ୍ଷୁଦ୍ର ଆଲୋଚନାର ଅବକାଶ ପଡ଼ିଥାଏ।ଘର ବାହୁଡ଼ା ନିଷ୍ପତ୍ତି ପଛରେ ଥିବା ପ୍ରଥମ କାରଣଟିକୁ ସ୍ବୟଂ ଶେଖ ହସିନା ତାଙ୍କ ସାକ୍ଷାତ୍‌କାରରେ ଦର୍ଶାଇ ସାରିଛନ୍ତି, ଯାହା ହେଲା ତାଙ୍କ ନେତୃତ୍ବଧୀନ ଦଳ ଆୱାମୀ ଲିଗକୁ ବାଂଲାଦେଶରେ ନିଷେଧ କରାଯିବା ଏବଂ ତା"ର ସଦସ୍ୟମାନେ ଘୋର ନିପୀଡ଼ନର ଶିକାର ହେଉଥିବା ପରିପ୍ରେକ୍ଷୀରେ ଶୀର୍ଷ ନେତୃ-ମଣ୍ଡଳି ସେହିଠାରେ ଉପସ୍ଥିତ ହୋଇ ପ୍ରତିବାଦ କରିବା ସହିତ ଦଳରେ ପ୍ରେରଣା ଓ ପ୍ରାଣ ସଂଚାର କରିବା ହେଉଛି ସର୍ବନିମ୍ନ ନୈତିକ ଦାୟିତ୍ବ; ଯାହାର ଅର୍ଥ ରାଜନୈତିକ ଶରଣର ନିରାପତ୍ତାକୁ ସ୍ବେଚ୍ଛାରେ ପରିତ୍ୟାଗ କରିବା।

ଉଲ୍ଲେଖ ରହୁ କି ଶେଖ ହସିନାଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁସାରେ ୨୦୨୪ ମସିହାରରୁ ଆଜି ମଧ୍ୟରେ ସାତ ଶହରୁ ଅଧିକ ଆୱାମୀ ଲିଗ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇ ସାରିଲାଣି।

ଦ୍ବିତୀୟ କାରଣଟି ସମ୍ଭବତଃ ଏହା ହୋଇପାରେ ଯେ ଇତିମଧ୍ୟରେ, ପ୍ରାୟ ଦୁଇ ବର୍ଷ ଅତିକ୍ରାନ୍ତ ହେବାକୁ ବସିଥିବାରୁ ତାଙ୍କର ହୃଦ୍‌ବୋଧ ହୋଇଥିବ ଯେ ପ୍ରତିଶୋଧର ଜ୍ବଳନ କ୍ରମଶଃ ଶୀତଳ ହେବା ଆରମ୍ଭ କଲାଣି!

କାରଣ, ତାଙ୍କ ବିରୋଧରେ ଏକଛତ୍ରବାଦୀ ଶାସକର ଆରୋପ ଲଗାଯାଉଥିଲେ ହେଁ ତାଙ୍କ ଶାସନ କାଳରେ ବାଂଲାଦେଶ ଲାଭ କରିଥିବା ଆର୍ଥିକ ବିକାଶ ଓ ବିଶ୍ବ ମାନବ ସୂଚକାଙ୍କର ତାଲିକାରେ ଦେଶର ଉତ୍ତମ ପ୍ରଦର୍ଶନ ଇତ୍ୟାଦି ବିଷୟ ନେଇ ଏବେ ପୁଣି ସେଠାରେ ଆଲୋଚନାର ମୃଦୁ ଗୁଞ୍ଜରଣ ଶୁଭିଲାଣି।

କହିବା ଅନାବଶ୍ୟକ ଯେ ସଂପ୍ରତି ବାଂଲାଦେଶର ଆର୍ଥିକ ସ୍ଥିତି ଅତ୍ୟନ୍ତ ନିମ୍ନଗାମୀ ହୋଇଛି।

ଏଭଳି ପରିସ୍ଥିତିରେ ତାଙ୍କର ସ୍ବେଚ୍ଛା ପ୍ରତ୍ୟାବର୍ତ୍ତନକୁ ଅପେକ୍ଷାକୃତ ଅଧିକ ଔଦାର୍ଯ୍ୟର ସହିତ ଦେଖାଯିବାର ସମ୍ଭାବନା ମଧ୍ୟ ରହିଛି; ଅର୍ଥାତ୍, ଏକା ବେଳକେ ପ୍ରାଣଦଣ୍ଡା‌ଦେଶ କାର୍ଯ୍ୟକାରୀ ହୋଇ ନ ପାରେ!

