E-waste: ଇଲେକ୍ଟ୍ରୋନିକ୍ ଆବର୍ଜନା ପ୍ରଗତି ପଛରେ ଦୁର୍ଗତି
"ଆଜିର ଆଧୁନିକ ଯୁଗରେ ପ୍ରଯୁକ୍ତିବିଦ୍ୟା ବା ଟେକ୍ନୋେଲାଜି ଆମ ଜୀବନକୁ ସହଜ ଓ ଗତିଶୀଳ କରିଛି।
କିନ୍ତୁ ଏହି ଚକମକିଆ ଦୁନିଆ ପଛରେ ଏକ ବଡ଼ ସଙ୍କଟ ଲୁଚି ରହିଛି, ଯାହାକୁ ଆମେ "ଇ-ୱେଷ୍ଟ" ବା ଇଲେକ୍ଟ୍ରୋନିକ୍ ଆବର୍ଜନା ବୋଲି କହୁ।
ସ୍ମାର୍ଟଫୋନ୍, କମ୍ପ୍ୟୁଟର, ଟିଭି, ରେଫ୍ରିଜରେଟରଠାରୁ ଆରମ୍ଭ କରି ବ୍ୟବହାର ହେଉଥିବା ଛୋଟ ଛୋଟ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଖରାପ ହେବା ପରେ କେଉଁଆଡ଼େ ଯାଏ, ତାହା ପ୍ରାୟତଃ କେହି ଚିନ୍ତା କରନ୍ତି ନାହିଁ।
ଏହି ବର୍ଜ୍ୟବସ୍ତୁ ଆଜି ସାରା ବିଶ୍ୱ ତଥା ଆମ ପରିବେଶ ପାଇଁ ବଡ଼ ସଙ୍କଟ ସାଜିଛି।Advertisment ଆମେ ପ୍ରତିବର୍ଷ ନୂଆ ମୋବାଇଲ୍ ବା ଗ୍ୟାଜେଟ୍ କିଣିବା ପାଇଁ ଯେତିକି ଆଗ୍ରହ ଦେଖାଉ, ପୁରୁଣା ଜିନିଷର ଉପଯୁକ୍ତ ବିସର୍ଜନ ପାଇଁ ସେତିକି ସଚେତନ ହେଉନାହୁଁ।
ଅଳିଆ ଗଦାରେ ପଡ଼ିରହୁଥିବା ଏହି ଇ-ୱେଷ୍ଟ ସହଜରେ ମାଟିରେ ମିଶେ ନାହିଁ।
ଏକ ରିପୋର୍ଟ ଅନୁସାରେ, ବିଶ୍ୱରେ ପ୍ରତିବର୍ଷ କୋଟି କୋଟି ଟନ୍ ଇଲେକ୍ଟ୍ରୋନିକ ଆବର୍ଜନା ସୃଷ୍ଟି ହେଉଛି, ଯାହାର ମାତ୍ର କିଛି ପ୍ରତିଶତ ହିଁ ଠିକ୍ ଭାବେ ପୁନର୍ବାର ବ୍ୟବହାର ଯୋଗ୍ୟ କରାଯାଇପାରୁଛି।
ଇ-ୱେଷ୍ଟ ସାଧାରଣ ଅଳିଆ ଭଳି ନୁହେଁ।
ଏଥିରେ ସୀସା, ପାରଦ, କ୍ୟାଡମିୟମ୍ ଓ ଆର୍ସେନିକ ଭଳି ଅନେକ ମାରାତ୍ମକ ରାସାୟନିକ ପଦାର୍ଥ ଥାଏ।
ଯେତେବେଳେ ଏହି ଆବର୍ଜନାଗୁଡ଼ିକୁ ଖୋଲା ପଡ଼ିଆରେ ଫିଙ୍ଗିଦିଆଯାଏ, ସେଥିରୁ ନିର୍ଗତ ବିଷାକ୍ତ କେମିକାଲ୍ ମାଟି ଭିତରକୁ ଯାଇ ଭୂତଳ ଜଳକୁ ଦୂଷିତ କରିଥାଏ।
ଅନେକ ସମୟରେ ଏହି ପ୍ଲାଷ୍ଟିକ ଏବଂ ତାରଗୁଡ଼ିକୁ ଜଳାଇ ଦିଆଯାଏ, ଯାହାଦ୍ୱାରା ବାୟୁମଣ୍ଡଳରେ କ୍ୟାନ୍ସର ସୃଷ୍ଟି କରୁଥିବା ବିଷାକ୍ତ ଗ୍ୟାସ୍ ମିଶିଥାଏ।
ଇ-ୱେଷ୍ଟକୁ ଭାଙ୍ଗି ସେଥିରୁ ମୂଲ୍ୟବାନ ଧାତୁ ବାହାର କରିବା କାମରେ ପ୍ରାୟତଃ ଗରିବ ଶ୍ରମିକ ଏବଂ ଛୋଟପିଲାମାନେ ନିୟୋଜିତ ହୁଅନ୍ତି।
ବିନା କୌଣସି ସୁରକ୍ଷା ଉପକରଣରେ କାମ କରୁଥିବାରୁ ସେମାନେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୁଅନ୍ତି।
ଏହି ଭୟାବହତାରୁ ରକ୍ଷା ପାଇବା ପାଇଁ ଆମକୁ ନିଜ ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣିବାକୁ ହେବ।
କେବଳ ସଉକ ପାଇଁ ବାରମ୍ବାର ଫୋନ୍ ବା ଗ୍ୟାଜେଟ୍ ନ ବଦଳାଇ, ଯେତେସମ୍ଭବ ଅଧିକ ଦିନ ବ୍ୟବହାର କରନ୍ତୁ।
ସାମାନ୍ୟ ଖରାପ ହେଲେ ଫିଙ୍ଗି ନଦେଇ ତାକୁ ସଜାଡ଼ି ବ୍ୟବହାର କରିବା ଉଚିତ।
ଇ-ୱେଷ୍ଟକୁ ସାଧାରଣ ଅଳିଆବାଲାଙ୍କୁ ନଦେଇ, କେବଳ ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ଇ-ୱେଷ୍ଟ କଲେକ୍ସନ ସେଣ୍ଟରରେ ଦିଅନ୍ତୁ।
ବିଜ୍ଞାନର ଅଗ୍ରଗତି ଯଦି ଆମକୁ ଏକ ସୁନ୍ଦର ଜୀବନ ଦେଉଛି, ତେବେ ତାହାର ଅପବ୍ୟବହାର ଆମ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛି।
ଆଜି ଯଦି ଆମେ ଇ-ୱେଷ୍ଟ୍ର ଠିକ୍ ପରିଚାଳନା ନକରିବା, ତେବେ ଆଗାମୀ ଦିନରେ ଏହି ଟେକ୍ନୋଲୋଜି ହିଁ ମାନବ ସମାଜର ବିନାଶର କାରଣ ପାଲଟିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।