Loot case ଠିକାଦାରଙ୍କୁ ମାଡ଼ ମାରି କାର୍‌ ଲୁଟ୍‌ ମାମଲା: ୩ ନାବାଳକ ସମେତ ୬ ଗିରଫ

Jun 11, 2026 - 20:33
Loot case ଠିକାଦାରଙ୍କୁ ମାଡ଼ ମାରି କାର୍‌ ଲୁଟ୍‌ ମାମଲା: ୩ ନାବାଳକ ସମେତ ୬ ଗିରଫ

"ସୁନ୍ଦରଗଡ଼ (ଡମ୍ବରୁଧର ନାୟକ):  ହେମଗିର ଥାନା ଅଞ୍ଚଳରେ ଠିକାଦାରଙ୍କୁ ମାଡ଼ ମାରି କାର୍‌ ଲୁଟ୍‌ ମାମଲରେ ଖୋଳତାଡ଼ କରି ପୁଲିସ ୩ ଜଣ ନାବାଳକଙ୍କ ସମେତ ୬ ଜଣ ପେଷାଦାର ଅପରାଧୀଙ୍କୁ ଧରିଛି।

ସେମାନଙ୍କ ନାମରେ ପୂର୍ବରୁ ଏକାଧିକ ବାଇକ୍‌ ଚୋରି, ଡକାୟତି ଆଦି ମାମଲା ରହିଥିବା ଜଣାଯାଇଛି।

Advertisment ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ୩ ନାବାଳକଙ୍କ ବ୍ୟତୀତ ଅନ୍ୟ ଅଭିଯୁକ୍ତମାନେ ହେଲେ ହେମଗିର କରନ ଦାସ (୨୦), ଅଭିଜିତ କଉଡ଼ି ଓରଫ୍‌ ପ୍ରଧାନ (୨୦), ପ୍ରେମରାଜ ଭୋଇ (୨୦)।

ମାମଲାର ବିବରଣୀ, ହେମଗିର ଥାନା ଟପରିଆରେ ନିର୍ମାଣ କାମ କରୁଥିବା ଠିକାଦାର ଯଜ୍ଞ ସିଂ ୬ ତାରିଖ ରାତିରେ କାର୍ଯ୍ୟସ୍ଥଳରୁ ନିଜ କାର୍‌ ଯୋଗେ ଗର୍ଜନବାହାଲ ଘରକୁ ଫେରୁଥିଲେ।

ଘରଠାରୁ ମାତ୍ର ୨ ଶହ ମିଟର ପୂର୍ବରୁ ଅଭିଯୁକ୍ତମାନେ ବାଇକ୍‌ ଷ୍ଟାର୍ଟ ହେଉ ନଥିବା କହି କାର୍‌କୁ ଅଟକାଇଥିଲେ।

ସାହାଯ୍ୟ କରିବାକୁ ଠିକାଦାର କାର୍‌ରୁ ଓହ୍ଲାଇବା କ୍ଷଣି ଜଣେ ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ଏକ ବାଡ଼ିରେ ଶକ୍ତ ପ୍ରହାର କରିଥିଲା।

ଅନ୍ୟମାନେ ମଧ୍ୟ ତାଙ୍କୁ ନିସ୍ତୁକ ପିଟିଥିଲେ।

ଯଜ୍ଞ ସିଂ ଲହୁଲୁହାଣ ହୋଇ ଜୀବନ ବିକଳରେ କାର୍‌କୁ ଛାଡ଼ି ଗାଁ ଆଡ଼କୁ ଦୌଡ଼ି ପଳାଇଥିଲେ।

ଦୁର୍ବୃତ୍ତମାନେ କାର୍‌ ଓ କାର୍‌ରେ ଥିବା ଲକ୍ଷାଧିକ ଟଙ୍କା ଓ ମୋବାଇଲ୍‌ ନେଇ ଫେରାର ମାରିଥିଲେ।

ଏନେଇ ଗାଁ ଲୋକଙ୍କଠାରୁ ସୂଚନା ପାଇବା କ୍ଷଣି ପୁଲିସ ନାକାବନ୍ଦି କରିଥିଲା।

ଏହା ଜାଣି ପାରି ଦୁର୍ବୃତ୍ତମାନେ ସେଠାରୁ ୮୦ କିଲୋମିଟର ଦୂର ସମରଡିହି ଜଙ୍ଗଲ ରାସ୍ତାରେ କାର୍‌ ଓ ମୋବାଇଲ୍‌ ଛାଡ଼ି ପଳାଇ ଯାଇଥିଲେ।

ଏହା ପୂର୍ବରୁ ୩ ତାରିଖରେ କନିକାରୁ ଏକ ହିରୋ ଡିଲକ୍ସ ବାଇକ୍‌ ଚୋରି କରିବା ପରେ ୬ ତାରିଖରେ ଜଣକୁ ଆକ୍ରମଣ କରି ଏକ ହୋଣ୍ଡା ଲିଭୋ ବାଇକ୍‌ ଲୁଟି ନେଇଥିଲେ।

ଏ ନେଇ ହେମଗିର ଥାନାରେ ୩ଟି ମାମଲା ରୁଜୁ ହୋଇଥିଲା।

ଏସ୍‌ପି ଅମ୍ରିତପାଲ କୌରଙ୍କ ନିର୍ଦ୍ଦେଶରେ ଅପରାଧୀ ଗୋଷ୍ଠୀଙ୍କୁ ଧରିବାକୁ ୩ଟି ସ୍ବତନ୍ତ୍ର ପୁଲିସ ଦଳ ଗଠନ କରାଯାଇଥିଲା।

ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‌, ଗୁଇନ୍ଦା ଓ ବୈଷୟିକ ସୂଚନା ଆଧାରରେ ସମସ୍ତଙ୍କୁ ଧରିଥିଲା।

ସେମାନଙ୍କଠାରୁ ଲୁଟ୍‌ ହୋଇଥିବା ଠିକାଦାରଙ୍କ କାର୍‌, ୨ଟି ବାଇକ୍‌, ଏକ ନମ୍ବର ବିହୀନ ବଜାଜ ପଲ୍‌ସର ବାଇକ୍‌, ୫ଟି ମୋବାଇଲ ଫୋନ୍‌, ଧାରୁଆ ଛୁରୀ, ୪ଟି ଲୁହାବଳା, ଗୋଟିଏ ପିସ୍ତଲ ଜବତ ହୋଇଛି।

୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୩ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି।

ଅଭିଯୁକ୍ତଙ୍କ ମଧ୍ୟରୁ କରନ ଦାସଙ୍କ ନାମରେ ହେମଗିର ଥାନାରେ ଗୋଟିଏ ମାମଲା, ଅଭିଜିତ କଉଡ଼ିଙ୍କ ନାମରେ ଲେଫ୍ରିପଡ଼ା ଓ ଭଷ୍ମା ଥାନାରେ ୬ଟି ମାମଲା, ଜଣେ ନାବାଳକଙ୍କ ନାମରେ ଲେଫ୍ରିପଡ଼ା ଓ ଭଷ୍ମା ଥାନାରେ ୩ଟି ମାମଲା ରହିଛି।

ଏମାନେ ଆଉ କେଉଁଠି, କେଉଁ ଅପରାଧରେ ଜଡ଼ିତ ଅଛନ୍ତି, ସେ ସମ୍ପର୍କରେ ପୁଲିସ ଅଧିକ ଯାଞ୍ଚ ଚଲାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।