Editorial: ଆଲୋକ ପଥର ଯାତ୍ରୀ: ସୁବ୍ରତ ବାଗ୍‌ଚୀଙ୍କ ସମ୍ପାଦକୀୟ କାଲି ପାଇଁ କଥାଟିଏ‌ରେ ପଢ଼ନ୍ତୁ ଏଥର...

Jun 11, 2026 - 20:33
Editorial: ଆଲୋକ ପଥର ଯାତ୍ରୀ: ସୁବ୍ରତ ବାଗ୍‌ଚୀଙ୍କ ସମ୍ପାଦକୀୟ କାଲି ପାଇଁ କଥାଟିଏ‌ରେ ପଢ଼ନ୍ତୁ ଏଥର...

"ଆଲୋକ ପଥର ଯାତ୍ରୀ ସୁବ୍ରତ ବାଗ୍‌ଚୀକାଲି ପାଇଁ କଥାଟିଏ କିଶୋର ରାଓଙ୍କ ଅନୁରୋଧ ରକ୍ଷା କରି ମୁଁ ଟ୍ରଷ୍ଟିମାନଙ୍କର ତିନିଦିନିଆ କର୍ମଶାଳା ପରିଚାଳନା କରିଥିଲି।

ଶେଷରେ ସେମାନଙ୍କୁ କର୍ଣ୍ଣାଟକ ବାହାରେ ଅନ୍ୟ ରାଜ୍ୟମାନଙ୍କରେ ଏଇଭଳି ସଂସ୍ଥାମାନ ଗଠନ କରିବା ପାଇଁ ଅନୁରୋଧ କରିଥିଲି।

ହେଲେ କଥା ସେଇଠି ରହିଯାଇଥିଲା।Advertisment ବାଙ୍ଗାଲୋରରେ ଘରୁ ଅଫିସ ଯିବା ରାସ୍ତାରେ ଆଖିରେ ପଡ଼େ "କରୁଣାଶ୍ରୟ"।

ମୁଁ ନିଜକୁ କହେ- ସଂସ୍ଥାଟିକୁ ଦେଖିବାକୁ ଯିବି ଦିନେ।

ହେଲେ ସୁଯୋଗ ମିଳୁ ନ ଥିଲା।

ହଠାତ୍‌ ଦିନେ ସେ ସୁଯୋଗ ମିଳିଗଲା।

କରୁଣାଶ୍ରୟର ପ୍ରତିଷ୍ଠାତା କିଶୋର ରାଓଙ୍କର ଇ-ମେଲ୍‌ଟିଏ ପାଇଲି।

କରୁଣାଶ୍ରୟର ଭବିଷ୍ୟତ ସଂଯୋଜନା ନେଇ ସେ ଗୋଟିଏ "ଭିଜନ୍‌" କାର୍ଯ୍ୟଶାଳା କରିବାକୁ ଚାହୁଁଛନ୍ତି।

ଏହି କାର୍ଯ୍ୟଶାଳାଟି ପରିଚାଳନା କରିବା ପାଇଁ ମୋତେ ଅନୁରୋଧ କରି ସେ ଇ-ମେଲ୍‌ଟି ଲେଖିଥିଲେ।

କିଶୋର ରାଓଙ୍କ ସହିତ ମୋର ବ୍ୟକ୍ତିଗତ ପରିଚୟ ନ ଥିଲା।

କିନ୍ତୁ କ୍ୟାନ୍‌ସର୍‌ ରୋଗୀମାନଙ୍କର ଶେଷାବସ୍ଥାରେ ତାଙ୍କ ସଂସ୍ଥା କିଭଳି ସେବା ଦିଏ, ସେ ସମ୍ପର୍କରେ ବାଙ୍ଗାଲୋରରେ ଅନେକ ଜାଣନ୍ତି।

ମୁଁ ମଧ୍ୟ ଶୁଣିଥିଲି।

୧୯୯୪ ମସିହାରେ କିଶୋର ରାଓ ଓ ତାଙ୍କର ବନ୍ଧୁ ଗୁରମିତ ରନ୍ଧାୱା କ୍ୟାନ୍‌ସର୍‌ର ଶେଷାବସ୍ଥାର ରୋଗୀମାନଙ୍କ ପାଇଁ ଗୋଟିଏ "ହସ୍‌ପିସ୍‌" ଆରମ୍ଭ କରିଥିଲେ।

