06 JUNE 2026

Welcome!

Unlock your personalized experience.
Sign Up

Editorial: ଅସର୍ପା: ଶ୍ୟାମାପ୍ରସାଦ ଚୌଧୁରୀଙ୍କ ସମ୍ପାଦକୀୟ ଯାହା ମୁଁ ଚିନ୍ତଇରେ ପଢ଼ନ୍ତୁ ଏଥର...

Jun 03, 2026 - 19:18
Editorial: ଅସର୍ପା: ଶ୍ୟାମାପ୍ରସାଦ ଚୌଧୁରୀଙ୍କ ସମ୍ପାଦକୀୟ ଯାହା ମୁଁ ଚିନ୍ତଇରେ ପଢ଼ନ୍ତୁ ଏଥର...

ଅସର୍ପା

ଶ୍ୟାମାପ୍ରସାଦ ଚୌଧୁରୀ
ଯାହା ମୁଁ ଚିନ୍ତଇ

ଗ୍ରୀକ୍ ବିଜ୍ଞାନୀ ଆର୍କିମେଡିସ୍ କହିଥିଲେ, ଛିଡ଼ା ହେବା ପାଇଁ ମୋତେ ଏକ ଅଲଗା ଜାଗା ଏବଂ ଧରିବା ପାଇଁ ଗୋଟେ ଶକ୍ତ ବାଡ଼ି ଦିଅ, ମୁଁ ସମୁଦାୟ ପୃଥିବୀକୁ ଓଲଟେଇ ଦେବି।
କିଛି ବି ସ୍ଥିରୀକୃତ ଧାରଣାକୁ ବିରୋଧାତ୍ମକ ଭାବରେ ଓଲଟେଇ ଦେବା ବୋଧେ ମଣିଷର ପ୍ରାଚୀନତମ ଇଚ୍ଛା ଭିତରୁ ଗୋଟେ। ତା’ ପଛର ତାତ୍‌କାଳିକ ତର୍କ ଯାହା ବି ହେଇ ଥାଉ ନା କାହିଁକି, ସବୁ ଧାରଣା ଯୁକ୍ତିସଙ୍ଗତ ହେବା, କିନ୍ତୁ ଜରୁରି। ଅବଶ୍ୟ ମଣିଷର ପରିକଳ୍ପନା ହେଉଛି ସବୁବେଳେ ସେଇ ଏକା ଛିଡ଼ା ହେବାକୁ ଥିବା ଅନ୍ୟ ଜାଗା ଓ ଲମ୍ବା ବାଡ଼ିଟି ହେଉଛି ଶବ୍ଦ।

ଏବେ ଦେଖିଲି, ସମାଜର ଯେଉଁ ଉପେକ୍ଷିତ ବର୍ଗର ଲୋକଙ୍କୁ ପରଜୀବୀ ଓ ଅସର୍ପା ଭଳି କିଛି ଶବ୍ଦରେ କେହି, ମାନବରୁ ମାନବେତର କରି କହିବା ଦ୍ବାରା, ମୁଁ ଯଦି ଭୀଷଣ ଅପମାନିତ ବୋଧ କରୁଛି, ଠିକ୍ ସେଇ ଶବ୍ଦକୁ ହିଁ ବ୍ୟବହାର କରି ନିଜେ କେମିତି ଏକ ଗୋଷ୍ଠୀଟିଏ ପୁଣି ଗଢୁଛି? ପୁଣି ସମସ୍ତଙ୍କୁ ଆହ୍ବାନ ବି କରୁଛି, ସେଥିରେ ଯୋଗ ଦେବା ପାଇଁ! ଭାବିବା କଥା, ଏହା ଫଳରେ ମୁଁ ନିଜେ କ’ଣ ପରୋକ୍ଷରେ ସମସ୍ତଙ୍କୁ ସେଇଆ ବୋଲି କହୁ ନାହିଁ କି!

ପୂର୍ବ ଧାରଣାରେ ଚଳୁଥିବା ଆମର ଉଭୟ ବାହାରର ଓ ଭିତରର ପୃଥିବୀକୁ, ଯେଉଁଭଳି ଭାବରେ ଓଲଟେଇ ଦିଆଯିବାର ଇଚ୍ଛା ଥାଉ ନା କାହିଁକି, ଏଭଳି ଭାବିବା କିନ୍ତୁ, ମୋ ମତରେ ଭ୍ରମାତ୍ମକ। କାହିଁକି ଅବା ଭାବି ପାରୁନି ଯେ, ଅନ୍ୟମାନଙ୍କୁ ସେଇ ଶବ୍ଦରେ ମୁଁ ନିଜେ ହିଁ ଠିକ୍ ସେଇଭଳି ଏକାକାର କରିଦେଉଛି! ଅନ୍ୟ ସମସ୍ତଙ୍କର ଅଘୋଷିତ ପ୍ରତିନିଧି ହେବାର ଅଗ୍ରାଧିକାର ମୋତେ ଦେଉଛି ପୁଣି କିଏ? 

