Parliament : ସଂସଦରେ ପଞ୍ଚମ ଦିନ ଅଚଳାବସ୍ଥା ଜାରି; ଉଭୟ ସଦନ ସୋମବାର ପର୍ଯ୍ୟନ୍ତ ମୁଲତବୀ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ପଞ୍ଚମ ଦିନରେ ମଧ୍ୟ ଅଚଳାବସ୍ଥା ଜାରି ରହିିଥିଲା। ଆଜି ମଧ୍ୟ ଉଭୟ ସଦନରେ ନିଟ୍ ପ୍ରଶ୍ନପତ୍ର ଲିକ୍ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ବିରୋଧୀ ସାଂସଦଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଫଳରେ ଆସନ୍ତା ସୋମବାର ଦିନ ୧୧ଟା ପର୍ଯ୍ୟନ୍ତ ଉଭୟ ଲୋକସଭା ଓ ରାଜ୍ୟସଭା ମୁଲତବୀ ରହିଛି।
ମଧ୍ୟାହ୍ନ ଭୋଜନ ପରବର୍ତ୍ତୀ ସମୟରେ ରାଜ୍ୟସଭାରେ ‘ବନ୍ଦେ ମାତରମ୍’କୁ ଆଇନଗତ ସୁରକ୍ଷା ପ୍ରଦାନ କରିବା ପାଇଁ ଜାତୀୟ ସମ୍ମାନ ଅପମାନ ନିବାରଣ (ସଂଶୋଧନ) ବିଲ୍, ୨୦୨୬ ଆଗତ କରାଯାଇଥିଲା। ଲୋକସଭାରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ବିରୋଧୀ ଦଳକୁ ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଗୃହରେ ବିତର୍କ ହେବାକୁ ଦେବାକୁ ଅନୁରୋଧ କରିଥିଲେ ଓ କହିଥିଲେ ଯେ ସେମାନଙ୍କ ଦ୍ୱାରା କରାଯାଇଥିବା ଯେକୌଣସି ବାହାନା ଦେଶକୁ ଭୁଲ ସଙ୍କେତ ଦେବ। ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମରେ ଭିଡିଓ ବାର୍ତ୍ତା ଜାରି କରି ଶୁକ୍ରବାର କ୍ୟାବିନେଟ୍ ବୈଠକରେ ନିଟ୍ ପ୍ରଶ୍ନପତ୍ର ଲିକ୍ ସମ୍ପର୍କରେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଓ ଆସନ୍ତା ସପ୍ତାହରେ ସଂସଦରେ ଏକ ବିଲ୍ ଆଣିବେ ବୋଲି କହିଥିଲେ। ମଧ୍ୟାହ୍ନ ୧୨ଟାରେ ଲୋକସଭାରେ କାର୍ଯ୍ୟଧାରା ଆରମ୍ଭ ହେବା ପରେ ନିମ୍ନ ସଦନର ଅଧ୍ୟକ୍ଷତା କରୁଥିବା ଜଗଦମ୍ବିକା ପାଲ କହିଥିଲେ, ଲୋକସଭା ସଂଶୋଧିତ କାର୍ଯ୍ୟ ତାଲିକାରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖା ସମ୍ପର୍କିତ ସଂଶୋଧନ ବିଲ୍ ୨୦୨୬ ଉପରେ ବିତର୍କ ହେବାର ରହିଥିବା କହି ସଦସ୍ୟମାନଙ୍କୁ ଶାନ୍ତି ବଜାୟ ରଖିବାକୁ କହିଥିଲେ। ତେବେ ବିରୋଧୀ ସାଂସଦମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ତୀବ୍ର ହଟ୍ଟଗୋଳ ଜାରି ରଖିବାରୁ ମଧ୍ୟାହ୍ନ ୧୨ଟା ୨୨ ମିନିଟରେ ଲୋକସଭାକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।
ସେହିପରି ଅପରାହ୍ଣରେ ରାଜ୍ୟସଭାରେ ବନ୍ଦେ ମାତରମ୍ ବିଲ୍ ଉପସ୍ଥାପନ କରାଯିବା ପରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଏହାକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦାବି କରିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଗୃହ ବାହାରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଏକପାଖିଆ ମନ୍ କୀ ବାତ୍ କରିବା ଅପେକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂସଦରେ ବିବୃତି ରଖିବା କଥା। ଏହାସହିତ ଖଡ଼ଗେ କଠୋର ଶବ୍ଦରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆଜି ସଂସଦକୁ ଆସିବା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବହିଷ୍କାର କରନ୍ତୁ। ଛାତ୍ରମାନଙ୍କୁ କ୍ଷମା ମାଗନ୍ତୁ ଓ ଯେଉଁମାନେ ଛାତ୍ରମାନଙ୍କ ସ୍ବର ଦବେଇ ଦେବାକୁ ପୁଲିସକୁ ଛାତ୍ରମାନଙ୍କ ଉପରେ ଲାଠି ଓ ପେଲେଟ୍ ଗନ୍ ମାଡ଼ କରିଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ତା’ପରେ ଆମେ ଶିକ୍ଷାବ୍ୟବସ୍ଥା ଉପରେ ସବିଶେଷ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ।
ଅପରପକ୍ଷେ ଗୃହ ବାହାରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ତାଙ୍କ ନାଁ ଆଲୋଚନା କରିବାକୁ ନେବା ସତ୍ତ୍ବେ ତାଙ୍କୁ ଗୃହରେ କହିବାକୁ ଦିଆ ଯାଇନଥିଲା। ରିଜିଜୁ ତାଙ୍କ ନାଁ ନେବା ସହିତ ବିରୋଧୀ ସାଂସଦଙ୍କୁ କାର୍ଯ୍ୟ ଚାଲିବାକୁ ଦେବାକୁ ଅନୁରୋଧ କରିଥିଲେ। ପ୍ରେଟୋକଲ ଅନୁଯାୟୀ, ଯେତେବେଳେ ମୋ ନାଁ କହିବାକୁ ନିଆଯାଇଥିଲା ଓ ମୁଁ କହିବାକୁ ଚାହୁଥିଲି, କିନ୍ତୁ ମୋତେ କହିବାକୁ ଦିଆଯାଇ ନଥିଲା ବୋଲି ଗଣମାଧ୍ୟମକୁ ଲୋକସଭା ବିରୋଧୀ ଦଳ ନେତା କହିଛନ୍ତି। ଆଜି ମଧ୍ୟ ବିରୋଧୀ ଦଳ ସାଂସଦମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସଂସଦ ବାହାରେ ତୀବ୍ର ପ୍ରତିବାଦ କରିଥିଲେ। ଖଡ଼ଗେ ଅନ୍ୟ ସାଂସଦମାନଙ୍କ ସହିତ ପ୍ରତିବାଦରେ ଯୋଗ ଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।