ନାଁ ଦେଇଥିଲେ "କରୁଣାଶ୍ରୟ"।

ଦୁରାରୋଗ୍ୟ କ୍ୟାନ୍‌ସର୍‌ ରୋଗୀମାନଙ୍କର ଯେତେବେଳେ ଅଧିକ ଚିକିତ୍ସା କରାଇବାର ସମ୍ଭାବନା ରହେ ନାହିଁ, ସେତେବେଳେ ସେମାନଙ୍କର ଶେଷାବସ୍ଥାର ଯନ୍ତ୍ରଣାର ଉପଶମ କରେ "ହସ୍‌ପିସ୍‌"।

ଏଇ ରୋଗୀମାନେ ଅକଳନୀୟ ଶାରୀରିକ, ମାନସିକ ଯନ୍ତ୍ରଣା ଦେଇ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିଥାଆନ୍ତି।

କେତେକ କ୍ଷେତ୍ରରେ ଏ ଯନ୍ତ୍ରଣା ମାସ ମାସର; କେତେବେଳେ ପୁଣି କେଇ ଦିନର।

ଯେହେତୁ ଚିକିତ୍ସା ପଥ ଶେଷ, ସେମାନେ ଡାକ୍ତରଖାନାରେ ରହିପାରନ୍ତି ନାହିଁ।

ପରିବାରର ଲୋକମାନେ ଘରେ ରଖି ରୋଗୀର ଯନ୍ତ୍ରଣାର ଉପଶମ କରିପାରନ୍ତି ନାହିଁ।

ଏହିପରି କଷ୍ଟ ପାଉଥିବା ବ୍ୟକ୍ତିମାନଙ୍କ ଆସନ୍ନ ଓ ଅନିବାର୍ଯ୍ୟ ମୃତ୍ୟୁର ଯାତ୍ରାପଥକୁ ଶାନ୍ତିପ୍ରଦ କରିଥାଆନ୍ତି ତାଲିମପ୍ରାପ୍ତ ହସ୍‌ପିସ୍‌ର କର୍ମଚାରୀ।

ଆହୁରି ପଢ଼ନ୍ତୁ- Rajasthan Delegation ଓଡ଼ିଶାରେ ରାଜସ୍ଥାନର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ୧୯୬୭ ମସିହାରେ ଇଂଲାଣ୍ଡର ଜଣେ ନର୍ସ ଡେମ୍‌ ସିସେଲି ସଣ୍ଡର୍ସ ଏଭଳି ହସ୍‌ପିସ୍‌ର ପ୍ରଥମ ପରିକଳ୍ପନା କରିଥିଲେ।

ଏବେ ବିଶ୍ବର ବିଭିନ୍ନ ଉନ୍ନତ ଦେଶରେ ହସ୍‌ପିସ୍‌ ବିଷୟରେ ଅନେକ ଲୋକ ଜାଣନ୍ତି।

କିନ୍ତୁ ଭାରତରେ ଅଧିକାଂଶଙ୍କର ଏ ବିଷୟରେ ଧାରଣା ନାହିଁ।

ବାଙ୍ଗାଲୋରରେ ଏଇଭଳି ସଂସ୍ଥାଟିଏ ଆରମ୍ଭ କରିଥିଲେ କିଶୋର ଓ ଗୁରମିତ।

କରୁଣାଶ୍ରୟ।

କର୍ଣ୍ଣାଟକ ସରକାର ଜମି ଦେଇଥିଲେ।

ବଦାନ୍ୟ ସଂସ୍ଥା ଓ ବ୍ୟକ୍ତିମାନଙ୍କ ସହାୟତାରେ ଗଢ଼ି ଉଠିଥିଲା ବିଶ୍ବସ୍ତରୀୟ ଅନୁଷ୍ଠାନଟି।

କିଶୋର ରାଓଙ୍କ ଅନୁରୋଧ ରକ୍ଷା କରି ମୁଁ ଟ୍ରଷ୍ଟିମାନଙ୍କର ତିନିଦିନିଆ କର୍ମଶାଳା ପରିଚାଳନା କରିଥିଲି।

ଶେଷରେ ସେମାନଙ୍କୁ କର୍ଣ୍ଣାଟକ ବାହାରେ ଅନ୍ୟ ରାଜ୍ୟମାନଙ୍କରେ ଏଇଭଳି ସଂସ୍ଥାମାନ ଗଠନ କରିବା ପାଇଁ ଅନୁରୋଧ କରିଥିଲି।

ହେଲେ କଥା ସେଇଠି ରହିଯାଇଥିଲା।

୨୦୧୬ରେ ମୁଁ ଓଡ଼ିଶା ଆସିଲି।

ଦିନେ ଜଣେ ପରିଚିତ ଭଦ୍ରବ୍ୟକ୍ତି ମୋତେ ଫୋନ୍‌ କଲେ।

ଆଚାର୍ଯ୍ୟ ହରିହର କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ରେ ଜଣେ ଆତ୍ମୀୟଙ୍କ ପାଇଁ ବେଡ୍‌ଟିଏ ଦରକାର।

କାହାକୁ କହି ମୁଁ ବେଡ୍‌ଟିଏର ବ୍ୟବସ୍ଥା କରେଇ ଦେଇପାରିବି କି?

