Editorial: ସଂପର୍କ ଓ ସ୍ମୃତି: ପରାଗ ଆଚାର୍ଯ୍ୟଙ୍କ ସମ୍ପାଦକୀୟ କଲମରୁ...

Aug 20, 2026 - 16:45
Editorial: ସଂପର୍କ ଓ ସ୍ମୃତି: ପରାଗ ଆଚାର୍ଯ୍ୟଙ୍କ ସମ୍ପାଦକୀୟ କଲମରୁ...

"ସଂପର୍କ ଓ ସ୍ମୃତି ପରାଗ ଆଚାର୍ଯ୍ୟ ନିକଟରେ ଓ.ଟି.ଟି.

ପ୍ଲାଟଫର୍ମରେ "ପ୍ରିତମ ଆଣ୍ଡ୍‌ ପେଡ୍ରୋ" ନାମକ ୱେବ୍‌ ସିରିଜ ଦେଖିବାର ସୁଯୋଗ ପ୍ରାପ୍ତ ହେଲା।

କାହାଣୀ ଆରମ୍ଭ ହୋଇଛି ଏଇମିତି ଯେ ଜଣେ ବୃଦ୍ଧଙ୍କର ଟେପ୍ ରେକର୍ଡରଟିଏ ଚୋରି ହୋଇଯାଇଛି।

ତେଣୁ ନିଜ ନାତିକୁ ନେଇ ସେ ଥାନାକୁ ଯାଉଛନ୍ତି ଏଫ୍.ଆଇ.ଆର୍.ଟିଏ ଦେବା ପାଇଁ।

ପୁରୁଣା ଟେପ୍ ରେକର୍ଡ ଠାରୁ ଯାହା ଅଧିକ ମହର୍ଗ, ତାହା ହେଉଛି ସେଥିରେ ରହିଯାଇଥିବା ଗୋଟିଏ କ୍ୟାସେଟ।

ସେହି କ୍ୟାସେଟଟିରେ ରହିଛି ବୃଦ୍ଧଙ୍କର ଦିବଂଗତ ପତ୍ନୀଙ୍କ ଦ୍ବାରା ଗାନ ହୋଇଥିବା କିଛି ଗୀତ।

ସଂଗୀତ ମାଧ୍ୟମରେ ସେ ଯେତେବେଳେ ପତ୍ନୀଙ୍କର ସୁଲଳିତ କଣ୍ଠସ୍ବର ଶୁଣନ୍ତି, ତାଙ୍କୁ ପ୍ରତ୍ୟୟ ହୁଏ, ତାଙ୍କ ପରଲୋକାଗତ ପ୍ରିୟତମା, ଏବେ ବି ତାଙ୍କ ସଙ୍ଗରେ ଅଛନ୍ତି।

ନିଃସଙ୍ଗ ଜୀବନର ଯନ୍ତ୍ରଣା ମଧ୍ୟରେ ତାହା ପାଲଟିଯାଏ ତାଙ୍କ ପାଇଁ ଏକ ଶାନ୍ତ ମାନସିକ ଆଶ୍ରୟ, ଯାହାର ଛାଇରେ ସେ ଅବଶିଷ୍ଟ ଜୀବନତକ କାଟିଦେବାକୁ ଚାହାନ୍ତି।

ତେଣୁ ପୁଲିସକୁ ସେ ଆକୁଳ ନିବେଦନ କରୁଛନ୍ତି, ତାଙ୍କର ଚୋରି ହୋଇଯାଇଥିବା ଟେପ୍ ରେକର୍ଡର ସହ କ୍ୟାସେଟଟିକୁ ଖୋଜିଦେବା ପାଇଁ।

କଥାଟିକୁ ଏତିକିରେ ରଖୁଛି।Advertisment ପ୍ରିୟଜନଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ସହ ମନୋବୈଜ୍ଞାନିକ ସଂପର୍କ ରହିପାରେ।

