Editorial: ଅନୁବାଦରେ ‘ଏଆଇ’ର ବ୍ୟବହାର
କ୍ଷୀରୋଦ ପରିଡ଼ା
ପ୍ରସଙ୍ଗଟି ହେଉଛି ଅନୁବାଦରେ ‘ଏଆଇ’ ବା କୃତ୍ରିମ ବୌଦ୍ଧିକତାର ବ୍ୟବହାର। ଅନୁବାଦରେ ବୌଦ୍ଧିକତା ନଥାଏ ବୋଲି ଯେଉଁମାନେ ଧରିନେଇଛନ୍ତି, ସେମାନଙ୍କ ପାଇଁ କୃତ୍ରିମ ହେଉ କି ମାନବୀୟ, ବୌଦ୍ଧିକତାର କୌଣସି ଗୁରୁତ୍ୱ ହିଁ ନାହିଁ। ତେବେ ସାରା ବିଶ୍ୱରେ ସମସ୍ତ କଳା କାରିଗରିରେ କମ୍ପ୍ୟୁଟରକୃତ ନକ୍ସା ବ୍ୟବହାର ହେଉଛି। ଏବେ ପୋଷାକପତ୍ରରୁ ଆସବାବ, ଚିତ୍ରକଳା ପ୍ରିଣ୍ଟିଙ୍ଗ, ଧାତୁ ଓ କାଠଶିଳ୍ପ ଯାଏ ଅର୍ଥାତ୍ ଉଭୟ ଚାରୁ ଓ କାରୁ କଳାରେ ଏହା ବ୍ୟବହୃତ ହୋଇ ଅଧିକ ଆକର୍ଷଣୀୟ ଓ ତ୍ରୁଟିହୀନ ହେବାକୁ ଚେଷ୍ଟା ଚାଲିଛି। ଏବେ ଭାଷାଗତ ବିଷୟରେ କମ୍ପ୍ୟୁଟର ଓ ତହିଁରେ କୃତ୍ରିମ ବୌଦ୍ଧିକତାର ପ୍ରୟୋଗ ନେଇ ପ୍ରଶ୍ନ ଉଠୁଛି।
ଭାଷା କଥା ଆସିଲେ ପ୍ରଥମେ ଆସେ ତାହାରି ଶବ୍ଦ ସମ୍ପଦ ଓ ଅଭିଧାନ କଥା। ପୃଥିବୀର ପ୍ରାୟ ସବୁ ଉନ୍ନତ ଭାଷାର ଶବ୍ଦକୋଷକୁ ପ୍ରଯୁକ୍ତି ବିଜ୍ଞାନ ଠୁଳ କରିବା ସହିତ ବ୍ୟବହାର ଉପଯୋଗୀ କରିସାରିଲାଣି। ଅନୁବାଦ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ଭାଷାର ଶବ୍ଦଗୁଡ଼ିକୁ ଅନ୍ୟ ଏକ ଭିନ୍ନ ଭାଷାକୁ ଭାଷାନ୍ତର କରିବା ପ୍ରକ୍ରିୟାକୁ ସହଜ କରିଦେଇଛି ଏଇ ପ୍ରଯୁକ୍ତି ବିଜ୍ଞାନ। ସାରା ବିଶ୍ୱରେ ପ୍ରତିଦିନ ମୁଦ୍ରଣ ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀମାନେ ସବୁଠୁ ବେଶି ଅନୁବାଦ କରିଥାଆନ୍ତି। ଖବରକାଗଜର ପ୍ରଥମ ପୃଷ୍ଠା, ଜାତୀୟ ସ୍ତରର ହେଉ କି ଅନ୍ତର୍ଜାତୀୟ ସ୍ତରର, ତାହା ସହିତ ପୁଣି ଖେଳ ଓ ମନୋରଞ୍ଜନ ପୃଷ୍ଠାର ପାଠ ପ୍ରସ୍ତୁତି ଅନୁବାଦ ବିନା ଅସମ୍ଭବ। ସେହି ସମସ୍ତ ସାମ୍ବାଦିକ ବା ରିପୋର୍ଟର ହେଉଛନ୍ତି ବିଶ୍ୱର ସବୁଠୁ କର୍ମଠ ଓ ବ୍ୟସ୍ତ ଅନୁବାଦକ, ନୁହେଁ କି? ସେହିସବୁ ଅନୁବାଦରେ ଆମେ ବ୍ୟତିକ୍ରମ ଦେଖୁଛନ୍ତି କି? ତହିଁରେ ଯଦି କିଛି ଭାଷାଗତ ବ୍ୟତିକ୍ରମ ଦେଖୁଛନ୍ତି ତାହା ହେଉଛି ସମ୍ପୃକ୍ତ ବ୍ୟକ୍ତିଙ୍କର ଅନୂଦିତ ଭାଷାରେ ଦୁର୍ବଳତା ସହିତ ବିଷୟବସ୍ତୁ ଉପରେ ସବିଶେଷ ଜ୍ଞାନର ଅଭାବବୋଧ। ଏ କାମରେ ଅଭ୍ୟସ୍ତ ବ୍ୟକ୍ତିଙ୍କ ପ୍ରୟୋଗ-କୌଶଳ ଏହାକୁ ସହଜରେ ଅତିକ୍ରମ କରିପାରୁଛି।
