Editorial: ଅତଥ୍ୟର ଇତିହାସ: ଦାଶ ବେନହୁରଙ୍କ ସମ୍ପାଦକୀୟ ସନାତନର ସ୍ବଗତୋକ୍ତିରେ ପଢ଼ନ୍ତୁ ଏଥର...
"ଅତଥ୍ୟର ଇତିହାସ ଦାଶ ବେନହୁରସନାତନର ସ୍ବଗତୋକ୍ତି "ଇତିହାସ"ର ପ୍ରକୃତ ଅର୍ଥ ହେଉଛି, "ହଁ ଏହିପରି ଘଟିଥିଲା"।
ଅତଏବ ଇତିହାସ ତଥ୍ୟଭିତ୍ତିକ ହେବାକୁ ବାଧ୍ୟ।
କପୋଳକଳ୍ପିତ ବା କାହାର ଉଦ୍ଦେଶ୍ୟମୂଳକ କଥାକୁ ଆମେ ଇତିହାସ ଭାବରେ ଗ୍ରହଣ କରିପାରିବା ନାହିଁ।
ପୁଣି ତଥ୍ୟ କହିଲେ ଯାହା ସତ୍ୟନିଷ୍ଠ ବା ସତ୍ୟ ଉପରେ ପର୍ଯ୍ୟବସିତ।
ପୁରାଣ କାହାଣୀ, ଏପରିକି କିଂବଦନ୍ତିରେ ଯେଉଁ ତଥ୍ୟ ଥାଏ ତାହା ଅନେକ ସମୟରେ ଅତିରଞ୍ଜିତ ହେବା ସହ ଅତିକଳ୍ପନା ଉପରେ ଗଢ଼ିଉଠେ।Advertisment ମହାଭାତ ଯୁଦ୍ଧରେ ଅଠର ଅକ୍ଷୌହିଣୀ ଯୋଦ୍ଧା ଭାଗ ନେଇଥିବାର ହିସାବ ଦିଆଯାଇଛି।
ସ୍ଥାନର ନାମ କୁରୁକ୍ଷେତ୍ର।
ଅକ୍ଷୌହିଣୀ କହିଲେ ଚତୁରଙ୍ଗ ସେନା- ମଣିଷ, ଘୋଡ଼ା, ହାତୀ ଓ ରଥ।
ଏକ ଅକ୍ଷୌହିଣୀର ହିସାବ ହେଲା ୧୦୯୩୫୦ ପଦାତି, ୬୫୬୧୦ ଅଶ୍ବ, ୨୦୮୭୦ ହସ୍ତୀ ଏବଂ ୨୧୮୭୦ ରଥ।
ମୋଟ ସଂଖ୍ୟା ୨ ଲକ୍ଷ, ୧୮ ହଜାର, ୭୦୦।
ତାହାକୁ ଅଠର ଗୁଣ କଲେ ହେବ ୩୯ ଲକ୍ଷ, ୩୬ ହଜାର, ୬୦୦।
ଯେଉଁମାନେ କୁରୁକ୍ଷେତ୍ର ଇଲାକାଟିକୁ ଦେଖିଥିବେ ସେମାନେ ସହଜରେ ଜାଣିପାରିବେ ଯେ ଏ ସଂଖ୍ୟା କପୋଳକଳ୍ପିତ।
ସେହିଭଳି ସମୁଦ୍ର ମନ୍ଥନ ଉପାଖ୍ୟାନ।
ପୃଥିବୀର ଯେଉଁ ସତୁରି ଭାଗ ଜଳ ତା"ର ନାମ ସମୁଦ୍ର।
ସମୁଦ୍ର କ"ଣ ପାଣିକୁଣ୍ଡ, ପୋଖରୀ ବା ହ୍ରଦ ଯେ ତାକୁ ମନ୍ଥନ କଲେ?