ଏହି ଧାରଣାକୁ "କଣ୍ଟିନିୟୁଇଙ୍ଗ ବଣ୍ଡ୍" ବା ଅବିଚ୍ଛିନ୍ନ ସଂପର୍କ ବୋଲି କୁହାଯାଏ। "କଣ୍ଟିନିୟୁଇଙ୍ଗ ବଣ୍ଡ୍‌ସ: ନିୟୁ ଅଣ୍ଡରଷ୍ଟାଣ୍ଡିଙ୍ଗ ଅଫ ଗ୍ରିଫ" (୧୯୯୬) ନାମକ ପୁସ୍ତକରେ ଡେନିସ କ୍ଲାସ, ସିଲଭରମ୍ୟାନ ଓ ନିକମ୍ୟାନଙ୍କ ପରି ମନୋବିଜ୍ଞାନୀମାନେ ଦର୍ଶେଇଛନ୍ତି ଯେ ପ୍ରିୟଜନଙ୍କ ମୃତ୍ୟୁ ପରେ ସହଜ ହେବାର ଅର୍ଥ, ତାଙ୍କୁ ସଂପୂର୍ଣ୍ଣ ଭାବେ ଭୁଲିଯିବା ନୁହେଁ।

ବରଂ ମଣିଷ ସେହି ସଂପର୍କକୁ ନୂଆ ରୂପରେ ଜୀବନରେ ଧାରଣ କରିବାକୁ ଚେଷ୍ଟା କରେ।

ଆହୁରି ପଢ଼ନ୍ତୁ- Advocates Protest: ବାର୍‌ କାଉନସିଲ୍‌ ଅଧ୍ୟକ୍ଷ ମନନ୍‌ ମିଶ୍ରଙ୍କ ଇସ୍ତଫା ଦାବିରେ ଯୁବ ଆଡଭୋକେଟ୍‌ଙ୍କ ପ୍ରତିବାଦ ସେହିପରି ପ୍ରସିଦ୍ଧ ବ୍ରିଟିସ ସାହିତ୍ୟିକ ସି.

ଏସ୍.

ଲୁଇସଙ୍କ ରଚିତ "ଏ ଗ୍ରିଫ ଅବଜର୍ଭଡ" ପୁସ୍ତକ ହେଉଛି- ନିଜ ପତ୍ନୀଙ୍କର ଅବର୍ତ୍ତମାନରେ ନିଜ ମନରେ ସୃଷ୍ଟ ଦୁଃଖ, ଶୂନ୍ୟତା ଓ ପ୍ରଶ୍ନକୁ ନେଇ ଚାଲିଥିବା ଗଭୀର ସଂଘର୍ଷର ଏକ ସତ୍ୟ ଦଲିଲ।

ତାଙ୍କ ମତରେ ପ୍ରିୟଜନଙ୍କ ଅନୁପସ୍ଥିତି କେବଳ ଏକ ସ୍ମୃତି ନୁହେଁ, ବରଂ ପରବର୍ତ୍ତୀ ଜୀବନର ପ୍ରତ୍ୟେକ ଅନୁଭବର ପୃଷ୍ଠଭୂମି ହୋଇଥାଏ।

ଉପରେ ବିସ୍ତାରିତ ଆକାଶ ପରି ସେହି ନିଜ ଲୋକର ଅଭାବ ପ୍ରତ୍ୟେକ ଚିନ୍ତାକୁ ଆବୃତ୍ତ କରି ରଖେ।

ତାଙ୍କର ବିୟୋଗ ସତେ ଯେମିତି ନିଜ ଅସ୍ତିତ୍ବର ଏକ ଅଙ୍ଗକୁ ନିଶ୍ଚିହ୍ନ କରିଦିଏ।

ସେହି ଶୂନ୍ୟତା ପୂରଣା ହେବା କଷ୍ଟ।

ତଥାପି ଜୀବନ ମଣିଷକୁ ଶିଖାଏ, ହରେଇଥିବା ଅଙ୍ଗକୁ ଫେରିପାଇବା ନୁହେଁ ବରଂ ତା"ର ଅଭାବ ସହ ନୂତନ ଭାବେ ବଞ୍ଚିବାର କଳା।

ମଣିଷ ଜୀବନରେ ପ୍ରେମ ଓ ସ୍ମୃତି କେତେ ଗଭୀର ଶକ୍ତିର ଉତ୍ସ ହୋଇପାରେ, ତା"ର ଅନନ୍ୟ ଉଦାହରଣ ହେଉଛନ୍ତି ଅଷ୍ଟ୍ରିଆର ପ୍ରସିଦ୍ଧ ମନୋବିଜ୍ଞାନ ଚିକିତ୍ସକ ଭିକ୍ଟର ଫ୍ରାଙ୍କଲ।

ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଫ୍ରାଙ୍କଲଙ୍କୁ ନାଜିମାନେ ଏକାଧିକ ନିର୍ଯାତନା ଶିବିରରେ ବନ୍ଦୀ କରିଥିଲେ।