ଆହୁରି ପଢ଼ନ୍ତୁ- Kuwait Airport: କୁଏତ ବିମାନବନ୍ଦର ଉପରେ ଇରାନର ମିସାଇଲ ମାଡ଼

ଅସର୍ପା ଶବ୍ଦ ହିଁ ମୋତେ ବେଶୀ ଘାରିଛି। ଗତ ଶତାବ୍ଦୀର ‘ଚିକାନୋ’ ଆନ୍ଦୋଳନ ସହ ସିଧାସଳଖ ସଂପୃକ୍ତ ଓକିଲ ଅସ୍କାର ଜିଟା ଆକୋଷ୍ଟାଙ୍କର ୧୯୭୩ର ଗୋଟେ ଉପନ୍ୟାସ ‘ଦ ରିଭୋଲ୍‌ଟ ଅଫ କକରୋଚ୍ ପିପଲ୍’ ମୁଣ୍ଡକୁ ଆସୁଛି। ତାହା ଥିଲା, ଆମେରିକାରେ ଥିବା ମୂଳ-ମେକ୍‌ସିକୀୟ ଲୋକଙ୍କର ଗୋଟେ ବିଶାଳ ଜନାଧିକାର ଆନ୍ଦୋଳନ ସଂପର୍କରେ ସୃଜନାତ୍ମକ ସ୍ମୃତିଚାରଣ। ବିପ୍ଳବ ପୂର୍ବର ଆତ୍ମ-ବିଭୋର ଅଥବା ଆତ୍ମ-ବିସ୍ମୃତ ପ୍ରତିକ୍ରିୟା ନୁହେଁ। ମେକ୍‌ସିକୀୟ ଲୋକେ ଅସର୍ପା ପରି ଘୃଣ୍ୟ ଜୀବନ ସତରେ ଜିଉଥିଲେ କି ନାହିଁ, ଏ କଥା ଆମେରିକୀୟ ମାନସିକତାରୁ ବୁଝିବା କଷ୍ଟ। ସେମାନଙ୍କୁ ତାଚ୍ଛଲ୍ୟ କରି କେହି କହି ନ ଥିଲେ। ବରଂ, ନିଜେ ସେମିତି ଅନୁଭବ କରିଥିଲେ, ନିଜର ତୁଚ୍ଛ ଅସ୍ତିତ୍ବକୁ। ‘ଲା କୁକାରାଚା’। 

୨୦୧୯ରେ ଇଉରୋପରେ ‘ବ୍ରେକ୍‌ସିଟ୍’ ପୂର୍ବର ଇଂଲାଣ୍ଡର ସାର୍ବଭୌମତ୍ବ ନାଁରେ ଆତ୍ମଘାତୀ ଏକ ଅର୍ଥନୈତିକ ଏକୁଟିଆପଣର ଚିନ୍ତାଧାରାକୁ ଥଟ୍ଟା କରି ଲେଖକ ଇୟନ୍ ମାକ୍-ଇୱାନ୍ ଲେଖିଥିଲେ ଉପନ୍ୟାସିକାଟିଏ। ‘ଦ କକରୋଚ୍’। ସେଥିରେ, ଅସର୍ପାଟିଏ, ଇଂଲାଣ୍ଡର ପ୍ରଧାନମନ୍ତ୍ରୀ ଜିମ୍ ସାମ୍‌ସକୁ ‘ରୂପାନ୍ତରିତ’ ହେଇଯାଉଛି ଏବଂ ଦେଖୁଛି, ଅନ୍ୟ କେତୋଟି ଅସର୍ପା ମଧ୍ୟ ସେଭଳି ବଦଳିଯାଇ କ୍ୟାବିନେଟରେ ଅଛନ୍ତି। ଏ କଥା ଯେତେ ବେଶୀ କାଫ୍‌କାଙ୍କ ‘ମେଟାମରଫୋସିସ୍’ ଉପନ୍ୟାସିକାର ପାଲଟା ଚିନ୍ତାଧାରା (ଯେଉଁ ଲେଖାରେ ଗ୍ରେଗୋର ସାମସା ରୂପାନ୍ତରିତ ହୋଇଯାଇଛି ଏକ ଅତିକାୟ ପତଙ୍ଗରେ) ଭାବରେ ପ୍ରସିଦ୍ଧି ପାଇଛି, ତା’ଠୁ ଅଧିକ ଅନାଦୃତି ପାଇଛି, ‘ରିଭର୍ସାଲିଜିମ୍’ ନାମକ ଗୋଟେ ଅଜବ ଅର୍ଥନୈତିକ ଫର୍ମୁଲାର କ୍ରୂର କଟାକ୍ଷ ଭାବରେ। ଗପରେ, ‘ଅର୍ଥର ପାଲଟା ପ୍ରବାହ’ ନିୟମରେ, ଭୃତ୍ୟ ମାଲିକକୁ ଓ ବିକାଳି କିଣାଳିକୁ ପଇସା ଦେଉଛି।