ସମୁଦ୍ରରେ ପୃଥିବୀର ସବୁଠାରୁ ବୃହତ୍ ପାହାଡ଼କୁ ପକେଇ ମନ୍ଥିଲେ ବି ତାହା ଗୋଟିଏ ପାଣିକୁଣ୍ଡରେ ଛୁଞ୍ଚିତୁଲ୍ୟ ହେବ।
ତା" ଛଡ଼ା ଗୋଟିଏ ପାହାଡ଼କୁ ଗୁଡ଼େଇ ମନ୍ଥିବା ଲାଗି କେଡ଼େମୋଟର ସାପଟିଏ ଲୋଡ଼ା?
ବାସୁକୀ ସାପର ଦେହ କ"ଣ ଦୁଇଚାରିଟା ନଦୀର ମିଶ୍ରିତ ଚଉଡ଼ାଠାରୁ ଅଧିକ ଓସାର?
ପୁଣି ସେଭଳି ଗୋଟେ ଓସାରିଆ ସାପକୁ ଧରି ପାହାଡ଼କୁ ଖୁଆଦଣ୍ଡ କରି ମନ୍ଥିବା ପାଇଁ ଦେବତା ଓ ଅସୁରଙ୍କ ହାତପାପୁଲି କେଡ଼େକେଡ଼େ ହେବା ଉଚିତ?
ସବୁ କଳ୍ପନା।
ସବୁ ଅତିରଞ୍ଜନ।
ଆହୁରି ପଢ଼ନ୍ତୁ- କେତନ ହତ୍ୟା ମାମଲା: "ଆମ ଝିଅ ଯଦି ଦୋଷୀ ତାକୁ ମୃତ୍ୟୁଦଣ୍ଡ ଦିଆଯାଉ": ସିୟାଙ୍କ ବାପାମା" ଏ ସମସ୍ତ କାହାଣୀ ଓ କିଂବଦନ୍ତି।
କାହାଣୀ, ଆଖ୍ୟାନ, କିଂବଦନ୍ତି ଓ ପୁରାଣର ସାମାଜିକ ତଥା ସାଂସ୍କୃତିକ ଭୂମିକା ଖୁବ୍ ଗଭୀର।
ଗୋଟିଏ ଗୋଟିଏ ତତ୍ତ୍ବକୁ ଚେତନାଭୁକ୍ତ କରାଇବା ପାଇଁ କାଳେକାଳେ ଏପରି ଅଲୌକିକ କାହାଣୀ ବା କିଂବଦନ୍ତିର ଆଶ୍ରୟ ନିଆଯାଇଛି।ମାତ୍ର ମନେ ରଖିବା ଆବଶ୍ୟକ ଯେ ଯାହା ସତ୍ୟ ନୁହେଁ ତାହା ଇତିହାସ ନୁହେଁ।
ଯାହା ଅତଥ୍ୟ ତାହା ଇତିହାସ ହେବ କେମିତି?
