Editorial: ଗୁମାସ୍ତା ଶାସନ: ଦାଶ ବେନହୁରଙ୍କ ସମ୍ପାଦକୀୟ ସନାତନର ସ୍ବଗତୋକ୍ତିରେ ପଢ଼ନ୍ତୁ ଏଥର...

Jul 24, 2026 - 17:26
Editorial: ଗୁମାସ୍ତା ଶାସନ: ଦାଶ ବେନହୁରଙ୍କ ସମ୍ପାଦକୀୟ ସନାତନର ସ୍ବଗତୋକ୍ତିରେ ପଢ଼ନ୍ତୁ ଏଥର...

"ଗୁମାସ୍ତା ଶାସନ ଦାଶ ବେନହୁରସନାତନର ସ୍ବଗତୋକ୍ତି "ଗୁମାସ୍ତା" ଏକ ପାର୍ସୀ ଶବ୍ଦ, ଯାହାର ଅର୍ଥ ହିସାବରକ୍ଷକ କର୍ମଚାରୀ।

ସେହିଭଳି "ମୁନ୍‌ସି" ମଧ୍ୟ ଆଉ ଏକ ପାର୍ସୀ ଶବ୍ଦ, ଯାହା ଉଭୟ ଜଣେ ଭାଷାଶିକ୍ଷକ ତଥା ଶାସନକାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ବୁଝାଇଥାଏ।

ମୋଟାମୋଟି ଗୁମାସ୍ତା ବା ମୁନ୍‌ସି ଜଣେ କର୍ମଚାରୀଙ୍କୁ ବୁଝାଏ ଯିଏ ଗୋଟିଏ ବ୍ୟବସ୍ଥାରେ ଖୁବ୍ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଥାନ୍ତି।Advertisment ଅତୀତରେ ଏ ଭାରତ ଭୂଇଁ ଅନେକ ରାଜା, ମହାରାଜା, ଜମିଦାରଙ୍କ ଦ୍ବାରା ଶାସିତ ହୋଇଛି।

ରାଜାଙ୍କ ପାଖରେ ଥାଆନ୍ତି ମନ୍ତ୍ରୀ, ସେନାପତି, କଟୁଆଳ, ବରକନ୍ଦାଜ, ସୈନ୍ୟସାମନ୍ତ।

ଜମିଦାର ଜମିଦାରୀ ସମ୍ଭାଳନ୍ତି ଗୁମାସ୍ତା, ବେଭାରୀ ଓ ଖମାରିଆଙ୍କ ମାଧ୍ୟମରେ।

ଓଡ଼ିଶାରେ ରାଜୁଡ଼ା ଶାସନ ବେଳେ ରାଜ୍ୟର ଅସଲ କର୍ମଚାରୀ ଥିଲେ ଦେବାନ୍, ମକଦ୍ଦମ, ସରବରାକାର ଇତ୍ୟାଦି।

କେନ୍ଦ୍ରୀଭୂତ ହେବା ଶାସନ ବା କ୍ଷମତାର ଏକ ସହଜାତ ଗୁଣ।

ଅନେକ ସମୟରେ ଦେଖାଯାଇଛି ଯେ ଜଣେ ଜଣେ ଶାସନମୁଖ୍ୟ କର୍ମଚାରୀଙ୍କ ମାଧ୍ୟମରେ ଶାସନ କଲେ ମଧ୍ୟ ଅସଲ ଲଗାମ ନିଜ ହାତରେ ରଖିଥାନ୍ତି।

ଯେଉଁମାନଙ୍କୁ ଇତିହାସ ଆଜି ସମ୍ରାଟର ମର୍ଯ୍ୟାଦା ଦେଇଛି ସେମାନେ ପ୍ରକୃତରେ ଥିଲେ ଏକକଶାସନମୁଖ୍ୟ।

ଆଲେକ୍‌ଜାଣ୍ଡର, ଅଶୋକ, ଆକବର ଆଦି ଶାସକମାନେ ଇତିହାସରେ ଏଇ କାରଣରୁ ଗ୍ରେଟ୍ ହୋଇ ରହିଛନ୍ତି।

ଆହୁରି ପଢ଼ନ୍ତୁ- Bajuda Yatra 2026: ବାହୁଡ଼ାଯାତ୍ରାରେ ବଡ଼ଦାଣ୍ଡ ଲୋକାରଣ୍ୟ; ତାଳଧ୍ବଜ ପରେ ଗଡ଼ିଲା ଦର୍ପଦଳନ ପୃଥିବୀ ସାରା ନାନା ଉଦାହରଣ ଅଛି।

