Editorial: ଆଶା ଓ ଆକାଶ: ଶୀତଳ ଭଣ୍ଡାରରେ ବନ୍ଦୀ ଶୀତଳ ଶୃଙ୍ଖଳ

Sep 12, 2026 - 02:39
Editorial: ଆଶା ଓ ଆକାଶ: ଶୀତଳ ଭଣ୍ଡାରରେ ବନ୍ଦୀ ଶୀତଳ ଶୃଙ୍ଖଳ

"ଜାନକୀଶ ବଡ଼ପଣ୍ଡା  ଓଡ଼ିଶା ସରକାର ୨୦୨୫ରେ ଶୀତଳଭଣ୍ଡାର ପାଇଁ ଆର୍ଥିକ ସହଯୋଗ (ଏଫଏସିଏସ) ଯୋଜନା ଆରମ୍ଭ କରିଛନ୍ତି।

୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ଏଥିପାଇଁ ୨୫୨ କୋଟି ଟଙ୍କା ବ୍ୟୟବରାଦ କରି ୫୮ଟି ଉପଖଣ୍ଡରେ ଅତି କମ୍‌ରେ ଗୋଟିଏ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହା ଚାଷୀଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର କରିଛି।

ଯେଉଁ ଶୀତଳ ଭଣ୍ଡାରଗୁଡ଼ିକ ଅଚଳ ହୋଇରହିଛି, ସେଗୁଡ଼ିକର ପୁନରୁଦ୍ଧାର ପାଇଁ ସର୍ବାଧିକ ୬.୫ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି କୁହାଯାଇଛି।

ରାଜ୍ୟରେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସୌରଶକ୍ତି ଚାଳିତ ଏବଂ ପରିବେଶ ଅନୁକୂଳ ଶୀତଳଗୃହ ସ୍ଥାପନା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।

ଆଶା ସୃଷ୍ଟି ହେଲା ଯେ, ଏହା ଦ୍ୱାରା ପନିପରିବା, ଫଳ ଓ ଦୁଗ୍‌ଧଜାତ ଦ୍ରବ୍ୟ ନଷ୍ଟ ନ ହୋଇ ଦୀର୍ଘ ଦିନ ସୁରକ୍ଷିତ ରହିପାରିବ।

ଏହି ସମସ୍ତ ପ୍ରକଳ୍ପ ସରକାରୀ-ଘରୋଇ ଭାଗୀଦାରି (ପିପିପି) ମାଧ୍ୟମରେ କରାଯିବା ପାଇଁ କଥା ଥିଲା।

ଅଥଚ ଏଭଳି ଏକ ମହତ୍ତ୍ବାକାଂକ୍ଷୀ ଯୋଜନାର କଚ୍ଛପ ଗତି କାହିଁକି?

ଉଦ୍ୟୋଗୀମାନେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ନିରୁତ୍ସାହିତ କାହିଁକି?

ବହୁ ଅର୍ଥ ବିନିଯୋଗ କରିଥିବା ଅଚଳ ଶୀତଳ ଭଣ୍ଡାରର ଯୁବ ଉଦ୍ୟୋଗୀଗଣ ନିଷ୍କ୍ରିୟ କାହିଁକି?

ପଚନଶୀଳ କୃଷି ଉତ୍ପାଦଗୁଡ଼ିକୁ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ସତେଜ ରଖି ପହଞ୍ଚାଇବା ପାଇଁ ସମଗ୍ର ଯାତ୍ରାପଥରେ ଆବଶ୍ୟକ ତାପମାତ୍ରା ନିରନ୍ତର ରକ୍ଷା କରିବାର ବ୍ୟବସ୍ଥାକୁ ଶୀତଳ ଶୃଙ୍ଖଳ (କୋଲ୍‌ଡ ଚେନ୍) କୁହାଯାଏ; ଯାହା ମଧ୍ୟରେ ରହିଛି ଥଣ୍ଡା ଗୃହ, ବାତାନୁକୂଳିତ ଗାଡ଼ି ଓ ଶୀତଳଭଣ୍ଡାର।

