e-KYC Failure Removes Millions: ଇ-କେୱାଇସି ନକରି କଟିଲା ୯୨ ଲକ୍ଷ ମହିଳାଙ୍କ ନାଁ, ଏପଟେ ସୁଭଦ୍ରା ଯୋଜନା ପାଇଁ ସରକାରଙ୍କ ବଡ ଘୋଷଣା
ମହାରାଷ୍ଟ୍ର ସରକାରଙ୍କ ମେଗା ସ୍କିମ 'ମାଝୀ ଲାଡ୍କି ବହିନ ଯୋଜନା'କୁ ନେଇ ଆସିଛି ଏକ ବଡ଼ ରିପୋର୍ଟ। ଯୋଜନାରୁ ବାଦ୍ ପଡ଼ିଛନ୍ତି ପ୍ରାୟ ୯୨ ଲକ୍ଷରୁ ଅଧିକ ମହିଳା। କେବଳ ବୀଡ୍ ଜିଲ୍ଲାରୁ ସର୍ବାଧିକ ୨୮ ଲକ୍ଷ ମହିଳାଙ୍କ ନାମ କଟାଯାଇଛି। ସରକାରଙ୍କ ଏହି ପଦକ୍ଷେପ ପରେ ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୩୮ ପ୍ରତିଶତ କମିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କେବଳ ପ୍ରକ୍ରିୟାଗତ ତ୍ରୁଟି ନୁହେଁ, ଅଯୋଗ୍ୟତା ଯୋଗୁଁ ମଧ୍ୟ ଏହି ସଂଖ୍ୟା ହ୍ରାସ ପାଇଛି। ପ୍ରାୟ ୫୦ ରୁ ୫୫ ଲକ୍ଷ ମହିଳା ସମୟ ସୀମା ମଧ୍ୟରେ e-KYC କରିପାରି ନାହାନ୍ତି। ସେହିପରି ୧୨ ଲକ୍ଷ ମହିଳାଙ୍କ ପରିବାରର ବାର୍ଷିକ ଆୟ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଥିଲା। ଏହା ବ୍ୟତୀତ ୪.୫ ଲକ୍ଷରୁ ଅଧିକ ମହିଳାଙ୍କ ବୟସ ୬୫ ବର୍ଷରୁ ଅଧିକ ଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟଜନକ ଭାବେ, ପ୍ରାୟ ୧୪,୦୦୦ ପୁରୁଷ ମଧ୍ୟ ମହିଳା ସାଜି ଏହି ଯୋଜନାର ଲାଭ ନେବାକୁ ଚେଷ୍ଟା କରୁଥିଲେ, ଯେଉଁମାନଙ୍କୁ ଚିହ୍ନଟ କରାଯାଇ ବାଦ୍ ଦିଆଯାଇଛି। ସରକାର କହିଛନ୍ତି ଯେ ଏକ ପୁନଃ-ଯାଞ୍ଚ ପ୍ରକ୍ରିୟା ପରେ ହିଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଭୁଲ୍ରେ ନାମ କଟିଯାଇଥିବା ଅଭିଯୋଗର ମଧ୍ୟ ତଦନ୍ତ ଚାଲିଛି।
ଅନ୍ୟପଟେ ଏହି ଯୋଜନାକୁ ନେଇ କ୍ୟାଗ୍ (CAG) ଏକ ଚେତାବନୀପୂର୍ଣ୍ଣ ରିପୋର୍ଟ ପ୍ରକାଶ କରିଛି। ଯୋଜନା ଯୋଗୁଁ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ପ୍ରବଳ ବୋଝ ପଡ଼ିବ ବୋଲି କ୍ୟାଗ୍ କହିଛି। ରିପୋର୍ଟ ଅନୁସାରେ, ଏଥିରେ ଖର୍ଚ୍ଚ ହୋଇଥିବା ୩,୫୪୧ କୋଟି ଟଙ୍କାର କୌଣସି ଯଥାର୍ଥତା ନାହିଁ। ମହିଳା କଲ୍ୟାଣ ବାବଦରେ ଖର୍ଚ୍ଚ ଗତ ବର୍ଷ ୨୬୧.୭୮ କୋଟି ଥିବାବେଳେ ଚଳିତ ବର୍ଷ ଏହା ୩୩,୫୫୪.୩୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ ଯେ, ଗତ ୨୦୨୪ ଜୁନ୍ ୨୮ ରେ ମହାରାଷ୍ଟ୍ର ସରକାର ଏହି ଯୋଜନାକୁ ମଞ୍ଜୁରୀ ଦେଇଥିଲେ।