ଅଷ୍ଟ୍ରିଆ ଦିନେ ଏକ ସାମ୍ରାଜ୍ୟ ଥିଲା।

ସେଥିରେ ମେଟର୍‌ନିକ୍ ଥିଲେ ଜଣେ ଅଭିଜ୍ଞ କୂଟନୀତି-କର୍ମଚାରୀ।

ଧୀରେ ଧୀରେ ଏମିତି ହେଲା ଯେ ‌ସାରା ଇଉରୋପରେ ତାଙ୍କର ପ୍ରାଧାନ୍ୟକୁ ସମସ୍ତେ ସ୍ବୀକାର କଲେ।

ଦେଶ ନିର୍ବିଶେଷରେ ସେ ପାଲଟିଥିଲେ କ୍ଷମତାର କେନ୍ଦ୍ରବିନ୍ଦୁ।

ଅତି ସାଧାରଣରୁ ଯାଇ କ୍ଷମତା ଅଳିନ୍ଦରେ ପହଞ୍ଚି ଖୋଦ୍ ସାମ୍ରାଜ୍ଞୀଙ୍କର ପରାମର୍ଶଦାତା ପାଲଟିବା କିଛି ସାମାନ୍ୟ କଥା ନୁହେଁ।

ସେମିତି ଘଟିଥିଲା ମହମ୍ମଦ ଅବଦୁଲ କରିମ୍‌ଙ୍କ କ୍ଷେତ୍ରରେ।

ବିଲାତର ମହାରାଣୀ ଭିକ୍‌ଟୋରିଆଙ୍କ ଜୁବିଲି ଉତ୍ସବରେ ସହାୟକ-ଭୃତ୍ୟ ଭାବେ ଭାରତରୁ ପ୍ରେରିତ ହୋଇଥିବା ଅବଦୁଲ ଶେଷରେ ପାଲଟିଥିଲେ ସାମ୍ରାଜ୍ଞୀଙ୍କର ମୁନ୍‌ସି।

ଚଉଦ ବର୍ଷ କାଳ ଥିଲେ ଭିକ୍‌ଟୋରିଆଙ୍କର ଶିକ୍ଷକ ତଥା ପରାମର୍ଶଦାତା।

ସାରା ରାଜକୁଳ ତଟସ୍ଥ ହୋଇଯାଇଥିଲେ ଅବଦୁଲଙ୍କର ପଦୋନ୍ନତି ଓ ପ୍ରଭାବ ଦେଖି।

୧୯୦୧ରେ ଭିକ୍‌ଟୋରିଆଙ୍କର ଦେହାନ୍ତ ହେବା ମାତ୍ରେ ଅବଦୁଲଙ୍କୁ ଅପମାନିତ କରି ଭାରତକୁ ତଡ଼ି ଦିଆଯାଇଥିଲା।

ଗୋଟିଏ ସାମ୍ରାଜ୍ୟ, ରାଜ୍ୟ ବା ଜମିଦାରୀ ଚାଲେ କେମିତି?

କର୍ମଚାରୀ ନ ରହିଲେ କାର୍ଯ୍ୟ ସରବରାହ କେମିତି ଶୃଙ୍ଖଳିତ ହେବ?

ସେଇଥିପାଇଁ ରାଜୁଡ଼ା ହେଉ କି ଗଣତନ୍ତ୍ର, ବେଳେବେଳେ ସେଥିରେ ଜଣେ ଜଣେ କର୍ମଚାରୀଙ୍କ ପ୍ରାଧାନ୍ୟ ଏତେ ବୃଦ୍ଧି ପାଏ ଯେ ସେ ସର୍ବେସର୍ବା ପାଲଟି ଯାଆନ୍ତି।

ଗଣତାନ୍ତ୍ରିକ ବିଲାତରୁ ଯେଉଁ ଇଷ୍ଟ୍‌ଇଣ୍ଡିଆ କଂପାନି ବେପାରବଣିଜ କରିବାକୁ ଆସି ଭାରତରେ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ଅକ୍ତିଆର କରି ଶାସନ ବ୍ୟବସ୍ଥା ହାତକୁ ନେଲା, ତା"ର ଆରମ୍ଭ ହୋଇଥିଲା ଜଣେ କିରାଣି-କର୍ମଚାରୀଙ୍କ ଠାରୁ!