ଏଠାରେ ଆଉ ଗୋଟିଏ ଉଦାହରଣ ଖୁବ୍ ପ୍ରାସଙ୍ଗିକ ମନେହୁଏ।
କଥାଟି ଅନେକଙ୍କୁ ଖଟ୍କା ଲାଗିପାରେ ମାତ୍ର ତାହା ହିଁ ସତ୍ୟ।ଆମେ ଓଡ଼ିଶାବାସୀ ଆଞ୍ଚଳିକ ଇତିହାସ କହିଲେ ଅଶୋକଙ୍କ ପାଖରେ ପହଞ୍ଚୁ।
ଅଶୋକଙ୍କ ବାଟେ କଳିଙ୍ଗ ଯୁଦ୍ଧରେ ପହଞ୍ଚି ସେଇଠାରୁ ଗଙ୍ଗାକୁ ଗଙ୍ଗୋତ୍ରୀରୁ ଖୋଜି ପାଇଲା ପରି ଗୋଟାଏ ଅତଥ୍ୟ ଇତିହାସରେ ଯୋଡ଼ି ହୋଇଯାଉ।
ହିସାବ ଅନୁସାରେ ପ୍ରଚଳିତ ସାଧାରଣ ବର୍ଷମାନର ୨୬୧ ବର୍ଷ ପୂର୍ବେ ମୌର୍ଯ୍ୟ ସମ୍ରାଟ ବୀରବର ଅଶୋକ କଳିଙ୍ଗ ଆକ୍ରମଣ କରି ଲକ୍ଷ ଲକ୍ଷ ଲୋକଙ୍କୁ ମାରିପକେଇଥିଲେ।
ସେଇଠୁ ତାଙ୍କ ମନ ବଦଳିଗଲା।
ବୌଦ୍ଧ ଧର୍ମ ଗ୍ରହଣ କରି ସେ ଧର୍ମାଶୋକ ହୋଇଗଲେ।
ଅଶୋକ ନିଜେ ଶିଳାଲେଖରେ ଯାହା ଲେଖେଇଛନ୍ତି ସେ ଅନୁସାରେ ଲକ୍ଷେ ମରିଥିଲେ ଆଉ ଦେଢ଼ଲକ୍ଷ ବନ୍ଦୀ ହୋଇ ସ୍ଥାନାନ୍ତରିତ ହୋଇଥିଲେ।
ସେ ଭାରତ ଭୂଖଣ୍ଡର ପ୍ରଥମ ନରପତି ଯିଏ ଆପଣା କୃତିତ୍ବ ଲୋକ ଲଗେଇ ପଥରରେ ଖୋଦିତ କରାଇଥିଲେ।
ନିଜର ଅନୁଶାସନ ନୀତି ପଥରରେ ଖୋଦିତ କରେଇ ପ୍ରଚାର ସକାଶେ ସାମ୍ରାଜ୍ୟ ସାରା ବିତରିବା ଭିନ୍ନେ କଥା ହେଲେ ନିଜର ପାରିଲାପଣିଆ ଯେଉଁ ଅଞ୍ଚଳରେ ତାହା ଘଟିଥିଲା ସେଠାରେ ନ ଲେଖି ଅନ୍ୟତ୍ର ବଖାଣିବାର ଉଦ୍ଦେଶ୍ୟ ଅଲଗା କଥା କହେ।
ଆମର କିଂବଦନ୍ତି କହୁଛି ରାଜା ଇନ୍ଦ୍ରଦ୍ୟୁମ୍ନ କୁଆଡ଼େ ବର ମାଗିଥିଲେ- ତାଙ୍କ ବଂଶରେ କେହି ନ ରହନ୍ତୁ।
କାଳେ ସେମାନେ ମନ୍ଦିରଟି ତାଙ୍କର କୀର୍ତ୍ତି ବୋଲି କହି ଗର୍ବ କରିବେ!