କୃଷି ଉତ୍ପାଦ ସଂଗ୍ରହ ପରେ ଶୀତଳ ଭଣ୍ଡାରରେ ସଇତାଯିବା ଆବଶ୍ୟକ ହୋଇଥାଏ।

ସେଠାରୁ ବାତାନୁକୂଳିତ ଗାଡ଼ିରେ ବାତାନୁକୂଳିତ ବଣ୍ଟନ କେନ୍ଦ୍ରକୁ ପଠାଇ ଦିଆଯାଏ।

ଆମେ ତାହାକୁ ଦୋକାନରୁ କିଣି ବ୍ୟବହାର କରୁ ଓ ନିଜ ରେଫ୍ରିଜେରେଟରରେ ସାଇତି ରଖୁ।

କିନ୍ତୁ, ଶୀତଳ ଭଣ୍ଡାର ବିନା ସମ୍ପୂର୍ଣ୍ଣ ତାପମାତ୍ରା-ନିୟନ୍ତ୍ରିତ ଶୀତଳ ଶୃଙ୍ଖଳ ଅଧୁରା ରହିଯାଏ।ପ୍ରଚୁର ଖର୍ଚ୍ଚ କରାଯାଇ ଶୀତଳ ଭଣ୍ଡାରମାନ ନିର୍ମାଣ ହୋଇଥିଲେ ବି ତାହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ପୂରଣ ହୋଇ ପାରିନାହିଁ।

ଏବେ ଅଚଳ ଅବସ୍ଥାରେ ଅଛି ୯୬ଟି ଶୀତଳ ଭଣ୍ଡାର।

ସ୍ଥିତି ଏପରି ହୋଇଛି ଯେ ପ୍ରତି ବର୍ଷ ଜାନୁଆରି ମାସରେ ଚାଷୀ ସର୍ବାଧିକ ପରିମାଣର ଶୀତଦିନିଆ ପନିପରିବା ଉତ୍ପାଦନ କରି ଅଭାବୀ ବିକ୍ରିର ସାମନା କରୁଛି, ରାସ୍ତାରେ ଟମାଟୋ ଢାଳୁଛି କିମ୍ବା କ୍ଷେତରେ ପଚିବାକୁ ଛାଡ଼ି ଦେଉଛି।

ଅଗଷ୍ଟରୁ ନଭେମ୍ବର ଯାଏଁ ବର୍ଦ୍ଧିତ ପରିବା ଦର କାରଣରୁ ଗ୍ରାହକମାନେ ହନ୍ତସନ୍ତ ହେଉଛନ୍ତି।

ଓଡ଼ିଶାରେ ୨୦୨୨ ମାର୍ଚ୍ଚ ସୁଦ୍ଧା ୩,୮୭,୫୨୫ ମେଟ୍ରିକ ଟନ୍ କ୍ଷମତାବିଶିଷ୍ଟ ୧୩୧ଟି ଶୀତଳ ଭଣ୍ଡାର ରହିଥିଲା।

ଏଥିମଧ୍ୟରୁ ସରକାରଙ୍କ ସମବାୟ ବିଭାଗର ୧୮ଟି, କୃଷି-ଉଦ୍ୟାନ ବିଭାଗର ୪ଟି ଏବଂ ୧୦୯ଟି ଥିଲା ବେସରକାରୀ।

ତେବେ ୩୦ ଜିଲ୍ଲାରୁ ମାତ୍ର ୧୭ଟି ଜିଲ୍ଲାରେ ୨,୩୨,୮୮୦ ମେଟ୍ରିକ ଟନ୍ କ୍ଷମତାବିଶିଷ୍ଟ ୪୯ଟି ଶୀତଳ ଭଣ୍ଡାର ସଚଳ ଥିଲା, ଯାହା ମଧ୍ୟରେ ମାତ୍ର ୫ଟି ସମବାୟ ବିଭାଗର ଏବଂ ୪୪ଟି ଥିଲା ବେସରକାରୀ।