ମୁଁ ରୋଗୀଙ୍କ ବିଷୟରେ ପଚାରିଲି।

ବୟସ ଅଶୀ, କ୍ୟାନ୍‌ସର୍‌ର ଚତୁର୍ଥ ଷ୍ଟେଜ୍‌।

ଡାଏବେଟିସ୍‌ ଓ ବ୍ଲଡ୍‌ପ୍ରେସର୍‌ ମଧ୍ୟ ଅଛି।

ଡାକ୍ତରମାନେ କହି ଦେଇଛନ୍ତି ଯେ ସେମାନଙ୍କର ଆଉ କିଛି କରିବାର ନାହିଁ।

ଏଭଳି ରୋଗୀଙ୍କୁ ଗୋଟିଏ ବେଡ୍‌ରେ ରଖିବା ଅର୍ଥ ଅନ୍ୟ ଜଣେ ସମ୍ଭାବ୍ୟ କମ୍‌ ବୟସର ରୋଗୀକୁ ଚିକିତ୍ସାରୁ ବଞ୍ଚିତ କରିବା।

ଦ୍ବିତୀୟ ରୋଗୀଟି ହୁଏତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରି ନିଜ ସଂସାର ଦାୟିତ୍ବ ତୁଲାଇ ପାରିବ।

ନୈତିକତା ଦୃଷ୍ଟିରୁ କ"ଣ ପ୍ରଥମ ରୋଗୀକୁ ତା"ହେଲେ ଗୋଟିଏ ବେଡ୍‌ ଦେବା ଉଚିତ?

କିନ୍ତୁ ଘରେ ପ୍ରଥମ ରୋଗୀଟିର ସେବା କରିବ କିଏ?

ଯନ୍ତ୍ରଣାର ଉପଶମ କ"ଣ ପରିବାରର ଲୋକ କରିପାରିବେ?

କଥାଟି ସେଦିନ ମୋତେ ଆନ୍ଦୋଳିତ କରିଥିଲା।

ସହଧର୍ମିଣୀ ସୁସ୍ମିତାଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା କଲି।

ଆମେ ଦୁଇ ଜଣ ସ୍ଥିର କଲୁ, କରୁଣାଶ୍ରୟକୁ ଓଡ଼ିଶା ଆସିବା ପାଇଁ ଅନୁରୋଧ କରିବୁ।

ହେଲେ ଏଭଳି ସଂସ୍ଥା ସ୍ଥାପନ କରିବା ବହୁ ଖର୍ଚ୍ଚ-ସାପେକ୍ଷ।

ହସ୍‌ପିସ୍‌ ନିର୍ମାଣର ଖର୍ଚ୍ଚ ତ ରହିଛି।

ତା" ସହିତ ଯୋଡ଼ି ହୋଇଯାଏ ରୋଗୀର ଖର୍ଚ୍ଚ।

ହାରାହାରି ୧୪ ଦିନର ରହଣି, ପଥି, ଚିକିତ୍ସା ପାଇଁ ଜଣେ ରୋଗୀର ଆବଶ୍ୟକ ପ୍ରାୟ ଚାଳିଶ ହଜାର ଟଙ୍କା।

ଆନନ୍ଦର କଥା, ଟଙ୍କା ଏକାଠି ହେଲା।

ଓଡ଼ିଶା ସରକାର ବିନା ମୂଲ୍ୟରେ ଜମି ଦେଇଦେଲେ।

ଦୁଇ ବର୍ଷ ତଳେ ଭୁବନେଶ୍ବର ଉପକଣ୍ଠରେ ଗଢ଼ିଉଠିଲା "ବାଗ୍‌ଚୀ-କରୁଣାଶ୍ରୟ ପ୍ୟାଲିଏଟିଭ୍‌ କେଆର୍‌ ସେଣ୍ଟର୍‌"।

୧୧୦ ଶଯ୍ୟା ବିଶିଷ୍ଟ ବିଶ୍ବସ୍ତରୀୟ ହସ୍‌ପିସ୍‌ଟିଏ।

ଶାନ୍ତ କମନୀୟ ପରିବେଶରେ ସବୁ ଦୁଃଖ ଯନ୍ତ୍ରଣାକୁ ଭୁଲାଇ ଦେବା ପରି ସୁନ୍ଦର ସ୍ଥାପତ୍ୟଟି ଆଜି ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ।