ଅଥଚ ସମ୍ରାଟ ଅଶୋକ ନିଜକୁ ନିଜେ "ଦେବାନାଂ ପ୍ରିୟଦର୍ଶୀ" ବୋଲି ଘୋଷଣା କରେଇ ବ୍ରାହ୍ମୀଲିପିରେ ପଥର-ଲେଖ ମାଧ୍ୟମରେ ଘୋଷଣା କରେଇଦେଲେ ଯେ ସେ ଈଶ୍ବରଙ୍କ ପ୍ରିୟ।
ତେଣେ ବୌଦ୍ଧ ଧର୍ମ କୌଣସି ଈଶ୍ବରରେ ବିଶ୍ବାସ କରେ ନାହିଁ।
ଆହୁରି ପଢ଼ନ୍ତୁ- Odisha STF ganja raid, ମାସେ ଧରି ଚାଲିଥିଲା ଅପରେସନ୍ "ଗ୍ରିନ୍ କ୍ଲିନ୍", ଶେଷରେ ଗିରଫ ହେଲା ଆନ୍ତଃରାଜ୍ୟ ଗଞ୍ଜେଇ କାରବାରର କିଙ୍ଗ୍ପିନ୍ ଅଶୋକ, ଭାରତରେ ଶିଳାଲେଖର ପ୍ରଥମ ବିଜ୍ଞାପନକାରୀ।
ନିଜର ବିଜୟ-କାହାଣୀ ନିଜେ ଆଦେଶ ଦେଇ ସାମ୍ରାଜ୍ୟ ସାରା ଲେଖେଇଛନ୍ତି।
ଓଡ଼ିଶାର ଧଉଳିଗିରିରେ ବି ଶିଳାଲେଖ ଅଛି।
ହେଲେ କେଉଁ କଥା ଅଛି ସେଥିରେ? "ଶାନ୍ତି, ଅହିଂସା ଓ ଧର୍ମର ପ୍ରଚାର।
ମୁଁ ପ୍ରଜାମାନଙ୍କର ପିତା ସଦୃଶ।" ତାଙ୍କର ମିଳୁଥିବା ତେତିଶ ଗୋଟି ଶିଳାଲେଖରୁ ତେର ସଂଖ୍ୟକ ଶିଳାଲେଖରେ କଳିଙ୍ଗ ଯୁଦ୍ଧର ଯେଉଁ ବିଭୀଷିକା ବର୍ଣ୍ଣିତ ତାହା ଓଡ଼ିଶାରେ କେଉଁଠି ପ୍ରାପ୍ତ ନୁହେଁ।
ପ୍ରଚାର ଉଦ୍ଦେଶ୍ୟରେ କେଉଁଠି ଗୁଜରାଟରେ ତ କେଉଁଠି ବର୍ତ୍ତମାନର ପାକିସ୍ତାନସ୍ଥ ସାହାବାଜଗଡ଼ି କିମ୍ବା ଆଜିକା ଉତ୍ତରାଖଣ୍ଡର କାଲ୍ସିରେ।
ସେ ସବୁ ସ୍ଥାନରେ କାହିଁକି?
ଯେଉଁ ଲୋକଙ୍କୁ ଏତେ ସଂଖ୍ୟାରେ ମାରିଲେ ଏବଂ ଆଜିର ଇତିହାସକାରମାନେ ଯେଉଁ ଯୁଦ୍ଧକୁ "ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ" କହି ଆମ ଉପରେ ଲଦି ଦେଇଛନ୍ତି ସେଥିରେ ଲୋକକଲ୍ୟାଣ ଉଦ୍ଦେଶ୍ୟରେ କ"ଣ କ"ଣ କାମ ହୋଇଥିଲା?
ତା" ଛଡ଼ା ଇନ୍ଦିରାଙ୍କ ଜରୁରୀକାଳୀନ ପରିସ୍ଥିତି ବେଳେ ସମୁଦ୍ରରେ ନିକ୍ଷେପିତ "ଟାଇମ୍ କ୍ୟାପ୍ସୁଲ" ପରି ଏ ସବୁ ଶିଳାଲେଖ ଯେ ଉଦ୍ଦେଶ୍ୟମୂଳକ, ପ୍ରଚାରଧର୍ମୀ, ଇତିହାସ ନୁହେଁ ସେ କଥା କିଏ ଅସ୍ବୀକାର କରିବ?
ଶିଳାଲେଖରେ ଯାହା ଖୋଦେଇ ହୋଇଗଲା ତାହା କ"ଣ ପ୍ରକୃତ ତଥ୍ୟ?
ଏ ପ୍ରଶ୍ନ ସମ୍ରାଟ ଅଶୋକଙ୍କର ବଡ଼ପଣିଆକୁ ନ୍ୟୂନ କରିବା ଲାଗି ଅଭିପ୍ରେତ ନୁହେଁ।
କିନ୍ତୁ ଶାସନ ପାଇଁ ନୀତିନିୟମ ଜନାଦୃତ କରିବା ନିମନ୍ତେ ସ୍ଥାୟୀ ବିଜ୍ଞାପନ ଜାରି କରିବା ଭିନ୍ନ କଥା, ହେଲେ ଆପଣା ପ୍ରଚାର?