ତୃତୀୟରେ, ବାଂଲାଦେଶର ସଂବିଧାନ ଅନୁସାରେ କୌଣସି ବ୍ୟକ୍ତିଙ୍କୁ ତାଙ୍କ ଅନୁପସ୍ଥିତିରେ ଦଣ୍ଡିତ କରାଗଲେ ସେ ପୁନର୍ବାର ଏକ ବିଚାରର ସୁଯୋଗ ଲାଭ କରିଥାଆନ୍ତି। "ଆଇ.ସି.ଟି."ରେ ହୋଇଥିବା ତାଙ୍କ ବିଚାରକୁ ନେଇ ଶେଖ ହସିନା ବରାବର ଆପତ୍ତି ଜଣାଇ ଆସିଛନ୍ତି କି ତାଙ୍କୁ ନିଜ ମନୋନୀତ ଓକିଲ ଉପଲବ୍‌ଧ କରାଇ ଦିଆଯାଇ ନ ଥିଲା।

ସେଠାରେ ଉପସ୍ଥିତ ରହି ନିଜ ପସନ୍ଦର ଓକିଲଙ୍କ ସହଯୋଗରେ ମକଦ୍ଦମା ଳଢ଼ିବାର ସୁଯୋଗ ହୁଏତ ତାଙ୍କ ମନରେ ଆଶାର ସାମାନ୍ୟ ଆଲୋକ ଜଳାଇଥିବ।

ଚତୁର୍ଥ କାରଣଟି ହେଲା, ଶେଖ ହସିନାଙ୍କ ପଳାୟନର ତୁରନ୍ତ ବାଦ ତାଙ୍କ ପ୍ରତ୍ୟର୍ପଣ ସକାଶେ ସେଠାକାର କାମଚଳା ସରକାରଙ୍କ ଦାବିକୁ ଆମ ସରକାରଙ୍କ ପକ୍ଷରୁ ଏଥି ଲାଗି ଅଗ୍ରାହ୍ୟ କରାଯାଇଥିଲା ଯେ ତାହା ଏକ ନିର୍ବାଚିତ ସରକାର ନ ଥିଲା।

ସେହି ଦୃଷ୍ଟିରୁ ତାରିକ ରହମାନଙ୍କ ନେତୃତ୍ବରେ ନିର୍ବାଚିତ ସାଂପ୍ରତିକ ବାଂଲାଦେଶୀ ସରକାରଙ୍କ ପ୍ରତ୍ୟର୍ପଣ ଅନୁରୋଧକୁ ଦୀର୍ଘ କାଳ ସକାଶେ ଏଡ଼ାଇବା ହୁଏତ ଭାରତ ପକ୍ଷରେ କୂଟନୈତିକ ଜଟିଳତା ସୃଷ୍ଟି କରିପାରେ।

କାରଣ, ୨୦୧୩ ମସିହାରୁ ଉଭୟ ଦେଶ ମଧ୍ୟରେ ବିଧିବଦ୍ଧ ପ୍ରତ୍ୟର୍ପଣ ରାଜିନାମା ସ୍ବାକ୍ଷରିତ ହୋଇ ରହିଛି।

ଏଭଳି ସ୍ଥିତିରେ ଭାରତକୁ ଅସ୍ବସ୍ତିରୁ ମୁକ୍ତ କରିବା ଲାଗି ଶେଖ ହସିନା ହୁଏତ ପ୍ରତ୍ୟାବର୍ତ୍ତନର ନିଷ୍ପତ୍ତି ନେଇଥିବେ।

ଏଥିରେ ଦ୍ବିରୁକ୍ତିି ନାହିଁ ଯେ ଡିସେମ୍ବର ମାସରେ ଯଦି ଶେଖ ହସିନା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରନ୍ତି, ତେବେ ଭାରତ ଓ ବାଂଲାଦେଶ ମଧ୍ୟରେ ହୋଇ ଚାଲିଥିବା ସଂପର୍କର ବିଘଟନରେ ବିରାମ ଲାଗିପାରେ।

