Death: ଅଭାବନୀୟ ଘଟଣା: ମୃତ୍ୟୁ ପରେ ବି ୧୨ ଘଣ୍ଟା ଟ୍ରେନ୍ରେ ପଡ଼ିରହିଲା ମୃତଦେହ
ରାଞ୍ଚି: ଚିକିତ୍ସା ପରେ ଘରକୁ ଫେରୁଥିବା ଜଣେ କର୍କଟ ରୋଗୀଙ୍କ ଯାତ୍ରା ଅଧାବାଟରେ ଶେଷ ହୋଇଗଲା। ହେଲେ ମୃତ୍ୟୁ ପରେ ମଧ୍ୟ ତାଙ୍କ ମୃତଦେହକୁ ଟ୍ରେନ୍ରୁ ଓହ୍ଲାଇବାରେ ବିଳମ୍ବ ହୋଇଥିବା ଅଭିଯୋଗ ମାନବିକ ସମ୍ବେଦନଶୀଳତା ଓ ରେଳବାଇର ଜରୁରୀକାଳୀନ ସେବାକୁ ନେଇ ପ୍ରଶ୍ନ ଉଠାଇଛି।
ମୁମ୍ବାଇରୁ ହାୱଡ଼ା ଯାଉଥିବା ଗୀତାଞ୍ଜଳି ଏକ୍ସପ୍ରେସ୍ରେ ଶନିବାର (୨୪ ତାରିଖ) ପଶ୍ଚିମବଙ୍ଗର ଭାଟପଡ଼ା ନିବାସୀ ୪୫ ବର୍ଷୀୟ ବିନୋଦ ପାସୱାନ୍ଙ୍କ ମୃତ୍ୟୁ ହୋଇଥିଲା। ସେ ମୁମ୍ବାଇର ଟାଟା ମେମୋରିଆଲ୍ ହସ୍ପିଟାଲ୍ରୁ କର୍କଟ ରୋଗର ଚିକିତ୍ସା କରାଇ ଫେରୁଥିଲେ। ଯାତ୍ରୀଙ୍କ କହିବା ଅନୁଯାୟୀ, ପାସୱାନ ଟ୍ରେନ୍ ର ଏମ୍-୨ କୋଚ୍ ରେ ଯାତ୍ରା କରୁଥିଲେ ଓ ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା।
ଆହୁରି ପଢନ୍ତୁ: AUDI: ଆମେରିକାରେ କାରଖାନା କରିବ ଅଡି, ବର୍ଷକୁ ୨ ଲକ୍ଷ ଗାଡ଼ି ଉତ୍ପାଦନ ହେବ
ଯାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ସକାଳ ପ୍ରାୟ ୮ଟାରେ ଟିକେଟ୍ ଯାଞ୍ଚକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଯାଇଥିଲେ ମଧ୍ୟ ଦୀର୍ଘ ସମୟ ଧରି ପଦକ୍ଷେପ ନିଆଯାଇ ନଥିଲା। ଫଳରେ ସହଯାତ୍ରୀମାନେ ମୃତଦେହ ପାଖରେ ବସି ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ। ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟ୍ୟାଗ୍ କରି ଓ ରେଳ ମଦଦ ଅଭିଯୋଗ ପ୍ଲାଟଫର୍ମ ବ୍ୟବହାର କରି ସୋସିଆଲ ମିଡିଆରେ ଏହି ସମସ୍ୟା ଉଠାଇଥିଲେ। ଶନିବାର ରାତି ୮ଟା ୩୦ରେ ଝାଡ଼ଖଣ୍ଡର ଜାମସେଦପୁରର ଟାଟାନଗର ଜଙ୍କସନ୍ ଷ୍ଟେସନରେ ମୃତଦେହକୁ ଟ୍ରେନ୍ରୁ ଓହ୍ଲାଇ ଦିଆଯାଇଥିଲା।
ଚକ୍ରଧରପୁର ରେଳମଣ୍ଡଳର ବରିଷ୍ଠ ବାଣିଜ୍ୟିକ ପ୍ରବନ୍ଧକ ଆଦିତ୍ୟ ଚୌଧୁରୀଙ୍କ କହିବାନୁଯାୟୀ, ସନ୍ଧ୍ୟା ୭ଟା ୪୫ରେ ଅଚେତ ଯାତ୍ରୀଙ୍କ ସୂଚନା ମିଳିଥିଲା। ଟାଟାନଗର ଷ୍ଟେସନ୍ରେ ଡାକ୍ତର ଯାଞ୍ଚ କରି ମୃତ ଘୋଷଣା କରିଥିଲେ। ଘଟଣାର ତଦନ୍ତ ଚାଲିଛି। ଉଲ୍ଲେଖଯୋଗ୍ୟ, ଟ୍ରେନ୍ଟି ପ୍ରାୟ ୧୨ ଘଣ୍ଟା ବିଳମ୍ବରେ ଚାଲୁଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