ସହଜ ବିଜୟ ପାଇଁ ମୁଁ ଏମିତି, ମୁଁ ସେମିତି କହି ଲୋକଙ୍କୁ ପ୍ରଭାବିତ କରିବା ଲାଗି ଶିଳାଲେଖର ଯେ ଉପଯୋଗ ହୋଇ ନାହିଁ ସେ କଥା କିଏ କହିବ?
କେଉଁଠି ପଥର କାନ୍ଥରେ, ଗୁମ୍ଫାରେ ବା ଖୁଣ୍ଟ ନିର୍ମାଣ କରି ଅଶୋକଙ୍କର ଶିଳାଲିପି ସେତେବେଳେ କେବଳ ଅନୁଶାସନର କଥା କହିନାହିଁ, ତାଙ୍କ ପ୍ରୌଢ଼ି ମଧ୍ୟ ବର୍ଣ୍ଣନା କରିଛି।
ଆମର "ଚତୁର ବିନୋଦ"ର କଥାଟିଏ ଅଛି- "ଆପଣା ପୁରୁଷାର୍ଥ ଆପଣେ କହିଲେ ନଷ୍ଟ"।ସେମିତି ପଠାଣି ସାମନ୍ତଙ୍କ କଥା।
ତାଙ୍କ ଜନ୍ମ ତାରିଖଠାରୁ ଆରମ୍ଭ କରି ନାମକରଣ, ଜୀବନ-ଉପାଖ୍ୟାନ, ଏପରିକି ସେ ବ୍ୟବହାର କରିଥିବା ସରଞ୍ଜାମ ସଂପର୍କରେ ଏତେ ଅତଥ୍ୟ ଭରିଗଲାଣି ଯେ ତା" ଭିତରେ ତଥ୍ୟ ବା ସତ୍ୟ ପୂରାଇବା କଷ୍ଟ।
ସାମନ୍ତ ଚନ୍ଦ୍ରଶେଖରଙ୍କର ପ୍ରଥମ ଜୀବନୀକାର ହେଉଛନ୍ତି ଖଣ୍ଡପଡ଼ାର ପଣ୍ଡିତ ଚନ୍ଦ୍ରଶେଖର ମିଶ୍ର, କାବ୍ୟତୀର୍ଥ।
ପଣ୍ଡିତ ଚନ୍ଦ୍ରଶେଖରଙ୍କ ପିତା ନାରାୟଣ ଥିଲେ ସାମନ୍ତ ଚନ୍ଦ୍ରଶେଖରଙ୍କର ନିଘନ ବନ୍ଧୁ।
ତାଙ୍କଠାରୁ କିଏ ଅଧିକ ଜାଣିଥିଲା ସାମନ୍ତଙ୍କ ସଂପର୍କରେ? "ଉତ୍କଳ ସାହିତ୍ୟ ସମାଜ" ପକ୍ଷରୁ ଚନ୍ଦ୍ରଶେଖରଙ୍କ ଜୀବନୀ ଲେଖି ସେ ପୁରସ୍କାର ପାଇଥିଲେ ଏବଂ ତାହାର ପ୍ରଥମ ସଂସ୍କରଣ ୧୯୩୨ରେ ପ୍ରକାଶ ପାଇଥିଲା।
ସେଥିରେ ସେ ଲେଖିଛନ୍ତି ଯେ- "ଚନ୍ଦ୍ରଶେଖର (ମହାଦେବ)ଙ୍କ ପ୍ରସାଦରୁ ପୁତ୍ରଲାଭ ହୋଇଥିବାରୁ ପିତାମାତା ପୁତ୍ରର ନାମ ଚନ୍ଦ୍ରଶେଖର ରଖିଲେ।
