Cyber Fraud: ବନ୍ଦ ବୀମା ପଲିସି ଟଙ୍କା ଲୋଭ ଦେଖାଇ ଲୁଟିଲେ ୨.୧୮ ଲକ୍ଷ
"ଜଗତସିଂହପୁର: ବୀମା ପଲିସି ଅଧାରୁ ବନ୍ଦ ହୋଇ ଯାଇଥିଲା।
ଚାଲୁ କରିବା ପାଇଁ ସଂସ୍ଥାରୁ ଯେତେ ଫୋନ୍ କଲ୍ ଆସିଥିଲେ ମଧ୍ୟ ରାଜି ହୋଇ ନ ଥିଲେ ବୀମାଧାରୀ।
କିନ୍ତୁ ସାଇବର ଠକଙ୍କ ମାୟାଜାଲରେ ଫସିଗଲେ।
ମାତ୍ର ୫୦ ହଜାର ଟଙ୍କାର ବୀମା ଥିଲା, କିନ୍ତୁ ଲୋଭରେ ପଡ଼ି ୨ ଲକ୍ଷରୁ ଅଧିକ ଟଙ୍କା ହରାଇଦେଲେ।
ଶେଷରେ ଥାନାରେ ଏତଲା ଦେଇଛନ୍ତି।Advertisment ସାଇବର ଠକେଇର ଶିକାର ମିଳିଥିବା ସୂଚନା ଅନୁସାରେ, ଠକେଇର ଶିକାର ହୋଇଛନ୍ତି ଦେଭୋଗ ଗ୍ରାମର ଅଜୟ କୁମାର ପତି।
ଅଭିଯୋଗରୁ ଜଣାପଡ଼ିଛି, ଅଜୟ ଏଚଡିଏଫସି ଲାଇଫରେ ୫୦ ହଜାର ଟଙ୍କାର ବୀମା କରାଇଥିଲେ।
କିନ୍ତୁ ତାକୁ ସେ ଚଳାଉ ନ ଥିଲେ।
ବୀମାକୁ ସକ୍ରିୟ କରିବା ପାଇଁ ବିଭିନ୍ନ ସମୟରେ ବୀମା ଅଫିସରୁ ତାଙ୍କୁ ଫୋନ୍ କଲ୍ ଆସୁଥିଲା।
କିନ୍ତୁ ସେ ବୀମା ଚଳାଇବାକୁ ମନା କରି ଦେଉଥିଲେ।
କିନ୍ତୁ ବନ୍ଦ ପଡ଼ିଥିବା ବୀମାର ସନ୍ଧାନ ପାଇ ଯାଇଥିଲେ ସାଇବର ଠକ।
ତଥ୍ୟ ସଂଗ୍ରହ କରି ଅଜୟଙ୍କ ପାଖକୁ ଫୋନ୍ କଲ୍ କରିଥିଲେ।
ସେହି ପଲିସିରୁ ଅଧିକ ଅର୍ଥ ପାଇବାର ଲୋଭ ଦେଖାଇ ତାଙ୍କୁ ମାୟାଜାଲରେ ଫସାଇଥିଲେ।
ପ୍ରଥମେ କହିଥିଲେ ପ୍ରୋସେସିଂ ଫି ୮ ହଜାର ଟଙ୍କା ଦାଖଲ କରି ସୁଧ ସହ ୭୮ ହଜାର ଟଙ୍କା ନେଇ ଯିବାକୁ।
ଠକ କଥାରେ ବିଶ୍ବାସ କରି ଅଜୟ ୮ ହଜାର ଟଙ୍କା ପଠାଇଥିଲେ।
ଏହା ପରେ ଠକ ୪ ଲକ୍ଷ ୭୮ ହଜାର ଟଙ୍କାର ଏକ ଡିମାଣ୍ଡ ଡ୍ରାଫ୍ଟ(ଡିଡି)ର ଫଟୋ ଅଜୟଙ୍କ ନାଁରେ ତାଙ୍କ ହ୍ବାଟସଆପକୁ ପଠାଇ ଥିଲା।
ଏତେ ଟଙ୍କା ଦେଖି ଓ ଠକର ଦାବି ମୁତାବକ ଅଜୟ ପୁଣି ୪୨ ହଜାର ଟଙ୍କା ଦେଇଥିଲେ।
ଏହା ପରେ ପୁଣି ଏକ ଡିମାଣ୍ଡ ଡ୍ରାଫ୍ଟରେ ୭ ଲକ୍ଷ ୨୫ ହଜାର ୧୦ ଟଙ୍କାର ଫଟୋ ଅଜୟଙ୍କ ପାଖକୁ ପଠାଇଥିଲା ଠକ।
ପୁଣି ଟଙ୍କା ନେଇଥିଲା।
ଏହିପରି ଭାବେ ଅନଲାଇନ୍ ପେମେଣ୍ଟ ଜରିଆରେ ଠକ ଅଜୟଙ୍କ ଠାରୁ ୨ ଲକ୍ଷ ୧୮ ହଜାର ୯୩୦ ଟଙ୍କା ନେଇ ଯାଇଥିଲା।
କୌଣସି ଟଙ୍କା ନ ଆସିବାରୁ ଅଜୟ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ।
ଏ ନେଇ ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ।
ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
Doctors Strike: ଡାକ୍ତରଙ୍କ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଆନ୍ଦୋଳନ: ରାଜ୍ୟବ୍ୟାପୀ ସ୍ୱାସ୍ଥ୍ୟସେବା ପ୍ରଭାବିତ "