ମଣିଷ ହେଉଛି ଏକମାତ୍ର ଜୀବ, ଯିଏ ଥରେଥରେ, କେବଳ ଅନ୍ୟକୁ ନୁହେଁ, ନିଜକୁ ମଧ୍ୟ ‘ଆଉ କିଛି’ ଭାବରେ ଦେଖେ। କେବେ ନିଜକୁ, ନିଜଠାରୁ ବଡ଼ ଓ ଶକ୍ତିଶାଳୀ ଈଶ୍ବର ବୋଲି ଚିନ୍ତା କରିପାରେ, ତ ଆଉ କେବେ ତାକୁ ହିଁ ମାନବେତର ଜୀବ ଭାବରେ କଳ୍ପନା କରିଥାଏ। ବିଷ୍ଣୁଙ୍କୁ ମାଛ, କଇଁଛ, ବାର୍‌ହା କରିଦିଏ। ଅନ୍ୟ କାହାକୁ ବୁଢ଼ିଆଣି, ତ କାହାକୁ ହରିଣ କରିଦେଇ କାହାଣୀ କହେ। କାଫ୍‌କାଙ୍କ କଳ୍ପନାରେ ତ ମଣିଷ ଏମିତି ଗୋଟେ ବଡ଼ ଓ ନାମହୀନ ପୋକ ହେଇଯାଇଛି ଯେ, ତାହା ଆଉ ପୂର୍ବାବସ୍ଥାକୁ ଫେରି ଆସିପାରି ନାହିଁ! ବୁଦ୍ଧିଜୀବୀମାନେ ବି କୋଉ ଫେରି ପାରିଛନ୍ତି, କାଫ୍‌କାଙ୍କ କାହାଣୀ ପଢ଼ିଲା ପରେ, ନିଜର ବୌଦ୍ଧିକ ପୂର୍ବାବସ୍ଥାକୁ!

ଆହୁରି ପଢ଼ନ୍ତୁ- PM Modi: ଜୁନ୍‌ ୧୦ରେ ମୋଦୀ ହେବେ ଦେଶର ସର୍ବାଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ

