Death: ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ଖଟିଆରେ ବୁହାହେଲା ଶବ
ରାୟଗଡ଼ାଗୁଡ଼ାରୀ: ରାୟଗଡ଼ାଜିଲ୍ଲା ଗୁଡ଼ାରୀ ବ୍ଲକ କର୍ଲାଘାଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପେଟାଖାଲ ଗ୍ରାମରେ ରାସ୍ତା ଅଭାବର ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ପେଟାଖାଲ ଗ୍ରାମର ମାନା ନରେଙ୍ଗାକାଙ୍କ ସ୍ତ୍ରୀ ସେବତୀ ନରେଙ୍ଗାକା ପ୍ରସବ ପାଇଁ ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମା' ଗୃହରେ ପ୍ରାୟ ୧୫ ଦିନ ଧରି ରହୁଥିଲେ। ଗତ ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଚିକିତ୍ସା ପରେ ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଗୁରୁତର ହେବାରୁ ତାଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବା ବେଳେ ଗୁଣୁପୁର ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ନବଜାତ ଶିଶୁ ମଧ୍ୟ ବଞ୍ଚିପାରି ନଥିଲା। ଗୁଡାରି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ରୋଗ ବିଶେଷଜ୍ଞ ନ ଥିବାରୁ ପ୍ରସବ ସମୟରେ ଏଭଳି ଘଟଣା ଦେଖିବାକୁ ମିଳୁଛି l ଗର୍ଭବତୀ ମହିଳାଙ୍କ ଟିକିଏ କୌଣସି ଅସୁବିଧା ହୁଏ ବାଧ୍ୟ ହୋଇ ଗୁଣୁପୁର ମେଡିକାଲକୁ ରେଫର କରନ୍ତି ଠିକ ସମୟରେ ପହଞ୍ଚି ଗଲେ ମୃତ୍ୟୁମୁଖରୁ ବଞ୍ଚି ଯାଆନ୍ତି, ନଚେତ ସେବତୀ ନାରେଙ୍ଗାକାଙ୍କ ଭଳି ମୃତ୍ୟୁ ମୁଖକୁ ଯିବାକୁ ପଡିଥାଏ l ତେଣୁ ଗୁଡାରି ମେଡିକାଲକୁ ନିହାତି ସ୍ତ୍ରୀ ବିଶେଷଜ୍ଞ ଆବଶ୍ୟକ ରହିଛି l ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଗୁଣୁପୁରରୁ ହେଣ୍ଡେଡ଼େପା ଆର୍.ଡି. ରାସ୍ତା ପର୍ଯ୍ୟନ୍ତ ଅଣାଯାଇଥିଲା। କିନ୍ତୁ ସେଠାରୁ ପେଟାଖାଲ ଗ୍ରାମକୁ ରାସ୍ତା ସଂଯୋଗ ନଥିବାରୁ ଆମ୍ବୁଲାନ୍ସ ଯାଇ ପାରି ନ ଥିଲା ଗାଁକୁ, ତେଣୁ ପରିବାର ସଦସ୍ୟ ଓ ଗ୍ରାମବାସୀମାନେ ମୃତ ଗର୍ଭବତୀ ମିହିଳାଙ୍କୁ ପ୍ରାୟ ୩ରୁ ୪ କିଲୋମିଟର ଦୂର ଖଟିଆରେ ବୋହି ଗ୍ରାମକୁ ନେଇଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ, ପେଟାଖାଲ ଗ୍ରାମକୁ ସଡ଼କ ସଂଯୋଗ ନଥିବାରୁ ଏପରି ଦୁଃଖଦ ଘଟଣା ଘଟିଛି। ଏହା ପ୍ରଥମ ନୁହେଁ।
ମୃତଦେହକୁ ଖଟିଆରେ ବୋହି ଆଣିବାକୁ ପଡ଼ିଥିବା ବହୁ ଘଟଣା ଘଟିଛି
ପୂର୍ବରୁ ମଧ୍ୟ ଅସୁସ୍ଥ ରୋଗୀ ଓ ମୃତଦେହକୁ ଖଟିଆରେ ବୋହି ଆଣିବାକୁ ପଡ଼ିଥିବା ବହୁ ଘଟଣା ଘଟିଛି।ଏ ନେଇ ଗୁଡାରି ସ୍ୱାସ୍ଥ୍ୟ କେନ୍ଦ୍ର ଏମ ଓ ସ୍ୱାଗତ ସ୍ୱାଇଁ ପଚାରି ବୁଝିବାରୁ ମହିଳା ଙ୍କ କାହିଁକି ମୃତ୍ୟୁ ହେଲା ଏହାର ଅନୁସନ୍ଧାନ କରି ତଦନ୍ତ କରାଯିବ ବୋଲି କହିଛନ୍ତି l ମୁତ୍ୟୁ ମହିଳା ଙ୍କୁ ଗୁଡାରି ଥାନା ରେ ଏକ ମାମଲା ରୁଜୁ କରି ଗୁଣୁପୁରରେ ଶବ ବ୍ୟବଚ୍ଛେଦ କରାଯାଇଛି, ଏହା ଏକ ବ୍ରଡ଼ ଡେଡ କେଶ ବୋଲି ଗୁଡାରି ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗ କହିଛନ୍ତି l ରାସ୍ତା ନିମନ୍ତେ ବାରମ୍ବାର ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନାହିଁ। ତୁରନ୍ତ ପେଟାଖାଲ ଗ୍ରାମକୁ ସର୍ବକାଳୀନ ସଡ଼କ ସଂଯୋଗ କରିବା ସହ ଦୁର୍ଗମ ଅଞ୍ଚଳରେ ଜରୁରୀ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
Heritage and Tribal Culture: ଗଜପତିର ଐତିହ୍ୟ ଓ ଆଦିବାସୀ ସଂସ୍କୃତି ଅବହେଳିତ