ଅର୍ଥାତ୍ ୮୨ଟି ଶୀତଳ ଭଣ୍ଡାରରେ ୧,୫୪,୬୪୫ ମେଟ୍ରିକ ଟନ୍ ସଂରକ୍ଷଣ ସୁବିଧା ଥାଇ ମଧ୍ୟ ଅଚଳ ରହିଥିଲା।

ଏଥିମଧ୍ୟରେ ରହିଥିଲା ୬୫ଟି ବେସରକାରୀ, ୧୩ଟି ସମବାୟ ଓ ୪ଟି ଉଦ୍ୟାନ ବିଭାଗର।

ପରିତାପର ବିଷୟ ଯେ, ୧୪ଟି ଜିଲ୍ଲାରେ ଗୋଟିଏ ବି ଶୀତଳ ଭଣ୍ଡାର ନାହିଁ।

ଆଜି ସୁଦ୍ଧା ରାଜ୍ୟରେ ମାତ୍ର ୧ ଲକ୍ଷ ୭୦ ହଜାର ମେଟ୍ରିକ ଟନ୍ କ୍ଷମତାବିଶିଷ୍ଟ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି, ଯାହା ଉତ୍ପାଦିତ ଆଳୁ, ପନିପରିବା, ଫଳ ଓ ଅନ୍ୟାନ୍ୟ ପଚନଶୀଳ କୃଷିଜାତ ଦ୍ରବ୍ୟର ଅମଳ-ପରବର୍ତ୍ତୀ ପରିଚାଳନା ପାଇଁ ଅକ୍ଷମ।ନିର୍ଦ୍ଦିଷ୍ଟ ଋତୁରେ ବହୁଳ ଭାବେ ଉତ୍ପାଦିତ ପନିପରିବାକୁ ସଂରକ୍ଷିତ କରି ତିରୋଟ ସମୟରେ ଖାଉଟିଙ୍କୁ ଯୋଗାଇବା ପାଇଁ ଶୀତଳଭଣ୍ଡାର ଆବଶ୍ୟକ।

ତାହା ଛଡ଼ା, ଚାଷୀମାନଙ୍କ ଉତ୍ପାଦିତ ଫଳ ଓ ପନିପରିବାକୁ ବହୁଦିନ ତଟକା ରଖି ଦେଶ ଓ ବିଦେଶକୁ ରପ୍ତାନି କରିବା ପାଇଁ ଶୀତଳ ଭଣ୍ଡାର ଓ ଶୀତଳ ଶୃଙ୍ଖଳ ବ୍ୟବସ୍ଥା କରିବାକୁ ପ୍ରୋତ୍ସାହନ ଦିଆଯାଇଥାଏ।

ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରିହାତି ବ୍ୟବସ୍ଥା ରହିଛି।

ଆଳୁ ସଂରକ୍ଷଣ ପାଇଁ ଆବଶ୍ୟକ ବିଦ୍ୟୁତ୍‌ ଦେୟରେ ମଧ୍ୟ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା ରହିଛି।

ବଡ଼ କଥା ଯେ ଚାଷୀଙ୍କ ଉନ୍ନତି ପାଇଁ କୋଟି କୋଟି ଟଙ୍କା ବରାଦ ହୋଇଥିବା ନେଇ ସରକାର ଡିଣ୍ଡିମ ପିଟୁଥିଲେ ମଧ୍ୟ ତାହା ଖର୍ଚ୍ଚ ହେଉନାହିଁ।

ଫଳରେ, ପୂର୍ବଭଳି, ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି।

ଖାଉଟିମାନଙ୍କ ପକ୍ଷରେ ଉଚ୍ଚା ଦର ଦେଇ ପରିବା କିଣିବା ସମ୍ଭବ ହେଉନି।

ଏହି ପରିସ୍ଥିତିରେ ପଡ଼ୋଶୀ ରାଜ୍ୟରୁ ଆମ ରାଜ୍ୟକୁ ପରିବା ଓ ଫଳ ଇତ୍ୟାଦି ଆସୁଛି।୫,୦୦୦ ମେଟ୍ରିକ ଟନ୍ କ୍ଷମତାସମ୍ପନ୍ନ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ପାଇଁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହୁଏ।