ଉପର ଭାଇ ମୃତ ହୋଇଥିବାରୁ ତାହାଙ୍କର ଅପର୍ତ୍ତ୍ୟାଣି (ଅପ୍ରତ୍ୟୟ) ନାମ ଥିଲା ପଠାଣି।" ଅଥଚ ପାଲାକାରଙ୍କ ଭଳି ଦଳେ କାଗଜରେ, କାନ୍ଥରେ ବାଡ଼ରେ, ଘୋଷଣାରେ ପ୍ରକାଶ କରିଦେଲେ ଯେ ତାଙ୍କ ପିତାମାତା ଜଣେ ପଠାଣକୁ ବିକି ଦେଇଥିବାରୁ ତାଙ୍କର ନାମ ପଠାଣି।
ଏହା ସଂପୂର୍ଣ୍ଣ ଅତଥ୍ୟ।
ମିଛ କଥାଟି ଏବେ ଇତିହାସର ରୂପ ନେଇସାରିଲାଣି।
ସେମିତି ତାଙ୍କ ବିଷୟରେ କିଛି ବର୍ଷ ପୂର୍ବେ ପାଠ୍ୟପୁସ୍ତକରେ ପଶିଥିବା ଓ ପରେ ଜଣେ ସାହିତ୍ୟିକ ଆପଣା ଧାରାବାହିକ ସ୍ତମ୍ଭରେ ଆଖ୍ୟାୟିତ କରିଥିବା ଏକ କାହାଣୀର କଥା।
ସାମନ୍ତ ଚନ୍ଦ୍ରଶେଖର କୁଆଡ଼େ ତାଙ୍କ ଚାଷ ଗାଆଁକୁ ବେଙ୍ଗଳା ପକାଇବା ପାଇଁ ଯାଇଥିଲେ।
ଶଗଡ଼ରେ ଧାନ ଧରି ଆସିଲା ବେଳେ ସବୁତକ ବାଣ୍ଟିଦେଇ ମାତ୍ର ଗୋଟିଏ ବସ୍ତା ଧରି ଫେରିଥିଲେ।
କି କେପାଳକଳ୍ପିତ କଥା?
ଏ କାହାଣୀଟି ରାଜା ନାରାୟଣ ମଙ୍ଗରାଜଙ୍କ ଗୁରୁ ଦୀନବନ୍ଧୁ ମିଶ୍ର ଖାଡ଼ଙ୍ଗାଙ୍କ ଜୀବନର ଘଟନା।
ସେ ଉପାଖ୍ୟାନଟି ମଧ୍ୟ ପଣ୍ଡିତ ଚନ୍ଦ୍ରଶେଖର ମିଶ୍ର ସାମନ୍ତଙ୍କ ଜୀବନୀରେ ଉଲ୍ଲେଖ କରିଛନ୍ତି।
ଅଥଚ ଷଷ୍ଠ ଶ୍ରେଣୀ ବହିରେ ଓଡ଼ିଶାରେ ଏ ଅତଥ୍ୟଟି ପାଠ୍ୟପୁସ୍ତକରେ ପଶିଯାଇଥିଲା।
ଆହୁରି ପଢ଼ନ୍ତୁ- Industrial Investment: ପୂର୍ବାଞ୍ଚଳ-ପୂର୍ବୋତ୍ତର ରାଜ୍ୟରୁ ନିବେଶ ଆସିବ, ସୀମାବର୍ତ୍ତୀ-ପଛୁଆ ଜିଲ୍ଲା ଉପକୃତ ହେବେ: ମୁଖ୍ୟମନ୍ତ୍ରୀ ଆଉ ଗୋଟିଏ ହେଲା ବାଉଁଶନଳୀ ଉପାଖ୍ୟାନ।
ସାମନ୍ତ ଚନ୍ଦ୍ରଶେଖର କୁଆଡ଼େ ଦୁଇଖଣ୍ଡ ବାଉଁଶନଳୀରେ ଗ୍ରହନକ୍ଷତ୍ର ଦେଖୁଥିଲେ ଓ ପାହାଡ଼ର ଉଚ୍ଚତା ମାପୁଥିଲେ।
କି ଘୋର ଅତଥ୍ୟ!