ସେ ଥିଲେ ରବର୍ଟ କ୍ଲାଇଭ୍।

ଶାସନ ବ୍ୟବସ୍ଥାରେ କର୍ମଚାରୀ-ପ୍ରାଧାନ୍ୟ ଇତିହାସ-ସମ୍ମତ।

ଅତଏବ ସେ ପଦକୁ ଆମେ ଗୁମାସ୍ତା କହୁ ବା ମୁନ୍‌ସି, ମନ୍ତ୍ରୀ କହୁ ବା ଅମଲା, ସଚିବ କହୁ ବା ବ୍ୟକ୍ତିଗତ ସହାୟକ; ସବୁ ସେଇ ଏକା କଥା।

ସଭିଏଁ ଗୁମାସ୍ତା-ହିସାବରକ୍ଷକ କର୍ମଚାରୀ।

ପରିଚାଳନାର ହିସାବ ରଖୁ ରଖୁ ସେ ଅସଲ ଶାସକର ଭୂମିକା ନିର୍ବାହ କରନ୍ତି।

ଭୃତ୍ୟ ମାଲିକଙ୍କୁ କରାୟତ୍ତ କରି, ସେନାପତି ରାଜାଙ୍କୁ ହତ୍ୟା କରି, ଗୁମାସ୍ତା ଜମିଦାରଙ୍କୁ ଫସେଇ, ସଚିବ ମନ୍ତ୍ରୀଙ୍କୁ କବଳିତ କରି ଶାସନ ଦଣ୍ଡ ହାତକୁ ନେବା ଆମେ କ"ଣ ଦେଖିନାହୁଁ?

ଓଡ଼ିଶାରେ ଭୋଇବଂଶର ଆରମ୍ଭ ତ ସେଇଠାରୁ।

ଭୋଇ ବୋଲନ୍ତେ ହିସାବରକ୍ଷକ, ଲେଖା-କର୍ମଚାରୀ ବା କିରାଣି।

ଭୋଇ ଗୋବିନ୍ଦ ବିଦ୍ୟାଧର ଗଜପତି ପ୍ରତାପରୁଦ୍ର ଦେବଙ୍କ ବଂଶଜ ୧୬ ଜଣ ପୁତ୍ର ସନ୍ତାନକୁ ହତ୍ୟା କରି, ଭୋଇବଂଶ ସ୍ଥାପନ କରିବା ସହ ନିଜକୁ "ସୁବର୍ଣ୍ଣକେଶରୀ" ଭାବରେ ଘୋଷିତ କରିଥିଲେ।

ଇତିହାସର ପୃଷ୍ଠା ନାନା ରହସ୍ୟ ତଥା ଅବିଶ୍ବାସ୍ୟ କଥାରେ ଭରା।

ଏ କର୍ମଚାରୀ, ମୁନ୍‌ସି ବା ଗୁମାସ୍ତା-ଶାସନର କାହାଣୀ କେବଳ ଯେ ରାଜତନ୍ତ୍ର ବା ଏକଛତ୍ରବାଦରେ ଦୃଶ୍ୟମାନ ହୁଏ ସେ କଥା ନୁହେଁ।

ଗଣତନ୍ତ୍ରରେ ବି କର୍ମଚାରୀ-ଶାସନର ଇତିବୃତ୍ତ ବେଶ୍ ପ୍ରତୁଳ ଓ ପ୍ରଖ୍ୟାତ।

ବିଲାତରେ ରାଜାରାଣୀ ଥିଲେ ବି ସେଠାରେ ଗଣତନ୍ତ୍ର-ଶାସନ ଚାଲେ।

ରାଜା ବା ରାଣୀ ମୁକୁଟର ପ୍ରତୀକ।

ପ୍ରକୃତ ଶାସନ କରନ୍ତି ପ୍ରଧାନମନ୍ତ୍ରୀ।

ଚର୍ଚ୍ଚିଲ୍ ଥିଲେ ପ୍ରଧାନମନ୍ତ୍ରୀ।

ରାଜପ୍ରାସାଦରୁ ସହମତି ସଂଗ୍ରହ କରିବା ପାଇଁ ଟମି ଲେସେଲ୍‌ସଙ୍କ ଭଳି ଜଣେ ପ୍ରଧାନ ରାଜକର୍ମଚାରୀଙ୍କ ସହାୟତା ନେବାକୁ ପଡୁଥିଲା ତାଙ୍କୁ।

ଭାରତରେ ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ଅମଳରେ ଜଣେ ଜଣେ ଅମଲା ଏପରିକି ସାଧାରଣ କ୍ଷିପ୍ର ଲିପିକାର ମଧ୍ୟ ଶାସନକୁ ପ୍ରଭାବିତ କରିଥିବାର ନମୁନା ଅନେକ।

