Crime: ହାଇ ଡୋଜ୍ ଆନାସ୍ଥେସିଆ ଦେଇ ପତ୍ନୀ ହତ୍ୟା ମାମଲା: ସ୍ବାମୀ ଓ ପ୍ରେମିକାକୁ ଆଜୀବନ ଜେଲ୍, ୨୦ମାସରେ ଶୁଣାଣି ଶେଷ
"ଭୁବନେଶ୍ବର: ୨୦୨୪ ଅକ୍ଟୋବର ୨୮ ତାରିଖ ଦିନ ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ଘଟିଥିଲା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ।
ଦ୍ବିତୀୟ ବିବାହ ପାଇଁ ସ୍ବାମୀ ପ୍ରଦ୍ୟୁମ୍ନ ଦାସ ଓ ତା"ର ପ୍ରେମିକା ରୋଜି ପାତ୍ରର ସୁଚିନ୍ତିତ ଷଡ୍ଯନ୍ତ୍ରର ଶିକାର ହୋଇ ପତ୍ନୀ ଶୁଭଶ୍ରୀ ନାୟକ(୨୬) ବଳିପଡ଼ି ଯାଇଥିଲେ।
ଏକ ଘରୋଇ ହସ୍ପିଟାଲ୍ରେ ନର୍ସ ଭାବେ କାମ କରୁଥିବା ପ୍ରେମିକା ରୋଜି ହସ୍ପିଟାଲ୍ରୁ ଚୋରି କରି ଆନାସ୍ଥେସିଆ ଆଣିଥିଲେ ଏବଂ ପ୍ରଦ୍ୟୁମ୍ନ ସହ ମିଶି ବଳପୂର୍ବକ ଶୁଭଶ୍ରୀଙ୍କ ଦେହରେ ହାଇ ଡୋଜ୍ ଆନାସ୍ଥେସିଆ ଇଂଜେକ୍ସନ୍ ଫୋଡ଼ିଥିଲେ।
ଶୁଭଶ୍ରୀ ବିଷପିଇ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାଇବାକୁ ସେମାନେ ଏଭଳି ଷଡ୍ଯନ୍ତ୍ର ରଚିଥିଲେ।
କିନ୍ତୁ ସେମାନଙ୍କ ଷଡ୍ଯନ୍ତ୍ରର ପର୍ଦ୍ଦାଫାସ ହୋଇଯାଇଥିଲା।
ଏହି ସୁପରିକଳ୍ପିତ ହତ୍ୟାକାଣ୍ଡର ୨୦ ମାସ ପରେ କୋର୍ଟ ଆଜି ରାୟ ଶୁଣାଇଛନ୍ତି।
ଭୁବନେଶ୍ବର ଦ୍ୱିତୀୟ ଅତିରିକ୍ତ ସେସନ୍ସ ଜଜ୍ କୋର୍ଟ ବିଚାରପତି ବନ୍ଦନା କର, ମୁଖ୍ୟ ଆସାମୀ ପ୍ରଦ୍ୟୁମ୍ନ ଓ ତା" ପ୍ରେମିକା ରୋଜି(୨୨)ଙ୍କୁ ଆଜୀବନ କାରାଦଣ୍ଡ ସଜ୍ଜା ଶୁଣାଇଛନ୍ତି।
ଏହାସହିତ ସେମାନଙ୍କ ଉପରେ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଧାର୍ଯ୍ୟ କରାଯାଇଛି ଏବଂ ଜରିମାନା ଅନାଦାୟ ହେଲେ ପ୍ରତ୍ୟେକଙ୍କୁ ଅଧିକ ବର୍ଷକର ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି।
ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ମୁଖ୍ୟ ଆସାମୀ ପ୍ରଦ୍ୟୁମ୍ନର ବାନ୍ଧବୀ ଏଜିତା ଭୂୟାଁଙ୍କୁ କୋର୍ଟ ତଥ୍ୟ ପ୍ରମାଣ ଅଭାବରୁ ଖଲାସ କରିଛନ୍ତି।Advertisment Blood Donation: ରକ୍ତ ନୁହେଁ, ଜଣେ ଯୁବକ ପାଇଁ ଦୌଡ଼ିଲା ମାନବିକତା!