ଏବେ ଆସିବା, ସାହିତ୍ୟ ବା ଶବ୍ଦ-ସୃଜନ-କଳାକୃତିର ଅନୁବାଦ କଥା। ଅନୁବାଦ ଓ ଅନୁସୃଜନ ମଧ୍ୟରେ ପ୍ରାର୍ଥକ୍ୟ ରହିଛି। ଅନୁସୃଜନରେ ଅନୁବାଦକ ସାଧୁତା ଅବଲମ୍ବନ ନ କରି, ନିଜ ସୃଜନ ଶକ୍ତିର ବାହାଦୂରି ଦେଖାଇବାକୁ ପ୍ରୟାସ କରିଥାଏ। ମୂଳ ଲେଖକର କୃତିଠାରୁ ଏହା ସୁଖପାଠ୍ୟ ହୋଇପାରେ, ମାତ୍ର ତହିଁରେ ଭିନ୍ନତା ଦେଖାଦେଇଥାଏ। ସମ୍ଭବତଃ ନୋବେଲ, ଅନ୍ତର୍ଜାତୀୟ ବୁକର୍ ଓ ଏପରିକି ଜ୍ଞାନପୀଠରେ ଅନୁବାଦକ ବା ଟ୍ରାନ୍ସଲେଟର୍ର ଭୂମିକାକୁ ଶ୍ରେୟ ଦିଆଯାଏ, କିନ୍ତୁ ଅନୁସୃଜକ ବା ଟ୍ରାନ୍ସକ୍ରିଏଟରକୁ ନୁହେଁ।
ଉପର ପ୍ରସଙ୍ଗ ଅବତାରଣା ପଛରେ ରହିଛି ମୂଳ ପ୍ରସଙ୍ଗ ‘ଏଆଇ’ ବା କୃତ୍ରିମ ବୌଦ୍ଧିକତାରରେ ହେଉଥିବା ଅନୁବାଦର କଥା। ଆମେ ‘ଏଆଇ’କୁ ନିର୍ଦେଶ ଦେଲେ ସେ ତତ୍କ୍ଷଣାତ ଆମକୁ ଗୋଟିଏ ଭାଷାରୁ ଆମେ ଚାହୁଁଥିବା ଭାଷାକୁ ଅନୁବାଦ କରି ଦେଇଦେଉଛି। ଏଇ ନିର୍ଦେଶ କିପରି ପାଳିତ ହେଉଛି ତାହା ଆମର ବୁଝିବା ଦରକାର। ଯେଉଁ ପ୍ରଯୁକ୍ତି ବିଜ୍ଞାନୀ ବା ବିଜ୍ଞାନୀଗଣ ଯେ ବିଶ୍ୱର ସବୁ ଭାଷା ଜାଣନ୍ତି ତାହା ବି ନୁହେଁ। ମୂଳ ପ୍ରୋଗ୍ରାମ ତିଆରି କରାଗଲା ଅନେକ ଗୁଡ଼ିଏ ଭାଷାର ଭାଷାକୋଷର ସହଯୋଗରେ। ସେଥିରେ ଯେଉଁ ବିଜ୍ଞାନୀମାନେ କାମ କଲେ ବା କରୁଛନ୍ତି, ସେମାନଙ୍କର ସୃଜନଶୀଳ ସାହିତ୍ୟ ବିଷୟରେ ଜ୍ଞାନ ରହିଛି। କିନ୍ତୁ ଆମର ପ୍ରତି ଆଦେଶ ପାଳନ କଲାବେଳେ ସେମାନେ ସେହି କ୍ରିଏଟିଭ ପ୍ରୋଗ୍ରାମ ସାହାଯ୍ୟରେ ଆମକୁ ଅନୁବାଦଟି ଦେଉଛନ୍ତି। ଏହା ଯେ ସମ୍ପୂର୍ଣ୍ଣ ଅଦରକାରୀ, ତାହା ନୁହେଁ। ଏହା ଯେ ସବୁବେଳେ ଛାଞ୍ଚପିଟା ଉତ୍ତର ଦେବ, ତାହା ବି ନୁହେଁ। ପ୍ରତି ମୁହୂର୍ତ୍ତରେ ଏହି ପ୍ରସଙ୍ଗରେ କାମ ଚାଲୁ ରହିଛି। ଆମେ ଯଦି ଯାନ୍ତ୍ରିକ ହେବାକୁ ଚାହୁଁ, ତା’ହେଲେ ଆମକୁ ଦିନକୁ ଦିନ ନିର୍ଭରଶୀଳ ହୋଇଯିବାକୁ ପଡ଼ିବ। ତେବେ ଏହା କମ୍ ସମୟରେ ଓ ସହଜରେ କାମ ହାସଲ କରିନେବା ଦିଗରେ ଲୋଭନୀୟ ହୋଇଥିଲେ ହେଁ ଏଥିରେ କ୍ଷତି ବି ରହିଛି।