ଜବାହରଲାଲ ନେହରୁଙ୍କ ଠାରୁ ଆରମ୍ଭ କରି ଇନ୍ଦିରା ଗାନ୍ଧୀ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅମଳରେ କେହି କେହି ଅମଲା ଯେ ଆଢୁଆଳରେ ରହି ଖୁବ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ନାହିଁ ବା କରିନାହାନ୍ତି ସେ କଥା ନୁହେଁ।

ମାତ୍ର ଯେତେ ଗୁରୁତ୍ବପୂର୍ଣ୍ଣ ହେଲେ ବି ବାହାରକୁ ଦୃଶ୍ୟମାନ ନ ହେବା ହେଉଛି ଅସଲ ଅମଲାତ୍ବର ଉଦାହରଣ।

ଆହୁରି ପଢ଼ନ୍ତୁ- Flipkart Launch Food Delivery Service: ଖାଦ୍ୟ ଡେଲିଭରି କରିବ ଫ୍ଲିପ୍‌କାର୍ଟ: ସ୍ବିଗି, ଜୋମାଟୋ ସହ କରିବ ପ୍ରତିଯୋଗିତା ଗୁମାସ୍ତାଗିରି ଓ ଅମଲାଗିରି ଭିତରେ ପାର୍ଥକ୍ୟ ବିଶେଷ କିଛି ନାହିଁ।

ମାତ୍ର ଜମିଦାରଙ୍କୁ ଚଞ୍ଚକତାରେ ଫସେଇ ଜମିଦାରୀ ହାତେଇବା ପରି ଗଣତନ୍ତ୍ରରେ ଯେତେଯେତେ ଅମଲା ନିଜକୁ ମାତବର ମନେ କରି ଜନନେତା ହେବା ପାଇଁ ଶିଡ଼ି ଚଢ଼ିଛନ୍ତି ସେମାନେ ସମସ୍ତେ ଗୋଡ଼ ଖସେଇ ତଳେ ପଡ଼ିଛନ୍ତି।

ଗୁମାସ୍ତା ବା ସଚିବ ଯେତେ କାର୍ଯ୍ୟଦକ୍ଷ ହେଲେ ମଧ୍ୟ ତାଙ୍କର ଅନ୍ତରାଳରେ ରହିବା ହିଁ ସମୀଚୀନ।

ଗଣତନ୍ତ୍ରରେ ମନ୍ତ୍ରୀମାନଙ୍କ ପୋଷାକ ଉହାଡ଼ରେ ଅମଲାଶାସନ ଚାଲେ।

ରାଜତନ୍ତ୍ରରେ ଯେମିତି ମନ୍ତ୍ରୀ ଶାସନ କରନ୍ତି ହେଲେ ରାଜମୁକୁଟ ଥାଏ ରାଜାଙ୍କ ମୁଣ୍ଡରେ।

ମନ୍ତ୍ରୀ ମୁକୁଟ ପିନ୍ଧିଲେ ସରିଲା କଥା।

ସେମିତି ଗଣତନ୍ତ୍ରରେ ମନ୍ତ୍ରୀମାନେ ଶାସନରେ ସରକାର ବୋଲାନ୍ତି।

ତାଙ୍କୁ ପଛକୁ ଠେଲି ସଚିବମାନେ ସଭାମଞ୍ଚକୁ ଉଠିଲେ ପତନ ସୁନିଶ୍ଚିତ।

ଯେତେ ପାରଙ୍ଗମ ଓ ପାରିବାର ସଚିବ ହେଲେ ମଧ୍ୟ ତାଙ୍କୁ ଗଣତନ୍ତ୍ର କେବେ ବି ନେତାର ମର୍ଯ୍ୟାଦା ଦେବ ନାହିଁ।

ଭାରତ ପରି ଓଡ଼ିଶା ଇତିହାସ ଅମଲା ଶାସନର ପରଦା ପଛପଟେ ଅନେକ ଗୁମାସ୍ତା-ଶାସନର ଅଭିଜ୍ଞତା ହାସଲ କଲାଣି।

ସ୍ବାଧୀନ ଭାରତରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ।

ତାଙ୍କ ଜୀବନୀ ପଢ଼ିଲେ ଜାଣିହେବ ଯେ ଅନେକ ଟାଣୁଆ ଅମଲା ଥିଲେ ତାଙ୍କ ପାଖରେ ମାତ୍ର କେହି ମଞ୍ଚକୁ ଉଠିବାକୁ ସାହସ କରି ନ ଥିଲେ।