ସେଠାରେ ଅତ୍ୟନ୍ତ ଅମାନବୀୟ ପରିସ୍ଥିତିରେ ତାଙ୍କ ପତ୍ନୀଙ୍କର ସ୍ମୃତି ତାଙ୍କ ପାଇଁ ଆଶା ଓ ମାନସିକ ଶକ୍ତିର ଉତ୍ସ ହୋଇଥିଲା।

ଫ୍ରାଙ୍କଲ ଅନୁଭବ କରିଥିଲେ ଯେ- ହୃଦୟର ନିଭୃତ କୋଣରେ ସୃଷ୍ଟ ପ୍ରେମ ଏମିତି ଏକ ଅନୁଭବ, ଯାହା ଦୂରତା ଓ ପରିସ୍ଥିତିର କଠିନତାକୁ ଅନାୟାସରେ ଅତିକ୍ରମ କରିପାରେ।

ଏହି ଅନୁଭବକୁ ପାଥେୟ କରି ସେ ପରବର୍ତ୍ତୀ ଜୀବନରେ "ଲୋଗୋଥେରାପି" ଭଳି ମନୋବିଜ୍ଞାନ ଚିକିତ୍ସା ପଦ୍ଧତିର ବିକାଶ କରିଥିଲେ; ଯାହାର ମୂଳ ଧାରଣା ହେଉଛି, ଯଦି ବ୍ୟକ୍ତି ନିଜ ଜୀବନ‌ରେ ଏକ ଉଦ୍ଦେଶ୍ୟ ଖୋଜିପାରେ- ତେବେ ସେ ଅତ୍ୟନ୍ତ କଠିନ ପରିସ୍ଥିତିକୁ ସହିଯିବାର କ୍ଷମତା ହାସଲ କରିପାରେ।

ଆଜିର ଏ ପ୍ରସଙ୍ଗ ଆଲୋଚନା କଲାବେଳେ ମନେପଡୁଛି ବହୁଦିନ ତଳେ ଦେଖିଥିବା ଇଂରେଜୀ ଚଳଚ୍ଚିତ୍ର "କାଷ୍ଟଆୱେ"ର "ଚକ୍ ନୋଲାଣ୍ଡ୍" ଚରିତ୍ର ସମ୍ବନ୍ଧରେ, ଯେଉଁ ଚରିତ୍ରରେ ନିଖୁଣ ଅଭିନୟ କରିଥିଲେ ଖ୍ୟାତନାମା "ଟମ୍ ହ୍ୟାଙ୍କସ୍"।

ଚକ୍ ନୋଲାଣ୍ଡ୍‌ଙ୍କ ଜୀବନସଂଘର୍ଷ ଲୋଗୋଥେରାପିର ଏକ ପ୍ରକୃଷ୍ଟ ଉଦାହରଣ ହେବ ନିଶ୍ଚୟ।

ଚଳଚ୍ଚିତ୍ରର କଥାବସ୍ତୁ ଏହିଭଳି।

ବିମାନଟିଏ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସିପଡ଼ିଛି।

ସେଥିରେ ଥିବା ଅଳ୍ପ ଯାତ୍ରୀଙ୍କ ମଧ୍ୟରୁ କେବଳ ବଞ୍ଚନ୍ତି ନୋଲାଣ୍ଡ୍।

ପହଁରି ପହଁରି ନିର୍ଜନ ଛୋଟିଆ ଦ୍ବୀପଟିଏରେ ଲାଗନ୍ତି।

ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଜୀବନସଂଗ୍ରାମ ଜାରି ରହେ।

ତାଙ୍କ ପାଖରେ ଦୈବାତ୍‌ ରହିଯାଇଥିବା ପତ୍ନୀ କେଲିଙ୍କର ଛୋଟ ଫଟୋଟିଏ ହିଁ ତାଙ୍କର ବଞ୍ଚିବାର ସବୁଠାରୁ ବଡ଼ ପ୍ରେରଣା ହୋଇ ରହେ।

ପତ୍ନୀଙ୍କର ସ୍ମୃତିରେ ଦିନ କଟେ।

ଆହୁରି ପଢ଼ନ୍ତୁ-Vande Mataram: "ବନ୍ଦେ ମାତରମ୍" ବିବାଦ: କଂଗ୍ରେସର ନିଷ୍ପତ୍ତିକୁ ନେଇ ସୋନିଆ-ରାହୁଲଙ୍କୁ ଘେରିଲେ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ଦିନେ ନିଶ୍ଚେ ଫେରିବାକୁ ହେବ ପ୍ରାଣଧିକା ପତ୍ନୀଙ୍କ ପାଖକୁ।

ସେହି ବିଶ୍ବାସକୁ ପାଥେୟ କରି ଶେଷରେ ସେ ଦ୍ବୀପରୁ ଉଦ୍ଧାର ପାଇଁ ପତ୍ନୀଙ୍କ ପାଖରେ ପହଞ୍ଚନ୍ତି।

ଅବଶ୍ୟ!