ଏହାକୁ ଚଳାଇ ରଖିବା ପାଇଁ ବାର୍ଷିକ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥାଏ।

ଏଥିରେ, ବ୍ୟାଙ୍କ ଋଣ ପରିଶୋଧ କରି, ନିୟମିତ ବିଦ୍ୟୁତ୍‌ ଦେୟ ପ୍ରଦାନ କରିବା କଷ୍ଟସାଧ୍ୟ।

୨୦୧୫-୧୮ ଆଳୁ ମିସନ କାର୍ଯ୍ୟକାଳରେ ଚାଷୀଙ୍କୁ ସବ୍‌ସିଡିଯୁକ୍ତ ନିମ୍ନମାନର ଆଳୁ ବିହନ ଦିଆଯିବାରୁ ଚାଷୀଙ୍କ ଉତ୍ପାଦନ କମିବା, ଉତ୍ପାଦନ ସ୍ଥଳରେ ଶୀତଳ ଭଣ୍ଡାର ନ ଥିବା ଓ ଲାଭଜନକ ମୂଲ୍ୟରେ ବିକ୍ରି ନ ହେବା ଯୋଗୁଁ ଆଳୁ ମିସନ ଫେଲ୍ ହେଲା।

ସ୍ଥାନୀୟ ବେପାରୀଙ୍କ ସାହାଯ୍ୟ ନେଇ ପଶ୍ଚିମବଙ୍ଗ ଶୀତଳ ଭଣ୍ଡାର ମାଲିକ ଆମ ରାଜ୍ୟର ଆଳୁ ଶସ୍ତାରେ କିଣି ନେଉଛନ୍ତି।

ପଶ୍ଚିମବଙ୍ଗରେ ଶୀତଳ ଭଣ୍ଡାର ପାଇଁ ବିଦ୍ୟୁତ୍‌ ମୂଲ୍ୟ ଓଡ଼ିଶା ଅପେକ୍ଷା ଶସ୍ତା।

ଓଡ଼ିଶାରେ ବାରମ୍ବାର ବିଜୁଳି କାଟ୍, ଲୋ-ଭୋଲ୍‌ଟେଜ ଇତ୍ୟାଦି କାରଣରୁ ଓଡ଼ିଆ ଉଦ୍ୟୋଗୀ ନିରୁତ୍ସାହିତ ଥିଲାବେଳେ, ପଶ୍ଚିମବଙ୍ଗ ଉଦ୍ୟୋଗୀମାନେ ଓଡ଼ିଶାର ଆଳୁ ବେପାରୀଙ୍କ ସହ ବ୍ୟବସ୍ଥିତ ଢଙ୍ଗରେ ଯୋଗାଯୋଗ ରଖି ଆସୁଛନ୍ତି, ଯାହାକୁ ନୂଆ ନୂଆ ଶୀତଳ ଭଣ୍ଡାର ନିର୍ମାଣ କରିଥିବା ଓଡ଼ିଆ ଉଦ୍ୟୋଗୀ ଭେଦ କରିବା କଷ୍ଟ।

ଓଡ଼ିଶା ଶାସନକଳ ପକ୍ଷରୁ ସମନ୍ୱିତ ସହଯୋଗର ଘୋର ଅଭାବ ଦେଖିବାକୁ ମିଳୁଛି।

ପ୍ରାୟ ଚାଳିଶରୁ ଅଧିକ ବେସରକାରୀ ଶୀତଳ ଭଣ୍ଡାର ବ୍ୟାଙ୍କ୍ ଋଣ ସାହାଯ୍ୟରେ ନିର୍ମିତ ହୋଇ ସାରିଥିଲେ ବି ମୁଖ୍ୟତଃ ସବ୍‌ସିଡି ନ ମିଳିବା କାରଣରୁ, ଏନ୍‌ପିଏ ବା ଅନାଦେୟ ଋଣ ପାଲଟିଛି।