ସାହିତ୍ୟରେ ପ୍ରତି ଲେଖକର ଚିନ୍ତନ, ସମ୍ବେଦନଶୀଳତା, ଆବେଗପ୍ରବଣତା ଓ ଭାଷା ପ୍ରୟୋଗ ଭିନ୍ନ ଭିନ୍ନ। ତେଣୁ ପ୍ରତି ଲେଖକ ସ୍ୱତନ୍ତ୍ର। ତାହା ପ୍ରଯୁକ୍ତିବିଦ୍ୟାର ଗୋଟିଏ ବା ଅଳ୍ପ କେତୋଟି ପ୍ରୋଗ୍ରାମ ବା ଯୋଜନାରେ ସମ୍ବବପର ହୋଇ ପାରିନାହିଁ। ଅବଶ୍ୟ ଏ ଦିଗରେ ପାଶ୍ଚାତ୍ୟ ଦେଶଗୁଡ଼ିକର ବିଭିନ୍ନ ବିଶ୍ୱବିଦ୍ୟାଳୟର ସର୍ଜନାତ୍ମକ ସାହିତ୍ୟ ବିଭାଗ କାମ କରି ଚାଲିଛନ୍ତି। ସାହିତ୍ୟ ରଚନାରେ କୌଣସି ଭାଷାର ଲେଖକ ତାହାରି ଅଞ୍ଚଳର ଲୋକ ଚରିତ୍ର, ସ୍ଥାନ ଓ କାଳଖଣ୍ଡ ଉପରେ ତାହାରି ନିଜସ୍ୱ କାଳ୍ପନିକ ବା ବାସ୍ତବ କଥାକଳ୍ପଟିଏ ତିଆରି କରି ତହିଁରେ ଚରିତ୍ରମାନଙ୍କର ଥାପନା କରେ ଓ ଆବେଗର ସହିତ କଥା କୁହାଏ। ଏଇଠି ଭିନ୍ନ ସଂସ୍କୃତି ଓ ପରିବେଶ ପ୍ରସଙ୍ଗ ଆସିଥାଏ। ଏଆଇ ପ୍ରସ୍ତୁତ କରୁଥିବା ପ୍ରଯୁକ୍ତି ବିଜ୍ଞାନୀ ବା ବିଜ୍ଞାନୀଗଣ ଏତେ ଏତେ ପ୍ରସଙ୍ଗକୁ ଏକତ୍ର କରିବା ଆଦୌ ସହଜ ନୁହେଁ। ତେଣୁ ତାହାର ଫଳାଫଳ ସେତେ ଗ୍ରହଣୀୟ ହୋଇ ପାରିନାହିଁ। କିନ୍ତୁ ଗଦ୍ୟ ରଚନାର ଅନୁବାଦରେ ଏହା କିଛିଟା ସକ୍ଷମ ହୋଇପାରିଛି। ତାହା ହୋଇପାରିଛି ବୋଲି ଆବଶ୍ୟକତାର ଆଲୋଚନା ଭିତରକୁ ଆସିଛି।
ଆମକୁ ଧରି ନେବାକୁ ପଡ଼ିବ ଯେ ପ୍ରଯୁକ୍ତିବିଦ୍ୟାର ଏହି କରାମତି ସମ୍ପୂର୍ଣ୍ଣ ଅଗ୍ରହଣୀୟ ନୁହେଁ। ଏହା ସମ୍ପୂର୍ଣ୍ଣ ଯାନ୍ତ୍ରିକ ବି ନୁହେଁ। ଅଳ୍ପ କେତେ ଜଣ ବିଜ୍ଞାନୀ ବହୁ ହିତାଧିକାରୀଙ୍କ ସେବାରେ ନିୟୋଜିତ ଅଛନ୍ତି। ଏହା ଅନୁବାଦ କ୍ଷେତ୍ର ଲାଗି ସହଯୋଗୀ କିନ୍ତୁ ପ୍ରତିଯୋଗୀ ନୁହେଁ। ଗତ କେତେ ବର୍ଷ ହେଲା, ଏଆଇ ଅନୁବାଦକକୁ କପିରାଇଟ ବା ସ୍ବତ୍ବ ପ୍ରଦାନ କଥା ଉଠିଲାଣି। କିନ୍ତୁ ତାହା ଏଯାଏ ହୋଇପାରୁନାହିଁ। ଏତିକିରୁ ଆମକୁ ଧରି ନେବାକୁ ପଡ଼ିବ ଯେ କୃତ୍ରିମ ବୌଦ୍ଧିକତା ଏଯାଏ ମାନବୀୟ ବା ବୌଦ୍ଧିକତାର ପ୍ରତିଦ୍ୱନ୍ଦ୍ୱୀ ବା ପରିପୂରକ ହୋଇପାରିନାହିଁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୪୯୬୨୦୮
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