ପୁଣ୍ୟଶ୍ଳୋକ ନବକୃଷ୍ଣ ଚୌଧୁରୀଙ୍କ ଅମଳରେ ମଧ୍ୟ ସେଇଆ।

ଷଷ୍ଠ ଦଶକରେ ବିଜୁ ପଟ୍ଟନାୟକ ସ୍ବଳ୍ପ କାଳର ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟ ଅମଲାଙ୍କୁ ବେଶ୍ ଗୁରୁତ୍ବ ଦେଇଥିଲେ।

ବିଶେଷ କରି ଆଇ.ସି.ଏସ୍.

ବଳରାମ ଶିବରମଣଙ୍କୁ ମାନୁଥିଲେ ସେ।

ଶିବରମଣ ଶେଷକୁ ଦେଶର ସର୍ବୋଚ୍ଚ ଅମଲା ବା କ୍ୟାବିନେଟ୍ ସେକ୍ରେଟାରି ପଦକୁ ଉନ୍ନୀତ ହୋଇଥିଲେ।

ଦ୍ବିତୀୟ ପାଳି ୧୯୯୦ରୁ ୧୯୯୫ ବିଜୁବାବୁ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ ସେ ପୁଣି ପରାମର୍ଶଦାତା ଭାବେ ଆଣି ଆସିଥିଲେ ବୃଦ୍ଧ ବଳରାମ ଶିବରମଣଙ୍କୁ।

ଶିବରମଣ କେବେ ବି ମଞ୍ଚକୁ ଉଠି ମୁହଁ ଦେଖାଇ ନ ଥିଲେ।

ସେହିଭଳି ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ।

ତାଙ୍କ ଅମଳରେ ରମାକାନ୍ତ ରଥ ଥିଲେ ମୁଖ୍ୟକର୍ମଚାରୀ-ପରାମର୍ଶଦାତା।

ପ୍ରସିଦ୍ଧ କବି ଭାବରେ ଜଣା ଥିଲେ ବି ନନ୍ଦିନୀଙ୍କ ଶାସନକାଳରେ ସେ ନିଜକୁ ଦୃଶ୍ୟମାନ କରୁ ନ ଥିଲେ କେବେ।

ଠିକ୍ ସେମିତି ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୧୪ ବର୍ଷର ଶାସନକାଳ।

ତାଙ୍କର ଅ‌େନକ ପ୍ରଧାନ ଅମଲା ତ ଥିଲେ ମାତ୍ର ସଚିବାଳୟ ଅଳିନ୍ଦରେ ଆଲୋଚିତ ହେଉଥିଲେ ସୁଧାଂଶୁ ଭୂଷଣ ମିଶ୍ର ଓ ମଦନମୋହନ ପଣ୍ଡା।

ଏମାନଙ୍କୁ କେହି କେବେ ଦୃଶ୍ୟମାନ ହେବାର ଦେଖିନାହିଁ ସାଧାରଣ ସଭାମଞ୍ଚରେ।

ଏଠାରେ ଗୋଟିଏ ଘଟଣାର ଅବତାରଣା ଆବଶ୍ୟକ।

ଏକଦା ଜଣେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥାଆନ୍ତି ଜଣେ ସହାୟକ ଅମଲା।

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଟଙ୍କା ବାଣ୍ଟିବା ଥିଲା ତାଙ୍କ କାମ।