ବ୍ୟାଙ୍କ୍‌ମାନେ ଏପରି ଶୀତଳ ଭଣ୍ଡାରଗୁଡ଼ିକୁ ତାଲା ପକାଇ ରଖିଛନ୍ତି ଏବଂ ଉଦ୍ୟୋଗୀଙ୍କ ବିରୁଦ୍ଧରେ ଋଣ ଆଦାୟ ଟ୍ରିବୁନାଲରେ ମକଦ୍ଦମା କରିଛନ୍ତି।

ଆଉ କିଛି ସ୍ଥଳରେ ବିଦ୍ୟୁତ୍‌ ଯୋଗାଣକାରୀ ସଂସ୍ଥାଙ୍କ ସହ ଦେୟକୁ ନେଇ ବିବାଦ କାରଣରୁ ବିଦ୍ୟୁତ୍‌ ସରବରାହ ବନ୍ଦ ଅଛି।

ତେଣୁ ପ୍ରତ୍ୟେକର ସମୀକ୍ଷା କରି ସମାଧାନ କରାଯିବା ଆବଶ୍ୟକ।

ଓଡ଼ିଶାର ଚାଷୀ ପରିବାରର ମାସିକ ଆୟ ମାତ୍ର ୫,୧୧୨ ଟଙ୍କା।

ଏହାର ଅନେକ କାରଣ ମଧ୍ୟରୁ ଗ୍ରାମ୍ୟ ଗୋଦାମ ଓ ଶୀତଳ ଭଣ୍ଡାର ଅଭାବ ମୁଖ୍ୟ।

ପରିବାକୁ ବାଛି, ଧୋଇ, ଉପଯୁକ୍ତ ପ୍ୟାକେଜିଂ କରି ଅଧିକ ମୂଲ୍ୟରେ ବିକ୍ରି କରିବାକୁ ଚାଷୀମାନେ ସାହସ କରିପାରୁ ନାହାନ୍ତି।

ସୁବିଧା ମିଳିଲେ, ଚାଷୀମାନେ କୃଷି ବଜାରକୁ ନିଜେ ନିୟନ୍ତ୍ରଣ କରନ୍ତେ, ଦେଶ ବିଦେଶକୁ ବି ରପ୍ତାନି କରିପାରନ୍ତେ।

କେବଳ ପରିବା କାହିଁକି, ଫୁଲ, ଫଳ ସମେତ ମହୁଲ, ତେନ୍ତୁଳି ଭଳି ଜଙ୍ଗଲଜାତ ଦ୍ରବ୍ୟ ସହ ପ୍ରକ୍ରିୟାକରଣ ପଦାର୍ଥ ମଧ୍ୟ ଉପଯୁକ୍ତ ମୂଲ୍ୟ ପାଆନ୍ତା।

କନ୍ଧମାଳ ହଳଦୀରୁ କୋରାପୁଟ ଅଦା, ରାଇକିଆ ବିନ୍‌ରୁ ନୟାଗଡ଼ ଦେଶୀକାଙ୍କଣ ନିର୍ଦ୍ଦିଷ୍ଟ ମୂଲ୍ୟରେ ବର୍ଷ ସାରା ମିଳିପାରନ୍ତା।

ଏହା ଦ୍ବାରା ଉଭୟ ଚାଷୀ ଓ ଖାଉଟି ଉପକୃତ ହୁଅନ୍ତେ।

ଶୀତଳ ଭଣ୍ଡାର ସମ୍ପର୍କିତ ଆଉ କେତେକ ସମସ୍ୟା ହେଉଛି- ଯେତେଗୁଡ଼ିଏ ଶୀତଳ ଭଣ୍ଡାର ନିର୍ମାଣ ହୋଇସାରିଛି, ସେଥିରୁ ଅଧିକାଂଶ ହାଟବଜାରରୁ ବହୁ ଦୂରରେ ଅବସ୍ଥିତ ଏବଂ ଚାଷୀଙ୍କୁ ସମ୍ପୃକ୍ତ ନ କରି ନିର୍ମିତ ହୋଇଛି।

