Dedicated Service: ୩୦ ବର୍ଷର ନିଷ୍ଠାପର ସେବା ପରେ ନେଲେ ଅବସର, ତଥାପି ମିଳିଲାନି ସରକାରୀ ସ୍ୱୀକୃତି
ଭାଲୁମୁଣ୍ଡା: ଦୀର୍ଘ ତିନି ଦଶନ୍ଧିର ସେବା ପରେ ମଧ୍ୟ ଚାକିରି ନିୟମିତ ହୋଇପାରିଲା ନାହିଁ କି ମିଳିଲାନି ସେହି ଅନୁଯାୟୀ ସରକାରୀ ସୁବିଧା।
ଏଭଳି ଏକ ଦୁଃଖଦ ଓ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଶ୍ରୀରାମ ଗ୍ରାମରେ ଥିବା ଆଶ୍ରମ ବିଦ୍ୟାଳୟରୁ।
Advertisment ସୂଚନା ଅନୁସାରେ, ଶ୍ରୀରାମ ଆଶ୍ରମ ବିଦ୍ୟାଳୟରେ କୁକ୍ ତଥା ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟରତ ସଦାନନ୍ଦ ବେହେରା ଆଜି ଅବସର ଗ୍ରହଣ କରିଛନ୍ତି।
ସେ ୧୯୯୬ ମସିହାରେ ଏହି ବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେଇଥିଲେ।
ଚାକିରି ଜୀବନର ଆରମ୍ଭରେ ତାଙ୍କୁ ମାସିକ ମାତ୍ର ୭୫୦ ଟଙ୍କା ପାରିଶ୍ରମିକ ମିଳୁଥିଲା।
ସମୟ ବିତିବା ସହ ପାରିଶ୍ରମିକ ବୃଦ୍ଧି ପାଇ ବର୍ତ୍ତମାନ ମାସିକ ୧୪ ହଜାର ୫୦୦ ଟଙ୍କାରେ ପହଞ୍ଚିଥିଲା।
ଏହି ସ୍ୱଳ୍ପ ପାରିଶ୍ରମିକରେ ସେ ନିଜ ପରିବାରର ଭରଣପୋଷଣ କରିବା ସହ ବିଦ୍ୟାଳୟର ଦାୟିତ୍ୱ ତୁଲାଇ ଆସୁଥିଲେ।
ଦୀର୍ଘ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସିଥିଲେ ମଧ୍ୟ ତାଙ୍କ ଚାକିରିକୁ ନିୟମିତ କରାଯାଇ ନଥିବା ଅଭିଯୋଗ ହୋଇଛି।
ଏହି ବର୍ଗର କର୍ମଚାରୀଙ୍କ ଚାକିରି ନିୟମିତ କରିବା ଏବଂ ଉଚିତ୍ ନ୍ୟାୟ ପ୍ରଦାନ ଦାବିରେ ରାଜ୍ୟ ସଂଘ ପକ୍ଷରୁ ବାରମ୍ବାର ଆନ୍ଦୋଳନ, ଦାବି ଓ ପ୍ରତିବାଦ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶାନୁରୂପ ପଦକ୍ଷେପ ନିଆଯାଇ ନଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।
ଏବେ ଅବସର ପରେ ତାଙ୍କ ପରିବାରର ଭବିଷ୍ୟତ କିପରି ଚାଲିବ, ତାହାକୁ ନେଇ ସଦାନନ୍ଦ ବେହେରା ଓ ତାଙ୍କ ପରିବାର ଚିନ୍ତାରେ ରହିଛନ୍ତି।
୭୫୦ ଟଙ୍କା ମାସିକ ପାରିଶ୍ରମିକରୁ ୧୪,୫୦୦ ଟଙ୍କାରେ ପହଞ୍ଚିଲା ଦରମା ଦୀର୍ଘ ୩୦ ବର୍ଷ ଧରି ସେବା କରିବା ପରେ ମଧ୍ୟ ଯଦି ଜଣେ କର୍ମଚାରୀଙ୍କୁ ଅବସର ସମୟରେ ଆର୍ଥିକ ସୁରକ୍ଷା ଓ ଉପଯୁକ୍ତ ସୁବିଧା ମିଳି ନଥାଏ, ତେବେ ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ।
ଅନ୍ୟପକ୍ଷରେ, ଏଭଳି କର୍ମଚାରୀମାନେ ଦୀର୍ଘ ବର୍ଷ ଧରି ଶିକ୍ଷାନୁଷ୍ଠାନରେ ନିଜର ସମୟ ଓ ଶ୍ରମ ଦେଇ ଆସୁଥିଲେ ମଧ୍ୟ ସେମାନଙ୍କ ଭବିଷ୍ୟତ ସୁରକ୍ଷା ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଉନଥିବା ପ୍ରଶ୍ନ ଉଠିଛି।
କେବଳ ଦରମା ବୃଦ୍ଧି ନୁହେଁ, ବରଂ ଦୀର୍ଘ ସେବାର ଉଚିତ୍ ମୂଲ୍ୟାୟନ ଓ ଅବସର ପରବର୍ତ୍ତୀ ଜୀବନରେ ଆର୍ଥିକ ସହାୟତା ମଧ୍ୟ ଜଣେ କର୍ମଚାରୀଙ୍କ ନ୍ୟାଯ୍ୟ ଆଶା।
ତେଣୁ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ବିଚାର କରି ସଦାନନ୍ଦ ବେହେରାଙ୍କ ଦୀର୍ଘ ୩୦ ବର୍ଷର ସେବାକାଳକୁ ଉଚିତ୍ ମୂଲ୍ୟାୟନ କରିବା ସହ ତାଙ୍କୁ ନିୟମାନୁଯାୟୀ ମିଳିବାକୁ ଥିବା ଅବସରକାଳୀନ ଆର୍ଥିକ ସୁବିଧା ଓ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଶ୍ରୀରାମ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।
ଦୀର୍ଘ ବର୍ଷର ସେବା ପରେ ଜଣେ କର୍ମଚାରୀଙ୍କୁ ଅବହେଳିତ ଅବସ୍ଥାରେ ଅବସର ନେବାକୁ ପଡ଼ିବା ଉଚିତ୍ ନୁହେଁ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।
ଜୟପୁର- ନବରଙ୍ଗପୁର ରେଳ ପ୍ରକଳ୍ପ: ଆମ୍ବାଗୁଡ଼ାର ପ୍ରାୟ ୨୬.୬୬ ଏକର ଜମି ରେଳ ବିଭାଗକୁ ହସ୍ତାନ୍ତର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