ଘଟଣାଟି ଥିଲା ଏମିତି।
୨୦୨୦ ମସିହାରେ ଖୋର୍ଦ୍ଧା ବିଜେବିନଗରର ଶୁଭଶ୍ରୀ ଓ କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା କସୋଟି ଗ୍ରାମର ବିଶ୍ୱରଞ୍ଜନ ଦାସଙ୍କ ପୁଅ ପ୍ରଦ୍ୟୁମ୍ନ ପ୍ରେମ ବିବାହ କରିଥିଲେ।
ନୋଟାରି ମାଧ୍ୟମରେ ସେମାନଙ୍କ ବିବାହ ହୋଇଥିଲା।
କିନ୍ତୁ କିଛି ଦିନ ଭିତରେ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଥିଲା।
ଶ୍ୟାମପୁରସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ନର୍ସ କାମ କରୁଥିବା ରୋଜି ଓ ରୋଜିଙ୍କ ବାନ୍ଧବୀ ଏଜିତାଙ୍କ ସହ ସ୍ବାମୀ ପ୍ରଦ୍ୟୁମ୍ନଙ୍କ ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ଶୁଭଶ୍ରୀଙ୍କୁ ନାନା ନିର୍ଯାତନାର ଶିକାର ହେବାକୁ ପଡ଼ିଲା ଏବଂ ସେ ବାପଘରକୁ ଚାଲିଯାଇଥିଲେ।
ଏଣେ ପ୍ରଦ୍ୟୁମ୍ନ ଓ ରୋଜି ବିବାହ କରିବା ଲାଗି ଆଗେଇ ଚାଲିଥିଲେ।
କିନ୍ତୁ ଶୁଭଶ୍ରୀ ସେମାନଙ୍କ ବାଟରେ କଣ୍ଟା ହୋଇରହିଥିଲେ।
ସେ ଛାଡ଼ପତ୍ର ଦେବାକୁ ପ୍ରସ୍ତୁତ ନଥିଲେ।
ପ୍ରେମରେ ଅନ୍ଧ ହୋଇଯାଇଥିବା ପ୍ରଦ୍ୟୁମ୍ନ ଓ ରୋଜି ପରସ୍ପରକୁ ପାଇବା ଲାଗି ଯେ କୌଣସି ସ୍ତରକୁ ଯିବା ପାଇଁ ପ୍ରସ୍ତୁତ ଥିଲେ।
ଏଣୁ ରୋଜି, ଏଜିତା ଓ ପ୍ରଦ୍ୟୁମ୍ନ ମିଶି ସବୁଦିନ ପାଇଁ ଶୁଭଶ୍ରୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। "ସାପ ମରିବ, ବାଡ଼ି ଭାଙ୍ଗିବନି" ଭଳି ଏକ ସୁପରିକଳ୍ପିତ ଯୋଜନା ପ୍ରସ୍ତୁତ ହେଲା।
ରୋଜି ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ପାଇଁ ଆସିଥିବା ଆନାସ୍ଥେସିଆ ଚୋରି କରି ଆଣି ସାଇତି ରଖିଲା।
୨୦୨୪ ଅକ୍ଟୋବର ୨୭ରେ ପ୍ରଦ୍ୟୁମ୍ନ ଶଶୁର ଘରକୁ ଯାଇ କ୍ଷମା ମାଗିଲା ଏବଂ ଶୁଭଶ୍ରୀଙ୍କୁ ସାଙ୍ଗରେ ନେଇଆସିଲା।
ଖୁବ୍ ସୁନ୍ଦର ଭାବେ ଛଳନାପୂର୍ଣ୍ଣ ଅଭିନୟ କରିଥିବା ପ୍ରଦ୍ୟୁମ୍ନ ଏକ ଭୟଙ୍କର ଯୋଜନା କରିଆସିଛି ବୋଲି ନା ଶୁଭଶ୍ରୀ ବୁଝିପାରିଲେ ନା ତାଙ୍କ ବାପାମାଆ ଜାଣିପାରିଲେ।
ପରଦିନ ଜଣେ ବନ୍ଧୁଙ୍କ ଘର ବୁଲିଯିବା ବାହାନାରେ ପ୍ରଦ୍ୟୁମ୍ନ, ଶୁଭଶ୍ରୀଙ୍କୁ ନେଇ ଶ୍ୟାମପୁର ବାହାରିଥିଲା।
Flood In Odisha: ତେଲ, ଉତେଇ ନଦୀରେ ବନ୍ୟା, ଶତାଧିକ ଏକର ଚାଷଜମି ଜଳମଗ୍ନ ବହୁ ଦିନ ପରେ ସ୍ବାମୀ ନିକଟକୁ ଫେରିଥିବା ଖୁସିରେ ଶୁଭଶ୍ରୀ ମଧ୍ୟ ତା" ସହିତ ବାହାରିଯାଇଥିଲେ।
ପ୍ରଦ୍ୟୁମ୍ନ ତାଙ୍କୁ ନେଇ ଯେତେବେଳେ ରୋଜି ଭଡ଼ାଘରେ ପହଞ୍ଚିଲା, ଶୁଭଶ୍ରୀ ସବୁ ବୁଝିପାରିଥିଲେ।
କିନ୍ତୁ ସେତେବେଳକୁ ସେ ମୁକୁଳିବା ବାଟ ବନ୍ଦ ହୋଇଯାଇଥିଲା।
ପ୍ରଦ୍ୟୁମ୍ନ, ରୋଜି ତାଙ୍କୁ ମାଡ଼ିବସିଥିଲେ ଏବଂ ହାଇ ଡୋଜ୍ ଆନାସ୍ଥେସିଆ ଇଂଜେକ୍ସନ ଫୋଡ଼ି ଦେଇଥିଲେ।
ସେ ନିସ୍ତେଜ ହୋଇଯିବା ପରେ ସେମାନେ ଇଂଜେକ୍ସନ ଫୋଡ଼ିଥିବା ଅଂଶକୁ ଭଲ ଭାବେ ସଫା କରି କ୍ୟାପିଟାଲ୍ ହସ୍ପିଟାଲକୁ ନେଇଥିଲେ।
ସେଠାରେ ଡାକ୍ତର ଶୁଭଶ୍ରୀଙ୍କୁ ମୃତ ଘୋଷଣା କରିଥିଲେ।
ଶୁଭଶ୍ରୀଙ୍କ ମାଆ ତପସ୍ବିନୀଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରିଥିଲା ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସବୁ ସତ ବାହାରିଆସିଥିଲା।
୨୦ଜଣ ସାକ୍ଷୀ, ଷ୍ଟେଟ୍ ଫରେନସିକ୍ ଲ୍ୟାବ୍ର ଟେଷ୍ଟ ରିପୋର୍ଟ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି।
ସରକାରଙ୍କ ପକ୍ଷରୁ କ୍ୟାଡର୍ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ସାଇରଞ୍ଜନ ମହାନନ୍ଦିଆ ଏହି ମାମଲା ପରିଚାଳନା କରିଥିଲେ।
ଅତ୍ୟନ୍ତ ସଫଳତାର ସହ ପରିଚାଳନା କରିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।