ଏପଟେ ସୁଭଦ୍ରା ହିତାଧିକାରୀଙ୍କ ବଡ ଅପଡେଟ୍ ଦେଇଛନ୍ତି ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି, ନୂଆ ହିତାଧିକାରୀଙ୍କୁ ଯୋଡିବାକୁ ଆରମ୍ଭ ହୋଇଛି ଫିଲଡ଼ ଇନକ୍ଵାରୀ। ୨୦୨୬-୨୭ ବର୍ଷରେ ୩ ଲକ୍ଷ ୧୭ ହଜାର ୯୬୬ ନୂଆ ଆବେଦନ ଆସିଛି। ଡିବିଟି, ଇ-କେ୍ୱାଇସି, ଫିଲଡ ଭେରିଫିକେସନ ଏବଂ ବ୍ୟାଙ୍କ ସମନ୍ୱୟ ସମସ୍ୟା ରହିଛି। ୮୨ ହଜାର ୩୬ଟି DBT ସକ୍ରିୟକରଣ, ୨୮ ହଜାର ୬୨୧ଟି ବାୟୋମେଟ୍ରିକ୍, e-KYC ଏବଂ ୩ ଲକ୍ଷ ୫୩ ହଜାର ୫୯ଟି ଫିଲ୍ଡ ଇନକ୍ବାରୀ ସମ୍ବନ୍ଧୀୟ ମାମଲା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛି ମହିଳା ଓ ଶିଶୁ ବିକାଶ ବିଭାଗ । ଫିଲଡ଼ ତଦନ୍ତ ପାଇଁ ବ୍ଲକ ଓ ଏନଏସି ଜିଲ୍ଲା କମିଟିକୁ ରିପୋର୍ଟ ଦେବେ। ଜିଲ୍ଲା କମିଟି ଜୁଲାଇ ୨୫ ତାରିଖ ସୁଦ୍ଧା ରାଜ୍ୟ କମିଟିକୁ ରିପୋର୍ଟ ଦେବେ। ବାୟୋମେଟ୍ରିକ ଦେଇ ନଥିବା ହିତାଧିକାରୀଙ୍କ ତାଲିକା ସୁଭଦ୍ରା ପୋର୍ଟାଲରେ ରହିଛି। ସେମାନେ ମୋ-ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରକୁ ଯାଇ ଜୁଲାଇ ୨୫ ଭିତରେ ଫିଙ୍ଗର ପ୍ରିଣ୍ଟ ଦେଇ ଏହାକୁ ସଂପୂର୍ଣ୍ଣ କରିବାକୁ ନିବେଦନ କରିଛନ୍ତି ପ୍ରଭାତୀ ।
କେବଳ ନୂଆ ନୁହନ୍ତି, ଏହି ପ୍ରକ୍ରିୟାରେ ବାଦ୍ ପଡିଥିବା ପୁରୁଣା ହିତାଧିକାରୀ ବି ଯୋଡ଼ି ହୋଇପାରିବେ । ଯେଉଁମାନେ ୫ ଏକର ଜମି ନ ଥାଇ କିମ୍ବା ଆଇଟି ରିଟର୍ଣ୍ଣ ନ କରି ସୁଭଦ୍ରାରୁ ବାଦ ପଡିଛନ୍ତି ସେମାନେ ଫିଲଡ ତଦନ୍ତରେ ଅଭିଯୋଗ କରିପାରିବେ। ପ୍ରଥମରୁ ଯଦି କିଛି ପାଇ ନଥିବେ, କିନ୍ତୁ ଯୋଗ୍ୟ ହୋଇଥିବେ, ସେମାନେ ଯୋଗ୍ୟ ପ୍ରମାଣିତ ହେଲେ ଏକାବେଳକେ ୫ଟି କିସ୍ତିର ଟଙ୍କା ପାଇବେ। ଏନେଇ ଲୋକସେବା ଭବନରେ ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜୁଲାଇ ୨୫ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣୀମାରେ ସୁଭଦ୍ରାର ପଞ୍ଚମ କିସ୍ତି ମିଳିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।