ଏହା ସୁବିଦିତ ଯେ ୧୯୭୧ ମସିହାରେ, ବାଂଲାଦେଶର ସ୍ବାଧୀନତା ସମୟରେ, ସେ ଦେଶର ଏକମାତ୍ର ପଥ ପ୍ରଦର୍ଶକ ଓ ମିତ୍ର ରାଷ୍ଟ୍ର ଭାରତ ସଂପ୍ରତି ଏକ ଅପ୍ରିୟ ଶତ୍ରୁ ରାଷ୍ଟ୍ର ରୂପେ ଚିହ୍ନିତ ହେଉଛି ଏବଂ ପାକିସ୍ତାନର ସମର୍ଥକ ଓ ପୃଷ୍ଠପୋଷକ ଭାବେ ସେ ସମୟରେ ଅପନିନ୍ଦିତ ତଥା "ରଜାକର" ବା "ବିଶ୍ବାସଘାତକ" ଭାବେ ଅପଖ୍ୟାତ ଜମାତ-ଏ-ଇସଲାମୀ ସଂପ୍ରତି ସେଠାକାର ଦ୍ବିତୀୟ ବୃହତ୍ତମ ରାଜନୈତିକ ଦଳ!

ଏହାର ଅର୍ଥ କାଳଚକ୍ରର ଗୋଟିଏ ପୂର୍ଣ୍ଣ ଘୂର୍ଣ୍ଣନ ଘଟିଯାଇଛି।

ଏହାର ଏକ ବଡ଼ କାରଣ ହେଉଛି ବାଂଲାଦେଶର ଅଭ୍ୟନ୍ତରୀଣ ରାଜନୀତି, ଯହିଁରେ ଆୱାମୀ ଲିଗକୁ ଭାରତର କ୍ରୀଡ଼ନକ ବୋଲି ବ୍ୟାଖ୍ୟାନ ସୃଷ୍ଟି କରାଯାଇଛି; ଯେଉଁ କାରଣରୁ ଶେଖ ହସିନାଙ୍କ ବିରୋଧରେ କ୍ରୋଧାଗ୍ନି ସ୍ବାଭାବିକ ଭାବେ ଭାରତ ବିରୋଧୀ ଉତ୍ତପ୍ତ ହାୱା ପ୍ରବାହିତ କରିଥିଲା।

ଏଭଳି ସ୍ଥିତିରେ ଶେଖ ହସିନାଙ୍କୁ ଭାରତ ଦ୍ବାରା ରାଜନୈତିକ ଶରଣ ପ୍ରଦାନ ହେତୁ ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ସଂପର୍କ ସଂପୂର୍ଣ୍ଣ ସଙ୍କଟାପନ୍ନ ହୋଇପଡ଼ିଛି; ଯାହାର ପରିଣତି ହେଉଛି ସେଠାରେ ଚୀନ ଓ ପାକିସ୍ତାନର ପଦଚିହ୍ନ ସୃଷ୍ଟି ଓ ବିସ୍ତୃତି।

ସେହି ଦୃଷ୍ଟିରୁ ଶେଖ ହସିନାଙ୍କ ଘର ବାହୁଡ଼ା ହେତୁ ସଂପର୍କର ଅବକ୍ଷୟରେ ବିରାମ ଲାଗିବ ବୋଲି ଭାରତ ଆଶାବାଦୀ।

ଇତିମଧ୍ୟରେ ବାଂଲାଦେଶର ହାଇକମିସନର ଭାବେ, କୌଣସି କୂଟନୀତିଜ୍ଞଙ୍କ ପରିବର୍ତ୍ତେ, ଦୀନେଶ ତ୍ରିବେଦୀଙ୍କ ଭଳି ଜଣେ ପୂର୍ବତନ କ୍ୟା‌ବିନେଟ ମନ୍ତ୍ରୀ ତଥା ପୁରୁଖା ରାଜନେତାଙ୍କୁ ଚୟନ କରି ଭାରତ ଜଣାଇ ଦେଲାଣି ଯେ ସ୍ଥିତି ସମ୍ଭାଳିବାର ସମୟ ଉପନୀତ; ଯେଉଁ କାମଟି କେବଳ ଜଣେ ଅଭିଜ୍ଞ ରାଜନେତାଙ୍କ ବିଚକ୍ଷଣ ବ୍ୟାବହାରିକ ବୁଦ୍ଧି ଓ ନମନୀୟ ବିଚାର ଯୋଗେ ସମ୍ଭବ!