ଏହି ସଂସ୍ଥାର ଡାକ୍ତର, ନର୍ସ, କାଉନ୍‌ସେଲର୍‌ମାନେ କହନ୍ତି ଯେ ଶେଷ ଜୀବନର ସେବା ଉପଶମ ପାଇଁ ପ୍ରତ୍ୟେକଟି ବ୍ୟକ୍ତିଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହିତ ଦେଖିବାକୁ ହୋଇଥାଏ।

ଜୀବନ ଓ ଆସନ୍ନ ମୃତ୍ୟୁ ମଝିରେ ଥିବା ଦିନଗୁଡ଼ିକ ଅତ୍ୟନ୍ତ ସମ୍ବେଦନଶୀଳ।

ଆଶଙ୍କାମୁକ୍ତ ହୋଇ ପାର୍ଥିବ ଜଗତକୁ ବିଦାୟ ଦେବା ପାଇଁ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଶାନ୍ତି ଆବଶ୍ୟକ।

ଏହିଭଳି ପରିବେଶ ସୃଷ୍ଟି କରିବା ପାଇଁ ଏହି ଅନୁଷ୍ଠାନର ସଦସ୍ୟମାନେ ପ୍ରତିଟି ରୋଗୀର ଜୀବନ କାହାଣୀ ଜାଣିବାକୁ ଚେଷ୍ଟା କରନ୍ତି।

ଜାତି, ଧର୍ମ, ବର୍ଣ୍ଣ ତଥା ଆର୍ଥିକ-ସଂଗତି ନିର୍ବିଶେଷରେ ବିନା ମୂଲ୍ୟରେ ସେବା ପ୍ରଦାନ କରନ୍ତି।

ଚେଷ୍ଟା କରନ୍ତି, ରୋଗୀମାନଙ୍କୁ ପାର୍ଥିବ ବନ୍ଧନରୁ ମୁକ୍ତ କରି ପ୍ରଶାନ୍ତ ମନରେ ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ କରିବାକୁ।

ପ୍ରତିଷ୍ଠା ପରେ "ବାଗ୍‌ଚୀ କରୁଣାଶ୍ରୟ"ର ସଦସ୍ୟମାନେ ଆଜି ପର୍ଯ୍ୟନ୍ତ ହଜାର ହଜାର ରୋଗୀଙ୍କ ଘରକୁ ଯାଇ ସେମାନଙ୍କର ଉପଚାର କରୁଛନ୍ତି, ଯନ୍ତ୍ରଣାର ଉପଶମ କରିଆସିଛନ୍ତି।

ଏହାଛଡ଼ା ବାର ଶହ ରୋଗୀ ଏହି ହସ୍‌ପିସ୍‌ର ସୁନ୍ଦର ପରିବେଶରେ ରହି ସେମାନଙ୍କର ଶେଷ କେତୋଟି ଦିନ ଯନ୍ତ୍ରଣାମୁକ୍ତ ଭାବରେ ଓ ଶାନ୍ତିରେ କଟାଇ ପାରିଛନ୍ତି।

କେବଳ ଭୁବନେଶ୍ବର କଟକରୁ ନୁହଁ, କିଏ ଆସିଛି ସୁଦୂର ମାଳ ଅଞ୍ଚଳରୁ ତ କିଏ ପୁଣି ଆଖପାଖ ପ୍ରଦେଶରୁ।

ଆହୁରି ପଢ଼ନ୍ତୁ- BSF BGB standoff: ନୋ-ମ୍ୟାନ୍ସ ଲ୍ୟାଣ୍ଡରେ ଫସିଲେ ବାଂଲାଦେଶୀ ବୃଦ୍ଧ, ପରେ ସମାଧାନ କିଛି ଦିନ ତଳେ ଏହିପରି ଜଣେ ବ୍ୟକ୍ତିଙ୍କ ଜୀବନର ଅସାଧାରଣ କାହାଣୀ ମୁଁ ଶୁଣିଲି।