ତା"ପରେ ଘଟଣାଟି ଅନ୍ୟ ମୋଡ଼ ନେଇଛି।

କିନ୍ତୁ, ସେହି ଚଳଚ୍ଚିତ୍ରର ସାରମର୍ମ କୁହେ- ମଣିଷ କେବଳ ଖାଦ୍ୟରୁ ପ୍ରାପ୍ତ ଶାରୀରିକ ଶକ୍ତିରେ ବଞ୍ଚେ ନାହିଁ।

ସେ ବଞ୍ଚେ ଆଶାରେ, ସ୍ମୃତିରେ ଆଉ ସଂପର୍କ‌ର ଉଷ୍ଣତାରେ।ଶେଷରେ ପୁନର୍ବାର ସେଇଠିକୁ ଆସୁଛି, ଯେଉଁଠାରୁ ଏହି ଆଲେଖ୍ୟଟି ଆରମ୍ଭ ହୋଇଥିଲା। "ପ୍ରିତମ ଆଣ୍ଡ ପେଡ୍ରୋ"ର ଶେଷ ଦୃଶ୍ୟରେ ଜୀବନର ଅସ୍ତାଚଳରେ ଦଣ୍ଡାୟମାନ ବୃଦ୍ଧଙ୍କୁ ପ୍ରାପ୍ତ ହୋଇଛି ତାଙ୍କର ଚୋରି ହୋଇଯାଇଥିବା ଟେପ୍ ରେକର୍ଡର ଓ କ୍ୟାସେଟଟି।

ଯେମିତି ଟେପ୍ ରେକର୍ଡର ସୁଇଚକୁ ଅନ୍ କରାଯାଏ, ନିରବତାକୁ ଭେଦ କରି ସେଥିରୁ ଭାସି ଆସେ, ଦିବଂଗତ ପତ୍ନୀଙ୍କର ପରିଚିତ ମଧୁର କଣ୍ଠସ୍ବର- ""କଭି କିସିସେ ମାଫି ମାଙ୍ଗଲେ...

କଭି କିସିକୋ ମାଫ କର ଭି ଦୋ...

ସଫର କୋ ଜରାସା ଆସାନ କର ଭି ଦୋ...

ହେ ମାଫିଓଁ ମେଁ ମରହମ୍...

ସଭି ‌ଦୁଖେଁା କା ସଲ୍ୟୁସନ୍...

କି ସରି ଲେ-ଦେ କେ ହମ୍...

ଦିଲ୍‌କା ବୋଝ ହଲ୍‌କା ଚଲ୍ କରେଁ।"" ସେହି କ୍ଷଣରେ ଅନୁଭବ ହୁଏ, ମୃତ୍ୟୁ ଶରୀରକୁ ଦୂର କରିପାରେ, ମାତ୍ର ପ୍ରେମ ଆଉ ସ୍ମୃତିକୁ ନୁହେଁ।

ମଣିଷ ନିଜ ପ୍ରିୟଜନଙ୍କ ସ୍ମୃତିକୁ ପାଥେୟ କରି ଜୀବନର ଅବଶିଷ୍ଟ ପଥ ଅତିକ୍ରମ କରିବାକୁ ଚେଷ୍ଟା କରେ।

କିନ୍ତୁ ଅବଶିଷ୍ଟ ଜୀବନକୁ ସହଜ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ ଯାହା ଦରକାର, ସେହି ଗଭୀର ସତ୍ୟ ବୋଧହୁଏ ଲୁଚି ରହିଛି ଦିବଂଗତ ପତ୍ନୀଙ୍କର ସେହି ଗୀତ ମଧ୍ୟରେ।(ମତାମତ ଲେଖକଙ୍କ ନିଜସ୍ବ) ମୋ: ୮୨୯୫୬୧୮୦୯୭ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media