ଲାରାଙ୍କ ସହ ୱିମ୍ବଲଡନ୍‌ରେ ନଜର ଆସିଲେ ଇସାବେଲ୍, କିଏ ଏହି ସୁନ୍ଦରୀ?

ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ମଧ୍ୟରେ ଥିବା ବିଦ୍ବେଷର ମୂଳ କାରଣ ତାତ୍କାଳିକ ରାଜନୀତିକୁ ଅତିକ୍ରମ କରି ପହଞ୍ଚିଥାଏ ଉଭୟଙ୍କ ପିତା ତଥା ସ୍ବାଧୀନ ବାଂଲାଦେଶର ଦୁଇ ଜନକ ଯଥାକ୍ରମେ ଜିଆଉର ରହମାନ ଓ ମୁଜିବୁର ରହମାନଙ୍କ ମଧ୍ୟରେ ଥିବା ମତାଦର୍ଶଗତ ପାର୍ଥକ୍ୟରେ।

ତା" ସତ୍ତ୍ବେ, କିନ୍ତୁ, ସେମାନେ ଥିଲେ ଉତ୍କଟ ପାକିସ୍ତାନ ବିରୋଧୀ। ‌ତେଣୁ, ଏମାନଙ୍କ ସନ୍ତାନ ଦ୍ବୟ ବାଂଲାଦେଶର ଭୂମିରୁ ପାକିସ୍ତାନର ପଦଚିହ୍ନକୁ ନିଶ୍ଚିହ୍ନ କରିବା ଦିଗରେ ଅଭିପ୍ରେତ ହେବା ଜରୁରି।

ତେଣୁ, ପ୍ରଥମେ ଲୋଡ଼ା ବାଂଲାଦେଶରୁ ପ୍ରତିଶୋଧ ପରାୟଣ ରାଜନୀତିର ବିଦାୟ।

ଇତିହାସ ସାକ୍ଷ୍ୟ ଦେଇଥାଏ ଯେ ଏଭଳି ରାଜନୀତିର ସୁଯୋଗ ନେଇ ହିଁ ବାଂଲାଦେଶରେ ଜମାତ-ଇ-ଇସଲାମୀ ଦୃଢ଼ ହୋଇଛି ଏବଂ ପାକିସ୍ତାନର ପ୍ରଭାବ ବଳୟ ସୃଷ୍ଟି କରିଛି।

କହିବା ବାହୁଲ୍ୟ, ସ୍ବାଧୀନତା ପରେ ଉନ୍ନତିର ସୋପାନ ଚଢ଼ିଥିବା ବାଂଲାଦେଶ କଦାପି ଦୟନୀୟ ପାକିସ୍ତାନର ଆଉ ଏକ ପ୍ରତିରୂପ ହେବାକୁ ଚାହିଁବ ନାହିଁ।

ଏଭଳି ସ୍ଥଳେ ଉଭୟ ତାରିକ ରହମାନ ଓ ଶେଖ ହସିନା ହୃଦୟଙ୍ଗମ କରିବା ଉଚିତ ଯେ ପ୍ରତିଶୋଧପରାୟଣ ରାଜନୀତି କୌଣସି ରୂପେ ସେମାନଙ୍କ ପ୍ରିୟ ରାଷ୍ଟ୍ରର ହିତାର୍ଥେ ନୁହେଁ।

ବିଶେଷ କରି ଶେଖ ହସିନାଙ୍କ ଘର ବାହୁଡ଼ା ବେଳେ ତାରିକ ରହମାନ ବୁଝିବା ଦରକାର ଯେ କ୍ଷମା ଯାଚନାର ସମୟ ଆସି ଯାଇଛି ଏବଂ ଗଠନମୂଳକ ଗଣତନ୍ତ୍ର ଲାଗି ହସିନାଙ୍କ ଘର ବାହୁଡ଼ା ମଧ୍ୟ ଜରୁରି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।