ସେତେବେଳେ ତାଙ୍କର ବୟସ ପଚାଶରୁ କମ୍‌।

ବାପାମା" ଚାକିରି ସୂତ୍ରରେ କେରଳରୁ ଓଡ଼ିଶାକୁ ଆସିଥିଲେ।

ବସବାସ କରି ରହିଗଲେ।

ଧାର୍ମିକ ଖ୍ରୀଷ୍ଟିଆନ ପରିବାର।

ଏବେ ବାପାମା" ଆଉ ନାହାନ୍ତି।

ଭାଇଭଉଣୀମାନେ ପାଠଶାଠ ପଢ଼ି ନିଜ ନିଜ ସଂସାରରେ ବ୍ୟସ୍ତ।

ଏହି ବ୍ୟକ୍ତି ଜଣକ କିନ୍ତୁ ସଂସାର ଗଢ଼ି ନ ଥିଲେ।

ପିଲାଦିନରୁ ଚିତ୍ରକଳା ପ୍ରତି ଅନୁରକ୍ତି ଥିଲା।

ତାକୁ ଇ ବୃତ୍ତି କରି ନେଇ ଏକା ରହୁଥିଲେ।

ବିଭିନ୍ନ ଧର୍ମର ପୂଜାପାର୍ବଣ ପାଇଁ ମେଢ଼ ତିଆରି କରିବାରେ, ତାକୁ ସଜାଇବାରେ ଓ ଚିତ୍ର ଆଙ୍କିବାରେ ତାଙ୍କର ଜୀବନ ସୁନ୍ଦର ଭାବରେ କଟି ଯାଉଥିଲା।

ଦିନେ ଜଣାପଡ଼ିଲା ତାଙ୍କର କ୍ୟାନ୍‌ସର୍‌।

ଚାହୁଁ ଚାହୁଁ ଶେଷ ଅବସ୍ଥାରେ ପହଞ୍ଚିଗଲେ ସେ।

ସେତିକି ବେଳେ ସେ ଆସି ପହଞ୍ଚିଥିଲେ "ବାଗ୍‌ଚୀ-କରୁଣାଶ୍ରୟ"ରେ।

ଜାଣି ପାରିଥିଲେ ଯେ ତାଙ୍କର ଜୀବନକାଳ ସମାପ୍ତ ହୋଇଆସୁଛି।

ଗଭୀର ଅବସାଦରେ ବୁଡ଼ିଯାଇ ଚୁପ୍‌ ହୋଇଯାଇଥିଲେ ସେ।

ନିଜ ଭିତରେ ରହୁଥିଲେ।

ତାଙ୍କୁ ଅବସାଦମୁକ୍ତ କରିବା ପାଇଁ ନର୍ସମାନେ ଦିନେ ରଙ୍ଗତୁଳୀ ଆଣିଦେଲେ।

ତା" ପରେ ଦେଖାଗଲା ଯେ ସେ କେବଳ ଶ୍ରୀମନ୍ଦିରର ଛବି ଆଙ୍କି ଚାଲିଛନ୍ତି।

ହଠାତ୍‌ ଦିନେ ସେ ଗୋଟିଏ ଭଜନ ଶୁଣିବା ପାଇଁ ଚାହିଁଲେ।

ଭଜନଟି ଏଇଭଳି:""କାଳିଆରେ, ମନ ବୋଲି ତୋର କିଛି ନାହିଁମନକୁ ତୋହର ଗୋପ ଗଉଡୁଣୀରାଧିକା ଯାଇଛି ନେଇ"" ଇହ ଜୀବନର ସବୁ ଲୀଳା ଶେଷ ହୋଇଯିବ।

କେତେ ଧର୍ମର, କେତେ ଦେବଦେବୀଙ୍କର ମଉଡ଼, ମେଢ଼ ତିଆରି କରିଥିବା, ଅଥଚ ନିଜେ କେବେହେଲେ ସିଂହଦ୍ବାର ଅତିକ୍ରମ କରି ପାରି ନ ଥିବା ଖ୍ରୀଷ୍ଟିଆନ ଭକ୍ତଟି କହୁଛି, ଠାକୁର, ତୋର ମନ ବୋଲି କିଛି ନାହିଁ।

ମନ ଥିଲେ ତୁ ନିଶ୍ଚୟ ମୋ ମନ କଥା ଜାଣିପାରନ୍ତୁ।

ତାଙ୍କ ପାଇଁ ଭଜନର ବ୍ୟବସ୍ଥା କରାଗଲା।

ଆଖି ବନ୍ଦ କରି ବିଭୋର ମନରେ ସେ ଭଜନଟି ଶୁଣିଲେ।

ଆଖିରୁ ଧାର ଧାର ଲୁହ ବୋହିଗଲା।

ଏ ଘଟଣାର ଅଳ୍ପ ଦିନ ଭିତରେ ସେ ଚିରଦିନ ପାଇଁ ଚାଲିଗଲେ ଆଲୋକ ପଥର ଯାତ୍ରୀ ହୋଇ। (ମତାମତ ଲେଖକଙ୍କ ନିଜସ୍ବ) ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।