ସେହିପରି ହାତଗୁଞ୍ଜା ନ ଦେଲେ, ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମରକୁ ବିଦ୍ୟୁତ୍‌ ସଂଯୋଗ, ରିହାତି ଓ ସେବା ମିଳେ ନାହିଁ।

ବନ୍ଦ ରହିଥିବା ଶୀତଳ ଭଣ୍ଡାରରେ କୋଟି କୋଟି ଟଙ୍କାର ଯନ୍ତ୍ରପାତି ଖତ ଖାଉଛି ଓ ବ୍ୟାଙ୍କ ଋଣ ଅନାଦେୟ ରହିଛି।

ଯେଉଁ ଶୀତଳ ଶୃଙ୍ଖଳର ଅଂଶ ହେବାକୁ ଯୁବକଯୁବତୀମାନେ ନିଜର ଜମିବାଡ଼ି ବିକି ମୂଳଧନ ଖଟାଇ ବ୍ୟାଙ୍କ୍‌ରୁ ଋଣ କରିଥିଲେ, ସେହି ଅଂଶକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସଚଳ କରିବାକୁ ପଡ଼ିବ।

ସେଥିପାଇଁ, କୃଷି ସଚିବ, ଶକ୍ତି ସଚିବ, ସମ୍ପୃକ୍ତ ବ୍ୟାଙ୍କ୍ କର୍ତ୍ତୃପକ୍ଷ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଓ ଉଦ୍ୟୋଗୀ ଏକାଠି ବସି ଗୋଟିଗୋଟି କରି ସମାଧାନର ରାସ୍ତା ବାହାର କରିବାକୁ ପଡ଼ିବ।

ଶୀତଳ ଭଣ୍ଡାରଗୁଡ଼ିକୁ ରାଜରାସ୍ତା ସହ ଯୋଡ଼ି, ସେଠାରେ ଗ୍ରାମ୍ୟ ଗୋଦାମ, ପିଆଜ ସଇତା ଗୃହ, ମଣ୍ଡି, ଟ୍ରକ ଟର୍ମିନାଲ ଇତ୍ୟାଦି ନିର୍ମାଣ କରିବାକୁ ପଡ଼ିବ।

କିଛି ବର୍ଷ ପାଇଁ ଶୀତଳ ଭଣ୍ଡାର ଉଦ୍ୟୋଗୀ ଓ ଉଦ୍ୟାନ ବିଭାଗ ମିଳିତ ଭାବେ ଭଣ୍ଡାର ନିକଟସ୍ଥ ଚାଷୀଙ୍କୁ ପ୍ରୋତ୍ସାହିତ କରି ଆଳୁ ଓ ପରିବା ଚାଷ ପାଇଁ ସୁବିଧା ଦେବାକୁ ହେବ।

ଜାତୀୟ ଲଜିଷ୍ଟିକ ନୀତିର ପୂର୍ଣ୍ଣ ଉପଯୋଗ ନ କଲେ, ଓଡ଼ିଶାର ଚାଷୀଙ୍କ ଆୟ ବୃଦ୍ଧି ହାର ବଢ଼ିବା ବଦଳରେ କମି ଚାଲିବ ଏବଂ ଆମେ ପଶ୍ଚିମବଙ୍ଗ ଆଳୁ, ନାସିକ ପିଆଜ, କର୍ଣ୍ଣାଟକ ଟମାଟୋ, ରାଞ୍ଚି ଫୁଲକୋବିକୁ ଭରସା କରି ରହିବା।

ଆମର ଯୁବଗୋଷ୍ଠୀ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲିଯିବେ।

ଏବେ କେବଳ ଯୋଜନା ଘୋଷଣା ପର୍ଯ୍ୟାପ୍ତ ନୁହେଁ, କାର୍ଯ୍ୟାନ୍ବୟନ ଦରକାର।(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୪୩୮୨୯୯୦୩୭Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)