ସତରେ ଆମେ ମୁହୂର୍ତ୍ତରୁ ମୁହୂର୍ତ୍ତ ବଦଳିଯାଉ। ପାର୍ଥକ୍ୟ, ନିଜେ ଭାବିଲେ ଅସମ୍ଭବ ମନେ ହୁଏ, ଅନ୍ୟ କେହି ଭାବିଲେ ସତ। ସେ ମୋତେ କ’ଣ ମନେକରୁଛି, ସେଇ ଅନୁସାରେ, ମୁଁ ଖୁସି ହୁଏ ବା ବିରକ୍ତ! ଆଶ୍ଚର୍ଯ୍ୟ, ମୋର ଅସ୍ତିତ୍ବକୁ ମୁଁ ଠିକ୍ କରେ, ଅଥଚ ଅସ୍ମିତାକୁ ଅନ୍ୟ କେହି! ଏମିତି କିଏ ଅଛି, ଯିଏ ଅନ୍ୟ କିଛି ବା ଅନ୍ୟ କାହାପରି ହେବାକୁ କେବେ ଚାହିଁନି? କେବେ ଗୀତ ଗାଉଥିବା ଲୋକଟିଏକୁ ତ କେବେ ଗୋଟିଏ ଖେଳାଳିକୁ! କେବେ ବ୍ୟୁରୋକ୍ରାଟ୍‌ ତ କେବେ ପୁଣି ପାଇଲଟ୍! କେବେ ବି ଦେଖିନି, କେହି ଜଣେ ତା’ର ସେମିତି, ‘ନିଜେ’ ହେଇ ରହିବାକୁ ଚାହିଁଛି ବା ରହିଛି! ପିଲାଦିନୁ ପଚରା ଯାଇଛି, ବଡ଼ ହେଲେ ତୁ କ’ଣ ହେବୁ। ମୁଁ ସତରେ ଯାହା, ତାକୁ କେହି କେବେ ଗ୍ରହଣ ହିଁ କରିନି। ମୁଁ ନିଜେ ବି। କେହି କେବେ ନିଜକୁ ନିଜଠାରୁ ଛୋଟ ବୋଲି ବି ଭାବି ନ ଥାଏ। ତେଣୁ, କେହି ମୋତେ ପସନ୍ଦ ନ କଲା ଭଳି କିଛି ଗୋଟେ ହେଇଯାଇଛି ବୋଲି, ଟିକିଏ ଇଙ୍ଗିତ କଲେ, ମୁଁ କଷ୍ଟ ପାଏ। 
ତେବେ ନିଜକୁ ପଚାରିଛି, ଅସର୍ପା ପରି ନିଜକୁ ହିଁ ଚିହ୍ନିତ କରି ଠିକ୍ ସେଇ ନାମର ଗୋଷ୍ଠୀଟିଏ ଗଢ଼ିବା ଅବା କାହିଁକି ଦରକାର ହୁଏ ମୋର, ଯେତେବେଳେ ଶବ୍ଦଟା ହିଁ ମୂଳରୁ ମୋତେ କଷ୍ଟ ଦେଇଛି? ବରଂ ମୁଁ ସତରେ ଯାହା, ସେଇ ନାମରେ ଅନ୍ୟମାନଙ୍କୁ ଏକାଠି କରିଥିଲେ, କାହାର ମୋ ପ୍ରତି ଥିବା ‘ଅସର୍ପା’ ପରି ଏକ ଅ-ବୈଜ୍ଞାନିକ ମନୋଭାବକୁ ଓଲଟେଇ ଦେବା କାମଟି ବେଶୀ ଶାଳୀନ ଓ ସଂଭ୍ରାନ୍ତ ମନେ ହେଇଥାଆନ୍ତା। ଗୋଟେ ଅଯୌକ୍ତିକ ଗୋଷ୍ଠୀ ଗଠନର ମାନସିକତା, ମୋ ମତରେ, ଗୋଟେ ଭୟଙ୍କର ଅମର୍ଯ୍ୟାଦିତ ଇଚ୍ଛାର, କେବଳ ଏକ ଭାଙ୍ଗି ନ ଥିବା ଦୁଃସ୍ବପ୍ନ ମାତ୍ର।

ଆର୍କିମେଡିସ୍ ଥରେ କୁଆଡ଼େ ଜଳର ପ୍ଳବତା ଓ ଊର୍ଦ୍ଧ୍ବଚାପ ସଂପର୍କରେ ହଠାତ୍ ଏକ ବୈଜ୍ଞାନିକ ସତ୍ୟ ଆବିଷ୍କାର କରି, ଗାଧୁଆ ଘରୁ ଉଲଗ୍ନ ହେଇ ରାସ୍ତାରେ, ‘ୟୁରେକା ୟୁରେକା’ ଅର୍ଥାତ୍ ‘ପାଇଯାଇଛି’ ବୋଲି ଚିତ୍କାର କରି ଦୌଡ଼ିଥିଲେ। 
ଆମେ ସମସ୍ତେ କ’ଣ ଆମ ଜୀବନର କୌଣସି ବୌଦ୍ଧିକ ସତ୍ୟକୁ ହଠାତ୍ ଏବେ ଖୋଜି ପାଇଛେ ବୋଲି କହି ଚେତନାର ରାଜରାସ୍ତାରେ ଦୌଡ଼ିବା? ଏଣେ, ଆମେ ସତରେ ସେଇଆ ନୋହୁଁ, ଯାହା ଅନ୍ୟ କେହି ଭାବିଛି, ଏ କଥା ଚିତ୍କାର କରିବା ହେବ ଆମର ପ୍ରଚ୍ଛନ୍ନ ପ୍ରତିବାଦର ଉଲଗ୍ନ ଉଚ୍ଚାରଣ?
ମୋ ମତରେ, ନା।
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୮୯୦୨୧୯୪୯୪୯

ଅଧିକ ଦେଖନ୍ତୁ-

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।