Cyclone: ପୂର୍ବ ଚୀନ୍ରେ ବାତ୍ୟା ‘ବାବୀ’ର ତାଣ୍ଡବ: ୨୨ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର
"ବେଜିଂ: ପୂର୍ବ ଚୀନ୍ରେ ଶକ୍ତିଶାଳୀ ବାତ୍ୟା "ବାବୀ" ପ୍ରବଳ ବର୍ଷା ଓ ଝଡ଼ତୋଫାନ ସହ ବ୍ୟାପକ ପ୍ରଭାବ ପକାଇଛି।
ଚୀନ୍ର ଜେଜିଆଙ୍ଗ ପ୍ରଦେଶରେ ଶନିବାର ରାତିରେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଏହା ଧୀରେ ଧୀରେ ଦୁର୍ବଳ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ଏବେ ବି ଜାରି ରହିଛି।
ବାତ୍ୟା ଯୋଗୁ ପୂର୍ବ ଚୀନ୍ର ବହୁ ସହରରେ ଅତିପ୍ରବଳ ବର୍ଷା ଓ ଘଣ୍ଟାପ୍ରତି ପ୍ରାୟ ୧୦୧ କିଲୋମିଟର ବେଗର ପବନ ବହୁଛି।Advertisment ଚୀନ୍ର ଜାତୀୟ ପାଣିପାଗ କେନ୍ଦ୍ର କହିଛି, ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି ଏବଂ ଆଗାମୀ କିଛି ଦିନ ପୂର୍ବ ଓ ଉତ୍ତର ଚୀନ୍ର ବିସ୍ତୃତ ଅଞ୍ଚଳରେ ଲଗାତାର ପ୍ରବଳ ବର୍ଷା ହୋଇପାରେ।
ଏହାଫଳରେ ବନ୍ୟା, ଭୂସ୍ଖଳନ ଓ ସହରାଞ୍ଚଳରେ ଜଳମଗ୍ନ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ବଢ଼ିଛି।
ବାତ୍ୟାକୁ ଦୃଷ୍ଟିରେ ରଖି ଜେଜିଆଙ୍ଗ ପ୍ରଦେଶରୁ ପ୍ରାୟ ୨୨ ଲକ୍ଷ ଲୋକଙ୍କୁ, ସାଂଘାଇରୁ ୨ ଲକ୍ଷ ୯୦ ହଜାରରୁ ଅଧିକ ଏବଂ ଫୁଜିଆନ୍ ପ୍ରଦେଶରୁ ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକଙ୍କୁ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ଧାରକାରୀ ଦଳ, ଭାରୀ ଯନ୍ତ୍ରପାତି ଓ ଜରୁରି ସେବାକୁ ପ୍ରସ୍ତୁତ ରଖାଯାଇଛି।
Cyclone: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା: ତାପମାତ୍ରା କମିଲା, ଲାଗିରହିବ କାଳବୈଶାଖୀ ଜେଜିଆଙ୍ଗର ୟୁଏକିଙ୍ଗ ସହରରେ ବାତ୍ୟାର ପ୍ରଭାବ ସବୁଠାରୁ ଅଧିକ ଦେଖାଯାଇଛି।
ସେଠାରେ ୧,୩୦୦ରୁ ଅଧିକ ଗଛ ଉପୁଡ଼ି ପଡ଼ିଥିବାବେଳେ ଅନେକ ସଡ଼କ ଜଳମଗ୍ନ ହୋଇଯାଇଛି।
ଭୂସ୍ଖଳନ ଓ ନଦୀର ଜଳସ୍ତର ବୃଦ୍ଧି ମଧ୍ୟ ସ୍ଥିତିକୁ ଅଧିକ ଗମ୍ଭୀର କରିଛି।
ବାତ୍ୟା ପ୍ରଭାବରେ ବିମାନ ଓ ରେଳ ଚଳାଚଳ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।
ସାଂଘାଇର ପୁଡୋଙ୍ଗ ଓ ହଙ୍ଗକିଆଓ ବିମାନବନ୍ଦରରୁ ପ୍ରାୟ ୬୫୩ଟି ବିମାନ ଉଡ଼ାଣ ବାତିଲ କରାଯାଇଛି।
ଅନେକ ହାଇସ୍ପିଡ୍ ଟ୍ରେନ୍ ସେବା ମଧ୍ୟ ବନ୍ଦ ରହିଛି।
ବାବୀ ଚୀନ୍ରେ ପହଞ୍ଚିବା ପୂର୍ବରୁ ଜାପାନର ଦକ୍ଷିଣ ସାକିଶିମା ଦ୍ୱୀପପୁଞ୍ଜ ଓ ତାଇୱାନର ଉତ୍ତର ଉପକୂଳ ନିକଟ ଦେଇ ଅତିକ୍ରମ କରିଥିଲା।
ତାଇୱାନରେ ବାତ୍ୟା ସ୍ଥଳଭାଗ ଛୁଇଁନଥିଲେ ମଧ୍ୟ ପ୍ରବଳ ପବନ ଓ ବର୍ଷା ଯୋଗୁ ୧୩୪ ଜଣ ଆହତ ହୋଇଛନ୍ତି।
ଅଧିକାଂଶ ଲୋକ ମୋଟରସାଇକେଲ କିମ୍ବା ସାଇକେଲ ଚଳାଉଥିବା ବେଳେ ଦୁର୍ଘଟଣାରେ ଆହତ ହୋଇଥିବା ସ୍ଥାନୀୟ ଅଗ୍ନିଶମ ବିଭାଗ ସୂଚନା ଦେଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।