ଚାରିଆଡ଼େ, ଏବେ ସେ କଥା ଲେଖାରେ, ଚିତ୍ରରେ ପ୍ରଚାରିତ।
ସାମନ୍ତ ଖାଲି ଆଖିରେ ଆକାଶ ନିରୀକ୍ଷଣ କରିଥିଲେ।
ସେଥିପାଇଁ "ଦୃକ୍ସିଦ୍ଧ ସିଦ୍ଧାନ୍ତ"।
ବ୍ୟବହାର ପାଇଁ ତାଙ୍କୁ ଶଙ୍କୁ ଯନ୍ତ୍ର, ମାନ ଯନ୍ତ୍ର, ଖପୋଳ ଯନ୍ତ୍ର, ସୂର୍ଯ୍ୟଘଡ଼ି ଆଦି ତିଆରି କରିବାକୁ ପଡ଼ିଥିଲା।
ବାଉଁଶନଳୀ ଆସିଲା କେଉଁଠୁ?
ଅନୁରୂପ ଭାବେ ତାଙ୍କ "ସିଦ୍ଧାନ୍ତ ଦର୍ପଣ"ର ରଚନାକାଳ।
ସେ ନିଜେ ଲେଖିଛନ୍ତି- "ମୁକୁନ୍ଦ ଦେବସ୍ୟ ଚତୁର୍ଦ୍ଦଶାଙ୍କେ କାଳେ ବୃଷାଷେନ୍ଦୁ ସମେ ଚ ଶାକେ / ବାରେ ଶନେମାର୍ଗପୁରୋ ନବମୟାମିଦଂ ମ୍ୟା ପୁସ୍ତକମାସ୍ତ ପୂର୍ଣ୍ଣମ୍।" ଅର୍ଥାତ୍ ମୁକୁନ୍ଦ ଦେବଙ୍କ ୧୪ ଅଙ୍କ (୧୮୧୪) ଶତାବ୍ଦ ମାର୍ଗଶିର ମାସ କୃଷ୍ଣପକ୍ଷ ନବମୀ ତିଥି ଶନିବାର (୧୨.୧୧.୧୮୯୨)ରେ ମୋ ଦ୍ବାରା ଏହି ପୁସ୍ତକ (ସିଦ୍ଧାନ୍ତ ଦର୍ପଣ) ସମାପ୍ତ ହେଲା।
ଦଳେ ପ୍ରଚାର ଚଳାଇଛନ୍ତି ସେ ମାତ୍ର ୩୪ ବର୍ଷ ବୟସରେ ସେ "ସିଦ୍ଧାନ୍ତ ଦର୍ପଣ" ସାରିଥିଲେ।
ଅତଥ୍ୟ।
ଜନ୍ମ ତାରିଖଟି ମଧ୍ୟ ସେଇଭଳି ତଥ୍ୟ ଆଧାରିତ ନୁହେଁ।
ସବୁଠୁ ବଡ଼ କଥା ହେଲା ଆଜି ଅଧିକାଂଶ ପାଠ୍ୟପୁସ୍ତକ ଅତଥ୍ୟରେ ଭରା।
ଫଳରେ ପିଲାମାନେ ଏହାକୁ ପ୍ରକୃତ ଇତିହାସ ମନେ କରୁଛନ୍ତି।
ଇତିହାସକୁ ବିକୃତ କରିବା ଅର୍ଥ ସତର ତଣ୍ଟି ଚିପିବ।(ମତାମତ ଲେଖକଙ୍କ ନିଜସ୍ବ) dashbenhur.53@gmail.com ଅଧିକ ଦେଖନ୍ତୁ- "