03 NOVEMBER 2026

Welcome!

Unlock your personalized experience.
Sign Up

Damana Market: ଡମଣା ହାଟ: ବଢ଼ୁଛି କଳେବର ହଟୁନି ସମସ୍ୟା, ନିର୍ମାଣ ହୋଇପାରୁନି ପାର୍କିଂସ୍ଥଳ

Nov 03, 2026 - 08:01
Damana Market: ଡମଣା ହାଟ: ବଢ଼ୁଛି କଳେବର ହଟୁନି ସମସ୍ୟା, ନିର୍ମାଣ ହୋଇପାରୁନି ପାର୍କିଂସ୍ଥଳ

ଚନ୍ଦ୍ର‌ଶେଖରପୁର: ଡମଣା ହାଟରେ ବ୍ୟବସାୟୀଙ୍କ ସଂଖ୍ୟା ବଢ଼ିବା ସହ ଗ୍ରାହକଙ୍କ ଭିଡ଼ ଜମୁଛି। ତା’ସହ ତାଳ ଦେଇ ବଢ଼ିଚାଲିଛି ହାଟ ସମସ୍ୟା। ପାର୍କିଂ ଅବ୍ୟବସ୍ଥା, ଟ୍ରାଫିକ୍ ଜାମ୍‌ ଓ ଫୁଟପାଥ୍‌ ଜବରଦଖଲ ଏବେ ହାଟର ପ୍ରମୁଖ ସମସ୍ୟା ପାଲଟିଛି। ଫଳରେ ହାଟକୁ ଆସୁଥିବା ଗ୍ରାହକଙ୍କଠାରୁ ଆରମ୍ଭ କରି ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ନାନା ଅସୁବିଧା ଭୋଗୁଛନ୍ତି। ରାସ୍ତା ସମସ୍ୟା ଦୂର ସହ କୋଲ୍‌ଡ ଷ୍ଟୋର, ଶୌଚାଳୟ ନିର୍ମାଣ ମାଧ୍ୟମରେ ବ୍ୟବସାୟୀଙ୍କ ସମସ୍ୟା କିଛି ମାତ୍ରାରେ ଦୂର କରାଯାଇଥିଲେ ମଧ୍ୟ ପାର୍କିଂ ସମସ୍ୟା ଦୂର ହୋଇପାରୁ ନାହିଁ। ପାର୍କିଂ ପାଇଁ ସ୍ଥାନ ଚିହ୍ନଟ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାମ ଆଗେଇପାରି ନାହିଁ। ୧୯୯୦ ମସିହାରେ ଧ୍ରୁବ ସାହୁଙ୍କ ଉଦ୍ୟାମ ଓ ଡମଣା ଗ୍ରାମବାସୀଙ୍କ ସହଯୋଗରେ ପ୍ରତିଷ୍ଠା ହୋଇଥିବା ଡମଣା ହାଟକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ମାତ୍ର ୧୪୦ ଜଣ ବ୍ୟବସାୟୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ହାଟରେ ଏବେ ୬୦୦ରୁ ଅଧିକ  ବ୍ୟବସାୟୀ ବେପାର କରୁଛନ୍ତି। ସେଥିମଧ୍ୟରୁ ୩୨୦ ସ୍ଥାୟୀ ଓ ୩୦୦ ଅସ୍ଥାୟୀ ବ୍ୟବସାୟୀ ରହିଛନ୍ତି। ଚନ୍ଦ୍ରଶେଖରପୁର ଓ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଏହା ଏକ ପ୍ରମୁଖ ବଜାର ପାଲଟିଛି। ହେଲେ ହାଟର ଆକାର ଓ ଗ୍ରାହକଙ୍କ ସଂଖ୍ୟା ବଢ଼ିଥିଲେ ମଧ୍ୟ ଯାତାୟାତ ଓ ପାର୍କିଂ ବ୍ୟବସ୍ଥା ସେହି ଅନୁପାତରେ ସୁଧୁରି ପାରିନାହିଁ। ଯେଉଁଥିପାଇଁ ଡମଣା-ଶୈଳଶ୍ରୀବିହାର ରାସ୍ତାରେ ଅବସ୍ଥିତ ଏହି ହାଟ ନିକଟରେ ସନ୍ଧ୍ୟା ହେଲେ ଗାଡ଼ିଗୁଡ଼ିକର ଲମ୍ବା ଧାଡ଼ି ଲାଗୁଛି।

ଅପରାହ୍ଣ ୫ଟାରୁ ରାତି ୯ଟା ମଧ୍ୟରେ ଅଫିସ ଫେରନ୍ତା ଓ ବଜାର କରିବାକୁ ଆସୁଥିବା ଲୋକଙ୍କ ଭିଡ଼ ଯୋଗୁଁ ସ୍ଥିତି ଜଟିଳ ହେଉଛି। ହାଟକୁ ଆସୁଥିବା ଲୋକେ ରାସ୍ତାକଡ଼ ଓ ସର୍ଭିସ୍‌ ରୋଡ୍‌ରେ ଗାଡ଼ି ରଖୁଥିବାରୁ ରାସ୍ତା ସଙ୍କୁଚିତ ହେଉଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଜରୁରୀକାଳୀନ ଗାଡ଼ି ଚଳାଚଳ କରିବାରେ ଅସୁବିଧା ହେଉଛି। ସେହିପରି ହାଟ ବାହାରେ ଫୁଟପାଥ୍ ଜବରଦଖଲ ମଧ୍ୟ ଅନ୍ୟତମ ଚିନ୍ତାର କାରଣ ପାଲଟିଛି। ବୁଲା ବିକାଳି ଓ ଅସ୍ଥାୟୀ ଦୋକାନୀମାନେ ଫୁଟପାଥ୍‌ରେ ବସୁଥିବାରୁ ପଥଚାରୀଙ୍କୁ ରାସ୍ତା ଉପରେ ଚାଲିବାକୁ ପଡ଼ୁଛି। ଫଳରେ ଦୁର୍ଘଟଣାର ଆଶଙ୍କା ବଢ଼ୁଛି। ବିଏମ୍‌ସି ଓ ଟ୍ରାଫିକ୍ ପୁଲିସ ପକ୍ଷରୁ ସମୟ ସମୟରେ ଜବରଦଖଲ ଉଚ୍ଛେଦ, ପଲିଥିନ ବ୍ୟବହାର ଯାଞ୍ଚ ଓ ଜରିମାନା ଆଦାୟ କରାଯାଉଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଏଥିପାଇଁ ହାଟ ନିକଟରେ ସୁବ୍ୟବସ୍ଥିତ ପାର୍କିଂ ସ୍ଥାନ, ଫୁଟପାଥ୍‌ରୁ ଜବରଦଖଲ ହଟାଇବା ଓ ନିୟମିତ ଟ୍ରାଫିକ୍ ନିୟନ୍ତ୍ରଣ ଜରୁରୀ ହୋଇପଡ଼ିଛି। ହାଟର ସୁରକ୍ଷା ଓ ପରିଚାଳନାକୁ ସୁଦୃଢ଼ କରିବାକୁ ସିସିଟିଭି କ୍ୟାମେରା ଲଗାଇବା ସହ ଆଲୋକୀକରଣ ବ୍ୟବସ୍ଥାର ଉନ୍ନତୀକରଣର ଆବଶ୍ୟକତା ରହିଥିବା ବ୍ୟବସାୟୀ ସଂଘ ସଭାପତି ଦେବେନ୍ଦ୍ର କୁମାର ସାହୁ ଓ ସମ୍ପାଦକ ମନୋରଞ୍ଜନ ଦାସ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)