Death: ନଦୀକୂଳରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ବାଙ୍ଗିରିପୋଷି: ମୟୂରଭଞ୍ଜଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଲାମୁଣ୍ଡାକଟା ପଞ୍ଚାୟତର ନୂଆବସାଣ ନଦୀକୂଳରୁ ଜଣେ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ଗୋଲାମୁଣ୍ଡାକଟା ଗ୍ରାମର ୬୦ ବର୍ଷୀୟା ମାଳତୀ କର। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁଯାୟୀ, ଶନିବାର ସକାଳେ କିଛି ସ୍ଥାନୀୟ ଲୋକ ଶୌଚ ପାଇଁ ନୂଆବସାଣ ନଦୀପଠାକୁ ଯାଇଥିବା ବେଳେ ସେଠାରେ ଜଣେ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିଥିଲେ। ଏହାପରେ ଘଟଣାଟି ସାମ୍ନାକୁ ଆସିଥିଲା।
ଘଟଣାସ୍ଥଳରୁ ବିଭିନ୍ନ ସାମଗ୍ରୀ ଜବତ
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପରିବାର ଲୋକେ ତରବରିଆ ଭାବେ ମୃତଦେହର ସଂସ୍କାର କରିବାକୁ ଉଦ୍ୟମ କରୁଥିଲେ। ତେବେ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଥିବା ସ୍ଥାନୀୟ ଲୋକେ ଶବଦାହ କରିବାକୁ ଦେଇନଥିଲେ। ଘଟଣାସ୍ଥଳରୁ ପାଣି ବୋତଲ, ଜୋତା, ଟର୍ଚ୍ଚ ଓ ଅର୍ଦ୍ଧଦଗ୍ଧ ଶାଢ଼ି ଭଳି ସାମଗ୍ରୀ ଜବତ କରାଯାଇଛି।
ଖବର ପାଇ ବାଙ୍ଗିରିପୋଷି ଥାନା ଆଇଆଇସି ପଞ୍ଚାନନ ମହାନ୍ତି ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
Electric Bus Services: ଗଞ୍ଜାମରେ ଗଡ଼ିଲା ଇଲେକ୍ଟ୍ରିକ୍ ବସ୍, ୮ଟି ରୁଟ୍ରେ ଚାଲିବ ୨୫ଟି ଗାଡ଼ି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