ଅତି ଭଦ୍ରଲୋକ।

ଖୁବ୍ ଉପକାରୀ।

ଦୁଃଖୀ, ରଙ୍କୀ, ଦୁସ୍ଥ, ଅଭାବୀ ଯିଏ ଦରଖାସ୍ତ କଲେ ତାଙ୍କ ମନ ତରଳେ।

ଏ ସୁଯୋଗରେ ତାଙ୍କ ଜନ୍ମସ୍ଥାନ ଅଞ୍ଚଳରୁ ବହୁ ଲୋକ ଉପକାର ପାଇଲେ।

ଢେର ଗୁଡ଼ାଏ ମୁଣ୍ଡିଆ, ଦଣ୍ଡବତ ମିଳିଲା ତାଙ୍କୁ।

ବାବୁଙ୍କର ଧାରଣା ହେଲା ସେ ଲୋକପ୍ରିୟ ହୋଇଗଲେଣି।

ଯେମିତି ଅବସର ନେଲେ ଧଡ଼୍‌କିନା ଠିଆ ହୋଇଗଲେ ନିର୍ବାଚନରେ।

ବିଚରା ଅମାନତ ହ‌େରଇଲେ।

ଆହୁରି ପଢ଼ନ୍ତୁ- Himachal Pradesh: ହିମାଚଳର ଲାହୌଲ-ସ୍ପିତିରେ ଭୂସ୍ଖଳନ; ଟ୍ୟାକ୍ସି ପୋତି ହୋଇ ୧୩ ମୃତ ମଞ୍ଚକୁ ଉଠିଲେ ଆପେ କେହି ନେତା ହୁଅନ୍ତି ନାହିଁ।

ଗୁମାସ୍ତା ସାରା ଜମିଦାରୀ ଉପରେ ହୁକୁମ୍ ବାହେଲ କରୁଥିଲେ ମଧ୍ୟ ଜମିଦାର ବୋଲାଇବା କ"ଣ ଏତେ ସହଜ!ନିକଟ ଅତୀତରେ ସେ କଥା ପୁଣି ପ୍ରମାଣିତ ହେଲା।

୨୦୦୦ରୁ ୨୦୨୪ ନବୀନବାବୁଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ଅନେକ ଟାଣୁଆ ଅମଲା ଥିଲେ।

୨୦୦୦ରୁ ୨୦୧୨ ବାବୁ ପ୍ୟାରୀମୋହନ ମହାପାତ୍ର, ୨୦୧୨ରୁ ୨୦୧୫ ବାବୁ ବିଜୟ କୁମାର ପଟ୍ଟନାୟକ, ଯୁଗଳ କିଶୋର ମହାପାତ୍ର, ଗୋକୁଳ ଚନ୍ଦ୍ର ପତି।

୨୦୧୭ରୁ ୨୦୨୪ ବାବୁ କାର୍ତ୍ତିକେୟନ ଭୈରବ ପାଣ୍ଡିଆନ୍।

ସମସ୍ତେ ପ୍ରସିଦ୍ଧ ଅମଲା।

ନବୀନଙ୍କ ପ୍ରଶାସନିକ ସଫଳତାର ଶ୍ରେୟ ଏମାନଙ୍କ ଗୁମାସ୍ତାଗିରିକୁ ହିଁ ଯିବ।

ପ୍ୟାରୀମୋହନ ଅବସର ପରେ ରହିଥିଲେ ମଧ୍ୟ ତାଙ୍କର ଥିଲା ଅମଲା ପରିଚୟ।

ପ୍ର‌ଥମେ ମଞ୍ଚ ଚଢ଼ି ଦୃଶ୍ୟମାନ ହୋଇଥିଲେ ସେ।

ବିଚରା କଚଡ଼ା ଖାଇ ତଳେ ପଡ଼ିଲେ।

ବିଜୟ କୁମାର, ଯୁଗଳ କିଶୋର, ଗୋକୁଳ ଚନ୍ଦ୍ର ଅମଲା ଥାଇ ମଞ୍ଚ ଚଢ଼ିବାକୁ ପ୍ରଚେଷ୍ଟା କରିନାହାନ୍ତି କେବେ।

ଅନ୍ୟ ପକ୍ଷରେ ବାବୁ କାର୍ତ୍ତିକେୟନ ପାଣ୍ଡିଆନ୍ ନିଜ ଅମଳରେ ଅଧିକରୁ ଅଧିକ ଦୃଶ୍ୟମାନ ହୋଇଥିଲେ।

ଲୋକପ୍ରିୟତାରେ ଖୁବ୍ ଉପରକୁ ଉଠିଥିଲେ ସେ।

ଲୋକେ କିନ୍ତୁ ଗ୍ରହଣ କଲେ ନାହିଁ ଏ ଦୃଶ୍ୟମାନତା।

ବିଜେଡି ଅବିଶ୍ବାସ୍ୟ ଭାବେ ଶାସନରୁ ଗଲା।ଗୁମାସ୍ତା-ଶାସନ ଆଢୁଆଳର ଶାସନ।

ପ୍ରତ୍ୟକ୍ଷ ହୋଇଗଲେ ପରିସ୍ଥିତି ବିଷମ ହେବାକୁ ବାଧ୍ୟ।

ତାହା ରାଜତନ୍ତ୍ର ହେଉ କି ଗଣତନ୍ତ୍ର।(ମତାମତ ଲେଖକଙ୍କ ନିଜସ୍ବ) dashbenhur.53@gmail.com ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।